Breaking News

ବାସୁକୀତାଲ

ଦେବଭୂମି ଉତ୍ତରାଖଣ୍ଡକୁ ଅଗଣିତ ନଦ, ନଦୀ, ପର୍ବତ ଓ ସରୋବର ମହିମାନ୍ବିତ କରିଛନ୍ତି। ସେସବୁ ମଧ୍ୟରେ ଭୀମତାଲ, ସତାଲତାଲ, ତୋଡ଼ିତାଲ, ରୂପକୁଣ୍ଡ, କେଦାରତାଲ, ନୈନୀତାଲ, ସତୋପନ୍ଥତାଲ...

ଦେବଭୂମି ଉତ୍ତରାଖଣ୍ଡକୁ ଅଗଣିତ ନଦ, ନଦୀ, ପର୍ବତ ଓ ସରୋବର ମହିମାନ୍ବିତ କରିଛନ୍ତି। ସେସବୁ ମଧ୍ୟରେ ଭୀମତାଲ, ସତାଲତାଲ, ତୋଡ଼ିତାଲ, ରୂପକୁଣ୍ଡ, କେଦାରତାଲ, ନୈନୀତାଲ, ସତୋପନ୍ଥତାଲ, ଡଓରିଆତାଲ, ହେମକୁଣ୍ଡ, ନାନକତାଲ ଆଦି ପରିଚିତ ଓ ପ୍ରସିଦ୍ଧ। ‌େସଥିରୁ କେତେକ ସରୋବରକୁ ପବିତ୍ର   ଭାବରେ ଗଣନା କରାଯାଇ ତାହାର ଜଳକୁ ପୂଜନ କରାଯାଇଥାଏ। ସେହିପରି ଏକ ତାଲ୍‌ ବା ସରୋବର ବା ଜଳାଶୟ ହେଉଛି ବାସୁକୀତାଲ୍‌। ସମୁଦ୍ରପତ୍ତନଠାରୁ ପ୍ରାୟ ୪୧୩୫ ମିଟର ଉଚ୍ଚରେ ରହିଛି ଏହି ସରୋବର। ମାଉଣ୍ଟ ସତୋପନ୍ଥ ଶୃଙ୍ଗର ନିମ୍ନଦେଶରେ ଏହା ଅବସ୍ଥିତ। ସେଠାରୁ ଭାଗୀରଥି, ଶିବଲିଙ୍ଗ, ମେରୁ, ଥାଲୟସାଗର ଓ ସାତପନ୍ଥର ଦୃଶ୍ୟ ଦୃଷ୍ଟିପଥାରୂଢ଼ ହୋଇଥାଏ।

ଏହି ମହାପୀଠ, କେଦାରନାଥଠାରୁ ପ୍ରାୟ ଆଠ କିଲୋମିଟର ଦୂରରେ ଅବସ୍ଥିତ। ଚୌଖୁମ୍ବାର ଚାରୁଚିତ୍ର ସହିତ ବିସ୍ତୃତ ସବୁଜ ଉପତ୍ୟକା ତଥା ଦୁଷ୍ପ୍ରାପ୍ୟ ବ୍ରହ୍ମକମଳ ପୁଷ୍ପ ଏହି ସରୋବରର ଶୋଭାକୁ ବହୁଗଣିତ କରିଥାଏ। ହିନ୍ଦୁଧର୍ମର ମାନ୍ୟତା ଅନୁସାରେ, ପ୍ରତ୍ୟେକ ଶ୍ରାବଣ ପୂର୍ଣ୍ଣିମା ତିଥିରେ ଭଗବାନ ବିଷ୍ଣୁ ଏଠାକୁ ସ୍ନାନ କରିବାକୁ ଆସିଥାନ୍ତି। ତେଣୁ ବିଷ୍ଣୁଙ୍କ ସ୍ନାନଜଳ ହେତୁ ଏହା ହିନ୍ଦୁମାନଙ୍କ ନିମିତ୍ତ ପାଦୁକ ସଦୃଶ। ନାଗରାଜ ବାସୁକୀ ମଧ୍ୟ ଏହି ସରୋବରରେ ନିବାସ କରନ୍ତି ବୋଲି କଥିତ ଅଛି। ଭଗବାନ ବିଷ୍ଣୁଙ୍କର ପ୍ରିୟ ଭକ୍ତ ଶେଷନାଗ ଅନନ୍ତ। ସେ ଶ୍ରୀବିଷ୍ଣୁଙ୍କର ଆସନ ଅଟନ୍ତି। ଅଥଚ କେଉଁ ପୁଣ୍ୟ ହେତୁ ନାଗରାଜ ବାସୁକୀ ମଧ୍ୟ ବିଷ୍ଣୁଙ୍କର ପ୍ରିୟ, ସେ କାହାଣୀ ଅତ୍ୟନ୍ତ ରହସ୍ୟମୟ।

