Breaking News

ବିକାଶ ନାଁରେ ପରିବେଶର ବିନାଶ ନହେଉ: ଦୃଢ଼ ପରିବେଶ ନୀତି ପାଇଁ ଦାବି ଉଠିଲା

ଏକ ସଭ୍ୟତା ବଞ୍ଚି ରହିବା ପାଇଁ ସ୍ଥିର ଜଳବାୟୁ ଆବଶ୍ୟକ। ପୃଥିବୀରେ ପ୍ରାକୃତିକ ଭାବରେ ଏକ ଲକ୍ଷ ବର୍ଷରେ ପରିବର୍ତ୍ତନ ଦେଖାଯାଏ। ମାତ୍ର ଗତ ଶହେ କୋଡ଼ିଏ ବର୍ଷରେ ଏହା ବଦଳିବାରେ ଲାଗିଛି।

ଭୁବନେଶ୍ୱର: ଏକ ସଭ୍ୟତା ବଞ୍ଚି ରହିବା ପାଇଁ ସ୍ଥିର ଜଳବାୟୁ ଆବଶ୍ୟକ। ପୃଥିବୀରେ ପ୍ରାକୃତିକ ଭାବରେ ଏକ ଲକ୍ଷ ବର୍ଷରେ ପରିବର୍ତ୍ତନ ଦେଖାଯାଏ। ମାତ୍ର ଗତ ଶହେ କୋଡ଼ିଏ ବର୍ଷରେ ଏହା ବଦଳିବାରେ ଲାଗିଛି। ଇପିସିସି ରିପୋର୍ଟ ଅନୁସାରେ ପ୍ରତିବର୍ଷ ୨୭ହଜାର ଜୀବଜନ୍ତୁ ଲୋପ ପାଇବାରେ ଲାଗିଛନ୍ତି। ଏହି ରିପୋର୍ଟ କହୁଛି ଯେ, ଆଗାମୀ ୪୦ରୁ ୬୦ ବର୍ଷ ମଧ୍ୟରେ ୧୦ଲକ୍ଷ ଜୀବଜନ୍ତୁ ପୃଥିବୀ ପୃଷ୍ଠରୁ ଲୋପ ପାଇଯିବେ। ତେଣୁ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବା ବଦଳରେ ଏହାର କରୁଣ ପରିଣତି ଓ ତାହାର ସମାଧାନ ସମ୍ପର୍କରେ ଆଲୋଚନା କରିବା ଆବଶ୍ୟକ। ଏନ୍‌ଏପିଏମ୍‌ର ଇକୋଲୋଜିକାଲ ଫୋରମ, ସେଣ୍ଟର ଫର୍‌ କ୍ଲାଇମେଟ୍‌ ଜଷ୍ଟିସ ଓ ଲୋହିଆ ଏକାଡେମୀ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ଜଳବାୟୁ ଓ ପରିବେଶ ନ୍ୟାୟ କନଭେନସନ୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ଗ୍ରିନପିସ୍‌ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟର ଅଧ୍ୟକ୍ଷ ତଥା ପରିବେଶବିତ ସୌମ୍ୟ ଦତ୍ତ। କେବଳ ବୃକ୍ଷରୋପଣ କରିଦେଲେ ଜଳବାୟୁ ପରିବର୍ତ୍ତନ ଭଳି ବିରାଟ ସଙ୍କଟରୁ ବଞ୍ଚିଯିବ ଭାବିବା ସମ୍ପୂର୍ଣ୍ଣ ଭୁଲ। ଏଥିପାଇଁ ଜୀବାଶ୍ମ ଇନ୍ଧନ ବ୍ୟବହାର କମ୍‌ କରିବା ସହିତ ଶକ୍ତିର ଅନ୍ୟ ଉତ୍ସଗୁଡ଼ିକ କିଭଳି ବ୍ୟବହାର କରିହେବ ସେ ସମ୍ପର୍କରେ ଚିନ୍ତା କରିବା ଉଚିତ ବୋଲି ସେ କହିଥିଲେ।

