ଆମଦାନି ଶୁଳ୍‌କ ବ୍ୟବସ୍ଥାକୁ ଯୁକ୍ତିସଂଗତ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଶିଳ୍ପ ଉତ୍ପାଦନରେ ବ୍ୟବହୃତ ଅନେକ ମଧ୍ୟବର୍ତ୍ତୀକାଳୀନ ଉପାଦାନ ଶସ୍ତା ହେବା ଦ୍ବାରା ଶିଳ୍ପସଂସ୍ଥାମାନେ ସେମାନଙ୍କର ଉତ୍ପାଦନ କ୍ଷମତାରେ ସଂପ୍ରସାରଣ ଘଟାଇବାକୁ ଆଗ୍ରହୀ ହେବେ ବୋଲି ଆଶା କରାଯାଏ। ‘କିଷାନ୍ କ୍ରେଡିଟ୍ କାର୍ଡ’ର ଋଣ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଦିଆଯାଇଥିବାରୁ ଏହି କାର୍ଡଧାରୀ କୃଷକମାନେ ଲାଭବାନ ହେବେ ଓ ସେମାନଙ୍କର ଉତ୍ପାଦନଶୀଳତାରେ ବୃଦ୍ଧି ଘଟିବ।

ଇଂରେଜୀରେ ଏକ ସୁପରିଚିତ ଆପ୍ତ ବାକ୍ୟ ରହିଛି: ‘ପ୍ରାକ୍ଟିସ୍ ମେକ୍‌ସ ୟୁ ପର୍ଫେକ୍ଟ’ (‘ଅଭ୍ୟାସ ତୁମକୁ ନିପୁଣତା ଆଣି ଦେଇଥାଏ’)। ଏହାର ସତ୍ୟତାର ଯଦି କିଛି ପ୍ରମାଣ ଆବଶ୍ୟକ ଥାଏ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଅଷ୍ଟମ ବଜେଟ୍ ହେଉଛି ତାହାର ଏକ ବଳିଷ୍ଠତମ ପ୍ରମାଣ ବୋଲି କହିଲେ ଭୁଲ୍ ହେବନାହିଁ। ଏଥିପୂର୍ବରୁ ଲଗାତାର ସାତ ଥର ଧରି ବଜେଟ୍ ପ୍ରସ୍ତୁତ କରିବା ପରେ ତାହା ତାଙ୍କର ଏପରି ଏକ ଅଭ୍ୟାସରେ ପରିଣତ ହୋଇଯାଇଛି ଯେ ସୀତାରମଣ ଏଥର ଏପରି ଏକ ବଜେଟ୍ ଉପସ୍ଥାପନ କରିପାରିଛନ୍ତି ଯେଉଁଥିରେ ସେ ରାଜନୈତିକ ଆବଶ୍ୟକତା ଓ ଅର୍ଥନୈତିକ ବିଜ୍ଞତା ମଧ୍ୟରେ ଏକ ଚମକପ୍ରଦ ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିବାରେ ସଫଳ ହୋଇପାରିବା ଦେଖାଯାଇଛି।
