Breaking News

ବାକି ଟଙ୍କା ମାଗିବାରୁ ହତ୍ୟା ଉଦ୍ୟମ: ମା’-ପୁଅଙ୍କୁ ନିଅଁା ଲଗାଇଦେଲା, ଗୁରୁତର ଅବସ୍ଥାରେ ଚିକିତ୍ସା ହେଉଛନ୍ତି

ମାତ୍ର ୧୫୦ ଟଙ୍କା ପାଇଁ ଏବେ ଜଣେ ମହିଳା ମରଣ ସହ ସଂଗ୍ରାମ କରୁଛନ୍ତି। ବାକି ଟଙ୍କା ମାଗିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ସହର ମଝିରେ ଜଣେ ନିଶାଡ଼ି ରାତି ଅଧରେ ପେଟ୍ରୋଲ୍‌ ଢାଳି ମା’ ସହ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଛି।

ଭୁବନେଶ୍ବର: ମାତ୍ର ୧୫୦ ଟଙ୍କା ପାଇଁ ଏବେ ଜଣେ ମହିଳା ମରଣ ସହ ସଂଗ୍ରାମ କରୁଛନ୍ତି। ବାକି ଟଙ୍କା ମାଗିବାରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ସହର ମଝିରେ ଜଣେ ନିଶାଡ଼ି ରାତି ଅଧରେ ପେଟ୍ରୋଲ୍‌ ଢାଳି ମା’ ସହ ପୁଅକୁ ହତ୍ୟା କରିବାକୁ ଉଦ୍ୟମ କରିଛି। ଗୁରୁତର ଅବସ୍ଥାରେ ମହିଳାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସର୍ଜରି ବିଭାଗରେ ଭର୍ତ୍ତି କରାଯାଇଛି। ପୁଅର ହାତ ମଧ୍ୟ ପୋଡ଼ି ହୋଇ ଯାଇଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣା ଘଟାଇବା ପରେ ଦୁର୍ବୃତ୍ତ ଜଣକ ସେଠାରୁ ଫେରାର୍‌ ହୋଇଯାଇଛି।

ପୁଲିସ୍‌ଠୁ ମିଳିଥିବା ସୂଚନା ଅନୁସାରେ, ଖଣ୍ଡପଡ଼ା ବଳଦିଆ ନୂଆଗାଁର ପଞ୍ଚାନନ ପ୍ରଧାନ ୧୦ ବର୍ଷ ହେବ ନବୀନନିବାସ ନିକଟସ୍ଥ ଏକ ବସ୍ତିରେ ଭଡ଼ାରେ ରହୁଛନ୍ତି। କ୍ୟାପିଟାଲ ଥାନା ଅନ୍ତର୍ଗତ ହସ୍ପିଟାଲ ପଛପଟେ ତାଙ୍କର ଏକ ପାନ ଦୋକାନ ଓ ଜଳଖିଆ ଦୋକାନ ଅଛି। ଲକ୍ଷ୍ମୀଧର ନାମକ ଜଣେ ଯୁବକ ତାଙ୍କ ଦୋକାନକୁ ଆସି ବାକିରେ ଜଳଖିଆ ଖାଉଥିଲେ। ଗତ ୧୫ ତାରିଖ ଦିନ ପଞ୍ଚାନନଙ୍କ ପତ୍ନୀ ସରୋଜିନୀ ଓ ତାଙ୍କ ପୁଅ ସୂର୍ଯ୍ୟକାନ୍ତ ଦୋକାନରେ ଥିବାବେଳେ ଲକ୍ଷ୍ମୀଧର ଜଳଖିଆ ଖାଇବାକୁ ଆସିଥିଲା। ପୂର୍ବର ବାକି ବାବଦକୁ ୧୫୦ ଟଙ୍କା ଦେଇ ନଥିବାରୁ ଆଉ କିଛି ଦେଇ ହେବ ନାହିଁ ବୋଲି ସରୋଜିନୀ ଓ ସୂର୍ଯ୍ୟକାନ୍ତ ରୋକଠୋକ୍‌ ମନା କରିଦେଇଥିଲେ। ଆକ୍ରମଣର ଠିକ୍‌ ୪ ଦିନ ପୂର୍ବରୁ ଲକ୍ଷ୍ମୀଧର ପୁଣି ଥରେ ଦୋକାନକୁ ଆସି ଜିନିଷ ମାଗିବାରୁ ପୁଣି ଥରେ ବାକି ନ ଦେବାକୁ ମା’ ଓ ପୁଅ କହିଥିଲେ। ଫଳରେ ଲକ୍ଷ୍ମୀଧର ଉତ୍‌କ୍ଷିପ୍ତ ହୋଇ ଯାଇଥିଲେ। ରାସ୍ତାକଡ଼ରେ ଦୋକାନ କରି ବାକି କାହିଁକି ଦେବନି ବୋଲି କହି ମା’ ଓ ପୁଅକୁ ଧମକାଇଥିଲା।

ଗତକାଲି ବିଳମ୍ବିତ ରାତି ପ୍ରାୟ ୨ଟାରେ ସରୋଜିନୀ ଓ ସୂର୍ଯ୍ୟକାନ୍ତ ଦୋକାନରେ ଶୋଇଥିବା ବେଳେ ଲକ୍ଷ୍ମୀଧର ଉଭୟଙ୍କୁ ରାସ୍ତାରୁ ହଟାଇବା ପାଇଁ ସେମାନଙ୍କ ଉପରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲା। ନିଆଁ ଲାଗିଯିବାରୁ ସରୋଜିନୀ ଓ ସୂର୍ଯ୍ୟକାନ୍ତ ଚିତ୍କାର କରିଥିଲେ। ସରୋଜିନୀଙ୍କ ହାତ, ବାମପଟ ଶରୀର ଓ ମୁହଁ ପୋଡ଼ିଯିବାରୁ ଜୀବନ ବଞ୍ଚାଇବାକୁ ପାଟି କରିଥିଲେ। ପରେ ମଶାରି, ବେଡ୍ ଓ ପୁଅ ହାତରେ ନିଆଁ ଲାଗିଥିବା ଦେଖି ଜୀବନ ବିକଳରେ ପାଣି ବାଲ୍‌ଟି ସୂର୍ଯ୍ୟକାନ୍ତଙ୍କ ଉପରକୁ ଢାଳି ଦେବା ପରେ ଉଭୟ ଦୋକାନ ବାହାରକୁ ପଳାଇ ଆସିଥିଲେ। ଲକ୍ଷ୍ମୀଧର ଏହି ଚିତ୍କାର ଶୁଣି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ସ୍ଥାନୀୟ ଲୋକେ ଉଭୟ ମା’ ଓ ପୁଅକୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲେ। ଏବେ ବି ସରୋଜିନୀ ସେଠାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ଘଟଣା ସଂକ୍ରାନ୍ତରେ ସ୍ବାମୀ ପଞ୍ଚାନନ ପ୍ରଧାନ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଅଭିଯୁକ୍ତ ଲକ୍ଷ୍ମୀଧର ଏପର୍ଯ୍ୟନ୍ତ ଧରାପଡ଼ିନାହିଁ। ତାକୁ ଧରିବା ପାଇଁ ପୁଲିସ ଚଢ଼ଉ ଜାରି ରଖିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.