Breaking News

ବାଣ ନିଆଁରେ ଜଳିଗଲା ଯଜ୍ଞମଣ୍ଡପ ଛପର, ପୂର୍ଣ୍ଣାହୁତି ବେଳେ ଅଘଟଣ

ଆଜି ସନ୍ଧ୍ୟାରେ ବାରଙ୍ଗ ଦାଢ଼ାପାଟଣା ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣା। ବୁଢ଼ା ମହାବୀର, ରାମ, ଲକ୍ଷ୍ମଣ, ସୀତାଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି ବେଳେ ମଣ୍ଡପର ଛପର ଜଳିଯାଇଥିଲା।

ବାରଙ୍ଗ: ଆଜି ସନ୍ଧ୍ୟାରେ ବାରଙ୍ଗ ଦାଢ଼ାପାଟଣା ଗ୍ରାମରେ ଘଟିଥିଲା ଏକ ଅଭାବନୀୟ ଘଟଣା। ବୁଢ଼ା ମହାବୀର, ରାମ, ଲକ୍ଷ୍ମଣ, ସୀତାଙ୍କ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ପାଇଁ ଚାଲିଥିବା ଯଜ୍ଞର ପୂର୍ଣ୍ଣାହୂତି ବେଳେ ମଣ୍ଡପର ଛପର ଜଳିଯାଇଥିଲା। ବାଣ ନିଆଁ ପଡ଼ି ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କିନ୍ତୁ ଏହି ଅଗ୍ନିକାଣ୍ଡରେ କୌଣସି ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ। ହୁତୁହୁତୁ ହୋଇ ନିଆଁ ମାଡ଼ିଯାଉଥିଲେ ହେଁ ଗ୍ରାମବାସୀମାନେ ପାଣି ପକାଇ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣ କରିପାରିଥିଲେ। ତେଣୁ କେବଳ ଯଜ୍ଞମଣ୍ଡପ ଛପରରେ ବ୍ୟବହୃତ ଟେଣ୍ଟହାଉସ୍‌ ବାଉଁଶ ଓ କପଡ଼ା ପୋଡ଼ି ପାଉଁଶ ହୋଇଯାଇଛି। ପୂର୍ଣ୍ଣାହୁତି ଅଧାରେ ଏହି ଅଘଟଣ ଘଟିଥିଲେ ହେଁ ନିଆଁ ଲିଭିବା ପରେ ଯଥାବିଧି ଯଜ୍ଞ ପୂର୍ଣ୍ଣାହୁତି ପର୍ବ ସମାହିତ ହୋଇଛି।

ରବିବାରଠାରୁ ଏହି ଯଜ୍ଞ ଚାଲିଥିଲା। ଗାଁର ପରମ ଆରାଧ୍ୟ ଠାକୁର ବୁଢ଼ା ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ପାଇଁ ଏହି ଯଜ୍ଞ ଚାଲିଥିଲା। ଏଥିସହିତ ମନ୍ଦିରରେ ରାମ, ଲକ୍ଷ୍ମଣ ଓ ସୀତାଙ୍କ ବିଗ୍ରହ ମଧ୍ୟ ସ୍ଥାପନ କରାଯାଇଛି। ଆଜି ଥିଲା ପୂର୍ଣ୍ଣାହୁତି ପର୍ବ। ଗାଁଟିଯାକର ଲୋକଙ୍କ ସହିତ ବହୁ ନିମନ୍ତ୍ରିତ ଅତିଥି ପୂର୍ଣ୍ଣାହୁତି ପର୍ବରେ ସାମିଲ ହୋଇଥିଲେ। ଯଜ୍ଞ ମଣ୍ଡପରେ ପଣ୍ଡିତ, ଆଚାର୍ଯ୍ୟ, ପୁରୋହିତ ଓ କର୍ତ୍ତା-କର୍ତ୍ତ୍ରୀ ଉପସ୍ଥିତ ଥିଲେ। ମଣ୍ଡପ ଚତୁର୍ପାର୍ଶ୍ବରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ରୁଣ୍ଡ ହୋଇଥିଲେ। ମଣ୍ଡପରେ ବେଦ ଓ ମନ୍ତ୍ର ଧ୍ୱନି ଗୁଞ୍ଜରିତ ହେଉଥିଲା। ଯଜ୍ଞ କୁଣ୍ଡରୁ ଅଗ୍ନି ଦେବତାଙ୍କ ଉଜ୍ଜ୍ବଳ ଶିଖା ଉଠୁଥାଏ। ଏତିକିବେଳେ ହଠାତ୍ ମଣ୍ଡପ ଛପର ଜଳିବାକୁ ଲାଗିଲା। ଚାହୁଁଚାହୁଁ ନିଆଁ ମଣ୍ଡପ ଚାରିପଟକୁ ବ୍ୟାପିଗଲା। ଶ୍ରଦ୍ଧାଳୁମାନେ ଭୟରେ ଦୌଡ଼ିବାକୁ ଲାଗିଲେ। ମଣ୍ଡପ ଉପରୁ ସମସ୍ତେ ତଳକୁ ଧାଇଁ ପଳାଇଆସିଥିଲେ। କିନ୍ତୁ ଡରି ନଥିଲେ ଗାଁର କିଛି ଯୁବକ। ସେମାନେ ନିଆଁ ସହ ଲଢ଼ିବା ଆରମ୍ଭ କରିଦେଇଥିଲେ। ପ୍ରସାଦ ରନ୍ଧା ପାଇଁ ରହିଥିବା ପାଣି ପକାଇ ନିଆଁକୁ ଆୟତ୍ତ କରିବାରେ ଲାଗିପଡ଼ିଥିଲେ। ସେମାନଙ୍କୁ ଦେଖି ଗାଁ ଲୋକେ ବି ଆଗେଇ ଆସିଥିଲେ। ନିଆଁ ଡରରେ ଦୂରକୁ ଧାଇଁ ପଳାଇଥିବା ଲୋକେ ଅଗ୍ନିଦେବତାଙ୍କୁ ସନ୍ତୁଷ୍ଟ କରିବାକୁ ହରିବୋଲ, ହୁଳହୁଳି ପକାଇଥିଲେ। ବୁଢ଼ା ମହାବୀରଙ୍କୁ ପ୍ରାର୍ଥନା କରିଥିଲେ। ‘ଜୟ ଶ୍ରୀରାମ’ ଧ୍ବନି ଉଛୁଳିପଡ଼ୁଥିଲା। ଶେଷରେ ନିଆଁ ଆୟତ୍ତ ହୋଇଥିଲା। ସୌଭାଗ୍ୟକୁ ଯଜ୍ଞକୁଣ୍ଡର କିଛି କ୍ଷତି ହୋଇ ନଥିଲା। ପରେ ଜଣାପଡ଼ିଥିଲା ଯେ ମଣ୍ଡପ ନିକଟରେ ଫୁଟୁଥିବା ବାଣ ଝୁଲ ପଡ଼ି ଏହି ଅଘଟଣ ଘଟିଥିଲା।

 

 

ସୌଜନ୍ୟ – ସମ୍ବାଦ

Comments are closed.