Breaking News

ବିଏମ୍‌ସି ସାଧାରଣ ପରିଷଦ ବୈଠକ: ଦ୍ରୁତ ହ୍ରାସପାଉଛି ଭୂତଳ ଜଳ

ଭୁବନେଶ୍ବରରେ ଭୟଙ୍କର ଭାବେ ହ୍ରାସ ପାଇବାରେ ଲାଗିଛି ଭୂତଳ ଜଳସ୍ତର। ଗତ ୫ ବର୍ଷରେ ଭୁବନେଶ୍ବରରେ ଭୂତଳ ଜଳସ୍ତର ୦.୫୩ ମିଟର ତଳକୁ ଖସିଯାଇଛି। ବେଆଇନ ବୋରୱେଲ୍ ଖନନ, ଶିଳ୍ପ ସଂସ୍ଥା ଓ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ମନଇଚ୍ଛା ଜଳ ଉତ୍ତୋଳନ ଏହାର ପ୍ରମୁଖ କାରଣ ସାଜିଛି।

ଭୁବନେଶ୍ବର: ଭୁବନେଶ୍ବରରେ ଭୟଙ୍କର ଭାବେ ହ୍ରାସ ପାଇବାରେ ଲାଗିଛି ଭୂତଳ ଜଳସ୍ତର। ଗତ ୫ ବର୍ଷରେ ଭୁବନେଶ୍ବରରେ ଭୂତଳ ଜଳସ୍ତର ୦.୫୩ ମିଟର ତଳକୁ ଖସିଯାଇଛି। ବେଆଇନ ବୋରୱେଲ୍ ଖନନ, ଶିଳ୍ପ ସଂସ୍ଥା ଓ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ମନଇଚ୍ଛା ଜଳ ଉତ୍ତୋଳନ ଏହାର ପ୍ରମୁଖ କାରଣ ସାଜିଛି। ଏବେଠୁ ଚିନ୍ତା କରାନଗଲେ, ଆଗାମୀ ଦିନରେ ପିଇବା ପାଣି ପାଇଁ ହାହାକାର ଦେଖାଦେବ। ବେଙ୍ଗାଲୁରୁ ଦଶାଠୁ ଟପିଯିବ ଭୁବନେଶ୍ବର ଅବସ୍ଥା। ଆଜି ବିଏମ୍‌ସିର ୩୦ତମ ସାଧାରଣ ପରିଷଦ ବୈଠକରେ କର୍ପୋରେଟରମାନେ ଏଭଳି ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏ ଦିଗରେ ବିଏମ୍‌ସି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ବିଏମ୍‌ସିର ଏକାମ୍ର ହଲ୍‌ରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକରେ ଭୂତଳ ଜଳ ପ୍ରସଙ୍ଗ ଉଠାଇ ୫୫ ନଂ ୱାର୍ଡ କର୍ପୋରେଟର୍ ନୃପେଶ କୁମାର ନାୟକ କହିଲେ, ଭୁବନେଶ୍ବର ଜଳ ସ୍ତର କମିବା ପ୍ରସଙ୍ଗରେ ୨୦୦୮ ମସିହାରୁ ସେ ବାରମ୍ବାର କର୍ପୋରେସନ୍‌କୁ ଅବଗତ କରି ଆସୁଛନ୍ତି। ଓଏମ୍‌ସି ଆଇନ-୨୦୦୩, ସେକ୍ସନ୍-୫୩୮ ଅନୁଯାୟୀ କମିସନଙ୍କ ବିନା ଅନୁମତିରେ କେହି ବି ବ୍ୟାବସାୟିକ ଅବା ଘରୋଇ ବ୍ୟବହାର ପାଇଁ ବୋରୱେଲ୍ ଅବା ପୋଖରୀ ଖୋଳି ପାରିବେ ନାହିଁ। କିନ୍ତୁ କେବଳ ବହିରେ ଏହି ନିୟମ ସୀମିତ ରହିଛି। ରିପୋର୍ଟ କହୁଛି, ୨୦୦୬ରୁ ୨୦୧୦ ମସିହା ଭିତରେ ଭୁବନେଶ୍ବରର ଜଳସ୍ତର ୧୦ ମିଟର ଖସିଗଲାଣି। ଏହି ବେଆଇନ ଉତ୍ତୋଳନକୁ ବନ୍ଦ କରିବାକୁ ବିଏମ୍‌ସି ବୋର୍‌ୱେଲ୍ ସେଲ୍ ଗଠନ ସହ ଏକ ଶକ୍ତିଶାଳୀ ଏନ୍‌ଫୋର୍ସମେଣ୍ଟ ଟିମ ରଖିବାକୁ ଶ୍ରୀ ନାୟକ ପ୍ରସ୍ତାବ ଦେଇଥିଲେ। ବିଏମସି ଗ୍ରାଉଣ୍ଡ୍ ୱାଟର୍ ସେଲ୍ ୬୭ ୱାର୍ଡର ଭୂତଳ ଜଳସ୍ତର ହିସାବ କାଢ଼ି, ଏହାର ସ୍ଥିରତା ଆଣିବା ଦିଗରେ ପଦକ୍ଷେପ ନେବାକୁ କହିଥିଲେ। ବର୍ଷାଜଳ ସଂରକ୍ଷଣ ନୈରାଶ୍ୟଜନକ ଥିବାବେଳେ ଏ ଦିଗରେ ପଦକ୍ଷେପ ନେବାକୁ ସେ ପ୍ରସ୍ତାବ ଦେଇଥିଲେ। ୪୪ ନଂ ୱାର୍ଡର କର୍ପୋରେଟର୍ ଅଜିତ ବେହେରା ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ପ୍ରଶ୍ନ ଉଠାଇଥିଲେ।

