Breaking News

ବାରବାଟୀରେ ବିଜୟ ରେକର୍ଡ: ‘ରୋହିତ’ ରୋମାଞ୍ଚ, ଭାରତର ଆଗୁଆ ଶୃଙ୍ଖଳା ବିଜୟ

ବାରବାଟୀର ଉତ୍ସାହୀ କ୍ରିକେଟ୍ ପ୍ରଶଂସକଙ୍କ ବହୁ ପ୍ରତୀକ୍ଷିତ ଆଶା ଶେଷରେ ପୂରଣ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ସହ ଭାରତୀୟ କ୍ରିକେଟ୍ ଦଳ ପାଇଁ ପୁଣି ଥରେ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ଏହି ଐତିହାସିକ ଷ୍ଟାଡିୟମ୍।

ଦେବାଶିଷ ସୁନ୍ଦରାୟ
ବାରବାଟୀ (କଟକ): ବାରବାଟୀର ଉତ୍ସାହୀ କ୍ରିକେଟ୍ ପ୍ରଶଂସକଙ୍କ ବହୁ ପ୍ରତୀକ୍ଷିତ ଆଶା ଶେଷରେ ପୂରଣ ହୋଇଛି। ଅଧିନାୟକ ରୋହିତ ଶର୍ମାଙ୍କ ସହ ଭାରତୀୟ କ୍ରିକେଟ୍ ଦଳ ପାଇଁ ପୁଣି ଥରେ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ଏହି ଐତିହାସିକ ଷ୍ଟାଡିୟମ୍। ରବିବାର ରୋହିତ ବାରବାଟୀରେ କେବଳ ଛକା, ଚୌକା ବର୍ଷା କରିନାହାନ୍ତି, ବରଂ ୧୧୯ ରନ୍‌ର ବିସ୍ଫୋରକ ପାଳି ଖେଳି ନିଜେ ଫର୍ମକୁ ଫେରିବା ସହ ଭାରତକୁ ୪ ୱିକେଟ୍‌ର ସ୍ମରଣୀୟ ବିଜୟ ଉପହାର ଦେଇଛନ୍ତି। ତାଙ୍କ ଜବରଦସ୍ତ ବ୍ୟାଟିଂ ଓ ଧୂଆଁଧାର ପାଳି ବଳରେ ଭାରତ ୨-୦ର ଅପରାଜେୟ ଅଗ୍ରଣୀ ଲାଭ କରି ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ ୨-୦ରେ କବ୍‌ଜା କରିନେଇଛି। ଇଂଲଣ୍ଡ ଦେଇଥିବା ୩୦୫ ରନ୍‌ର ଲକ୍ଷ୍ୟକୁ ଭାରତ ଆଜି ୫.୩ ଓଭର ପୂର୍ବରୁ ୬ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ବିଜୟସୂଚକ ଚୌକା ମାରିବା ପରେ ଝୁମି ଉଠିଥିଲେ ଦର୍ଶକ। ଆତସବାଜିରେ କମ୍ପି ଉଠିଥିଲା ବାରବାଟୀ। ଗ୍ୟାଲେରିରେ ଉଡ଼ାଇଥିଲେ ତ୍ରିରଙ୍ଗା।

ବାରବାଟୀରେ ଭାରତ ରବିବାର ଲଗାତାର ଅଷ୍ଟମ ଦିନିକିଆ ଜିତିଛି। ପୁଣି କ୍ରମାଗତ ଦ୍ବିତୀୟ ଥର ପାଇଁ କୌଣସି ଶୃଙ୍ଖଳାରେ ବିଜୟ ମୁଣ୍ଡି ମାରିଛି। ଏହା ପୂର୍ବରୁ ୨୦୧୯ ମସିହାରେ ଖେଳିଥିବା ‌ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଦିନିକିଆକୁ ଜିତି ଭାରତ ଏଠାରେ ହିଁ ଶୃଙ୍ଖଳା ବିଜୟର ମିଠାମିଠା ସ୍ବାଦ ଚାଖିଛି। ବ୍ୟକ୍ତିଗତ ଭାବେ ରୋହିତ ବାରବାଟୀରେ ପ୍ରଥମ ଥର ପାଇଁ କୌଣସି ଦିନିକିଆ ମ୍ୟାଚ୍‌ର ନେତୃତ୍ବ ନେଇ ବିଜୟୀ ଓ ଶତକ ହାସଲକାରୀ ହେବାର ରେକର୍ଡ କରିଛନ୍ତି। ଚଳିତ ଶୃଙ୍ଖଳାର ଶେଷ ମୁକାବିଲା ଗୁଜରାଟର ଅହମଦାବାଦରେ ୧୨ ତାରିଖରେ ଖେଳାଯିବ। ଏଥିରେ ଭାରତ ପାଇଁ ଶୃଙ୍ଖଳାକୁ ୩-୦ରେ ମୂଳପୋଛ କରିବା ଏବଂ ଇଂଲଣ୍ଡ ପାଇଁ ସାନ୍ତ୍ବନାମୂଳକ ବିଜୟ ହାସଲ କରିବାର କେବଳ ଯାହା ସୁଯୋଗ ରହିଛି। ରୋହିତ ତାଙ୍କ ମ୍ୟାଚ୍ ବିଜୟୀ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏବଂ ଓସିଏ ସଂପାଦକ ସଂଜୟ ବେହେରାଙ୍କ ସମେତ କ୍ରୀଡ଼ା ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଭାରତର ଆଗୁଆ ଶୃଙ୍ଖଳା ବିଜୟ
୪ ୱିକେଟ୍‌ରେ ହାରିଲା ଇଂଲଣ୍ଡ

