ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରସଙ୍ଗ: କ୍ରୀଡ଼ାମନ୍ତ୍ରୀଙ୍କୁ ଭେଟିଲେ ବିଧାୟିକା ସୋଫିଆ

କଟକ: ବାରବାଟୀ ଷ୍ଟାଡିୟମର ନବୀକରଣ ସହ କଟକ ସହରରେ ଏକ ଇଣ୍ଟିଗ୍ରେଟେଡ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ବାରବାଟୀ-କଟକ ବିଧାୟିକା ଇଞ୍ଜିନିୟର ‌ସୋଫିଆ ଫିର୍‌ଦୌସ ଆଜି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଲୋଚନା କରିଛନ୍ତି। ବାରବାଟୀ ଷ୍ଟାଡିୟମରେ ଓଡ଼ିଶା ଅଲିମ୍ପିକ୍‌ ଆସୋସିଏସନ ରହିଥିବାରୁ ଆଗାମୀ ଦିନରେ ଏହା ବିଶ୍ୱସ୍ତରୀୟ ଷ୍ଟାଡିୟମ ହେବା ଆବଶ୍ୟକ ଓ ଏଠ‌ାରେ ସମସ୍ତ ପ୍ରକାର କ୍ରୀଡ଼‌ାର ଗୁଣାତ୍ମକ ମାନ ବୃଦ୍ଧି କରାଯିବା ଉଚିତ ବୋଲି ବିଧାୟିକା ସୋଫିଆ କ୍ରୀଡ଼ାମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଐତିହାସିକ ବାରବାଟୀ ଷ୍ଟାଡିୟମ ପ୍ରତି କଟକ ତଥା ଓଡିଶାର ଲୋକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିବା ବେଳେ ଏହି ଷ୍ଟାଡିୟମ ବିକାଶରେ ବାରମ୍ବାର ଅବହେଳା କରାଯାଉଛି। ତେଣୁ ଏହି ଷ୍ଟାଡିୟମ ବିକାଶ ପ୍ରତି ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଧାୟିକା ସୋଫିଆ ମନ୍ତ୍ରୀଙ୍କ ସହିତ ବିସ୍ତୃତଭାବେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଏ ଦିଗରେ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ପ୍ରତିଶ୍ରୁତି ଦେଇଛନ୍ତି।
ସୌଜନ୍ୟ-ସମ୍ୱାଦ

Show More
Back to top button