Breaking News

ବାତ୍ୟା ଡର: ୨ ଦିନରେ ୩ ହଜାର କୋଟି ବେପାର

ସାମୁଦ୍ରିକ ଝଡ଼ ‘ଦାନା’ର ପୂର୍ବାନୁମାନ ଅନେକ ଦିନ ହେଲା କରାଯାଇ ଆସୁଛି। ପୂର୍ବରୁ ଅନେକ ବାତ୍ୟାକୁ ସମ୍ମୁଖୀନ କରିଥିବା ଓଡ଼ିଶାବାସୀ ଏଥିରେ ସତର୍କ ହୋଇଥିବା ସହ ଯେକୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ଲାଗି ଦୋକାନ ବଜାରରୁ ବହୁ ଜିନିଷ ଘରକୁ ବୋହି ନେଇଛନ୍ତି।

0

ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଦାନା’ର ପୂର୍ବାନୁମାନ ଅନେକ ଦିନ ହେଲା କରାଯାଇ ଆସୁଛି। ପୂର୍ବରୁ ଅନେକ ବାତ୍ୟାକୁ ସମ୍ମୁଖୀନ କରିଥିବା ଓଡ଼ିଶାବାସୀ ଏଥିରେ ସତର୍କ ହୋଇଥିବା ସହ ଯେକୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ଲାଗି ଦୋକାନ ବଜାରରୁ ବହୁ ଜିନିଷ ଘରକୁ ବୋହି ନେଇଛନ୍ତି। ଲୋକମା‌ନେ ଖାଦ୍ୟ ପଦାର୍ଥ ସହିତ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିଛନ୍ତି। ବାତ୍ୟା ଆସିବାର ଦୁଇ ତିନି ଦିନ ପୂର୍ବରୁ ଲୋକମା‌ନେ ଚାଉଳ, ଡାଲି, ଅଟା, ଆଳୁ, ପିଆଜ, ଚୁଡ଼ା, ଚିନି ସମେତ ପନିପରିବା ବହୁମାତ୍ରାରେ କିଣିଛନ୍ତି। ଏପରିକି ପେଟ୍ରୋଲ ପମ୍ପ ଗୁଡ଼ିକରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଲୋକମାନେ ଦିନରାତି ପେଟ୍ରୋଲ ପମ୍ପରେ ଧାଡ଼ିବାନ୍ଧି ଏକାଥରେ ସପ୍ତାହେ ଦୁଇ ସପ୍ତାହେ ପାଇଁ ଗାଡ଼ିରେ ପେଟ୍ରୋଲ ଓ ଡିଜେଲ ଭର୍ତ୍ତି କରିଛନ୍ତି। ବାତ୍ୟାର ପୂର୍ବ ଦିନ ହଠାତ୍‌ ରାଜଧାନୀ ଭୁବନେଶ୍ବର ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଦୋକାନବଜାର ଅଧିକ ମାତ୍ରାରେ ଚଳଚଞ୍ଚଳ ହୋଇଉଠିଲା। ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକରେ କିନ୍ତୁ ବଜାର ସ୍ଥିତି ସ୍ବାଭାବିକ ରହିଛି।

ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ, ରାଜ୍ୟରେ ବାତ୍ୟା ପୂର୍ବରୁ ଲୋକମାନେ ୨୨ ଓ ୨୩ ତାରିଖରେ ପ୍ରାୟ ୩୦୦୦ କୋଟି ଟଙ୍କାର ସାମଗ୍ରୀ ଆଗୁଆ କିଣି ନେଇଛନ୍ତି। ବ୍ୟବସାୟ ଭାଷାରେ ଏହାକୁ ‘ପ୍ୟାନିକ୍‌ ବାଇଂ’ କୁହାଯାଉଛି। ଗୁରୁବାର ଦିନବେଳା ପବନ ଓ ବର୍ଷା ସେତେଟା ନଥିଲେ ମଧ୍ୟ ପୂର୍ବରୁ ଲୋକମାନେ ଅଧିକ ମାତ୍ରାରେ ସାମଗ୍ରୀ କିଣି ନେଇଥିବାରୁ ବଜାରକୁ ଆସିଲେ ନାହିଁ। ଏହାଦ୍ବାରା ଗୁରୁବାର ‌ପାଇକାରୀ ଠାରୁ ଆରମ୍ଭ କରି ଖୁଚୁରା ବଜାରଗୁଡ଼ିକ ଖାଁ ଖାଁ ହୋଇଯାଇଛି। ନିଜେ ଛୋଟ ଛୋଟ ଦୋକାନ କରି ପେ‌ଟ ପୋଷୁଥିବା ବ୍ୟବସାୟୀ କିମ୍ବା ଦୋକାନରେ କାମ କରୁଥିବା ଆଖପାଖର ବ୍ୟକ୍ତିମାନେ ସହର ଛାଡ଼ି ଘରକୁ ପଳାଇଛନ୍ତି। ଏଥିଯୋଗୁ ଅନେକ ବ୍ୟବସାୟ ପ୍ରତିଷ୍ଠାନ ଆଜି ଦୋକାନ ଖୋଲି ପାରି ନାହାନ୍ତି।
ଓଡ଼ିଶା ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡାଙ୍କ କହିବାନୁଯାୟୀ, ଦୋକାନବଜାର ଓ ବ୍ୟବସାୟ ସ୍ବାଭାବିକ ହେବାକୁ କିଛି ସମୟ ଲାଗିବ। ଏପରିକି ବାତ୍ୟା ଯିବା ପରେ ୨୫ ତାରିଖ ସନ୍ଧ୍ୟା ବେଳକୁ ସ୍ବାଭାବିକତା ଧୀରେ ଧୀରେ ଫେରିବ ବୋଲି ସେ ମତ ଦେଇଛନ୍ତି।

