Breaking News

ବିଜେଡି ଅଡ଼ୁଆ ଛିଡ଼ୁନି: କାର୍ପଟଦାରଙ୍କୁ ଲୁଚାଇବାକୁ ମୋତେ ଟାର୍ଗେଟ୍‌

ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଦଳର ସଭାପତି ନବୀନ ପଟ୍ଟନାୟକ ମୁହଁ ‌ଖୋଲିବା ପରେ ବି ଆଭ୍ୟନ୍ତରୀଣ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ୁନି। ଗତକାଲି ପ୍ରଭାତ ତ୍ରିପାଠୀଙ୍କ ନାମ ନେଇ ନବୀନ ସମାଲୋଚନା କଲା ପରେ ଆଜି ତାହାର ପାଲଟା ଜବାବ ରଖିଛନ୍ତି ପ୍ରଭାତ।

ଭୁବନେଶ୍ବର: ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଦଳର ସଭାପତି ନବୀନ ପଟ୍ଟନାୟକ ମୁହଁ ‌ଖୋଲିବା ପରେ ବି ଆଭ୍ୟନ୍ତରୀଣ ବିବାଦର ପୂର୍ଣ୍ଣଚ୍ଛେଦ ପଡ଼ୁନି। ଗତକାଲି ପ୍ରଭାତ ତ୍ରିପାଠୀଙ୍କ ନାମ ନେଇ ନବୀନ ସମାଲୋଚନା କଲା ପରେ ଆଜି ତାହାର ପାଲଟା ଜବାବ ରଖିଛନ୍ତି ପ୍ରଭାତ। ଉଭୟ ନବୀନ ଓ ପାଣ୍ଡିଆନଙ୍କୁ ସେ ଟାର୍ଗେଟ୍‌ କରିଛନ୍ତି। ସିଧାସଳଖ କହିଛନ୍ତି, ନବୀନ ମିଛ କହିଛନ୍ତି। ମୁଁ ବିଜେଡିରେ ନାହିଁ ବୋଲି କହିବାକୁ ନବୀନଙ୍କ ମୁହଁରେ କୁହାଯାଇଛି। ଏବେ ୱକଫ୍ ବିଲ୍ ପ୍ରସଙ୍ଗ ଏଡ଼ାଇବାକୁ ଏବଂ ସସ୍ମିତ ପାତ୍ରଙ୍କ ସମର୍ଥନ ପଛର କାର୍ପଟଦାରଙ୍କୁ ଲୁଚାଇବାକୁ ମୋ‌ତେ ଟାର୍ଗେଟ୍ କରାଯାଉଛି। ଶ୍ରୀ ତ୍ରିପାଠୀ କହିଛନ୍ତି, ମୋ ବିରୋଧରେ ଚିଟ୍‌ଫଣ୍ଡ ମାମଲା ଏଯାଏଁ କୋର୍ଟରେ ବିଚାରାଧୀନ ରହିଛି। ମୁଁ ଦୋଷୀ କି ନା, କିଛି ବି ନିଷ୍ପତ୍ତି ହୋଇ ନାହିଁ। ୨୦୧୭ରେ ମୋ ଉପରୁ ନିଲମ୍ବନ ପ୍ରତ୍ୟାହାର ହୋଇଥିଲା। ସେବେଠାରୁ ବାଙ୍କୀ ସମେତ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜେଡିର ସଭାସମିତିରେ ଉପସ୍ଥିତ ରହି ସାମର୍ଥ୍ୟ ମୁତାବକ ଦଳ ପାଇଁ କାମ କରିଛି। ଏହା ବ୍ୟତୀତ ୨୦୧୯ ନିର୍ବାଚନ ସଭାରେ ନବୀନଙ୍କ ଉପସ୍ଥିତିରେ ଭାଷଣ ଦେଇଛି। ୨୦୨୪ ନିର୍ବାଚନରେ ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରଚାର କରିଛି। ମୋ କାମକୁ ନେଇ ଖୋଦ ନିଜକୁ ଦଳର ଦୁଇ ନମ୍ବର ମୁଖିଆ କହୁଥିବା ବ୍ୟକ୍ତି ଜଣକ ପ୍ରଶଂସା ବି କରିଥିଲେ। ମୋ ବିରୋଧରେ ଏଭଳି ମିଛ କହିବା ନବୀନଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କୁ ଆଦୌ ଶୋଭା ଦେଉ ନାହିଁ।

