Breaking News

ବାରବାଟୀରେ ଖେଳିଲେ ମୁଖ୍ୟମନ୍ତ୍ରୀ, ଥିମ୍ ସଙ୍ଗ୍‌ ଉନ୍ମୋଚିତ

ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବାରବାଟୀ ଷ୍ଟାଡିୟମ୍‌ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

କଟକ: ଫେବ୍ରୁଆରି ୯ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ବାରବାଟୀ ଷ୍ଟାଡିୟମ୍‌ ଗସ୍ତ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଆସନ୍ତା ମ୍ୟାଚ୍ ପାଇଁ ପଡ଼ିଆରେ ଚାଲିଥିବା ବ୍ୟାପକ ପ୍ରସ୍ତୁତିକୁ ବୁଲି ଦେଖିବା ସହିତ ମ୍ୟାଚ୍ ଆୟୋଜନ ସଂକ୍ରାନ୍ତରେ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ) କର୍ତ୍ତୃପକ୍ଷଙ୍କ ସହିତ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଏହି ଅବସରରେ ଆସନ୍ତା ମ୍ୟାଚ୍‌କୁ ଆଧାର କରି ଓସିଏ ପକ୍ଷରୁ ନିର୍ମିତ ହୋଇଥିବା ଥିମ୍ ସଙ୍ଗ୍‌ ‘ସ୍ୱାଗତ ସୁସ୍ବାଗତ’କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଉନ୍ମୋଚନ କରିଥିଲେ। ଓଡ଼ିଆ ସ୍ବାଭିମାନ, ଐତିହ୍ୟ, କଳା, ସଂସ୍କୃତି ଓ ପରମ୍ପରାକୁ ଆଧାର କରି ନିର୍ମାଣ ହୋଇଥିବା ଏହି ସଂଗୀତକୁ ସଫଳ କରିବାରେ ଗୀତିକାର ବିଜୟ ମଲ୍ଲ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ, ପ୍ରଚ୍ଛଦପଟ ଗାୟକ ଋତୁରାଜ ମହାନ୍ତି, ରାପର ବିଗ୍ ଡିଲ୍‌ (ସମୀର ମହାନ୍ତି) ଭୂମିକା ଗୁରୁତ୍ବପୂର୍ଣ୍ଣ।

ଏଥି ସହିତ ପ୍ରଥମ ଥର ପାଇଁ ଓସିଏ ପକ୍ଷରୁ ଷ୍ଟାଡିୟମ୍‌ରେ ନିର୍ମାଣ ହୋଇଥିବା ଲିଜେଣ୍ଡାରି ବକ୍ସକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବୁଲି ଦେଖିବା ସହ ଏଭଳି ସାଧୁ ଉଦ୍ୟମ ପାଇଁ ଓସିଏ କର୍ତ୍ତୃପକ୍ଷଙ୍କ ଧନ୍ୟବାଦ ଜଣାଇଥିଲେ। ଏହି ଲିଜେଣ୍ଡାରି ବକ୍ସରେ ଓଡ଼ିଶା ମାଟିର ବରପୁତ୍ର, କିଂବଦନ୍ତି ଖେଳାଳି, ପଦ୍ମ ପୁରସ୍କାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ସ୍ଥାନ ଦିଆଯାଇଛି। କୌଣସି ଆନ୍ତର୍ଜାତିକ ମ୍ୟାଚ୍ ପକ୍ଷରୁ ବାରବାଟୀ ଷ୍ଟାଡିୟମ୍‌କୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ପରିଦର୍ଶନ ଓ ସ୍ଥିତି ସମୀକ୍ଷା କରିବା ଓଡ଼ିଶାର ପ୍ରଥମ ଘଟଣା। ଏଥି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ପାଇଁ ଓସିଏ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଓସିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ସମେତ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ବାରବାଟୀ ଷ୍ଟାଡିୟମ ପିଚ୍‌ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବ୍ୟାଟିଂ କରିବା ସହିତ ଓସିଏ ପ୍ରସ୍ତୁତିରେ ସନ୍ତୋଷ ବ୍ୟକ୍ତ କରିଥିଲେ।

ପରିଦର୍ଶନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। କାର୍ଯ୍ୟକ୍ରମରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା, ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ଆଡ୍‌ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ବ୍ରହ୍ମଗିରିର ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଓସିଏ ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ଭୋଳ, କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ଆପେକ୍ସ କାଉନସିଲ ସଦସ୍ୟ ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଓଡ଼ିଶା ଅଲିମ୍ପିକ୍ ସଂଘ ସମ୍ପାଦକ ଅଭିଜିତ ପଲ୍, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ, ଡିସିପି ଜଗମୋହନ ମୀନା, ସିଏମ୍‌ସି କମିସନର ଅନାମ ଚରଣ ପାତ୍ର, ଓସିଏ କର୍ମକର୍ତ୍ତା ଅଞ୍ଜନ ଖୁଣ୍ଟିଆ, ବିଜୟ କୁମାର ଦାସ, ଅମିତ ବେହେରା, ଶିବୁ ମଲ୍ଲିକ, ସନ୍ତୋଷ ଦାସ, ତଡ଼ିତ କୁମାର ରାଉତ, ନୃସିଂହ ଚରଣ ଚୌଧୁରୀ, ସୁଶାନ୍ତ କୁମାର ମହାନ୍ତି, ଅନିଲ ବିଶ୍ବାଳ, ସ୍ବାଗତ ସାମନ୍ତରାୟ ଓ ନିର୍ବାଣ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.