ଉତ୍ତରରେ ବିଏମସି ଅଧିକାରୀ କହିଥିଲେ, ଘରକୁ ଘର ପୃଥକ୍ ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ନିୟୋଜିତ ଏନ୍‌ଜିଓର ଚୁକ୍ତି ଶେଷ ହୋଇଯାଇଥିବାରୁ ୬୭ଟି ୱାର୍ଡକୁ ୬ଟି ପ୍ୟାକେଜ୍‌ରେ ବିଭକ୍ତ କରି ବର୍ଜ୍ୟବସ୍ତୁ ସଂଗ୍ରହ ପାଇଁ ନିଷ୍ପତ୍ତି ହୋଇଥିଲା। ନୂଆ ଘରୋଇ ସଂସ୍ଥା ଅବା ଏନ୍‌ଜିଓ ପାଇଁ ଆରଏଫପି ପ୍ରକ୍ରିୟାରେ ୯ଟି ସଂସ୍ଥା ଅଂଶଗ୍ରହଣ କରିଥିଲେ। ଏଥିରୁ ୩ ସଂସ୍ଥା ବେସିକ୍ସ ମ୍ୟୁନିସିପାଲ୍ ୱେଷ୍ଟ ଭେଞ୍ଚର୍ସ ଲିମିଟେଡ୍, ଏମ୍‌ଏସ୍‌ ଫିଡ୍‌ବ୍ୟାକ୍ ଫାଉଣ୍ଡେସନ୍ ଆଣ୍ଡ୍ ଚାରିଟେବଲ୍ ଟ୍ରଷ୍ଟ ଓ ଏମ୍‌ଏସ୍‌ ବିକାଶକୁ ୨ଟି ଲେଖାଏ ପ୍ୟାକେଜ ଦେବାକୁ ପ୍ରସ୍ତାବ ପାରିତ ହୋଇଛି। ସତ୍ୟନଗର ଶ୍ମଶାନର ପୁନରୁଦ୍ଧାର ପାଇଁ ପୂର୍ବ ଅଟକଳ ମୂଲ୍ୟ ୧କୋଟି ୩୫ଲକ୍ଷ ୫୦ହଜାର ୬୪୨ ଟଙ୍କାକୁ ପରିବର୍ତ୍ତନ କରି ୩କୋଟି ୨୨ଲକ୍ଷ ୯୨ହଜାର ୭୩୭ ଟଙ୍କାକୁ ବୃଦ୍ଧି କରାଯାଇଛି। ୩୩ଲକ୍ଷ ୮୦ହଜାର ଟଙ୍କାରେ ରାସ୍ତା ଆଲୋକୀକରଣ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ପରିଚାଳନା ପାଇଁ ଅଡିଟେକ୍ ଇଣ୍ଡଷ୍ଟ୍ରିଆଲ୍ ସର୍ଭିସେସ୍ ପ୍ରାାଇଭେଟ୍ ଲିମିଟେଡ୍‌କୁ ଦାୟିତ୍ବ ଦିଆଯାଇଛି। ଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ, ଭକ୍ତଙ୍କୁ ସୁବାସିତ ଜଳ ସିଞ୍ଚନ ଓ ଅନ୍ୟାନ୍ୟ ସେବା ଖର୍ଚ୍ଚ ବୃଦ୍ଧି ଉପରେ ପ୍ରସ୍ତାବ ପାରିତ ହୋଇଛି। ୟୁନିଟ୍-୬ କଲ୍ୟାଣମଣ୍ଡପ ଓ ୟୁନିଟ୍-୮ କମ୍ୟୁନିଟି ସେଣ୍ଟର ଭଡ଼ା ବୃଦ୍ଧି କରିବାକୁ ମଧ୍ୟ ପ୍ରସ୍ତାବ ପାରିତ ହୋଇଛି। ବୈଠକ ଆରମ୍ଭରେ ପହେଲଗାମ୍‌ରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା।