ପ୍ରଭାତ ଆହୁରି ମଧ୍ୟ କହିଛନ୍ତି, ୱକଫ୍‌ ବିଲ୍‌କୁ ସମର୍ଥନ ବା ବିରୋଧ କରିବାକୁ ଏଥର କୌଣସି ହ୍ୱିପ୍‌ ଜାରି ହୋଇ ନଥିଲା। ଯେଉଁଦିନ ଏହି ଘଟଣା ଘଟିଲା ଦଳର ବହୁ ବରିଷ୍ଠ ବିଧାୟକ ସଭାପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟସଭାରେ ସସ୍ମିତ ପାତ୍ର କାହା ପ୍ରରୋଚନାରେ ୱକଫ୍‌ ବିଲ୍‌କୁ ସମର୍ଥନ କଲେ ସେକଥା ଦଳର ସବୁ ନେତା ଜାଣିଥିଲେ ମଧ୍ୟ ପ୍ରକୃତ ସତ ଲୁଚାଇବାକୁ ଚକ୍ରାନ୍ତ ହୋଇଛି। ମୋତେ ଲୋକଙ୍କ ଆଗରେ ଦୋଷୀ ସାବ୍ୟସ୍ତ କରିବାକୁ ଏଭଳି ଅପଚେଷ୍ଟା କରୁଛନ୍ତି। ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଭଳି ନ୍ୟାୟ କଲେ ବିଜେଡିର ଭବିଷ୍ୟତ ଭଲ ନାହିଁ ବୋଲି ମୁଁ ଆକଳନ କରୁଛି। ସସ୍ମିତ ପାତ୍ରଙ୍କୁ ଭୋଟ ଦେବାକୁ କିଏ କହିଥିଲେ, ତାହା ସ୍ପଷ୍ଟ ହୋଇଗଲେ କୌଣସି ଇସ୍ୟୁ ରହି ନଥାନ୍ତା। ନବୀନ ପଟ୍ଟନାୟକ ତାହା ଦୂର କଲେନି। ବରଂ ମିଛ କହି ନିଜ ଭାବମୂର୍ତ୍ତି କ୍ଷୁଣ୍ଣ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି। ଗତକାଲି ପରଠୁ ମୁଁ ବିଜେଡିରେ ନାହିଁ। ଏବେ ଯେଉଁ ଗୋଳିଆ ପାଣି ସୃଷ୍ଟି ହୋଇଛି ତାହାକୁ ସମୟ ସଫା କରିଦେବ। ଓଡ଼ିଶାର ଲୋକ ସବୁ ବୁଝୁଛନ୍ତି। ୧୦ ମାସ ତଳେ ସାଧାରଣ ନିର୍ବାଚନରେ ଜନତା ଯେଉଁ ଜବାବ ଦେଲେ ସେମିତି ଆଗାମୀ ଦିନରେ ବି ଜବାବ ଦେବେ। ଜଣେ ଅଣ ଓଡ଼ିଆଙ୍କୁ ଲୋକେ ଗ୍ରହଣ କରିପାରିନାହାନ୍ତି, ଯାହାକି ନିର୍ବାଚନରେ ସ୍ପଷ୍ଟ ହୋଇଛି। ନିଜକୁ ବିଜେଡିର ଦୁଇ ନମ୍ବର ମୁଖିଆ କହୁଥିବା ବ୍ୟକ୍ତିଙ୍କ ସ୍ଥିତି ଏବେ ଟଳମଳ ବୋଲି‌ ସେ କହିଥିଲେ।

ନବୀନ ମିଛ କହୁଛନ୍ତି: ପ୍ରଭାତ

କାର୍ପଟଦାରଙ୍କୁ ଲୁଚାଇବାକୁ ମୋତେ ଟାର୍ଗେଟ୍‌
ଯୁବ ନେତାଙ୍କୁ ରିଲ୍‌ କରିବାକୁ କୁହାଗଲା
ୱକଫ୍‌ ପ୍ରସଙ୍ଗରେ ପାଟି ଫିଟାଇଲେନି ସସ୍ମିତ
ବରିଷ୍ଠ ନିରବ, ଦଳ ଭିତରେ ଚାପା ଅସନ୍ତୋଷ