ଏହି ରାଜନୈତିକ ଆବଶ୍ୟକତା ହେଉଛି ଦେଶର ମଧ୍ୟମବର୍ଗକୁ ତୁଷ୍ଟ କରିବାର ଆବଶ୍ୟକତା। ଏହି ବର୍ଦ୍ଧିଷ୍ଣୁ ମଧ୍ୟମବର୍ଗ ‌େହଉଛନ୍ତି ଜଣାଶୁଣା ଭାବରେ ‘ଭାରତୀୟ ଜନତା ପାର୍ଟି’ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କର ମୁଖ୍ୟ ସମର୍ଥକ ଗୋଷ୍ଠୀ। କିନ୍ତୁ କ୍ରମେ ଏକ ଧାରଣା ବଳବତ୍ତର ହେବାରେ ଲାଗିଥିଲା ଯେ ମୋଦୀ ସରକାରର ଏକ ଦଶନ୍ଧିର ଶାସନ କାଳରେ ନିମ୍ନ ଆୟବର୍ଗ ଓ ଉଚ୍ଚ ଆୟବର୍ଗର ମଙ୍ଗଳ ସାଧନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଥିବାବେଳେ ମଧ୍ୟମବର୍ଗ ପ୍ରତି ଅବହେଳା ପ୍ରଦର୍ଶନ କରାହୋଇ ଚାଲିଛି। ଗତ ଲୋକସଭା ନିର୍ବାଚନରେ ‘ଭାଜପା’ର ଦୁର୍ବଳ ପ୍ରଦର୍ଶନର ଅନ୍ୟତମ କାରଣ ହେଉଛି ଏହି ମଧ୍ୟମବର୍ଗ ବିରାଗ ବୋଲି ଦଳର ନେତୃବୃନ୍ଦଙ୍କ ମଧ୍ୟରେ ଯେଉଁ ଛାନିଆ ଭାବ ଖେଳିଯାଇଛି, ତାହାର ଉପଶମ ପାଇଁ ସୀତାରମଣଙ୍କ ବଜେଟ୍ ହେଉଛି ଏକ ଉଦ୍ୟମ କହିଲେ ଅତ୍ୟୁକ୍ତି ହେବନାହିଁ। ନିର୍ଦ୍ଦିଷ୍ଟ ଭାବରେ କହିଲେ ବ୍ୟକ୍ତିଗତ ଆୟକରରେ ଏକ ଐତିହାସିକ ରିହାତି ପ୍ରଦାନ କରି ସୀତାରମଣ ତାଙ୍କର କ୍ଷୁବ୍‌ଧ ମଧ୍ୟମବର୍ଗ ସମର୍ଥକମାନଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରିଛନ୍ତି।
କହିବା ବାହୁଲ୍ୟ, ଆୟକର ସରକାରଙ୍କର ସମ୍ବଳ ସଂଗ୍ରହର ଏକ ମୁଖ୍ୟ ସୂତ୍ର ହୋଇଥିବାରୁ ଏଥିରେ ସଂକୋଚନ ଘଟାଇବା ଅର୍ଥ ସରକାରଙ୍କର ଋଣ ଭାରରେ ବୃଦ୍ଧି ଘଟି ରାଜକୋଷୀୟ ନିଅଣ୍ଟର ଆକାର ଓ ଅନୁପାତରେ ବୃଦ୍ଧି ଘଟିବା କଥା। କିନ୍ତୁ ଯଦି ରାଜକୋଷୀୟ ନିଅଣ୍ଟରେ ବୃଦ୍ଧି ଘଟେ ତେବେ ତାହା ଆନ୍ତର୍ଜାତିକ ରେଟିଙ୍ଗ୍ ସଂସ୍ଥାମାନଙ୍କ ଦୃଷ୍ଟିରେ ଭାରତର ମାନ୍ୟତାରେ ହ୍ରାସ ଘଟାଇବ ଏବଂ ନିବେଶକମାନଙ୍କୁ ଭାରତ ପ୍ରତି ବିମୁଖ କରିବ। ଏଥିସହିତ ଏହାର ଅନ୍ୟ ଏକ କୁଫଳ ରୂପେ ମୁଦ୍ରାସ୍ଫୀତିର ଆବିର୍ଭାବ ଘଟିଥାଏ। ସରକାର ତେଣୁ ରାଜକୋଷୀୟ ନିଅଣ୍ଟକୁ ସୀମିତ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥାନ୍ତି। ଏହି ପରିପ୍ରେକ୍ଷୀରେ ଏଠାରେ ଉଲ୍ଲେଖଯୋଗ୍ୟ ଯେ କୋଭିଡ୍ ସମୟରେ ଭାରତର ରାଜକୋଷୀୟ ନିଅଣ୍ଟ ତା’ର ‘ଜିଡିପି’ର ଏକ ସୁଉଚ୍ଚ ୯.