Breaking News

ବାବା ବୈକୁଣ୍ଠଧାମ ଆଶ୍ରମ: କଟକଣା ହଟିଲା, ହେଲେ ଭାଙ୍ଗି ପାରିବେନି

ଭୁବନେଶ୍ବର ଘାଟିକିଆ ମୌଜା ଖଣ୍ଡଗିରିବାରିସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଉପରୁ ଅନ୍ତରୀଣ ସୁରକ୍ଷା ହଟିଛି। ହେଲେ ତାହା ଉଚ୍ଛେଦ ହୋଇପାରିବ ନାହିଁ। ଏହି ଉଚ୍ଛେଦ ବାଟକୁ ବନ୍ଦ କରି ରଖିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ।

ଭୁବନେଶ୍ବର: ଭୁବନେଶ୍ବର ଘାଟିକିଆ ମୌଜା ଖଣ୍ଡଗିରିବାରିସ୍ଥିତ ବୈକୁଣ୍ଠଧାମ ଆଶ୍ରମ ଉପରୁ ଅନ୍ତରୀଣ ସୁରକ୍ଷା ହଟିଛି। ହେଲେ ତାହା ଉଚ୍ଛେଦ ହୋଇପାରିବ ନାହିଁ। ଏହି ଉଚ୍ଛେଦ ବାଟକୁ ବନ୍ଦ କରି ରଖିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ। କାରଣ ୪ ବର୍ଷ ତଳେ ଏହି ଜମିରୁ ଜବରଦଖଲ ଉଚ୍ଛେଦ କରିବାକୁ ନେଇ ବିଡିଏ କରିଥିବା ଆଦେଶର ଏକ ଅପିଲ୍‌ ମାମଲା ବିଭାଗରେ ବିଚାର ପାଇଁ ପଡ଼ି ରହିଛି। ୪ ବର୍ଷ ତଳେ ଏହି ବିଭାଗର ପ୍ରମୁଖ ସଚିବ ଜି. ମାଥିଭାଥନାନ୍‌ ଥିଲେ। ସରକାର ବଦଳିବା ପରେ ସେ ମଧ୍ୟ ବିଭାଗରୁ ବିଦା ହୋଇଛନ୍ତି। ଏବେ ଉଷା ପାଢ଼ୀ ଏହି ଦାୟିତ୍ବରେ ଅଛନ୍ତି। ମୁଖିଆ ଏ ବାବଦରେ ଜାଣିଛନ୍ତି ନା କେହି ତଳିଆ କର୍ମଚାରୀ ପକେଟ୍‌ ଗରମ କରି ମାମଲାକୁ ଚାପି ଦେଇଛନ୍ତି? ଅପିଲ୍‌ ମାମଲାର କାହିଁକି ବିଚାର ହେଉନାହିଁ? କୋର୍ଟ କଟକଣା ହଟାଇ ସାରିଥିବା ବେଳେ ବିଭାଗ କାହିଁକି ସୁରକ୍ଷା ଦେଇଛି? ଏଭଳି ଅନେକ ପ୍ରଶ୍ନ ଏବେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବିବାଦକୁ ଟାଣିଛି।

ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗରେ ଅପିଲ୍‌ କେସ୍‌ ଗଡ଼ୁଛି
ଫାଇଲ୍‌ ମାଡ଼ି ବସିଛନ୍ତି ଅଫିସର

ଅନ୍ୟପଟେ ବୈକୁଣ୍ଠନାଥ ଆଶ୍ରମ ମାମଲା କୋର୍ଟକୁ ଯିବା ପୂର୍ବରୁ ବେଶ୍‌ ହଟଚମଟ ହୋଇଥିଲା। ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ବିଡିଏ ଏହାକୁ ଉଚ୍ଛେଦ କରିବା ପାଇଁ ଯୋଜନା କରିବା ସହ ଗତ ନଭେମ୍ବର ୨୨ ତାରିଖରେ ଉଚ୍ଛେଦ କରିବାକୁ ନୋଟିସ କରିଥିଲା। କିନ୍ତୁ ୨୧ ତାରିଖ ସନ୍ଧ୍ୟାରେ ଆଶ୍ରମକୁ ହାଇକୋର୍ଟରୁ ସୁରକ୍ଷା ମିଳିଥିଲା। ଏଣୁ ୨୨ ତାରିଖରେ ବିଡିଏର ଉଚ୍ଛେଦ ପ୍ରସ୍ତୁତି ଫସର ଫାଟିଥିଲା। ତେବେ ଚଳିତ ମାସ ୧୦ ତାରିଖରେ ହାଇକୋର୍ଟ ଏହି ସୁରକ୍ଷା ହଟାଇ ଦେଇଥିଲେ। ଅର୍ଥାତ୍‌ ସୁରକ୍ଷା ମିଳିବା ଓ ହଟିବା ମଧ୍ୟରେ ସମୟ ଥିଲା‌ ଦେଢ଼ମାସ। ଏହି ଦେଢ଼ମାସ ମଧ୍ୟରେ ଯଦି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପୂର୍ବର ଅପିଲ୍‌ ମାମଲାର ବିଚାର କରିଥା’ନ୍ତା ତେବେ ହାଇକୋର୍ଟଙ୍କ କଟକଣା ହଟୁହଟୁ ଏହାର ଉଚ୍ଛେଦ ସମ୍ଭବ ହୋଇଥା’ନ୍ତା। କେଉଁ ପରିସ୍ଥିତିରେ ବିଭାଗ ମୁଖିଆ ଏହି ମୂଲ୍ୟବାନ ଜମି ଜବରଦଖଲରୁ ମୁକ୍ତ ହେବାକୁ ଚାହିଲେନି? କିଏ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଲୁଚାଇ ରଖିଲା? ଏ ପର୍ଯ୍ୟନ୍ତ ଏହି ସବୁର ଉତ୍ତର ରହସ୍ୟମୟ ହୋଇ ରହିଛି।

