Breaking News

ବାଲିପାଟଣାରେ ସରିଲା ପଞ୍ଚୁଦୋଳ

ଏକାଦଶୀ ତିଥିରୁ ଆରମ୍ଭ ହୋଇଥିବା ଠାକୁରଙ୍କ ଭୋଗ ଖିଆ ଓ ପଞ୍ଚୁଦୋଳ ମେଳଣ ଆଜି ଶେଷ ହୋଇଛି। ଏହି ଅବସରରେ ଦୋପଟି ମେଳଣ, ହାଟ ମେଳଣ, ଚଣାହଟ୍ଟା ପଟ୍ଟନାୟକ ସାହି ଦାଣ୍ଡ ମେଳଣ, ଫକୀରପଡ଼ା ମେଳଣ, ସ୍କୁଲ ତୋଟା ମେଳଣ ଏବଂ ଦହି ଖେଳ....

ବାଲିପାଟଣା: ଏକାଦଶୀ ତିଥିରୁ ଆରମ୍ଭ ହୋଇଥିବା ଠାକୁରଙ୍କ ଭୋଗ ଖିଆ ଓ ପଞ୍ଚୁଦୋଳ ମେଳଣ ଆଜି ଶେଷ ହୋଇଛି। ଏହି ଅବସରରେ ଦୋପଟି ମେଳଣ, ହାଟ ମେଳଣ, ଚଣାହଟ୍ଟା ପଟ୍ଟନାୟକ ସାହି ଦାଣ୍ଡ ମେଳଣ, ଫକୀରପଡ଼ା ମେଳଣ, ସ୍କୁଲ ତୋଟା ମେଳଣ ଏବଂ ଦହି ଖେଳ ବା ଦହିକଡ଼ି ମେଳଣ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ପାମ୍ପାଲୋ ପଞ୍ଚାୟତର  ଫକୀରପଡ଼ା ଗ୍ରାମରେ ଶ୍ରୀଶ୍ରୀ ରାଧାମୋହନ ଦେବଙ୍କ ପ୍ରାଚୀନ ଦୋଳ ମେଲଣ ପାରମ୍ପରିକ ରୀତିରେ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ଦେଢ଼ ଶହ ବର୍ଷରୁ ଅଧିକ କାଳ ଧରି ପାଳିତ ହୋଇ ଆସୁଥିବା ଏହି ଦୋଳ ଯାତ୍ରାର ରହିଛି ଏକ ଗୌରବମୟ ଇତିହାସ। ରାୟସାହେବ ସ୍ୱର୍ଗୀୟ ନନ୍ଦକିଶୋର ମହାନ୍ତିଙ୍କ ଦ୍ୱାରା ସ୍ଥାପିତ ରାଧାମୋହନ ଦେବଙ୍କ ମନ୍ଦିରର ପ୍ରାଚୀନତା ସମ୍ପର୍କରେ କୁହାଯାଏ ଯେ ଅତୀତରେ ଏହି ମନ୍ଦିର ପ୍ରତିଷ୍ଠା ସମୟରେ ନୟାଗଡ଼, ଖଣ୍ଡପଡ଼ା ଓ ରଣପୁର ରାଜପରିବାର ପ୍ରତିନିଧିତ୍ୱ କରିଥିଲେ। ମନ୍ଦିର ପାଇଁ ରାଧାକୃଷ୍ଣଙ୍କ ଆକର୍ଷଣୀୟ ଦୁର୍ଲଭ ବିଗ୍ରହ ପ୍ରଦାନ ସହ ମନ୍ଦିର ପରିଚାଳନା ଓ ରୀତିନୀତି ପାଇଁ  ରାଜାଙ୍କ ପକ୍ଷରୁ ନିଷ୍କର ଜମି ପ୍ରଦାନ କରାଯାଇଥିଲା। ପ୍ରାଚୀନ କାଳରୁ ଫକୀରପଡ଼ାରେ ଠାକୁରଙ୍କ ଦୋଳ ପର୍ବ ସହ ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଆଦି ପାଳିତ ହୋଇ ଆସୁଛି।

ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ଦୋଳ ମେଳଣ ପୂର୍ବ ରାତିରେ ଆଡ଼ମ୍ବରପୂର୍ଣ୍ଣ ରୋଶଣି ଅନୁଷ୍ଠିତ ହୋଇଥିଲା। ସୁସଜ୍ଜିତ ବିମାନରେ ଇଷ୍ଟଦେବ ରାଧାମୋହନ ଦେବଙ୍କୁ ବସାଇ ଗ୍ରାମ ପରିକ୍ରମା କରାଯାଇଥିଲା। ବାଜା ଓ ଆତସବାଜିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା। ମେଲଣ ଦିନ ରାଧାମୋହନଙ୍କ ସହ ଆଖପାଖ ତରଡ଼ପଡ଼ା, ଦରଡ଼ା, ନୂଆପଡ଼ା, ତେଲି ଚଉକା, ଡେଙ୍ଗ ଆଦି ଗ୍ରାମର ଠାକୁରମାନେ ସୁସଜ୍ଜିତ ବିମାନରେ ଚାଚେରୀ ଭୋଗ ଖାଇ ମେଳଣ ପଡ଼ିଆକୁ ଆସିଥିଲେ। ସନ୍ଧ୍ୟାରେ ସଙ୍କୀର୍ତ୍ତନ ସହ କଣ୍ଠଶିଳ୍ପୀ ଶରତ ବାରିକ ଭଜନ ପରିବେଷଣ କରିଥିଲେ। ରାତିରେ ହରିହର ଭେଟ ଓ ଅବିର ଖେଳ ଅନୁଷ୍ଠିତ ହୋଇଥିଲା। ଯୁବ ଉଦ୍ୟୋଗୀ ସ୍ମୃତିରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ଶୃଙ୍ଖଳାର ସମ୍ପନ୍ନ ହୋଇଥିଲା। ସେହିପରି ହୋଲି ଅବସରରେ ସର୍ବପୁରାତନ ଚଣାହଟ୍ଟା ହାଇସ୍କୁଲ ପରିସରରେ ସ୍କୁଲ ତୋଟା ମେଳଣ ଏବଂ ରବିବାର ଦହିକଡ଼ି ମେଳଣ ହୋଇଥିଲା।  ଏହି ମେଳଣରେ କୁଳନ୍ତିରା ଶାସନ ଗ୍ରାମର ଇଷ୍ଟ ଶ୍ରୀଗୋପୀନାଥ ଦେବ ଥାନପତି ଅଟନ୍ତି। ନୀଳକଣ୍ଠେଶ୍ୱର ଓ ଗୋପୀନାଥଙ୍କ ସମେତ ୧୭ଟି ବିମାନ ମେଳଣକୁ ଆସିଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.