Breaking News

ବାଣ ପାଇଁ ବଢ଼ୁଛି ଚୋରା ବିସ୍ଫୋରକ କାରବାର: କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

ଦୀପାବଳି ପୂର୍ବରୁ ବାଣ କାରବାର ନାଁରେ ବେଆଇନ ବିସ୍ଫୋରକ କାରବାର ବଢ଼ିଚାଲିଛି। ବିନା ଲାଇସେନ୍ସରେ ବାଣ ତିଆରି ହେଉ ଅବା ବିସ୍ଫୋରକ ଗଚ୍ଛିତ ରଖିବା ବେଳେ ଅସାବଧାନତା ଯୋଗୁଁ ଧନଜୀବନ କ୍ଷୟକ୍ଷତି ଘଟୁଛି।

0

ଭୁବନେଶ୍ବର: ଦୀପାବଳି ପୂର୍ବରୁ ବାଣ କାରବାର ନାଁରେ ବେଆଇନ ବିସ୍ଫୋରକ କାରବାର ବଢ଼ିଚାଲିଛି। ବିନା ଲାଇସେନ୍ସରେ ବାଣ ତିଆରି ହେଉ ଅବା ବିସ୍ଫୋରକ ଗଚ୍ଛିତ ରଖିବା ବେଳେ ଅସାବଧାନତା ଯୋଗୁଁ ଧନଜୀବନ କ୍ଷୟକ୍ଷତି ଘଟୁଛି। ଇତିମଧ୍ୟରେ ଭୁବନେଶ୍ବର ଉପକଣ୍ଠ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ ପରରିମାଣର ବାରୁଦ ଓ ବାଣ ପୁଲିସ ଜବତ କରିଛି। ନିଶ୍ଚିନ୍ତ କୋଇଲି ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ, ଆସିକା ନଳବନ୍ତରେ ବେଆଇନ ବାଣ ପାଇଁ ବିସ୍ଫୋରକ, ଖୋର୍ଦ୍ଧାରେ ବେଆଇନ ବାଣ ଗୋଦାମ, ଜଟଣୀ ଓ ତମାଣ୍ଡୋ ଅଞ୍ଚଳରେ ବାଣ ଗୋଦାମ ସହିତ ବାରୁଦ ଜବତ ହୋଇଛି। ତଥାପି ବିଭିନ୍ନ ଅଞ୍ଚଳରେ ବେଆଇନ ବାଣ ତିଆରି ସହ ବିସ୍ଫୋରକ କାରବାର ଉପରେ ରେକ୍‌ ଲାଗୁନି। କେଉଁଠି ଏହି ବାଣ ପ୍ରସ୍ତୁତ ହେଉଛି, ବିସ୍ଫୋରକ କେଉଁଠାରୁ ଆସୁଛି ଏବଂ ଏଥିରେ ଲିପ୍ତ ଅସାଧୁ ବ୍ୟବସାୟୀଙ୍କୁ ଠାବ କରିବାକୁ ପୁଲିସ ଡିଜିପି ସବୁ ଜିଲ୍ଲା ଏସ୍‌ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭୁବନେଶ୍ବର କମିସନରେଟ୍‌ ପୁଲିସର ତିନିବର୍ଷର ତଥ୍ୟ ଅନୁଯାୟୀ, ବେଆଇନ ବିସ୍ଫୋରକ ରଖିବା ଓ ବିସ୍ଫୋରକ ପ୍ରସ୍ତୁତି ଅଭିଯୋଗରେ ୧୬ଟି ଥାନା ଅଧୀନରେ ୨୯ଟି ମାମଲା ରୁଜୁ ହୋଇଛି। ପୁଲିସ ୨୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହ ୧୦ରୁ ଅଧିକ ଅଭିଯୁକ୍ତଙ୍କୁ ନୋଟିସ୍‌ କରିଛି। ଏସବୁ ମାମଲାରେ ୨କେଜିରୁ ଅଧିକ ଓଜନର ବିସ୍ଫୋରକ ଜବତ ହୋଇଛି। ୨୦୨୧ରେ ବାଲିପାଟଣା ଓ ନୂଆପଲ୍ଲୀ ଥାନା ଅଧୀନରେ ୩ଟି ମାମଲା ହୋଇଥିବା ବେଳେ ୨ଜଣ ଅଭିଯୁକ୍ତଙ୍କୁ ନୋଟିସ୍‌ କରାଯାଇଥିଲା। ସେମାନଙ୍କ ନିକଟରୁ ବିପୁଳ ପରିଣାଣର ବୋମା, ଗନ୍‌ ପାଉଡର୍‌, ବିସ୍ଫୋରକ ତିଆରି ସାମଗ୍ରୀ ଜବତ ହୋଇଥିଲା। ୨୦୨୨ରେ ଏୟାର୍‌ଫିଲ୍ଡ, ଚନ୍ଦକା, ଲକ୍ଷ୍ମୀସାଗର, ମଞ୍ଚେଶ୍ବର, ସହିଦନଗର, ବାଲିଅନ୍ତା, ଖାରବେଳନଗର ଓ ଖଣ୍ଡଗିରି ଥାନା ଅଧୀନରେ ୧୩ଟି ମାମଲାରେ ୧୬ଜଣ ଗିରଫ ହେବାସହ ୨ଜଣଙ୍କୁ ନୋଟିସ୍‌ ହୋଇଥିଲା। ସେହି ବର୍ଷ ୫୭୨ ଗ୍ରାମ୍‌ ବିସ୍ଫୋରକ ଜବତ ସହିତ ବହୁ ପରିମାଣର ବାଣ ଜବତ ହୋଇଥିଲା। ୨୦୨୩ରେ ୯ଟି ଥାନା ଅଧୀନରେ ୧୩ ମାମଲାରେ ୧୩ଜଣଙ୍କୁ ଗିରଫ କରିବା ସହ ୫ଜଣଙ୍କୁ ନୋଟିସ୍‌ କରାଯାଇଥିଲା। ଏଥିରେ ଦେଢ଼କେଜିରୁ ଅଧିକ ଓଜନର ବିସ୍ଫୋରକ ଜବତ ହୋଇଥିଲା।

କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ
ତିନି ବର୍ଷରେ ୧୬ ଥାନାରେ ୨୯ ମାମଲା, ୨୯ ଗିରଫ

ବାଣ ଓ ବିସ୍ଫୋରକକୁ ନେଇ ଅଘଟଣ
୩୧ ଅକ୍ଟୋବର ୨୦୨୩: ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଝିଇଁଟିର ଜାଇନାବାଦ୍‌ ଗାଁରେ ବେଆଇନ ବାଣ ତିଆରି ବେଳେ ବିସ୍ପୋରଣ ଘଟି ୨ଜଣ ଗୁରୁତର ହୋଇଥିଲେ।
୧ ନଭେମ୍ବର ୨୦୧୮: ବାଲିପାଟଣା  ଥାନା ଅଞ୍ଚଳରେ ବେଆଇନ ବାଣ ତିଆରି ବେଳେ ବଡ଼ ଧରଣର ବିସ୍ଫୋରଣ ଘଟି ଜଣେ ମହିଳାଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା ବେଳେ ତାଙ୍କ ସ୍ବାମୀଙ୍କର ପତ୍ତା ମିଲିନଥିଲା। ବେଆଇନ ଭାବେ ବିସ୍ଫୋରକ ଗଚ୍ଛିତ ରଖି ବାଣ ତିଆରି ଚାଲିଥିବା ବେଳେ ବାଲିପାଟଣା ପୁଲିସ ଏହାର ଟେର୍‌ ପାଇନଥିଲା।
୨୮ ମାର୍ଚ୍ଚ  ୨୦୧୬: ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନାଲବନ୍ତରେ ଏକ ବାଣ ତିଆରି ଷ୍ଟୋର୍‌ ହାଉସ୍‌ରେ ବିସ୍ଫୋରଣ ଘଟି ଦୁଇଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା।
ମାର୍ଚ୍ଚ ୬ ୨୦୨୩: ଖୋର୍ଦ୍ଧା ଭୁଷଣ୍ଡପୁର ଗ୍ରାମରେ ଏକ ନିର୍ମାଣାଧୀନ ଘରେ ବଡ଼ ଧରଣର ବାଣ ବିସ୍ଫୋରଣ ହୋଇଥିଲା। ବେଆଇନ ଭାବେ ବିସ୍ଫୋରକ ରଖି ବାଣ ପ୍ରସ୍ତୁତି ବେଳେ ବିସ୍ଫୋରଣ ଘଟି ୪ଜଣଙ୍କର ମୃତ୍ୟୁ ହେବା ସହ ୩ଜଣ ଗୁରୁତର ହୋଇଥିଲେ।
୩୦ ମେ ୨୦୨୪: ଚଳିତ ବର୍ଷ ପୁରୀ ଚନ୍ଦନଯାତ୍ରା ଚାପ ଖେଳବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ବାଣରେ ନିଆଁଲାଗି ବିସ୍ଫୋରଣ ଘଟିଥିଲା। ୧୫ ଜଣଙ୍କର ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଥିଲେ।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.