ହାଇକୋର୍ଟରେ ଆଶ୍ରମ ପକ୍ଷରୁ ପ୍ରାର୍ଥନା କରାଯାଇଥିଲା କି ଏଠାରେ ଯୋଗ ଶିକ୍ଷା ଦେବା ପାଇଁ ଜମିର ଆବଶ୍ୟକତା ରହିଛି। ଏଣୁ ଜମିକୁ ଆବେଦନକାରୀ ଟ୍ରଷ୍ଟ ନାଁରେ କରିଦିଆଯାଉ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଜିଏ ବିଭାଗକୁ ଟ୍ରଷ୍ଟ ନାଁରେ ଜମି କରିଦେବାକୁ ସୁପାରିସ କରିଥିବା ମଧ୍ୟ ଦର୍ଶାଯାଇଥିଲା। ଜିଏ ବିଭାଗକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଲେଖିଥିବା ଚିଠିର ଅବିକଳ ନକଲ ମଧ୍ୟ କୋର୍ଟରେ ଉପସ୍ଥାପନ କରାଯାଇଥିଲା। ଏଣୁ ଅନ୍ତରୀଣ ସୁରକ୍ଷା ମିଳିଥିଲା ଓ ଏ ବାବଦରେ ସରକାରଙ୍କ ଠାରୁ ସତ୍ୟପାଠ ଜରିଆରେ ଉତ୍ତର ତଲବ  କରିଥିଲେ ହାଇକୋର୍ଟ। ସରକାରଙ୍କ ସତ୍ୟପାଠରେ ଏହି ଚିଠି ଜାଲ ଓ ଏଭଳି କୌଣସି ସୁପାରିସ କରାଯାଇ ନଥିବା ଉଲ୍ଲେଖ ହେବା ପରେ ହାଇକୋର୍ଟ ସୁରକ୍ଷା ପ୍ରତ୍ୟାହାର କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି କେଉଁ ସାହସରେ ସମ୍ପୃକ୍ତ ଟ୍ରଷ୍ଟ ସରକାରଙ୍କ ବିଭାଗର ଜାଲ୍‌ ଚିଠି ପ୍ରସ୍ତୁତ କରିଥିଲେ? ଗୋଟିଏ ପଟେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅପିଲ ମାମଲା ଚାପି ଦେଇ ଜବରଦଖଲକୁ ସୁରକ୍ଷା ଦେଇଥିବା ବେଳେ ଅନ୍ୟ ବିଭାଗର ସମ୍ପୃକ୍ତ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା, ଆମେ ବି ଜାଣି ନଥିଲୁ ଏଭଳି ଏକ ଅପିଲ ମାମଲା ପଡ଼ି ରହିଛି। ନ ହେଲେ ହାଇକୋର୍ଟଙ୍କ ଆଦେଶ ଆସିବା ପୂର୍ବରୁ ଆମେ ଶୁଣାଣି କରି ଅପିଲ୍‌ ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଥାନ୍ତୁ। ବିଡିଏ ବିଭାଗ ଉପରେ ଦୋଷ ଦେଇ ଅପିଲ ମାମଲା ଥିବା ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି କହି ଖସି ଯାଇଛି। କିନ୍ତୁ ଅପିଲ ମାମଲା ବିଚାରାଧୀନ ଥିବା ବେଳେ କିଭଳି ଉଚ୍ଛେଦ ଯୋଜନା କରିଥିଲା ପ୍ରଶ୍ନର ଉତ୍ତର ନେଦଇ ପାରି ନାହିଁ ବିଡିଏ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.