୨ ଶତାଂଶ ସ୍ତର ଛୁଇଁଥିବାବେଳେ ଚଳିତ ବଜେଟ୍‌ରେ ସୀତାରମଣ ତାହାକୁ ଏକ ଅତ୍ୟନ୍ତ ସନ୍ତୋଷଜନକ ୪.୪ ଶତାଂଶ ସ୍ତରରେ ପହଞ୍ଚାଇବାକୁ ଲକ୍ଷ୍ୟ ସ୍ଥାପନ କରିଛନ୍ତି। ପ୍ରାୟ ଛ’ବର୍ଷ ମଧ୍ୟରେ ଏହି ଅନୁପାତରେ ୫୦ ଶତାଂଶରୁ ଅଧିକ ହ୍ରାସ ଘଟାଇ ପାରିବା କୌଣସି ଯାଦୁକରୀ କାର୍ଯ୍ୟଠାରୁ କମ୍ ନୁହେଁ। ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ କଥା ହେଲା ଏହା ଯେ ପରିମାଣ ଆକାରରେ ଦେଖିଲେ ୨୦୨୫-୨୬ରେ ରାଜକୋଷୀୟ ନିଅଣ୍ଟ ୧୫.୭ ଲକ୍ଷ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି, ଯାହା ପୂର୍ବବର୍ଷ ସହିତ ସମାନ ହୋଇଥିବାବେଳେ ୨୦୨୩-୨୪ ବର୍ଷର ୧୬.୫ ଲକ୍ଷ କୋଟି ଟଙ୍କାର ନିଅଣ୍ଟ ଠାରୁ କମ୍ ହୋଇଥାଏ। ଉଲ୍ଲେଖନୀୟ ଭାବରେ ଅର୍ଥମନ୍ତ୍ରୀ ଏପରି ଏକ ସମୟରେ ଭାରତର ରାଜକୋଷୀୟ ନିଅଣ୍ଟକୁ କାବୁ କରିବାରେ ସକ୍ଷମ ହୋଇଛନ୍ତି, ଯେଉଁ ସମୟରେ ବାକି ପୃଥିବୀ ଘୋର ରାଜନୈତିକ ସଂକଟ ଦେଇ ଗତି କରୁଛି, ଭାରତର ଦ୍ରୁତବର୍ଦ୍ଧିଷ୍ଣୁ ‘ଜିଡିପି’ରେ ଶିଥିଳତା ଦେଖା ଦେବାକୁ ଆରମ୍ଭ କରିଛି, ସହରୀ ଖାଉଟି ଖର୍ଚ୍ଚ ମାନ୍ଦା ହୋଇଚାଲିଛି, ଘରୋଇ ନିବେଶ କୁଣ୍ଠାଗ୍ରସ୍ତ ଅବସ୍ଥାରେ ଅଛି ଏବଂ ଟଙ୍କାର ଆନ୍ତର୍ଜାତିକ ବିନିମୟ ମୂଲ୍ୟରେ ସ୍ଖଳନ ଘଟିବା ଦେଖାଯାଉଛି।
