Breaking News

ବିଗୁଡ଼ୁଛି ଆଇନଶୃଙ୍ଖଳା ସ୍ଥିତି: ପୁଲିସକୁ ଫୁ’

ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଚୋରି, ଛିନ୍‌ତାଇ ଓ ଲୁଟ୍‌ପାଟ୍‌ ସାଧାରଣ ଘଟଣା ହୋଇଗଲାଣି। ଅପହରଣ ଓ ହତ୍ୟାକାଣ୍ଡ ଭଳି ମାମଲା ବଢ଼ିବାରେ ଲାଗିଛି। ଦିନ ଦିପହରରେ ରାଜଧାନୀର ରାଜରାସ୍ତାରେ ମୁଣ୍ଡ ଗଡ଼ୁଛି।

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀର ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ଚୋରି, ଛିନ୍‌ତାଇ ଓ ଲୁଟ୍‌ପାଟ୍‌ ସାଧାରଣ ଘଟଣା ହୋଇଗଲାଣି। ଅପହରଣ ଓ ହତ୍ୟାକାଣ୍ଡ ଭଳି ମାମଲା ବଢ଼ିବାରେ ଲାଗିଛି। ଦିନ ଦିପହରରେ ରାଜଧାନୀର ରାଜରାସ୍ତାରେ ମୁଣ୍ଡ ଗଡ଼ୁଛି। ଅପରାଧୀମାନେ ଖୋଲାଖୋଲି ଖଣ୍ଡା, ବନ୍ଧୁକ ଓ ବୋମା ଧରି ରାଜଧାନୀରେ ପଇଁତରା ମାରିବା ଦେଖାଗଲାଣି। ଅପରାଧୀମାନେ ଆଉ ପୁଲିସକୁ ଖାତିର କରୁନଥିବା ଜଳଜଳ ହୋଇ ଦେଖାଯାଉଛି। ଦୁଇ ସପ୍ତାହ ମଧ୍ୟରେ ରାଜଧାନୀରେ ଘଟିଯାଇଥିବା ଆପରାଧିକ ମାମଲା ହିଁ ପ୍ରମାଣ କରୁଛି ଯେ ଅପରାଧୀମାନେ ପୁଲିସକୁ ଫୁ’ କରିଦେଇଛନ୍ତି। ଅପରାଧୀଙ୍କ ଉପଦ୍ରବରେ ‘ୱି ଡେୟାର୍‌ ୱି କେୟାର୍‌’ ନାରା ଦେଉଥିବା କମିସନରେଟ୍‌ ପୁଲିସ କିଲିବିଲି ଅବସ୍ଥାରେ ଥିବା ଚର୍ଚ୍ଚା ହେଉଛି।

ବଜାର ଉପରେ ଭିଣୋଇକୁ ହାଣି ହତ୍ୟା
୨ ତାରିଖ ସନ୍ଧ୍ୟାରେ ବାଲିପାଟଣା ନରଦା ବଜାରରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ। ସାନ ଶଳା ମିର୍‌ ସୟଦ୍‌ ଓରଫ ଗୁଟୁ ଖଣ୍ଡାରେ ହାଣି ଭିଣୋଇ ମୁସ୍ତାକିନ୍‌ ଅଲ୍ଲୀଙ୍କୁ ହତ୍ୟା କରିଥିଲା। ପାରିବାରିକ କଳହକୁ ନେଇ ଗୁଟୁ ଏଭଳି କାଣ୍ଡ କରିଥିଲା। ବଡ଼ କଥା ହେଉଛି ହତ୍ୟା କରିବାକୁ ଯୋଜନା କରିଥିବା ଗୁଟୁ ଜନଗହଳିପୂର୍ଣ୍ଣ ବଜାରରେ ଶହଶହ ଲୋକଙ୍କ ଆଖି ସାମ୍ନାରେ ନିର୍ମମ ଭାବେ ଭିଣୋଇକୁ ହତ୍ୟା କଲା। ସର୍ବସାଧାରଣରେ ନରହତ୍ୟା ଭଳି ଅପରାଧ କରିବାକୁ ସେ ଟିକେ ବି ଭୟ କରିନଥିଲା। ପ୍ରଥମ ଚୋଟରେ ମୁସ୍ତାକିନ୍‌ଙ୍କ ବେକ ଅଧା ଛିଡ଼ିଯିବା ପରେ ସେ ଟଳି ପଡ଼ିଥିଲେ। ଏହାପରେ ବି ଗୁଟୁ ଆଉ ଗୋଟିଏ ଚୋଟ ପକାଇ ତାଙ୍କ ପାପୁଲି ଛିଣ୍ଡାଇ ଦେଇଥିଲା।

