Breaking News

ବାରବାଟୀରେ ଟିକେଟ୍‌ ଲଢ଼େଇ

ବାରବାଟୀ‌ରେ ଆସନ୍ତା ୯ ତାରିଖରେ ଖେଳାଯିବ ଭାରତ- ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌। ଖେଳ ଦେଖିବା ପାଇଁ କ୍ରେଜ୍‌ ଏତେ ବଢ଼ିଯାଇଛି ଯେ ଟିକେଟ୍ ହାତେଇବା ପାଇଁ ଧାଡ଼ିବାନ୍ଧିବାକୁ...

କଟକ: ବାରବାଟୀ‌ରେ ଆସନ୍ତା ୯ ତାରିଖରେ ଖେଳାଯିବ ଭାରତ- ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌। ଖେଳ ଦେଖିବା ପାଇଁ କ୍ରେଜ୍‌ ଏତେ ବଢ଼ିଯାଇଛି ଯେ ଟିକେଟ୍ ହାତେଇବା ପାଇଁ ଧାଡ଼ିବାନ୍ଧିବାକୁ ଆଜି ଅପରାହ୍ଣରୁ ଅପେକ୍ଷା କରିଛନ୍ତି ୧୦ ହଜାରରୁ ଅଧିକ କ୍ରିକେଟ୍‌ପ୍ରେମୀ। ରାତି ବଢ଼ିବା ସହ ଏମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଭଳି କି ଟିକେଟ୍‌ କିଣିବା ପାଇଁ ବିଭିନ୍ନ ବସ୍ତିର ମହିଳାଙ୍କୁ ମଜୁରି ଦେଇ ଆଣିଛନ୍ତି ଦଲାଲ। ଜଣଙ୍କ ପିଛା ୨ ହଜାର ଟଙ୍କା ମଜୁରି ଦିଆଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ଆଜି ଅପରାହ୍‌ଣରୁ ଆଣି ଦଲାଲମାନେ ଧାଡ଼ିରେ ଛିଡ଼ା କରିବାକୁ ଯୋଜନା କରିଥିଲେ। କିନ୍ତୁ ପୁଲିସ ଆଜି କାହାରିକୁ ବ୍ୟାରିକେଡ୍‌ ଧାଡ଼ିରେ ପଶିବାକୁ ଅନୁମତି ଦେଇ ନାହିଁ। ଫଳରେ ଏହି ମହିଳାମାନେ ରାସ୍ତା କଡ଼ରେ ବସି ରହିଛନ୍ତି। ପୁଲିସ ଯେତେବେଳେ ଅନୁମତି ଦେବ, ସେତେବେଳେ ସେମାନେ ଧାଡ଼ିରେ ରହିବାକୁ ଉଦ୍ୟମ କରିବେ। ପ୍ରତ୍ୟେକଙ୍କୁ ‌ଯେ କୌଣସି ଗ୍ୟାଲେରିର ସର୍ବାଧିକ ୨ଟି ଟିକେଟ୍ ଦିଆଯିବ। ଏଥିପାଇଁ ସେମାନଙ୍କୁ ଆଧାର କାର୍ଡ, ଭୋଟର ପରିଚୟପତ୍ର ଓ ପାନ୍ କାର୍ଡ ଭଳି ଯେ କୌଣସି ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏଭଳି ସ୍ଥିତିରେ ଏହି ମହିଳାମାନେ ନିଜନିଜର ପ୍ରମାଣପତ୍ର ଧରି ସାରା ରାତି ଅପେକ୍ଷା କରି ରହିଛନ୍ତି।

ଧାଡ଼ିବାନ୍ଧିବାକୁ ଅପେକ୍ଷାରତ ୧୦ ହଜାର କ୍ରିକେଟ୍‌ପ୍ରେମୀ
୨ ହଜାର ଟଙ୍କା ମଜୁରି ଦେଇ ଆଣିଛନ୍ତି ବସ୍ତି ମହିଳାଙ୍କୁ!