ମହର୍ଷି କଶ୍ୟପ ଓ କଦ୍ରୁଙ୍କର ସନ୍ତାନ ଥିଲେ ନାଗ ସମୂହ। ନାଗମାତା କଦ୍ରୁଙ୍କ ସଦୃଶ ନାଗମାନେ ଥିଲେ ହିଂସ୍ର, ଛଳନାପ୍ରିୟ, ପରପୀଡ଼କ, ଈର୍ଷାପରାୟଣ ଓ ଅହଂକାରୀ। ତେଣୁ କଦ୍ରୁଙ୍କର ଜ୍ୟେଷ୍ଠପୁତ୍ର ଅନନ୍ତ ଏଥିରେ ଅତିଷ୍ଠ ହୋଇ ବହୁ ପୂର୍ବରୁ ମାତା ଓ ଭ୍ରାତାମାନଙ୍କୁ ପରିତ୍ୟାଗ କରି ତପସ୍ୟା କରିବାକୁ ଚାଲିଯାଇଥିଲେ। ବ୍ରହ୍ମାଙ୍କର ଆଶୀର୍ବାଦରେ ସେ ପୃଥିବୀ ଧାରଣ କରିବା ସହିତ ଭଗବାନ ବିଷ୍ଣୁଙ୍କର ଅଙ୍ଗରକ୍ଷକ ହେଲେ। ଦ୍ବିତୀୟ ପୁତ୍ର ବାସୁକୀ ମଧ୍ୟ ଅନନ୍ତଙ୍କ ସଦୃଶ ଧର୍ମାତ୍ମା ଥିଲେ। କିନ୍ତୁ ମାତାଙ୍କୁ ସେ ଛାଡ଼ିଯାଇ ପାରୁନଥିଲେ କି ମାତାଙ୍କର କୌଣସି କୁକର୍ମର ଅଂଶୀଦାର ହେଉ ନ ଥିଲେ। କଦ୍ରୁ ଥିଲେ ଅହଂକାରୀ ଓ ଛଳନାମୟୀ। ତାଙ୍କର ଅହଂକାର ଶୀର୍ଷରେ ପହଞ୍ଚିଲା, ଯେତେ‌ବେ‌େଳ ନିଜର ନାଗପୁତ୍ରମାନଙ୍କ ସହାୟତାରେ ସେ ଇନ୍ଦ୍ରଙ୍କର ଉଚ୍ଚୈଶ୍ରବା ଅଶ୍ବର ପୁଚ୍ଛକୁ ଶ୍ବେତରୁ କୃଷ୍ଣବର୍ଣ୍ଣ କରି ସପତ୍ନୀ ବିନତାଙ୍କୁ ସର୍ତ୍ତରେ ହରାଇ   ଦାସୀ କରିଦେଲେ।

