Breaking News

ବିକାଶ ସ୍ରୋତରେ ଯୋଡ଼ିହେବ ବଣ୍ଡାଘାଟି: ଉପମୁଖ୍ୟମନ୍ତ୍ରୀ

ଗତ ୨୪ ବର୍ଷର ସରକାରରେ ଅଣଦେଖାର ଶିକାର ହୋଇଛି ବଣ୍ଡାଘାଟି। ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିନାହାନ୍ତି ଆଦିମ ବଣ୍ଡା ଜନଜାତି। ବଣ୍ଡାଘାଟିକୁ ଆବାସ ଅପହଞ୍ଚ ପାଲଟିଥିବା ବେଳେ ସୁଭଦ୍ରା ଯୋଜନାରେ ବି ହିତାଧିକାରୀ ହୋଇପାରିନାହାନ୍ତି ଉପକୃତ।

ମାଲକାନଗିରି/କୁଡୁମୁଲୁଗୁମ୍ମା/ଖଇରପୁଟ: ଗତ ୨୪ ବର୍ଷର ସରକାରରେ ଅଣଦେଖାର ଶିକାର ହୋଇଛି ବଣ୍ଡାଘାଟି। ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିନାହାନ୍ତି ଆଦିମ ବଣ୍ଡା ଜନଜାତି। ବଣ୍ଡାଘାଟିକୁ ଆବାସ ଅପହଞ୍ଚ ପାଲଟିଥିବା ବେଳେ ସୁଭଦ୍ରା ଯୋଜନାରେ ବି ହିତାଧିକାରୀ ହୋଇପାରିନାହାନ୍ତି ଉପକୃତ। ଶୁକ୍ରବାର ବଣ୍ଡାଘାଟିରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ ପରେ ବଣ୍ଡାଘାଟିକୁ ବିକାଶସ୍ରୋତରେ ସାମିଲ୍ କରିବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିଶ୍ରୁତି ଦେଇଛନ୍ତି ।

ସଡ଼କ ପଥରେ ଉପମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ବଣ୍ଡା ମହିଳାମାନେ ପାରମ୍ପରିକ ବେଶଭୂଷାରେ ତାଙ୍କୁ ସ୍ୱାଗତ କରିଥିଲେ। ସୁଭଦ୍ରା ଯୋଜନାରୁ ବଞ୍ଚିତ ୨୯୩୨ ହିତାଧିକାରୀଙ୍କ ଘରକୁ ପ୍ରଶାସନ ପହଞ୍ଚି ସେମାନଙ୍କୁ ଯୋଜନାରେ ସାମିଲ କରିବାକୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏଭଳି କିଛି ସମସ୍ୟା ଯୋଗୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବଣ୍ଟନକୁ ସ୍ଥଗିତ କରାଯାଇଛି। ସମସ୍ୟାର ସମାଧାନ ପରେ ଡିସେମ୍ବର ୩୦ କିମ୍ବା ପରେ ୪ର୍ଥ ପର୍ଯ୍ୟାୟ ଟଙ୍କା ଦିଆଯିବ। ଆବାସ ଯୋଜନା ପାଇଁ ଅତିରିକ୍ତ ୫୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ବଣ୍ଡା ମହିଳା ପାନୀୟ ଜଳ ସମସ୍ୟା, ଲକ୍ଷ୍ମୀ ବସ୍ ପହଞ୍ଚୁନଥିବା, ଅନେକ ଗାଁକୁ ପକ୍କା ରାସ୍ତା ନଥିବା ଏବଂ ମୋବାଇଲ୍ ଟାୱାର ନଥିବା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପିଇବା ପାଣି ସମସ୍ୟାର ସମାଧାନ ନିମନ୍ତେ ପ୍ରତ୍ୟେକ ଘରକୁ ନଳ ମାଧ୍ୟମରେ ଜଳ ଯୋଗାଣ, ଜନଜାତି ବସବାସ କରୁଥିବା ଅଞ୍ଚଳରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି ଓ ମୁଦୁଲିପଡ଼ାଠାରେ ସାପ୍ତାହିକ ହାଟ ସ୍ଥାପନ ନିମନ୍ତେ ଜିଲ୍ଲାପାଳଙ୍କୁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଆବାସ ଯୋଜନାରେ ମିଳିବ ଅତିରିକ୍ତ ୫୦ ହଜାର ପ୍ରୋତ୍ସାହନ ରାଶି

ସ୍କୁଲ୍ ପିଲାଙ୍କ ସହ ମିଶିବା ସହ ପର୍ଯ୍ୟଟନସ୍ଥଳୀ ଆମାକୁଣ୍ଡ ଓ ସୀତାକୁଣ୍ଡ ବୁଲି ଦେଖିବା ପରେ ଏଗୁଡ଼ିକର ବିକାଶ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ମଧ୍ୟାହ୍ନରେ ମୁଦୁଲିପଡ଼ାରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ସମୀକ୍ଷା ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ବ୍ଲକ୍‌ ଅଧ୍ୟକ୍ଷ ବିଘ୍ନ କିର୍ସାନୀ, ପୂର୍ବତନ ବିଧାୟକ ଡମ୍ବରୁ ଶିଶା, ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ, ଏସ୍‌ପି ବିବେକାନନ୍ଦ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ୬ ମାସ ମଧ୍ୟରେ ବଣ୍ଡାଘାଟିରେ ମୋବାଇଲ୍ ସେବା ସହ ଅନ୍ୟ ସମସ୍ୟାର ସମାଧାନ ହେବ। ଭୁବନେଶ୍ୱରରେ ବଣ୍ଡା ଜନଜାତିଙ୍କ ପାରମ୍ପରିକ ବେଶଭୂଷା ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତୀ ପରିଡ଼ା ପ୍ରତିଶ୍ରୁତି ଦେଇଥିଲେ। ଏହି ଅବସରରେ କୁଡୁମୁଲୁଗୁମ୍ମା ଅଞ୍ଚଳର ଯୁବଗୋଷ୍ଠୀ ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟି କୁଡୁମୁଲୁଗୁମ୍ମା ବ୍ଲକ୍ ଅଫିସକୁ ପୁନଃ ସ୍ଥାପନ କରିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଥିଲେ।

 

 

 

ସୌଜନ୍ୟ-ସମ୍ୱାଦ

Comments are closed.