ସତର୍କ ନହେଲେ ବିଗିଡ଼ିବ ସ୍ଥିତି ଦଳାଚକଟା ଆଶଙ୍କା
ପୂର୍ବ ବର୍ଷ ମାନଙ୍କରେ ବ୍ୟାରିକେଡ୍‌ ଭିତରେ ରାତିରୁ ଧାଡ଼ି ଲଗାଇବାକୁ ପୁଲିସ ଅନୁମତି ଦେଇ ଦେଉଥିଲା। ଫଳରେ ଆଗ ଆସିଥିବା ଲୋକ ଆଗରେ ରହି ଟିକେଟ୍‌ ପାଇବା ପାଇଁ ଅପେକ୍ଷା କରି ରହୁଥିଲେ। ଏଥର କିନ୍ତୁ ପୁଲିସ ଧାଡ଼ିରେ ରହିବାକୁ ଅନୁମତି ଦେଇ ନାହିଁ। ଫଳରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ବାରବାଟୀ ଷ୍ଟାଡିୟମ ନିକଟରେ ଜମା ହୋଇ ରହିଛନ୍ତି। ସେମାନଙ୍କୁ ଯେତେବେଳେ ବ୍ୟାରିକେଡ୍‌ରେ ଧାଡ଼ିବାନ୍ଧିବାକୁ ଅନୁମତି ଦିଆଯିବ, ସେତେବେଳେ ପୁଲିସ ସେତିକି ସତର୍କ ନ ହେଲେ ଠେଲାପେଲା, ଦଳାଚକଟା ଭଳିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ହେବ ନାହିଁ। ଆସନ୍ତାକାଲି ସକାଳ ୯ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇ ଟିକେଟ୍ ଶେଷ ହେବା ପର୍ଯ୍ୟନ୍ତ ଅଥବା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ।

ଟିକେଟ୍‌ ୧୧ ହଜାର ୫୦୦
ଅପେକ୍ଷାରେ ୧୦ ହଜାର ଲୋକ
ଫେବ୍ରୁଆରି ୫ ଓ ୬ ତାରିଖ, ଦୁଇ ଦିନ ଧରି ବାରବାଟୀ ମ୍ୟାଚ୍ ପାଇଁ କାଉଣ୍ଟରରେ ବିଭିନ୍ନ ଗ୍ୟାଲେରିର ପାଖାପାଖି ୧୧ ହଜାର ୫୦୦ ଟିକେଟ୍‌ ବିକ୍ରି ହେବାକୁ ରହିଛି। କିନ୍ତୁ ଆଜି ରାତିରେ ବାରବାଟୀ ଷ୍ଟାଡିୟମ ନିକଟରେ ୧୦ ହଜାରରୁ ଅଧିକ ଲୋକ ଜମା ହୋଇଥିବା ବେଳେ ସେମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜଣଙ୍କୁ ଦୁଇଟି ଟିକେଟ୍ ମିଳିବାର ବ୍ୟବସ୍ଥା ଥିବା ବେଳେ ଅଧାରୁ ଅଧିକ ଲୋକ ଟିକେଟ୍ ନ ପାଇ ନିରାଶ ହୋଇ ଫେରିବା ଥୟ। କିନ୍ତୁ ରାତି ଅନିଦ୍ରା ହୋଇ ରାସ୍ତା ଉପରେ ଗୋଟିଏ ପଟେ କ୍ରିକେଟ ପ୍ରେମୀ ଯୁବକମାନେ ବସି ରହିଥିବା ବେଳେ ଅନ୍ୟପଟେ ମହିଳାଙ୍କୁ ଅସ୍ତ୍ର କରିଛନ୍ତି ଦଲାଲମାନେ।