ପାତ୍ରପଡ଼ାରେ ଦୁଇ ଭାଇଙ୍କୁ ଛୁରାମାଡ଼
ବୁଧବାର ପୂର୍ବାହ୍ଣ ୧୧ଟାରେ ପାତ୍ରପଡ଼ା ଗାଁ ବଜାରର ରକ୍ତରଞ୍ଜିତ ହୋଇଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାତ୍ରପଡ଼ାର ଦୁଇ ଭାଇ ଆଲୋକ ସାମନ୍ତରାୟ ଓ ଦିବ୍ୟଜ୍ୟୋତି ସାମନ୍ତରାୟଙ୍କୁ ସେହି ଗାଁର କିଛି ଦୁର୍ବୃତ୍ତ ଛୁରାମାଡ଼ କରିଥିଲେ। ବଜାର ଉପରେ ବହୁ ଲୋକ ଉପସ୍ଥିତ ଥିଲେ ବି ଅପରାଧୀମାନଙ୍କର ତ‌ିଳେ ବି ଭୟ ନଥିଲା। ବିଜୟ ପାଟ୍ଟଶାଣୀ ଗୋଷ୍ଠୀ ଦୁଇ ଭାଇଙ୍କୁ ଗୋଡ଼ାଇ ଗୋଡ଼ାଇ ଛୁରାମାଡ଼ କରିଥିଲେ। ଗୁରୁତର ଦୁଇ ଭାଇ ଏବେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି।

ଓୟୁଏଟିରେ ଛାତ୍ର-ଅଣଛାତ୍ର ସଂଘର୍ଷ
୧ ତାରିଖ ରାତି ପ୍ରାୟ ୯ଟା ବେଳେ ଓୟୁଏଟି ଭେଟେରିନାରି କଲେଜର ଛାତ୍ର ଓ ସ୍ଥାନୀୟ ଅଣଛାତ୍ରଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ବାଇକ୍‌ ସାଇଡ୍‌ମରାକୁ କେନ୍ଦ୍ର କରି ଛାତ୍ର ଓ ଅଣଛାତ୍ରଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଥିଲା ଏବଂ ପରେ ଭୟଙ୍କର ରୂପ ନେଇଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣରେ ଉଭୟ ପକ୍ଷର ୪ଜଣ ଆହତ ହୋଇଥିଲେ।

ରାତି ଅଧରେ ରଣକ୍ଷେତ୍ର ପାଲଟିଲା ବନଦୁର୍ଗାବସ୍ତି
ଗତମାସ  ୩୧ ତାରିଖ ରାତି ଅଧରେ ରଣକ୍ଷେତ୍ର ପାଲଟିଥିଲା ଭରତପୁରର ବନଦୁର୍ଗାବସ୍ତି। ପୈତୃକ ଘର ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ବଡ଼ ଭାଇ ସୂର୍ଯ୍ୟମଣି ମହାରଣା ଦଳବଳ ନେଇ( ସ୍ତ୍ରୀ, ପୁଅ ଓ ବୋହୂ) ସାନ ଭାଇ ଅଶୋକ ମହାରଣା ଓ ତାଙ୍କ ସ୍ତ୍ରୀ ଆରତିଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଏହି ଗଣ୍ଡଗୋଳ ପରେ ପୁଲିସ ଅଭିଯୁକ୍ତ ସୂର୍ଯ୍ୟମଣି ଦଳକୁ ଗିରଫ କରି ଥାନାକୁ ନେଉଥିଲା। ଠିକ୍‌ ଏତିକିବେଳେ ବସ୍ତିଲୋକେ ଆଇନକୁ ହାତକୁ ନେଇ ଅଭିଯୁକ୍ତମାନଙ୍କୁ ପିସିଆର୍‌ରୁ ଟାଣି ନେଇ ଆକ୍ରମଣ କରିଥିଲେ। ଏମିତିକି ଉତ୍ତ୍ୟକ୍ତ ବସ୍ତିବାସିନ୍ଦାମାନଙ୍କ ଆକ୍ରମଣରୁ ପୁଲିସ ବର୍ତ୍ତି ନଥିଲା। ୩ ପୁଲିସ କର୍ମଚାରୀ ଆହତ ହୋଇଥିଲେ।

ରାଜଧାନୀରେ ରକ୍ତର ହୋଲି 
ରାଜଧାନୀରେ ଶାନ୍ତିପୂର୍ଣ୍ଣ ହୋଲି ପାଳନ ପାଇଁ କମିସନରେଟ୍‌ ପୁଲିସ ବ୍ୟାପକ ପ୍ରସ୍ତୁତି କରିଥିଲା। ମାତ୍ର ଉଦ୍‌ବେଗର ବିଷୟ ସହରସାରା ପୁଲିସ ଛାଉଣି ‌ସତ୍ତ୍ବେ ଦୁଇ ଦୁଇଟି ମୁଣ୍ଡ ଗଡ଼ିଲା। ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଗୋପୀ ଗୁଣି ନାମକ ଜଣେ ଯୁବକଙ୍କୁ ସେହି ବସ୍ତିର କିଛି ଦୁର୍ବୃତ୍ତ ଛୁରି ଭୁସି ହତ୍ୟା କଲେ। ସେହିପରି ମଞ୍ଚେଶ୍ବର ଥାନା ସମେଇଗାଡ଼ିଆ ଅଞ୍ଚଳରେ ଆୟୁଷ୍ମାନ ପତି ନାମକ ଜଣେ ଯୁବକଙ୍କୁ ଗୋ‌ଡ଼ାଇ ଗୋଡ଼ାଇ ଦୁର୍ବୃତ୍ତମାନେ ଛୁରାମାଡ଼ କରି ମାରିଦେଲେ।

 

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.