ତେଲ ବିକ୍ରି ବଢ଼ିଲା ୫୦%
ସେହିଭଳି ବଜାର ବିଶେଷଜ୍ଞଙ୍କ କହିବାନୁଯାୟୀ ବାତ୍ୟା ଦ୍ବାରା ରାଜ୍ୟର ପାଖାପାଖି ଅଧା ଓଡ଼ିଶା ପ୍ରଭାବିତ ହେବା ନେଇ ପୂର୍ବାନୁମାନ କରାଯାଇଥିଲା। ଏସବୁ ଅଞ୍ଚଳରେ ବାତ୍ୟାର ପୂର୍ବ ଦୁଇ ଦିନ ଅଧିକ ମାତ୍ରାରେ ପେଟ୍ରୋଲ ଓ ଡିଜେଲ ବିକ୍ରି ହୋଇଛି। ଅତିକମ୍‌ରେ ୫୦ ପ୍ରତିଶତ ଅଧିକ ମାତ୍ରାରେ ଏହି ଅଟୋ ଇନ୍ଧନ ଦୁଇଟି ବିକ୍ରି ହୋଇଛି। ଉତ୍କଳ ପେଟ୍ରୋଲୟିମ ଡିଲର ସଂଘର ସାଧାରଣ ସଂପାଦକ ସଂଜୟ ଲାଠଙ୍କ କହିବାନୁଯାୟୀ, ରାଜ୍ୟରେ ଦିନକୁ ୩୬ ଲକ୍ଷ ୭ ହଜାର ଲିଟର ଏବଂ ୮୪ ଲକ୍ଷ ୯୨ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ। କିନ୍ତୁ ବାତ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ଗତ ଦୁଇଦିନରେ ୫୦ ପ୍ରତିଶତ ଅଧିକ ବିକ୍ରି ହୋଇଛି। କିନ୍ତୁ କେବଳ ରାଜଧାନୀ ଭୁବନେଶ୍ବରରେ ପେଟ୍ରୋଲ, ଡିଜେଲ ବିକ୍ରି ଦୁଇଗୁଣା ହୋଇଛି। ଭୁବନେଶ୍ବରରେ ସାଧାରଣତଃ ଦିନକୁ ୩ ଲକ୍ଷ ୧୨ ହଜାର ଲିଟର ପେଟ୍ରୋଲ ଏବଂ ୨ ଲକ୍ଷ ୧୫ ହଜାର ଲିଟର ଡିଜେଲ ବିକ୍ରି ହୋଇଥାଏ। କିନ୍ତୁ ଗତ ଦୁଇଦିନରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଦିନକୁ ଯଥାକ୍ରମେ ୬ ଲକ୍ଷ ୨୪ ହଜାର ଏବଂ ୪ ଲକ୍ଷ ୩୦ ହଜାର ଲିଟରକୁ ବୃଦ୍ଧି ପାଇଥିଲା। ଗୁରୁବାର ଦିନ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ପ୍ରାୟ ୩୦ ପ୍ରତିଶତ ହ୍ରାସ ଘଟିଛି। ଦୋକାନ, ବଜାର ବନ୍ଦ ସମେତ ସ୍କୁଲ, କଲେଜ ଛୁଟି କାରଣରୁ ଏହା ହୋଇଛି ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସଂପାଦକ ସଂଜୟ ଲାଠ କହିଛନ୍ତି।

ପରିବା ଦର ଅଧା କମିଗଲା
ବାତ୍ୟା ପୂର୍ବରୁ ଆଳୁ ଓ ଅନ୍ୟ ପରିବାକୁ ଗ୍ରାହକମାନେ ବହୁ ଚଢ଼ା ଦରରେ କିଣିଲେ। କିନ୍ତୁ ଗୁରୁବାର ପରିବା ବଜାରରେ ଲୋକ ନାହାନ୍ତି। ଭୁବନେଶ୍ବରକୁ ଦିନକୁ ପ୍ରାୟ ୫୦ ଟ୍ରକ ପରିବା ବିଭିନ୍ନ ସ୍ଥାନରୁ ଆସିଥାଏ। ପାଇକାରୀ ବ୍ୟବସାୟୀମାନେ ଆଜି ଅଧା ଦର୍‌ରେ ଏବଂ ହୁଣ୍ଡା ମୂଲ୍ୟରେ ବିକ୍ରି କରିଛନ୍ତି। ପାଇକାରୀ ବ୍ୟବସାୟୀଙ୍କୁ କଞ୍ଚା ପରିବା କିଲୋପିଛା ୧୦ରୁ ୧୫ ଟଙ୍କା କ୍ଷତି ସହିବାକୁ ପଡ଼ିଛି। ପାଇକାରୀ ବଜାରକୁ ଖୁଚୁରା ବ୍ୟବସାୟୀ ନଯିବା ଏବଂ ଖୁଚୁରା ବଜାରକୁ ଗ୍ରାହକ ନଯିବା ଫଳରେ ବିକ୍ରି ହ୍ରାସ ପାଇଛି। କିଛି ପରିବା ଗାଡ଼ିକୁ ବ୍ୟବସାୟୀମାନେ ଅନ୍ୟ ରାଜ୍ୟକୁ ପଠାଇ ଦେଇଛନ୍ତି। ଏହାବ୍ୟତୀତ କେତେକ ଗାଡ଼ିରେ ମାଲ୍‌ ସେମିତି ରହିଛି ବୋଲି କଞ୍ଚା ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ କହିଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.