ଅଭିବୃଦ୍ଧିକୁ ସହାୟକ ହେବା ପାଇଁ ସୀତାରମଣ ୨୦୨୫-୨୬ରେ ସରକାରୀ ପୁଞ୍ଜି ବ୍ୟୟରେ ୧୦ ଶତାଂଶ ବୃଦ୍ଧି ଘଟାଇବାକୁ ମଧ୍ୟ ଯାଉଛନ୍ତି। ମଧ୍ୟମବର୍ଗ ପାଇବାକୁ ଯାଉଥିବା ଆୟକର ରିହାତି ଯୋଗୁଁ ସେମାନଙ୍କ ପାଖରେ ବଜାରରେ ଖର୍ଚ୍ଚ କରିବା ପାଇଁ ଅଧିକ ଉଦ୍‌ବୃତ୍ତ ଆୟ ଉପଲବ୍‌ଧ ହେଲେ ତାହା ଚାହିଦାରେ ବୃଦ୍ଧି ଘଟାଇ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ଦେଶରେ ଆବଶ୍ୟକ ହେଉଥିବା ଅର୍ଥନୈତିକ ସଂସ୍କାରକୁ ଆଗେଇ ନେବା ପାଇଁ ମଧ୍ୟ ସୀତାରମଣ ବଜେଟ୍‌ରେ ପ୍ରସ୍ତାବ ରଖିଛନ୍ତି। ନୂତନ ଆୟକର ବିଲ୍, ରପ୍ତାନି ପାଇଁ ଉଦ୍ଦିଷ୍ଟ ‘ଭାରତ ଟ୍ରେଡ୍ ନେଟ୍’, ଜନବିଶ୍ବାସ ବିଲ୍ ୨.୦, ବ୍ୟବସାୟ ଏକୀକରଣ (ମର୍ଜର୍)ର ଦ୍ରୁତ ଅନୁମୋଦନ, ‘କେୱାଇସି’ ନିୟମରେ ସଂଶୋଧନ, ଜୀବନ ରକ୍ଷାକାରୀ ଔଷଧ ଉପରୁ ମୌଳିକ ଆମଦାନି ଶୁଳ୍‌କ ଉଚ୍ଛେଦ, ବୀମା କ୍ଷେତ୍ରରେ ବୈଦେଶିକ ପୁଞ୍ଜି ନିବେଶ ସୀମାରେ ବୃଦ୍ଧି ଘଟାଇ ୧୦୦ ଶତାଂଶରେ ନିର୍ଦ୍ଧାରଣ, ଷ୍ଟାର୍ଟ-ଅପ୍ ପରିବେଶକୁ ସହାୟତା ପ୍ରଦାନ, ‘ଏମ୍ଏସ୍ଏମ୍ଇ’ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ପ୍ରଦାନ ଆଦି ଏହି ସଂସ୍କାର ଉଦ୍ୟମର ଅଂଶବିଶେଷ। ଯଦିବା ଏହି ସମସ୍ତ ସଂସ୍କାର ପ୍ରସ୍ତାବମାନ ଚାଞ୍ଚଲ୍ୟ ସୃଷ୍ଟିକାରୀ ଶ୍ରେଣୀର ନୁହନ୍ତି, ଏଥିରେ କିନ୍ତୁ ଷ୍ଟାର୍ଟ-ଅପ୍ ଉଦ୍ୟୋଗମାନଙ୍କୁ ପ୍ରୋତ୍ସାହନ ଦେବା ନିମିତ୍ତ କରାଯାଇଥିବା ବ୍ୟବସ୍ଥା, ମାନୁଫାକ୍‌ଚରିଙ୍ଗ୍, ରିଅଲ୍‌ ଇଷ୍ଟେଟ୍, ପର୍ଯ୍ୟଟନ ଓ କୃଷିକ୍ଷେତ୍ରକୁ ସାହାଯ୍ୟ କରିବା ନିମିତ୍ତ ଗ୍ରହଣ କରାହେବାକୁ ଯାଉଥିବା ପଦକ୍ଷେପମାନଙ୍କ ସମ୍ବନ୍ଧରେ ଯେଉଁ ସୂଚନା ଦିଆଯାଇଛି, ତାହା ଦ୍ବାରା ନିଯୁକ୍ତି ସୃଷ୍ଟିରେ ବୃଦ୍ଧି ଘଟିବାର ଦୃଢ଼ ସମ୍ଭାବନା ରହିଛି।
