Breaking News

ବିଏଫ୍‌ଆଇ ବିବାଦରେ ଖେଳାଳି ହନ୍ତସନ୍ତ: ପ୍ରତିଯୋଗିତା ଆୟୋଜନ ନେଇ ଜାରି ରହିଛି ଦ୍ବନ୍ଦ୍ବ

ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ଏକପ୍ରକାର ଦୁଇଫାଳ ହୋଇଛି। ସଭାପତି ଅଜୟ ସିଂହଙ୍କୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିଲା ବେଳେ ଅନ୍ୟଗୋଷ୍ଠୀ ମହାସଚିବ ହେମନ୍ତ କଳିତାଙ୍କ ପଟରେ ରହିଛନ୍ତି।

ଭୁବନେଶ୍ବର: ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ଏକପ୍ରକାର ଦୁଇଫାଳ ହୋଇଛି। ସଭାପତି ଅଜୟ ସିଂହଙ୍କୁ ଗୋଟିଏ ଗୋଷ୍ଠୀ ସମର୍ଥନ କରୁଥିଲା ବେଳେ ଅନ୍ୟଗୋଷ୍ଠୀ ମହାସଚିବ ହେମନ୍ତ କଳିତାଙ୍କ ପଟରେ ରହିଛନ୍ତି। ମହାସଂଘ ତାର ୱେବ୍‌ସାଇଟ୍‌ ସହ ଇନ୍‌ଷ୍ଟାଗ୍ରାମ୍‌ରେ ଉତ୍ତରପ୍ରଦେଶର ନୋଏଡାସ୍ଥିତ ଗୌତମ ବୁଦ୍ଧ ବିଶ୍ବବିଦ୍ୟାଳୟଠାରେ ଚଳିତମାସ ୨୦ରୁ ୨୭ ତାରିଖ ପର୍ଯ୍ୟନ୍ତ ଅଷ୍ଟମ ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ୍‌ ଆୟୋଜିତ ହେବ  ବୋଲି ଘୋଷଣା କରିଛି। ଏପରିକି ଏହି ପ୍ରତିଯୋଗିତା ସ୍ଥଗିତ ରହିବା ନେଇ ପ୍ରକାଶ ପାଇଥିବା ଖବରକୁ ଖଣ୍ଡନ କରିବାକୁ ଯାଇ ୱେବ୍‌ସାଇଟ୍‌ରେ ପୂର୍ବନିର୍ଦ୍ଧାରିତ ତାରିଖରେ ଜାତୀୟ ଏଲିଟ୍ ମହିଳା ବକ୍ସିଂ ଚାମ୍ପିଅନସିପ୍‌ ଆୟୋଜିତ ହେବ ଏବଂ ଏହା ବାତିଲ କିମ୍ବା ସ୍ଥଗିତ ହୋଇନାହିଁ ବୋଲି ସ୍ପଷ୍ଟ କରିଛି। ହେଲେ ଓଡ଼ିଶା ଆମେଚର ବକ୍ସିଂ ସଂଘ (ଓଏବିଏ) ସହ ଆଉ କିଛି ସଂଘ ପ୍ରତିଯୋଗିତାକୁ ସ୍ଥଗିତ କରିବାକୁ ଦାବି କରି ବିଏଫ୍‌ଆଇକୁ ପତ୍ର ଲେଖିଛନ୍ତି। ଏହାକୁ ଆଳ କରି ବିଏଫ୍‌ଆଇ ଆନୁଷ୍ଠାନିକ ଘୋଷଣା କରି ନଥିଲେ ମଧ୍ୟ ଉକ୍ତ ପ୍ରତିଯୋଗିତା‌ ସ୍ଥଗିତ କରିବ  ବୋଲି ଦାବି କରୁଛି। ଏଣୁ ଖେଳାଳି ପଠାଇବାର ଆବଶ୍ୟକତା ନାହିଁ ବୋଲି ଜଣେ ସଦସ୍ୟ କହିଛନ୍ତି।

ପ୍ରତିଯୋଗିତା ଆୟୋଜନ ନେଇ ଜାରି ରହିଛି ଦ୍ବନ୍ଦ୍ବ, ହସ୍ତକ୍ଷେପ କରିବାକୁ ଅକ୍ଷମତା ପ୍ରକାଶ କଲା କ୍ରୀଡ଼ା ବିଭାଗ

ତେବେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସଂଘ ମହାସଚିବ କଳିତାଙ୍କ ଗୋଷ୍ଠୀରେ ରହିଛି। ଏଣୁ ଚଳିତମାସ ଶେଷ ଆଡ଼କୁ ହେବାକୁ ଥିବା ନିର୍ବାଚନ ପରେ ‌ଯେକୌଣସି ପ୍ରକାର ଜାତୀୟ ପ୍ରତିଯୋଗିତା ଆୟୋଜନ କରିବା ସପକ୍ଷରେ ରହିଛି। ଜାତୀୟ ସଂଘ ଓ ରାଜ୍ୟସଂଘ କମକର୍ତ୍ତାଙ୍କ ଏହି ରାଜନୀତି ଭିତରେ କିନ୍ତୁ ଓଡ଼ିଶା ବକ୍ସରମାନେ ହନ୍ତସନ୍ତ ହେଉଛନ୍ତି। ଜାତୀୟ ପ୍ରତିଯୋଗିତା ଭଳି ମଞ୍ଚରେ ନିଜ ପ୍ରତିଭାକୁ ପରିପ୍ରକାଶ କରିବାର ସୁଯୋଗ ହରାଇବାକୁ ଯାଉଥିବାରୁ ଘୋର ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ନିରୁପାୟ ହୋଇ ଦୁଇ ଜଣ ଖେଳାଳି ସୋମବାର ଏଥିନେଇ କ୍ରୀଡ଼ାବିଭାଗରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।। ସେମାନେ ଦର୍ଶାଇଛନ୍ତି ଯେ ଡିସେମ୍ବର ୧୪ ଓ ୧୫ ତାରିଖରେ ହୋଇଥିବା ରାଜ୍ୟ ବରିଷ୍ଠ ମହିଳା ଓ ପୁରୁଷ ବକ୍ସିଂ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଜାତୀୟ ପ୍ରତିଯୋଗିତା ପାଇଁ ଆମେ ମନୋନୀତ ହୋଇଥିଲୁ। କିନ୍ତୁ ଓଏବିଏ ଏପର୍ଯ୍ୟନ୍ତ ଆମକୁ ଉତ୍ତରପ୍ରଦେଶ ପଠାଇବାର ବ୍ୟବସ୍ଥା କରିନି। କିମ୍ବା କୌଣସି ସ୍ପଷ୍ଟ ସୂଚନା ଦେଉନି। ଗୋଟିଏ ପଟେ ସଂପାଦକ ଅନିଲ ବହିଦାର ପ୍ରତିଯୋଗିତା ସ୍ଥଗିତ ରହିଥିବା କହୁଛନ୍ତି। ଅନ୍ୟପଟେ ହାତଗଣତି କିଛି ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟର ପ୍ରତିଯୋଗୀମାନେ ପ୍ରତିଯୋଗିତାରେ ଖେଳିବାକୁ ଯାଉଥିବାର ଘୋଷଣା ବିଏଫ୍‌ଆଇ କହିଛି। ଏଭଳି ସ୍ଥିତିରେ ଆମେ ଦ୍ବନ୍ଦ୍ବ ଓ ସଂଶୟ ଭିତରେ ଅଛୁ। ଉଭୟ ଆମ କ୍ୟାରିୟର ସହ ଖେଳ ଖେଳୁଛନ୍ତି। ଏଣୁ ଏହି ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ଖେଳାଳିଙ୍କ ଅଭିଯୋଗ ପାଇବା ପରେ କ୍ରୀଡ଼ା ସଚିବ ବ୍ୟସ୍ତ ଥିବାରୁ ଓଏସ୍‌ଡି ପଟ୍ଟନାୟକଙ୍କୁ ଦେଖାକରି ଏହି ବିଷୟ ଜଣାଇବାକୁ ପରାମର୍ଶ ଦେଇଥିଲେ। ଶ୍ରୀ ପଟ୍ଟନାୟକ ସମସ୍ୟାକୁ ବୁଝି ସଂଧ୍ୟା ସୁଦ୍ଧା ଆବଶ୍ୟକ ପଦ‌କ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ। ସଂଧ୍ୟାରେ ବିଏଫ୍‌ଆଇର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ରହିଛି। ତା’ଛଡ଼ା ପ୍ରତିଯୋଗିତା ସ୍ଥଗିତ ରହିଛି ବୋଲି ଓଏବିଏ ଜଣାଇଛନ୍ତି। ବିଏଫ୍‌ଆଇ ମହାସଚିବଙ୍କଠାରୁ ପାଇଥିବା ଇମେଲକୁ ମଧ୍ୟ ଦେଖାଉଛନ୍ତି। ଏଭଳି ପରିସ୍ଥିତିରେ କ୍ରୀଡ଼ା ବିଭାଗ କିଛି କରିପାରିବ ନାହିଁ। କାରଣ ମହାସଂଘର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବାର ଅଧିକାର କ୍ରୀଡ଼ା ବିଭାଗର ନାହିଁ। ରାଜ୍ୟ ସଂଘ ତାଲିକା ନପଠାଇଲେ କ୍ରୀଡ଼ା ବିଭାଗ ନିଜ ତରଫରୁ ଦଳ ପଠାଇ ପାରିବ ନାହିଁ ବୋଲି ଟେଲିଫୋନ୍ ଜରିଆରେ ଜଣାଇଥିଲେ। ‌େସହିଭଳି ରାଜ୍ୟ ସଂଘ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଥିଲେ। ଫଳରେ ଖେଳାଳିମାନେ ନିରାଶ ‌ହୋଇଛନ୍ତି। ପ୍ରତିଯୋଗିତା ଆରମ୍ଭ ହେବାକୁ ମଝିରେ ମାତ୍ର ଗୋଟିଏ ଦିନ ଥିଲା ବେଳେ ଏଭଳି ସ୍ଥିତି ଅସ୍ପଷ୍ଟ ରହିବା କିନ୍ତୁ ଓଏବିଏର ଆନ୍ତରିକତାକୁ ପଦାରେ ପକାଇଛି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.