କଥା ଏତିକିରେ ସରିଲା ନାହିଁ। ଯେଉଁ ନାଗମାନେ ଏ କାର୍ଯ୍ୟରେ କଦ୍ରୁଙ୍କୁ ସହାୟତା କରି ନ ଥିଲେ, ସେମାନଙ୍କୁ ସେ ଜନ୍ମେଜୟଙ୍କ ସର୍ପଯଜ୍ଞରେ ପୋଡ଼ି ହୋଇ ମୃତ୍ୟୁବରଣ କରିବାକୁ ଅଭିଶାପ ଦେଲେ। ଏହା ବାସୁକୀଙ୍କୁ ବ୍ୟଥିତ କଲା। ବଡ଼ ଭାଇ ଭାବରେ ନାଗମାନଙ୍କୁ କିପରି ରକ୍ଷା କରିବେ ସେହି ଚିନ୍ତା କରି ସେ ବିଷଣ୍ଣ ହେଉଥିଲେ। ଦେବତା ଓ ରାକ୍ଷସମାନେ ମିଶି ଯେତେବେଳେ ସମୁଦ୍ରମନ୍ଥନ କରିବାକୁ ନିଶ୍ଚୟ କଲେ, ଉଭ‌େୟ ମନ୍ଦର ପର୍ବତ ଧାରଣ କରିବାକୁ ବାସୁକୀଙ୍କୁ ଅନୁରୋଧ କଲେ। ସମୁଦ୍ର ମନ୍ଥନରେ ସେ ଦେବତା ଓ ଦାନବଙ୍କୁ ସାହାଯ୍ୟ କରିବାରୁ, ବ୍ରହ୍ମା ସନ୍ତୁଷ୍ଟ ହୋଇ ସର୍ପଯଜ୍ଞରୁ ସର୍ପମାନଙ୍କୁ ରକ୍ଷା କରିବାର ଉପାୟ ତାଙ୍କୁ ବତାଇ ଦେଲେ। ବାସୁକୀ ସର୍ପଭ୍ରାତାମାନଙ୍କୁ ରକ୍ଷା କରିବାପାଇଁ ନିଜର ଭଗ୍ନୀ ଜରତ୍‌କାରୁଙ୍କୁ ଜରତ୍‌କାରୁ ମୁନିଙ୍କ ସହ ବିବାହ ଦେଲେ। ତାହା ଫଳରେ ମୁନି ଆସ୍ତିକ ଜନ୍ମ ହୋଇ ସର୍ପ ଯଜ୍ଞର ଅନ୍ତ ଘଟାଇ ଥିଲେ।

ବିନା ଦ୍ବିଧାରେ, ଅଜସ୍ର କଷ୍ଟ ସହ୍ୟ କରି, ହଳାହଳ ତ୍ୟାଗ କରି ମଧ୍ୟ କାର୍ଯ୍ୟରତ ରହିଥିବାରୁ, ଶିବ ସନ୍ତୁଷ୍ଟ ହୋଇ ବାସୁକୀଙ୍କୁ କଣ୍ଠରେ ଧାରଣ କଲେ। ଦେବତାମାନେ ମଧ୍ୟ ପ୍ରୀତ ହୋଇ ବାସୁକୀଙ୍କୁ ଏକ ପାତାଳର ରାଜା କରାଇଲେ। ନାଗରାଜ ବାସୁକୀ ଭୀମଙ୍କୁ ନାଗଲୋକର ଅମୃତ ରସ ପାନ କରାଇ ସହସ୍ର ହାତୀର ବଳ ପ୍ରଦାନ କରିଥିଲେ। ‘ବିଷ୍ଣୁ ପୁରାଣ’ ଅନୁଯାୟୀ, ବାସୁକୀଙ୍କର ପୁତ୍ରୀ ଉଲୁପୀଙ୍କ ସହିତ ଅର୍ଜୁନଙ୍କର ବିବାହ  ହୋଇଥିଲା। ନିଜର ସତ୍‌କର୍ମ ନିମିତ୍ତ ବାସୁକୀ ଭଗବାନ ବିଷ୍ଣୁ ଓ ଭଗବାନ ଶିବ ଉଭୟଙ୍କର ପ୍ରିୟ ହୋଇପାରିଥିଲେ। ତେଣୁ ବାସୁକୀତାଲ୍‌ ସରୋବର ତୀର୍ଥଯାତ୍ରୀମାନଙ୍କର ଅତ୍ୟନ୍ତ ପ୍ରିୟ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.