ଭୁବନେଶ୍ବର: ଗତକାଲି ରାତିରେ ରାଜଧାନୀବାସୀ ଦୀପାବଳି ପାଳନ କରୁଥିବା ବେଳେ ଜଣେ ମହିଳା ଓ ତାଙ୍କ ଝିଅ ରାଜରାସ୍ତାରେ ଲୁଟେରାଙ୍କ କବଳରେ ପଡ଼ିଥିଲେ। ଲୁଟେରାଙ୍କ ସହ ସାହସର ସହିତ ଲଢ଼ି ଲୁଟ୍‌ କରିବାକୁ ସୁଯୋଗ ଦେଇନଥିବା ଏହି ମହିଳା ଓ ଯୁବତୀ ଜଣେ ବିଏସ୍‌ଏଫ୍‌ ଇନ୍‌ସ୍ପେକ୍ଟରଙ୍କ ପତ୍ନୀ ଓ ଝିଅ ବୋଲି ଜଣାପଡ଼ିଛି। ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବାଇକ୍‌ ନମ୍ବରରୁ ଜଣେ ଲୁଟେରାକୁ ଚିହ୍ନଟ କରାଯାଇଛି ଏବଂ ତା’ ଫଟୋ ଜଣେ ରାଜନେତାଙ୍କ ସହ ଥିବାରୁ ଚର୍ଚ୍ଚା ଜୋର୍‌ ଧରିଛି। ପୁଲିସ ଛାନ୍‌ଭିନ୍‌ ଚଳାଇଥିବା ବାହାନାରେ ଏନେଇ କୌଣସି ସୂଚନା ଦେଇନାହିଁ।

ଜଣେ ଅଭିଯୁକ୍ତ ଚିହ୍ନଟ
ରାଜନେତାଙ୍କ ସହ ଅଭିଯୁକ୍ତର ଫଟୋକୁ ନେଇ ଚର୍ଚ୍ଚା

ଅଭିଯୋଗରୁ ଜଣାପଡ଼ିଛି ଯେ ବିଏସ୍‌ଏଫ୍‌ ଇନ୍‌ସ୍ପେକ୍ଟରଙ୍କ ପତ୍ନୀ ଓ ଝିଅ ଖାରବେଳନଗରସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଛନ୍ତି। ଗତକାଲି ମା’ ଝିଅକୁ ନେଇ ଦୀପାବଳି ପାଳିବାକୁ ବାପଘରକୁ ଯାଇଥିଲେ। ରାତି ପ୍ରାୟ ସାଢ଼େ ୯ଟା ବେଳେ ସେମାନେ ଆପାର୍ଟମେଣ୍ଟକୁ ଫେରୁଥିଲେ। ଝିଅ ସ୍କୁଟି ଚଳାଉଥିଲେ। ସେମାନେ ଆପାର୍ଟମେଣ୍ଟଠାରୁ ଅଳ୍ପ ଦୂରରେ ପହଞ୍ଚିଥିବା ବେଳେ ହଠାତ୍ ପଛରୁ ଏକ ବାଇକ୍‌ ତାଙ୍କ ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ମା’ ଓ ଝିଅ ସ୍କୁଟି ସହ ତଳେ ପଡ଼ିଯାଇଥିଲେ। ଏହି ମଉକାରେ ଜଣେ ଦୁର୍ବୃତ୍ତ ବାଇକ୍‌ରୁ ଓହ୍ଲାଇ ଆସି ମହିଳାଙ୍କ ବେକରୁ ସୁନାଚେନ୍‌ ଛିଣ୍ଡାଇ ନେବାକୁ ଚେଷ୍ଟା କରିଥିଲା। କିନ୍ତୁ ମହିଳାଜଣକ ତାକୁ ମୁକାବିଲା କରିଥିଲେ। ତାଙ୍କ ଝିଅ ମଧ୍ୟ ତଳୁ ଉଠି ଲୁଟେରାକୁ କାବୁ କରିବାକୁ ଲଢ଼ିଥିଲା। ସେମାନଙ୍କ ପାଟି ଶୁଣି ଆପାର୍ଟମେଣ୍ଟର ସୁରକ୍ଷାକର୍ମୀ ଓ କିଛି ବାସିନ୍ଦା ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ସେମାନଙ୍କୁ ଦେଖି ଦୁର୍ବୃତ୍ତଦ୍ବୟ ମାରଣାସ୍ତ୍ର ବାହାର କରି ଧମକ ଦେଇଥିଲେ। ସେମାନେ ଲୋକାଲ୍‌ ଟୋକା ପଛକୁ ନ ହଟିଲେ ପରିଣତି ଭୟଙ୍କର ହେବ ବୋଲି ଧମକାଇଥିଲେ। ମାରଣାସ୍ତ୍ର ଦେଖି ଆପାର୍ଟମେଣ୍ଟ ବାସିନ୍ଦାମାନେ ସାମାନ୍ୟ ଡରିଯିବା ସହ ଅଟକିଯାଇଥିଲେ। ଏହି ମଉକାରେ ଦୁର୍ବୃତ୍ତଦ୍ବୟ ସେଠାରୁ ବାଇକ୍‌ ଯୋଗେ ଚମ୍ପଟ ମାରିଥିଲେ।