Breaking News

ବାତ୍ୟା ବେଳେ ଲୁଣା ଜଙ୍ଗଲ ଚିନ୍ତା

୧୯୯୯ ମସିହାର ସୁପର ସାଇକ୍ଲୋନ୍ ବା ମହାବାତ୍ୟା ପରେ ହୁଡ୍‌ହୁଡ୍, ତିତିଲି, ଫନି, ବୁଲ୍‌ବୁଲ୍‌, ଅମ୍ଫାନ୍, ୟାସ୍ ଓ ଦାନା ଭଳି ଅନେକ ବଡ଼ ଓ ମଧ୍ୟମ ଧରଣର ବାତ୍ୟା ଓଡ଼ିଶା ଭିତରକୁ ପଶିଛି ବା ଓଡ଼ିଶାକୁ ଛୁଇଁ ଦେଇ ଚାଲିଯାଇଛି।

ସଂଗ୍ରାମ କେଶରୀ ରାଉତ

୧୯୯୯ ମସିହାର ସୁପର ସାଇକ୍ଲୋନ୍ ବା ମହାବାତ୍ୟା ପରେ ହୁଡ୍‌ହୁଡ୍, ତିତିଲି, ଫନି, ବୁଲ୍‌ବୁଲ୍‌, ଅମ୍ଫାନ୍, ୟାସ୍ ଓ ଦାନା ଭଳି ଅନେକ ବଡ଼ ଓ ମଧ୍ୟମ ଧରଣର ବାତ୍ୟା ଓଡ଼ିଶା ଭିତରକୁ ପଶିଛି ବା ଓଡ଼ିଶାକୁ ଛୁଇଁ ଦେଇ ଚାଲିଯାଇଛି। ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳ ସହ ସଂପୂର୍ଣ୍ଣ ପୂର୍ବ ଉପକୂଳ ବାତ୍ୟାପ୍ରବଣ। ୧୮୩୨ ମସିହାରୁ ୨୦୨୪ ମସିହା ମଧ୍ୟରେ ଅର୍ଥାତ୍‌ ୧୯୨ ବର୍ଷର ଅବଧିରେ ଏଠାରେ ୪୦୦ଟି ସାମୁଦ୍ରିକ ଝଡ଼ ବା ବାତ୍ୟା ପାଇଁ ପରିବେଶ ସୃଷ୍ଟି ହୋଇଛି, ଯହିଁରୁ ୧୦୭ଟି ପରିଶେଷରେ ବାତ୍ୟାର ରୂପ ନେଇଛନ୍ତି। ଅକ୍‌ଟୋବର ଓ ନଭେମ୍ବର ମାସକୁ ସାଧାରଣତଃ ବାତ୍ୟା ମାସ ଭାବେ ଧରାଯାଉଥିଲେ ହେଁ ଏପ୍ରିଲରୁ ବାତ୍ୟା ଆରମ୍ଭ ହୋଇଯାଉଥିବାର ରେକର୍ଡ ରହିଛି। ବେଳେବେଳେ ଏହି ବାତ୍ୟାଗୁଡ଼ିକରେ ପବନର ବେଗ ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ମଧ୍ୟ ଅଧିକ ହୋଇଥାଏ। ସାଧାରଣତଃ, ପୂର୍ଣ୍ଣିମା ଓ ଅମାବାସ୍ୟା ତିଥିରେ ବାତ୍ୟା ହେଲେ ତାହା ମହା ଭୟଙ୍କର ହୋଇଥାଏ। ୧୯୭୧ ମସିହାରେ ଓଡ଼ିଶା ଏକ ବଡ଼ ବତ୍ୟା ଦେଖିଥିଲା, ଯହିଁରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ମହାକାଳପଡ଼ା ବ୍ଲକ‌୍ର ଜମ୍ବୁ ଓ ସାତଭାୟାର ଦୁଇଟି ଗ୍ରାମ ନିଶ୍ଚିହ୍ନ ହୋଇଯାଇଥିଲା। ଭଦ୍ରକ ଜିଲ୍ଲାର ବାସୁଦେବପୁର ଓ ଚାନ୍ଦବାଲି, ତିହିଡ଼ି ଓ କେନ୍ଦ୍ରାପଡ଼ାର ରାଜନଗର, ରାଜକନିକା, ମହାକାଳପଡ଼ା ପ୍ରାୟ ଛାରଖାର ହୋଇଯାଇଥିଲା। ବେସରକାରୀ ଭାବେ ୧୦,୦୦୦ରୁ ଅଧିକ ମନୁଷ୍ୟଙ୍କ ଜୀବନ ଯାଇଥିଲା। ଏହା ପରେ ଆସିଥିଲା ୧୯୯୯ ମସିହାର ମହାବାତ୍ୟା, ଯାହାର ଭୟାବହତା କଥା ନ କହିବା ଭଲ; କାରଣ ସେକଥା ଓଡ଼ିଶାବାସୀ କେବେ ହେଲେ ଭୁଲିପାରିବେ ନାହିଁ।