ଆମଦାନି ଶୁଳ୍‌କ ବ୍ୟବସ୍ଥାକୁ ଯୁକ୍ତିସଂଗତ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଶିଳ୍ପ ଉତ୍ପାଦନରେ ବ୍ୟବହୃତ ଅନେକ ମଧ୍ୟବର୍ତ୍ତୀକାଳୀନ ଉପାଦାନ ଶସ୍ତା ହେବା ଦ୍ବାରା ଶିଳ୍ପସଂସ୍ଥାମାନେ ସେମାନଙ୍କର ଉତ୍ପାଦନ କ୍ଷମତାରେ ସଂପ୍ରସାରଣ ଘଟାଇବାକୁ ଆଗ୍ରହୀ ହେବେ ବୋଲି ଆଶା କରାଯାଏ। ‘କିଷାନ୍ କ୍ରେଡିଟ୍ କାର୍ଡ’ର ଋଣ ସୀମା ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରି ଦିଆଯାଇଥିବାରୁ ଏହି କାର୍ଡଧାରୀ କୃଷକମାନେ ଲାଭବାନ ହେବେ ଓ ସେମାନଙ୍କର ଉତ୍ପାଦନଶୀଳତାରେ ବୃଦ୍ଧି ଘଟିବ। ଅନ୍ୟ ଏକ କୃଷି ସହାୟକ ଉଦ୍ୟମ ସ୍ବରୂପ ଯେଉଁ ‘ଧନଧାନ୍ୟ କୃଷି ଯୋଜନା’ କାର୍ଯ୍ୟକାରୀ ହେବାକୁ ଯାଉଛି, ତାହା ଦ୍ବାରା କୃଷିକ୍ଷେତ୍ରରେ ଦକ୍ଷତା ବୃଦ୍ଧି ସାଧିତ ହେବ, ଯାହା ଗ୍ରାମାଞ୍ଚଳରେ ଅଭିବୃଦ୍ଧି ଓ ଗ୍ରାମବାସୀଙ୍କର ଆୟରେ ବୃଦ୍ଧି ଘଟାଇବ।
ସୀତାରମଣ ତାଙ୍କର ଏହି ବଜେଟ୍‌ରେ କେତେଗୁଡ଼ିଏ ଗଠନମୂଳକ ଓ ସୃଜନଶୀଳ ପ୍ରସ୍ତାବ ମଧ୍ୟ ଅନ୍ତର୍ଭୁକ୍ତ କରିଛନ୍ତି। ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ (‘ଏଆଇ’) ପାଇଁ ‘ସେଣ୍ଟର୍‌ସ ଅଫ୍ ଏକ୍ସେଲେନ୍‌ସ’, ଉତ୍ପାଦନରେ ସ୍ବଚ୍ଛ ପ୍ରବିଧି ବ୍ୟବହାରକୁ ସୁଗମ କରିବା ଉଦ୍ଦେଶ୍ୟରେ ‘ନେସ୍‌ନାଲ୍ ମାନୁଫାକ୍‌ଚରିଙ୍ଗ୍ ମିସନ’ ପ୍ରତିଷ୍ଠା, ଉନ୍ନତ କିସମର ଶସ୍ୟ ଉତ୍ପନ୍ନ ନିମିତ୍ତ ଜିନ୍ ବ୍ୟାଙ୍କ୍ ପ୍ରତିଷ୍ଠା, ‘ଗିଗ୍’ କର୍ମୀମାନଙ୍କ ପାଇଁ ସ୍ବାସ୍ଥ୍ୟ ସେବା ପ୍ରଦାନ ବ୍ୟବସ୍ଥା ଆଦି ହେଉଛନ୍ତି ଏହାର କେତୋଟି ମାତ୍ର ଉଦାହରଣ। ଏ ସମସ୍ତ ଦିଗକୁ ବିଚାରକୁ ନେ‌େଲ ନିରାପଦରେ କୁହାଯାଇପାରେ ଯେ ନିର୍ମଳା ସୀତାରମଣଙ୍କର ଅଷ୍ଟମ ବଜେଟ୍ ହେଉଛି ‘ବିକଶିତ ଭାରତ’ ଲକ୍ଷ୍ୟ ହାସଲ କରିବା ଦିଗରେ ଏକ ସମୟୋଚିତ ତଥା ଦାୟିତ୍ବସଂପନ୍ନ ଉଦ୍ୟମ।