ପାଞ୍ଚବର୍ଷ ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍ ଫେରିଥିବାରୁ ଦର୍ଶକ ଭାରତୀୟ ଦଳଠାରୁ ଏକ ଦମ୍‌ଦାର ବିଜୟ ଆଶାରେ ଥିଲେ। ଟିମ୍ ଇଣ୍ଡିଆ ମଧ୍ୟ ନିରାଶ କରି ନଥିଲା। ଉଭୟ ବୋଲିଂ ଓ ବ୍ୟାଟିଂରେ ଭଲ କରି ପ୍ରଶଂସକଙ୍କୁ ରୋମାଞ୍ଚକ ବିଜୟ ଭେଟି ଦେଇଥିଲା। ବର୍ଡର-ଗାଭାସ୍କର ଟ୍ରଫିରେ ବିଫଳତା ସହ ପ୍ରଥମ ଦିନିକିଆରେ ସଂଘର୍ଷ କରିବାର ବୋଝ ସତ୍ତ୍ବେ ଅପୂର୍ବ ସଟ୍ ଚୟନ ଓ ଆକ୍ରମଣାତ୍ମକ ବ୍ୟାଟିଂର ବଳିଷ୍ଠ ନମୁନା ଦେଖାଇ ରୋହିତ ଏହାର ନେତୃତ୍ବ ନେଇଥିଲେ। ନିଜ ଅବିସ୍ମରଣୀୟ ପାଳିରେ ୧୨ ଚୌକା ଓ ୭ ଛକା ମାରି ବାରବାଟୀ ଦର୍ଶକଙ୍କ ଭରପୂର ମନୋରଞ୍ଜନ କରିଥିଲେ। ସେହିଭଳି ଯୁବ ତାରକା ଶୁବମନ୍ ଗିଲ୍ (୬୦), ଶ୍ରେୟସ୍ ଆୟର୍ (୪୪) ଓ ଅକ୍ଷର ପଟେଲ (୪୧*) ମଧ୍ୟ ଭାରତ ବିଜୟରେ ଉଲ୍ଲେଖନୀୟ ଅବଦାନ ଛାଡ଼ିଥିଲେ। ବିରାଟ କୋହଲି (୫) ବିଫଳ ହେବା ଅବଶ୍ୟ ବାରବାଟୀ ଦର୍ଶକଙ୍କୁ କିଛିଟା ନିରାଶ କରିଥିଲା। ହେଲେ ରୋହିତଙ୍କ ପ୍ରଭାବୀ ବ୍ୟାଟିଂ ସେମାନଙ୍କର ଏହି ଦୁଃଖକୁ ଲାଘବ କରିବାକୁ ଯଥେଷ୍ଟ ହୋଇଥିଲା। ଏଣୁ ‘ୱି ଲଭ୍ ରୋହିତ….. ଲଙ୍ଗ୍ ଲିଭ୍ ରୋହିତ’ ଭଳି ସ୍ଲୋଗାନ୍‌ ଦେଇ ତାଙ୍କ ଉପରେ ସେମାନଙ୍କ ଭଲ ପାଇବା ଅଜାଡ଼ି ଦେଇଥିଲେ। ରୋହିତଙ୍କ ସହ ବୋଲିଂରେ ରବୀନ୍ଦ୍ର ଜାଡ଼େଜାଙ୍କ ଯାଦୁ ବାରବାଟୀର ପାଖାପାଖି ୫୦,୦୦୦ ଦର୍ଶକଙ୍କୁ ବିମୋହିତ କରିଥିଲା। ଜାଡ଼େଜା ୩୫ ରନ୍ ବିନିମୟରେ ଇଂଲଣ୍ଡର ୩ଟି ୱିକେଟ୍ ନେଇ ବାରବାଟୀର ସର୍ବାଧିକ ୱିକେଟ୍ ହାସଲକାରୀ ହେବାର ଗୌରବ ଅର୍ଜନ କରିଥିଲେ। ତେବେ ଫ୍ଲଡ୍ ଲାଇଟ୍ ବିଭ୍ରାଟ ପାଇଁ ଖେଳ ପାଖାପାଖି ୨୦ ମିନିଟ୍ ବନ୍ଦ ରହିବା ପରେ ଓଡ଼ିଶା କ୍ରିକେଟ୍ ସଂଘ କିନ୍ତୁ ସମାଲୋଚିତ ହୋଇଥିଲା।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.