ବାତ୍ୟା ଆସିଲେ ଲୁଣା ଜଙ୍ଗଲ କଥା ପଡ଼େ। ଆମ ରାଜ୍ୟର ସମୁଦାୟ ୪୮୦ କିଲୋମିଟର ସମୁଦ୍ର ଉପକୂଳରୁ ମାତ୍ର ୧୦୦ କିଲୋମିଟର ଲୁଣା ଜଙ୍ଗଲ ପାଇଁ ଉପଯୁକ୍ତ। ‘ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ, ୨୦୨୧’ ଅନୁସାରେ ଆମ ରାଜ୍ୟରେ ମାତ୍ର ୨୫୮ ବର୍ଗ କିଲୋମିଟର ଲୁଣା ଜଙ୍ଗଲ ରହିଛି। ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କାଂସବାଂସ ଓ ବହୁଦା ମୁହାଣ‌େର କଁାଭଁା ଲୁଣା ଜଙ୍ଗଲ ରହିଛି। ଅଧିକ ଲୁଣା ଜଙ୍ଗଲ ରହିଛି ବୈତରଣୀ, ବ୍ରାହ୍ମଣୀ, ମହାନଦୀ ଓ ଦେବୀ ନଦୀ ମୁହାଣରେ।
ଆମ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ‌େଭୗଗୋଳିକ ଗଢ଼ଣ ମଧ୍ୟ ଏକାଭଳି ନୁହେଁ। ବାଲେଶ୍ବର ଜିଲ୍ଲା ଭୋଗରାଇର ଉଦୟପୁର ଠାରୁ ଭଦ୍ରକ ଚୁଡ଼ାମଣି ପର୍ଯ୍ୟନ୍ତ ଗୋଟିଏ ପ୍ରକାର ସମୁଦ୍ର ଉପକୂଳ, ଯେଉଁଠି ସମୁଦ୍ର ତିନିରୁ ଚାରି କିଲୋମିଟର ପର୍ଯ୍ୟନ୍ତ ପଛକୁ ହଟିଯା‌ଏ। ଚୁଡ଼ାମଣି ଠାରୁ ଦେବୀ ନଦୀ ପର୍ଯ୍ୟନ୍ତ ଗୋଟିଏ ପ୍ରକାର ଉପକୂଳ, ଯେଉଁଠାରେ ଲୁଣା ଜଙ୍ଗଲର ସମ୍ଭାବନା ଥାଏ। ପୁରୀର ହରଚଣ୍ଡୀ ଓ ଚିଲିକା ପର୍ଯ୍ୟନ୍ତ ଗୋଟିଏ ପ୍ରକାର ଉପକୂଳ ତ ପୋତାଗଡ଼ (ଋଷିକୁଲ୍ୟା), ବ୍ରହ୍ମପୁର (ବହୁଦା ନଦୀ) ପର୍ଯ୍ୟନ୍ତ ଆଉ ଗୋଟିଏ ପ୍ରକାର ଉପକୂଳ। କହିବାର ତାତ୍ପର୍ଯ୍ୟ ହେଲା ଉପକୂଳର ଭୌଗୋଳିକ ସଂରଚନାକୁ ଦେଖି ବାତ୍ୟା ନିରୋଧକ ଯୋଜନା ପ୍ରସ୍ତୁତ କରାଯିବା ଦରକାର। ବାତ୍ୟା ସମୟରେ ପବନ ସହ ପ୍ରବଳ ବର୍ଷା ମଧ୍ୟ ହୋଇଥାଏ। ବର୍ଷା ମାତ୍ରା ଏତେ ଥାଏ ‌ଯେ କେଉଁଠି କେଉଁଠି ୧୫୦୦ରୁ ୧୭୦୦ ମିଲିମିଟର ପର୍ଯ୍ୟନ୍ତ ମଧ୍ୟ ବର୍ଷା ହୋଇଥାଏ। ତେଣୁ ବାତ୍ୟାର ପବନ ସହିତ ବର୍ଷାର ପ୍ରକୋପ ବିଷୟ ମଧ୍ୟ ବିଚାରକୁ ନିଆ‌ଯିବା ଦରକାର।
୧୯୭୧ ବାତ୍ୟା ପରେ ବାତ୍ୟା କବଳରୁ ସୁରକ୍ଷା ବ୍ୟବସ୍ଥା ଆରମ୍ଭ ହୋଇଥିଲା। ବିଶେଷଜ୍ଞମାନଙ୍କୁ ନେଇ କମିସନ ବସିଥିଲା। ଝାଉଁ ବା କାଜୁରେନା ଓ କାଜୁ ଜଙ୍ଗଲ ସୃଷ୍ଟି ପାଇଁ ଉପକୂଳର ବାଲେଶ୍ବର, କଟକପୁରୀ ଓ ଗଞ୍ଜାମ ଭଳି ଚାରିଟି ଜିଲ୍ଲାରେ ‘କୋଷ୍ଟାଲ୍ ସେଲ୍‌ଟର୍ ଏଣ୍ଡ ଆଫରଷ୍ଟେସନ ଡିଭିଜନ’ କାମ କଲା। ଝାଉଁ ଓ କାଜୁଗଛ ରୋପଣ କରାଗଲା। ସେସବୁ ସୁନ୍ଦର ଭାବରେ ବୃଦ୍ଧି ପାଇଲା ମଧ୍ୟ। ଏବେ ଜଣାପଡୁଛି ଯେ ସେ ପ୍ରକାର ଜଙ୍ଗଲ ସୃଷ୍ଟି ହେବା ପରେ ସମୁଦ୍ର ବାଲି ଉଡ଼ି ବାଲିବନ୍ଧ ବା ବାଲିପାହାଡ଼ ସୃଷ୍ଟି ହେବାର ପ୍ରାକୃତିକ ପ୍ରକ୍ରିୟା ବାଧାପ୍ରାପ୍ତ ହେଲା। ପ୍ରକୃତରେ ବାଲିବନ୍ଧଗୁଡ଼ିକ ଉଚ୍ଚ ଜୁଆର ଓ ପବନକୁ ଅଟକାଇ ତା’ର ତୀବ୍ରତା ହ୍ରାସ କରିଥାଏ। ସେହିଭଳି ‘ଫିସ୍‌ ବୋନ୍‌’ (ମାଛ ପଞ୍ଜରା ଢାଞ୍ଚା) ପଦ୍ଧତିରେ ଲୁଣା ଜଙ୍ଗଲ ସୃଷ୍ଟି କରିବା ମଧ୍ୟ ଏକ ଭୁଲ୍ ନିଷ୍ପତ୍ତି। ଯେଉଁ ଅଞ୍ଚଳରେ ଜୁଆର କମ୍ ଉଚ୍ଚା ଥାଏ, ସେଠାରେ ସେ ପଦ୍ଧତି ସଫଳ ହୋଇପାରେ। ଆମ ଉପକୂଳରେ ତାହା ବିଫଳ ହେଲା। ବରଂ, ଆମ ଉପକୂଳର ୨୦୦ କିଲୋମିଟର ଅଞ୍ଚଳରେ ଅର୍ଥକରୀ ‘ନିପା’ (ତାଳ ଜାତିର ଗଛ) ଲଗାଯାଇପାରନ୍ତା। ଏହା ଲୁଣାପାଣିରେ ବଢ଼ିପାରେ। ‘ନିପା’ ଜଙ୍ଗଲ ବାଂଲାଦେଶ ଓ ମିଅଁାମାରରେ ବାତ୍ୟାକୁ ବାଧା ଦେବାରେ ସାହାଯ୍ୟ କରୁଛି।
ଲୁଣା ଜଙ୍ଗଲ ଯଦିଓ ବାତ୍ୟାର ପ୍ରଭାବକୁ କିଛିଟା ପ୍ରଶମିତ କରିପାରେ, ବାତ୍ୟାର ଧ୍ବଂସଲୀଳାକୁ ରୋକିବାରେ ବିଶେଷ ସମର୍ଥ ହୋଇନଥାଏ। ୧୯୮୮ ମସିହାର ବାତ୍ୟାରେ ଲୁଣା ଜଙ୍ଗଲ ଘେରା‌ ବାଂଲାଦେଶରେ ବହୁ ଜୀବନ ହାନି ଘଟିଥିଲା।
ଝଡ଼ବାତ୍ୟା ଏକ ନିରନ୍ତର ପ୍ରକ୍ରିୟା। ତାହାକୁ ଏ ପର୍ଯ୍ୟନ୍ତ ରୋକାଯାଇ ପାରିନାହିଁ। ତେବେ ତା’ର ପ୍ରଭାବକୁ ହ୍ରାସ କରାଯାଇପାରେ। ୪୮୦ କିଲୋମିଟର ଦୀର୍ଘ ଉପକୂଳର ଶେଷ ଜୁଆର ସୀମାଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳକୁ ବାତ୍ୟାପ୍ରବଣ ଭାବରେ ଘୋଷଣା କରାଯିବା ସହ ସୁଚିନ୍ତିତ ଯୋଜନା ତିଆରି କରିବା ସକାଶେ ଜଙ୍ଗଲ, ଉଦ୍ୟାନ, ଜଳସେଚନ, ଜଳ ନିଷ୍କାସନ, ରାସ୍ତା ଓ କୋଠାବାଡ଼ି ଓ ପାଣିପାଗ ବିଭାଗ ଏବଂ ବିଶେଷଜ୍ଞମାନଙ୍କୁ ନେଇ ଏକ ଦଳ ଗଠନ କରାଯାଇପାରେ। ଏବଂ ମୂଳ କଥା ହେଲା ସତର୍କତା ଓ ସା‌ବଧାନତା ଅବଲମ୍ବନ କରି ସମନ୍ବିତ ବାତ୍ୟା ସୁରକ୍ଷା ଯୋଜନା ଦ୍ବାରା ଧନଜୀବନକୁ ସୁରକ୍ଷିତ ରଖାଯାଇପାରେ।
(ମତାମତ ଲେଖକଙ୍କ ନିଜସ୍ୱ)
ମୋ: ୯୪୩୭୮୧୮୨୩୩

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.