Breaking News

ବାଲିମାଫିଆଙ୍କ ଅମରାବତୀ ପୁରୀ: ନିଲାମ ହୋଇନି, ନଦୀପଠାରୁ ହେଉଛି ବାଲିଚାଲାଣ

ପୁରୀ ଜିଲ୍ଲାରେ ଖଣିଜ ସଂପଦ କହିଲେ କେବଳ ବାଲିକୁ ବୁଝାଏ। କିନ୍ତୁ ପୁରୀ ଜିଲ୍ଲା ଏହି ଲଘୁ ଖଣିଜସମ୍ପଦ ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଜିଲ୍ଲାର ବିଭିନ୍ନ ନଦୀପଠାରୁ ଜେସିବି ଯୋଗେ ବାଲି ଉଠାଯିବା ପରେ ଏହାକୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଅବାଧ ଚାଲାଣ କରାଯାଉଛି।

ପୁରୀ: ପୁରୀ ଜିଲ୍ଲାରେ ଖଣିଜ ସଂପଦ କହିଲେ କେବଳ ବାଲିକୁ ବୁଝାଏ। କିନ୍ତୁ ପୁରୀ ଜିଲ୍ଲା ଏହି ଲଘୁ ଖଣିଜସମ୍ପଦ ଚୋରା କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଜିଲ୍ଲାର ବିଭିନ୍ନ ନଦୀପଠାରୁ ଜେସିବି ଯୋଗେ ବାଲି ଉଠାଯିବା ପରେ ଏହାକୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ଅବାଧ ଚାଲାଣ କରାଯାଉଛି। ଯାହାର ପ୍ରଭାବ ସିଧାସଳଖ ନଦୀବନ୍ଧ, ଜନବସତି ସହ ଜଙ୍ଗଲ ଓ ଏହାର ପ୍ରାକୃତିକ ପରିବେଶ ଉପରେ ପଡ଼ୁଛି। ନଦୀବନ୍ଧ ଅବକ୍ଷୟ ହୋଇ ଜନବସତିକୁ ବିପଦ ଆଡ଼କୁ ଠେଲିଦେବାରେ ଲାଗିଛି।

ଜିଲ୍ଲାରେ ଅଦ୍ୟାବଧି କୌଣସି ବାଲି ସୈରାତ ନିଲାମ ଦିଆଯାଇନି। ଏହା ସତ୍ତ୍ବେ ନିୟମିତ ନଦୀପଠାରୁ ବାଲିଉଠାଣ ଜାରି ରହିଛି। ପିପିଲିର କଣ୍ଟି ନିକଟରେ ଦୟା ନଦୀପଠା, ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରୋଡ୍‌ର ଲିଆଖିଆ ବ୍ରିଜ୍‌ ନିକଟ କୁଶଭଦ୍ରା ନଦୀପଠା, ଗବକୁଣ୍ଡ ନିକଟ ଭାର୍ଗବୀ ନଦୀପଠା ଆଦି ସ୍ଥାନରୁ ନିୟମିତ ରାତିରେ ବଡ଼ବଡ଼ ହାଇୱାରେ ବାଲି ଚୋରାଚାଲାଣ ହେଉଛି। ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରାସ୍ତା, ବ୍ରହ୍ମଗିରି ରାସ୍ତା, ନୂଆ ଜଗନ୍ନାଥ ସଡ଼କ ଓ ପିପିଲି-ଜଟଣୀ ରାସ୍ତା ଦେଇ ଜିଲ୍ଲା ଓ ଜିଲ୍ଲା ବାହାରକୁ ଯାଉଛି। ଅଧିକ ବାଲି ଚୋରି ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ରାସ୍ତା ଦେଇ ହେଉଛି। ଯାହା ପଛରେ ବାଲିମାଫିଆ ଓ ଅଧିକାରୀଙ୍କ ମଧୁଚନ୍ଦ୍ରିକା ରହିଥିବା ଅଭିଯୋଗ ଉଠିଛି। ମୋଟା ଅଙ୍କରେ ଏହି ବାଲିବିକ୍ରି ହେଉଥିବାବେଳେ ଏହାର ରାଜସ୍ବ ରାଜ୍ୟ ରାଜକୋଷକୁ ଯିବା ବଦଳରେ ବାଲିମାଫିଆ ଓ ଦୁର୍ନୀତିଖୋର ଅଧିକାରୀଙ୍କ ପକେଟ୍‌କୁ ଯାଉଛି।

୧୭ ଥିଲା, ନିଲାମ ପ୍ରକ୍ରିୟାରେ ଆଉ ୩୩ ନୂଆ ଖଣି

ପୁରୀ ଜିଲ୍ଲା ଖଣି କାର୍ଯ୍ୟାଳୟ ସୂଚନା ମୁତାବକ, ପୂର୍ବରୁ ଜିଲ୍ଲାରେ କେବଳ ୧୭ଟି ବାଲି ସୈରାତ ଥିଲା। ଏଥିରୁ ୫ଟି ବନ୍ଦ ରହିଥିବା ବେଳେ ୧୨ଟି କାର୍ଯ୍ୟକ୍ଷମ ରହିଛି। ଅଚଳ ବାଲି ସୈରାତରୁ ନିମାପଡ଼ାରେ ୪ଟି ଓ ଡେଲାଙ୍ଗରେ ଗୋଟିଏ ଥିବା ବେଳେ ସଚଳ ବାଲି ସୈରାତରୁ ପିପିଲିରେ ୬ଟି, ଡେଲାଙ୍ଗରେ ୫ଟି, କାକଟପୁରରେ ଗୋଟିଏ ସୈରାତ ରହିଛି। ସଚଳ ବାଲି ସୈରାତ ନିଲାମ ଦିଆଯାଇଥିଲେ ବି ନିଲାମ ନେଇଥିବା ବ୍ୟକ୍ତିଙ୍କ କାଗଜପତ୍ର ଠିକ୍‌ ନ ଥିବାରୁ ବାଲିଉଠାଣ ପାଇଁ କାହାରିକୁ ଅନୁମତି ଦିଆଯାଇନି। ଏହାବାଦ୍‌ ଆଉ ୩୩ଟି ନୂଆ ଖଣି ନିଲାମ ପ୍ରକ୍ରିୟାରେ ସାମିଲ କରାଯାଇଛି। ଯେଉଁଥିରେ ବାଲି ସୈରାତ ସହ କିଛି ମୋରମ୍‌ ଖଣି ଓ ମାଙ୍କଡ଼ାପଥର ଖଣି ରହିଛି। ମୋରମ୍‌ ଓ ପଥର ଖଣି କଣାସ ଓ ଡେଲାଙ୍ଗ ବ୍ଲକ୍‌ ଅଞ୍ଚଳରେ ରହିଛି। ଏହାର ନିଲାମ ବି ଶେଷ ହୋଇନି। ଖଣି ବିଭାଗ ସୂଚନା ଅନୁସାରେ, ଜିଲ୍ଲାରେ ଯଦି କୌଣସି ଖଣି ନିଲାମ ଦିଆଯାଇନାହିଁ ତେବେ ପ୍ରତିଦିନ ଟ୍ରକ୍‌ ଟ୍ରକ୍‌ ବାଲି ଚାଲାଣ କେମିତି ହେଉଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.