ଯାଜପୁରରୁ ଆସିଛନ୍ତି ପ୍ରିୟବ୍ରତ
ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଖେଳ ଦେଖିବେ ବୋଲି ଯାଜପୁରରୁ ଆଜି ଅପରାହ୍‌ଣରୁ ଆସି ବାରବାଟୀରେ ଅଟକି ରହିଛନ୍ତି ପ୍ରିୟବ୍ରତ। ପ୍ରିୟବ୍ରତ କହିଛନ୍ତି ଯେ ସେ ୧/୩ ଗ୍ୟାଲେରି ଟିକେଟ୍‌ କିଣିବାକୁ ଆସିଛନ୍ତି। କିନ୍ତୁ ଶେଷରେ ଯାହା ବି ମିଳିବ, ସେ କିଣିବେ ଏବଂ ବାରବାଟୀରେ ମ୍ୟାଚ୍ ଦେଖିବାକୁ ଉଦ୍ୟମ କରିବେ। ଆସନ୍ତାକାଲି ଟିକେଟ୍‌ ନ ମି‌ଳିଲେ ପୁଣି ପରଦିନ ଲାଇନ୍‌ରେ ରହିବି ବୋଲି ପ୍ରିୟବ୍ରତ କହିଛନ୍ତି। ସେ ପ୍ରଥମ ଥର ବାରବାଟୀରେ ମ୍ୟାଚ୍ ଦେଖିବାକୁ ଆଶା ରଖିଛନ୍ତି।
ସଂପୂର୍ଣ୍ଣ ଅବ୍ୟବସ୍ଥା, ଟିକେଟ୍ ଆଶା ନାହିଁ
ମହାନଦୀବିହାରର ଶୁଭମ୍ ଦାସ ଟିକେଟ୍ କିଣିବାକୁ ଆସି ଅପେକ୍ଷା କରି ରହିଛନ୍ତି। କିନ୍ତୁ ଟିକେଟ୍‌ ପାଇବେ ବୋଲି ଆଉ ଆଶା ରଖି ନାହାନ୍ତି। କିନ୍ତୁ କାଲି ଯାଏଁ ଅପେକ୍ଷା କରି ରହିବେ ବୋଲି ଶୁଭମ୍‌ କହିଛନ୍ତି। ଶୁଭମ୍‌ କହିଛନ୍ତି ଯେ ସେ ପୂର୍ବରୁ ବାରବାଟୀରେ କ୍ରିକେଟ୍ ଦେଖିଛନ୍ତି। କିନ୍ତୁ ପୂର୍ବ ବର୍ଷମାନଙ୍କ ତୁଳନାରେ ଏଥର ସଂପୂର୍ଣ୍ଣ ଅବ୍ୟବସ୍ଥା ହୋଇଛି। ଠିକ୍‌ରେ କୌଣସି ସୂଚନା ଦିଆଯାଉ ନାହିଁ। ଭିତରେ ଭିତରେ ସବୁ କାରବାର ଚାଲିଛି। ଲୋକ କେବଳ ହଇରାଣ ହେଉଛନ୍ତି।
୧୦ ହଜାର ଟଙ୍କା ଧରି ଆସିଛି
ଭୁବନେଶ୍ବରର ଉତ୍ତରାରୁ ଆସିଛନ୍ତି ରାକେଶ ନାୟକ। ବିସ୍କୁଟ, ପାଣି ନେଇ ଆସିଛନ୍ତି। ତାଙ୍କ ଭାଇ ଓ ସାଙ୍ଗ ବି ଆସିଛନ୍ତି। ୧୦ ହଜାର ଟଙ୍କା ଆଣି ଆସିଛନ୍ତି। ସେଥିରେ ସେ ୬ ଜଣଙ୍କ ପାଇଁ ଟିକେଟ୍‌ କିଣିବା ଯୋଜନାରେ ଅଛନ୍ତି। ବିରାଟ କୋହଲି, ରୋହିତ ଶର୍ମା, ‌ବୁମ୍‌ରା ତାଙ୍କର ପସନ୍ଦ ବୋଲି କୁହନ୍ତି ରାକେଶ।
ଭୁବନେଶ୍ବରରୁ ଆସିଛନ୍ତି ଛାତ୍ରୀ ଆଦ୍ୟାଶା
ଭୁବନେଶ୍ବର ଆଦ୍ୟାଶା ପ୍ରିୟଦର୍ଶିନୀ ସାଙ୍ଗମାନଙ୍କ ସହିତ ଆସିଛନ୍ତି। ଆଦ୍ୟାଶା କିଟ୍‌ରେ ବିକମ୍ ପଢୁଛନ୍ତି। ଆଦ୍ୟାଶା କୁହନ୍ତି ଯେ ସେ ଦୁଇଟି ଟିକେଟ୍ କିଣିବେ। ଖେଳ ଦେଖିବାକୁ ସେ ତାଙ୍କର ବାବା ଅଥବା ମାମାଙ୍କ ସହିତ ଆସିବେ। ଆଦ୍ୟାଶା କୁହନ୍ତି ଯେ ବିରାଟ କୋହଲିଙ୍କ ଖେଳ ତାଙ୍କୁ ଭଲ ଲାଗେ। ଯେମିତି ହେଉ ସେ ଏଥର ବାରବାଟୀରେ ଖେଳ ଦେଖିବାକୁ ଆଶା ରଖିଛନ୍ତି।

ପରିସ୍ରା ଯିବାକୁ ବି ବାଟ ନାହିଁ; ସଂଧ୍ୟାରୁ ପାଣି ପିଇ ନାହାନ୍ତି...
ପୁଲିସ ବ୍ୟାରିକେଡ୍‌ ଭିତରକୁ ଯିବାକୁ ଅନୁମତି ଦେବା ସମୟକୁ ଜଗି ରହିଛନ୍ତି କ୍ରିକେଟପ୍ରେମୀ। ଛିଡ଼ା ହୋଇଥିବା ଜାଗାରୁ ଟିକିଏ ହଲିଲେ ଆଉ ଜାଗା ପାଇବା କଷ୍ଟ। ସେଥିପାଇଁ ଅନେକ ଯୁବକ ଆଜି ସଂଧ୍ୟାରୁ ପାଣି ପିଇ ନାହାନ୍ତି। ଷ୍ଟାଡିୟମ ପାଖରେ ବି ଆଜି କୌଣସି ପ୍ରକାର ଅସ୍ଥାୟୀ ଶୌଚାଳୟ ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ସଂଧ୍ୟାରୁ ଟିକେଟ୍‌ ପାଇଁ ଜଗି ରହିଥିବା ଲୋକ ଅସ୍ବାଭାବିକ ସ୍ଥିତିରେ ରହି କାଉଣ୍ଟର ଖୋଲିବାକୁ ଅପେକ୍ଷା କରି ରହିଛନ୍ତି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.