‘ସମଦୃଷ୍ଟି’ର ସମ୍ପାଦକ ସୁଧୀର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବିଶିଷ୍ଟ ପରିବେଶବିତ ପ୍ରଫେସର ଜୟକୃଷ୍ଣ ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିକାଶ କେବଳ ମାନବକୈନ୍ଦ୍ରିକ ନହୋଇ ସମସ୍ତ ଜୀବର ହିତ ସାଧନ ଭଳି ହେବା ଦରକାର ବୋଲି କହିଥିଲେ। ଅନ୍ୟତମ ଅତିଥି ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିନାୟକ ରଥ କୌଣସି ବିକାଶ କରିବା ପୂର୍ବରୁ ଏହା ଯେଭଳି ମାଟି ଓ ଜଳକୁ ପ୍ରଦୂଷିତ ନକରେ ସେଥିପାଇଁ ଦୃଷ୍ଟି ଦେବା ଆବଶ୍ୟକ ବୋଲି କହିଥିଲେ। ଅନ୍ୟାନ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ପ୍ରଫେସର ସୁଧୀର ରାଉତ, ପ୍ରଫେସର ସୁନ୍ଦର ନାରାୟଣ ପାତ୍ର ପ୍ରମୁଖ ଅବାରିତ ଖଣି ଖନନ ଓ ପରିବେଶ ପ୍ରଦୂଷଣକୁ ନରୋକିଲେ ସଭ୍ୟତା ରହିବ ନାହିଁ ବୋଲି କହିଥିଲେ। ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା ଉଦ୍‌ଘାଟନୀ ଅଭିଭାଷଣ ଓ ଲୋହିଆ ଏକାଡେମୀର ସମ୍ପାଦକ ଦେବ ପ୍ରସାଦ ରାୟ ସ୍ୱାଗତ ଭାଷଣ ଦେଇଥିଲେ। ମାନସ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

ସେହିପରି ‘ଓଡ଼ିଶାର ପ୍ରାକୃତିକ ସଂଶାଧନର ସଂରକ୍ଷଣ ଓ ସମ୍ବର୍ଦ୍ଧନ’ ଶୀର୍ଷକ ଦ୍ୱିତୀୟ ଅଧିବେଶନରେ ଐତିହାସିକ ଅନିଲ ଧୀର, ପ୍ରଗତିବାଦୀର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ପ୍ରଫେସର ନନ୍ଦକିଶୋର ମହାକୁଡ଼, ବରିଷ୍ଠ ସାମ୍ବାଦିକ ବିଭୂତି ପତି, ଇଂ ମନୋରଞ୍ଜନ ମିଶ୍ର ପ୍ରମୁଖ ଅଂଶଗ୍ରହଣ କରି ଓଡ଼ିଶାରେ ଚାଲିଥିବା ପ୍ରାକୃତିକ ସମ୍ପଦର ଦହନକୁ ରୋକିବା ଦିଗରେ ସରକାର ଓ ଜନସାଧାରଣଙ୍କୁ ଅପିଲ କରି ଏକ ଦୃଢ଼ ପରିବେଶ ନୀତି ନିମନ୍ତେ ଦାବି କରିଥିଲେ।  ଏହି ଅଧିବେଶନରେ ତୁଷାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ସଚ୍ଚିକାନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ। ଶେଷ ଅଧିବେଶନରେ ଜଳ ପରିବେଶ ଓ ସଂରକ୍ଷଣ ଶୀର୍ଷକ ଆଲୋଚନାରେ ତପନ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ଚିଲିକା, ଦୟା ଓ ଗଙ୍ଗୁଆ ନଦୀ ବାବଦରେ ପ୍ରଫେସର ଶିବପ୍ରସାଦ ଅଧିକାରୀ, ସୁଦର୍ଶନ ଦାସ, କପିଳ ମିଶ୍ର ପ୍ରମୁଖ ଚର୍ଚ୍ଚା କରିଥିଲେ। ଅନୁଭବ ବଳିୟାରସିଂହ ଧନ୍ୟବାଦ ଦେଇଥିଲେ।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.