ବିଏମ୍‌ସିକୁ ରାଜ୍ୟ ସରକାର ଦେବେ ୩୨୭ କୋଟି

ରାଜ୍ୟ ସରକାର ବିଏମ୍‌ସିକୁ ୩୨୭ କୋଟି ଟଙ୍କା ଅନୁଦାନ ଦେବେ। ଏଥିରେ ରାସ୍ତାଘାଟ, ଡ୍ରେନ, ପାର୍କ ଆଦିର ବିକାଶ କରାଯିବ। ଆଜି ବିଏମ୍‌ସି ବୈଠକରେ ଏ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। କିନ୍ତୁ ବିଏମସି ଏହି ଟଙ୍କାକୁ ନୂଆ ଯୋଜନା ବଦଳରେ ପୁରୁଣା ଯୋଜନା ଓ ବକେୟା ଶୁଝିବାରେ ବିନିଯୋଗ କରିବାକୁ ଯୋଜନା କରିଛି ବୋଲି କର୍ପୋରେଟରମାନେ କହିଛନ୍ତି। ନୂଆ ଉନ୍ନୟନ ପ୍ରକଳ୍ପ ପାଇଁ ଆସିବାକୁ ଥିବା ଏହି ଅନୁଦାନକୁ ଅନ୍ୟ ବାଟରେ ଖର୍ଚ୍ଚ କରିବା ନିଷ୍ପତ୍ତିକୁ କର୍ପୋରେଟରମାନେ ବିରୋଧ କରିବା ସହ ହୋହଲ୍ଲା କରିଥିଲେ।

ମାର୍ଚ୍ଚରେ ଆୟ ୨୧୫.୮୭ କୋଟି, ବ୍ୟୟ ୯୬.୩୭ କୋଟି

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି)ର ମାର୍ଚ୍ଚ ମାସର ଆୟ ଓ ବ୍ୟୟର ଆଜି ସମୀକ୍ଷା କରାଯାଇଛି। ଗତ ମାର୍ଚ୍ଚ ମାସରେ ବିଏମ୍‌ସି ୨୧୫ କୋଟି ୮୭ଲକ୍ଷ ୮୦ହଜାର ୪୬୧ ଟଙ୍କା ଆୟ କରିଥିବା ବେଳେ ବ୍ୟୟ କରିଛି ୯୬କୋଟି ୩୭ଲକ୍ଷ ୪୩ହଜାର ୭୭୦ ଟଙ୍କା। ୧୫ତମ ଅର୍ଥ କମିସନ ସର୍ବାଧିକ ୬୨କୋଟି ୬୨ଲକ୍ଷ ୩୪ହଜାର ଟଙ୍କା ପ୍ରଦାନ କରିଥିବାବେଳେ ରୁରାଲ୍ ଅର୍ବାନ୍ ଟ୍ରାଞ୍ଜିସନ୍ ପଲିସି ବାବଦ ଅନୁଦାନ ୫୦ କୋଟି ଟଙ୍କା ମିଳିଛି। ନିକଟରେ ଶେଷ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ପାଳନ ଉପଲକ୍ଷେ ୧୦କୋଟି ଟଙ୍କା ଅନୁଦାନ ମିଳିଛି। ସର୍ବାଧିକ ଖର୍ଚ୍ଚ ଦେଖିଲେ, ପରିମଳ ପାଇଁ ୨୯କୋଟି ୪୨ଲକ୍ଷ ୮ହଜାର ୩୯୦ ଟଙ୍କା ଓ ନାଳ ନିର୍ମାଣରେ ୧୧କୋଟି ୧୩ଲକ୍ଷ ୯୩ହଜାର ୪୪୨ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ଆୟ ଦେଖିଲେ, ହୋଲ୍ଡିଂ ଟ୍ୟାକ୍ସରୁ ୪୨ କୋଟି ୯ଲକ୍ଷ ୯୬ହଜାର ୩୮୪ ଟଙ୍କା, ବିଜ୍ଞାପନରୁ ୬କୋଟି ୧୬ଲକ୍ଷ ୪୨୨ ଟଙ୍କା, ପରିମଳ ୟୁଜର୍ସ ଫି’ରୁ ୧କୋଟି ୫୦ଲକ୍ଷ ୮୯ହଜାର ୨୮୯ ଟଙ୍କା, କମ୍ପାଉଣ୍ଡିଂ ପାଣ୍ଠି ୧ କୋଟି ୧ଲକ୍ଷ ୧୬ହଜାର ୫୦ ଟଙ୍କା, ବ୍ୟାଙ୍କ ଜମା ସୁଧରୁ ୫କୋଟି ୯୮ଲକ୍ଷ ୮୬ହଜାର ୮୭୩ ଟଙ୍କା, ମୋଟରଯାନ ଟ୍ୟାକ୍ସରୁ ୬କୋଟି ୨୮ଲକ୍ଷ ୪ହଜାର ଟଙ୍କା, ମୁକ୍ତା ଯୋଜନାରେ ୧୫କୋଟି ଟଙ୍କା ରାଜସ୍ବ ମିଳିଛି।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.