ତେବେ ନବୀନଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଥିଲେ ବି ପ୍ରଭାତଙ୍କ ମନ୍ତବ୍ୟକୁ କୌଣସି ବରିଷ୍ଠ ନେତା ଖଣ୍ଡନ କରିନାହାନ୍ତି। ବିଜେଡି ପକ୍ଷରୁ ଭିନ୍ନ ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା ବେଳେ ଗଣମାଧ୍ୟମ ପ୍ରତିନିଧିମାନେ ଏ ସମ୍ପର୍କରେ ମୁଖପାତ୍ର ଲେନିନ ମହାନ୍ତିଙ୍କ ମତ ଲୋଡ଼ିଥିଲେ। ‌ଶ୍ରୀ ତ୍ରିପାଠୀ କେବେଠାରୁ ବହିଷ୍କାର ହୋଇଛନ୍ତି, ସେ ସମ୍ପର୍କରେ ଶ୍ରୀ ମହାନ୍ତି କିଛି କହି ନଥିଲେ। ସେହି ପୁରୁଣା କଥା ଦୋହରାଇ କହିଥିଲେ, ୧୯୯୮ ଓ ୨୦୧୪ରେ ସେ ଦୁଇ ଥର ଦଳରୁ ନିଲମ୍ବିତ ହୋଇଥିଲେ। ଚିଟ୍‌ଫଣ୍ଡ୍‌ ମାମଲା ବିଚାରାଧୀନ ଅଛି। କିନ୍ତୁ ନିଲମ୍ବନ ଉଠିଲା ପରେ ସେ ଦଳରେ ସକ୍ରିୟ ଥିଲେ କି ନାହିଁ, ସେ ସମ୍ପର୍କରେ ଶ୍ରୀ ମହାନ୍ତି କିଛି କହି ନଥିଲେ। ୨୦୨୪ରେ ଏକ ନିର୍ବାଚନୀ ସଭାରେ ବାଙ୍କୀରେ ପାଣ୍ଡିଆନ ଦେଇଥିବା ଏକ ଭାଷଣ ଆଜି ଭାଇରାଲ୍‌ ହେଉଛି। ୨୦୧୨ରେ ପ୍ୟାରୀମୋହନ ମହାପାତ୍ରଙ୍କ ମିଡ୍‌ନାଇଟ୍‌ ଅପରେସନ୍‌ ବେଳେ ପ୍ରଭାତ ତ୍ରିପାଠୀ କିପରି ନବୀନଙ୍କୁ ସହଯୋଗ କରିଥିଲେ, ତାହା ସେ ବର୍ଣ୍ଣନା କରୁଛନ୍ତି। ବିପଦ ସମୟରେ ନବୀନଙ୍କ ପ୍ରତି ଏତେ ଆନୁଗତ୍ୟ ଦେଖାଇଥିବା ଜଣେ ନେତାଙ୍କୁ କିପରି ନିଜେ ନବୀନ ଗଣମାଧ୍ୟମରେ ସମାଲୋଚନା କରିପାରିଲେ, ତାହାକୁ ସଚେତନ ନାଗରିକମାନେ ଗ୍ରହଣ କରିପାରୁ ନାହାନ୍ତି।

ପାଣ୍ଡିଆନଙ୍କ ପାଇଁ ସୁରକ୍ଷା କବଚ ସାଜି ନବୀନ ଆଗକୁ ଆସିଥିଲେ ବି ଦଳ ଭିତରେ ଅସନ୍ତୋଷ ଥମି ନାହିଁ। ବରିଷ୍ଠ ନେତାମାନେ ଆଜି ମୁହଁ ଖୋଲିନାହାନ୍ତି ସତ; କିନ୍ତୁ ଦଳ ଭିତରେ ଅସନ୍ତୋଷ ଏମିତି ବ୍ୟାପିଛି ଯେ ତୃଣମୂଳ ସ୍ତରରେ ବି କର୍ମୀମାନେ ଭୀଷଣ ଉତ୍ତ୍ୟକ୍ତ ହେଲେଣି। ପରିସ୍ଥିତି ବିଗୁଡ଼ୁଥିବା ଦେଖି ନବୀନ ଓ ତାଙ୍କ ଖାସ୍‌ ସହଯୋଗୀମାନେ ଯୁବ ନେତାମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଜଣେ ଯୁବ ବିଧାୟକଙ୍କୁ ଆଜି ନବୀନ ନିବାସ ଡକାଯାଇଥିଲା। ଯୁବ ଓ ଛାତ୍ର ନେତାମାନେ ନବୀନଙ୍କ ସପକ୍ଷରେ ରିଲ୍‌ କରି ସାମାଜିକ ଗଣମାଧ୍ୟମରେ ଯେପରି ଛାଡ଼ିବେ, ସେଥି ପାଇଁ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହା ପ‌ରେ କିଛି ଯୁବ ନେତା ନବୀନଙ୍କ ନୀତି, ଆଦର୍ଶ କଥା କହି ରିଲ୍‌ କରି ‘ଆଇ ଆମ୍‌ ୱିଥ୍‌ ନବୀନ ପଟ୍ଟନାୟକ’ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। ଅପର ପକ୍ଷରେ ସାଂସଦ ସସ୍ମିତ ପାତ୍ର ଆଜି ବିଦେଶରୁ ନୂଆଦିଲ୍ଲୀକୁ ଫେରିଛନ୍ତି। ୱକଫ୍‌ ବିଲ୍‌‌ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ବଦଳାଇବା ସମ୍ପର୍କରେ କିଏ ତାଙ୍କୁ କହିଥିଲା, ସେ ସମ୍ପର୍କରେ ଜାଣିବାକୁ ସବୁ ମହଲରେ ଉତ୍ସୁକତା ଥିଲା। କିନ୍ତୁ ସେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। ଯଦି ଦଳ କହିବ, ତା ହେଲେ ପ୍ରତିକ୍ରିୟା ରଖିବେ ବୋଲି କହିଛନ୍ତି।

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.