Breaking News

ବିକାଶ ଆଳରେ ବିନାଶ: ୧୦ ବର୍ଷରେ କଟିଲାଣି ୫୦ ହଜାର ଗଛ

କଟକ ସହରର ବିକାଶ ନାମରେ ଚାଲିଛି ବିନାଶ। ଉନ୍ନତୀକରଣ ଆଳରେ କଟା ଚାଲିଛି ବଡ଼ ବଡ଼ ପୁରୁଣା ଗଛ। ଗଲା ୧୦ ବର୍ଷ ମଧ୍ୟରେ କଟକ ସହରରେ ୫୦ ହଜାରରୁ ଅଧିକ ଗଛ କଟାଗଲାଣି। ପ୍ରଥମ ପର୍ଯ୍ୟାୟରେ ବେଲ୍‌ଭିୟୁ ଛକରୁ ନରାଜ ପୋଲ ପର୍ଯ୍ୟନ୍ତ ଶତାଧିକ ଗଛ କଟାଯାଇଥିଲା।

0

କଟକ ସହରର ବିକାଶ ନାମରେ ଚାଲିଛି ବିନାଶ। ଉନ୍ନତୀକରଣ ଆଳରେ କଟା ଚାଲିଛି ବଡ଼ ବଡ଼ ପୁରୁଣା ଗଛ। ଗଲା ୧୦ ବର୍ଷ ମଧ୍ୟରେ କଟକ ସହରରେ ୫୦ ହଜାରରୁ ଅଧିକ ଗଛ କଟାଗଲାଣି। ପ୍ରଥମ ପର୍ଯ୍ୟାୟରେ ବେଲ୍‌ଭିୟୁ ଛକରୁ ନରାଜ ପୋଲ ପର୍ଯ୍ୟନ୍ତ ଶତାଧିକ ଗଛ କଟାଯାଇଥିଲା।

ପରେ ମହାନଦୀର ସିସୋର୍‌ ପଠା, ଯୋବ୍ରା ତାଳଦଣ୍ଡା କେନାଲରୋଡ ଗଛଶୂନ୍ୟ ‌ହୋଇଛି। ଏବେ କାଠଯୋଡ଼ି ଖାନନଗର ରିଙ୍ଗ୍‌ବନ୍ଧରୁ ଶତାଧିକ ଗଛ କଟାଯାଉଛି। କିନ୍ତୁ ସେହି ଅନୁସାରେ ସହରରେ ବୃକ୍ଷରୋପଣ କରାଯାଇନାହିଁ। ସରକାରଙ୍କ ଏଭଳି ଆଭିମୁଖ୍ୟକୁ ନେଇ ପରିବେଶବିତ୍‌ମାନେ ଚିନ୍ତାପ୍ରକଟ କରୁଛନ୍ତି। ଏଭଳି ଚାଲିଲେ, ସବୁଜିମାଭରା କଟକ ସହର ବୃକ୍ଷଶୂନ୍ୟ ହେବା ସହ ଭବିଷ୍ୟତରେ ତାପମାତ୍ରା ଅସହ୍ୟ ହେବ ଏବଂ ମହାନଦୀ ଗତିପଥ ବଦଳିଯିବ ବୋଲି ପରିବେଶବିତ୍‌ମାନେ ଆଶଙ୍କା କଲେଣି।

ପରିବେଶବିତ୍‌ଙ୍କ ଆଶଙ୍କା

ବଦଳିବ ନଈର ଗତିପଥ
ଅସହ୍ୟ ହେବ ତାପମାତ୍ରା

୧୯୮୪ରୁ ୧୯୮୭ ମଧ୍ୟରେ ରିଙ୍ଗ୍‌ବନ୍ଧ ନିର୍ମାଣ ଓ ସିଡିଏ ପଟକୁ ସହରର ସଂପ୍ରସାରଣ ବେଳେ ମହାନଦୀ ଓ କାଠଯୋଡ଼ି କୂଳରୁ ବହୁ ଗଛ କଟାଯାଇଥିଲା। ୧୯୯୦ ମସିହା ପରେ ପ୍ଲାଣ୍ଟେସନ କମିଟି ଗଠିତ ହୋଇ ସହରର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ହୋଇଥିଲା। ଏହି ଅଭିଯାନ ୧୯୯୬ ପର୍ଯ୍ୟନ୍ତ ଚାଲିଲା। କିନ୍ତୁ ୧୯୯୯ ମହାବାତ୍ୟାରେ ବହୁ ଗଛ ନଷ୍ଟ ହୋଇଥିଲା। ଏହା ପରେ ଆଉ ବଡ଼ଧରଣର ବୃକ୍ଷରୋପଣ ହୋଇନାହିଁ। କିନ୍ତୁ ବିଭିନ୍ନ ସମୟରେ ଗଛ କଟା ଚାଲିଛି। ୨୦୧୫ମସିହା ପରେ ନରାଜ-ବେଲ୍‌ଭିୟୁ ଡବଲ୍‌ରୋଡ ନିର୍ମାଣ ବେଳେ ହଜାର ହଜାର ପୁରୁଣା ଗଛ କଟାଗଲା। ଏହାର କିଛି ଦିନ ପରେ ବାଲିଯାତ୍ରା ପଡ଼ିଆ ସଂପ୍ରସାରଣ ବେଳେ ସିସୋର୍ ପଠାରୁ  ହଜାର ହଜାର ପୁରୁଣା ଗଛ କଟାଯାଇ ବାଲିରେ ପୋତାଗଲା। ସିସୋର ପଠାରେ ଯେଉଁ ଗଛ ଥିଲା ସେସବୁ ୧୦୦ବର୍ଷର ପୁରୁଣା ଗଛ। ଏସ୍‌ସିବି ସଂପ୍ରସାରଣ ଓ ତାଳଦଣ୍ଡା ସୌନ୍ଦର୍ଯ୍ୟୀକରଣ ବେଳେ ଯୋବ୍ରା ମହାନଦୀ ରିଙ୍ଗ୍‌ବନ୍ଧ ଓ ଯୋବ୍ରା ଅଞ୍ଚଳର ବହୁ ପୁରୁଣା ଗଛକୁ କାଟିଦିଆଗଲା। କଟକ ନେତାଜୀ ବସ୍ ଟର୍ମିନାଲ ଓ କାଠଯୋଡ଼ି ରିଙ୍ଗ୍‌ବନ୍ଧ ଦୋହରୀକରଣ ପାଇଁ ଖାନନଗର ଅଞ୍ଚଳକୁ ବୃକ୍ଷଶୂନ୍ୟ କରାଗଲା।

ଏଭଳି ହିସାବ କଲେ ବିଗତ ୯/୧୦ବର୍ଷ ମଧ୍ୟରେ ୫୦ହଜାରରୁ ଅଧିକ ପୁରୁଣା ଗଛ କଟାଯାଇଛି। କିନ୍ତୁ ସେହି ଅନୁସାରେ କଟକ ସହର ବା ଏହାର ଆଖପାଖରେ କୌଣସି ବଡ଼ ଧରଣର ବୃକ୍ଷରୋପଣ କରାଯାଇନାହିଁ। ବିଶିଷ୍ଟ ପରିବେଶବିତ୍‌ ଡକ୍ଟର ଆଶୁତୋଷ ଦେବତା କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ୧୯୯୦ରୁ ୧୯୯୭ ପର୍ଯ୍ୟନ୍ତ ସହରରେ ଅନେକ ବୃକ୍ଷରୋପଣ କରାଯାଇଛି। କିନ୍ତୁ ମହାବାତ୍ୟା ପରେ ଆଉ ବୃକ୍ଷରୋପଣ ହୋଇନାହିଁ, କିନ୍ତୁ ଗଛ କଟା ଚାଲିଛି। ପ୍ରତିବ‌ର୍ଷ କଟକ ସହର ଲୋକ ସଂଖ୍ୟା ବଢ଼ିଚାଲିଛି। ଏଭଳି ଚାଲିଲେ, ସହରର ତାପମାତ୍ରା ବଢ଼ିବା ସହିତ ମହାନଦୀ, କାଠଯୋଡ଼ି ଗତିପଥ ବଦଳାଇବା ସମ୍ଭାବନା ରହିଛି। ୨୦ ବର୍ଷର ଗଛକୁ ପୁରୁଣା ଓ ୫୦ବ‌‌ର୍ଷର ଗଛକୁ ପ୍ରାଚୀନ ଗଛ କୁହାଯାଏ। ଗୋଟିଏ ପ୍ରାଚୀନ ଗଛର ମୂଲ୍ୟ ୩୫ ଲକ୍ଷ ୩୪ ହଜାର ଟଙ୍କାରୁ ଅଧିକ ବୋଲି ଆକଳନ କରାଯାଇଥାଏ। ସେହି ଅନୁସା‌‌ରେ ‌ଏତେ ସଂଖ୍ୟକ ଗଛ କଟାହେଲେ ଆମେ କ’ଣ ପାଇବା ବୋଲି ଡକ୍ଟର ଦେବତା ପ୍ରଶ୍ନ କରିଛନ୍ତି।

 

ସୌଜନ୍ୟ – ସମ୍ବାଦ

Leave A Reply

Your email address will not be published.