Breaking News

ବିଜେପି ସହ ମେଣ୍ଟ ନେଇ ପଛଘୁଞ୍ଚା ଦେଲା ଏଆ‌ଇଏଡିଏମ୍‌କେ: ‘ମେଣ୍ଟ କେବଳ ନିର୍ବାଚନ ପାଇଁ’

୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଗତ ସପ୍ତାହ‌ରେ ବିଜେପି ଓ ଏଆଇଏଡିଏମ୍‌କେ ମେଣ୍ଟ ଘୋଷଣା କରିଥିଲେ। ଏବେ ଏଆଇଏଡିଏମ୍‌କେ ବିଜେପିର ଯୋଜନାକୁ ପଣ୍ଡ କରିବାକୁ ବସିଛି।

ଚେନ୍ନାଇ: ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ପାଇଁ ଗତ ସପ୍ତାହ‌ରେ ବିଜେପି ଓ ଏଆଇଏଡିଏମ୍‌କେ ମେଣ୍ଟ ଘୋଷଣା କରିଥିଲେ।  ଏବେ ଏଆଇଏଡିଏମ୍‌କେ ବିଜେପିର ଯୋଜନାକୁ ପଣ୍ଡ କରିବାକୁ ବସିଛି। ଏଆଇଏଡିଏମ୍‌କେ ମୁଖ୍ୟ ଇକେ ପଲାନିସ୍ବାମୀ କହିଛନ୍ତି, ତାମିଲନାଡ଼ୁ ଏକ ମେଣ୍ଟ ସରକାର ଗ୍ରହଣ କରିବନି ଏବଂ ବିଜେପି ସହ ମେଣ୍ଟ କେବଳ ନିର୍ବାଚନ ପାଇଁ ଉଦ୍ଦିଷ୍ଟ। ତେବେ ଇପିଏସ୍‌ଙ୍କ ଘୋଷଣା ଉପରେ ବିଜେପି ଏଯାବତ କିଛି ପ୍ରତିକ୍ରିୟା ରଖିନାହିଁ।  ଇପିଏସ୍‌ଙ୍କ ଟିପ୍ପଣୀ ମଧ୍ୟ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଟିପ୍ପଣୀର ସିଧାସଳଖ ବିରୋଧ କରୁଛି।  ଗତ ସପ୍ତାହରେ ଏଆଇଏଡିଏମ୍‌କେ-ବିଜେପି ମେଣ୍ଟ ଘୋଷଣା‌ କରି ଶାହ କହିଥିଲେ, ଉଭୟ ବିଜେପି ଏବଂ ଏଆଇଏଡିଏମ୍‌କେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବେ ଏବଂ  ତାମିଲ ପାର୍ଟି ଦ୍ବାରା କୌଣସି ସର୍ତ୍ତ ରଖାଯାଇନଥିବା ସେ କହିଥିଲେ।

ଇପିଏସ୍‌ ଏହାପରେ କହିଥିଲେ ଯେ ତାମିଲନାଡ଼ୁର ପ୍ରଗତି ଏବଂ ଉନ୍ନତି ପାଇଁ ଏକ ମିଳିତ ଲକ୍ଷ୍ୟ ରଖି ଏହି ମେଣ୍ଟ ଗଠନ ହେଉଛି।  ତେବେ ଏଆଇଏଡିଏମ୍‌କେ ଆଜି ଏନେଇ ପଛଘୁଞ୍ଚା ଦେଇଛି। ବିଜେପି ସହ ମେଣ୍ଟ ନେଇ କିଛି ଏଆଇଏଡିଏମ୍‌କେ ନେତା ଅସନ୍ତୁଷ୍ଟ ଥିବାରୁ ଏବେ ଦଳର ମତ ବଦଳିଛି।  ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟ୍‌ ହରାଇବା ଭୟରେ ଏଆଇଏଡିଏମ୍‌କେ ବିଜେପି ସହ ମେଣ୍ଟ କରିବାକୁ ପଛଘୁଞ୍ଚା ଦେଇଥିବା ଜଣାପଡ଼ିଛି।  ଶେଷ ଥର ୨୦୨୧ ବିଧାନସଭା ନିର୍ବାଚନ ଏବଂ ୨୦୧୯ ଓ ୨୦୨୪ ଲୋକସଭା ନିର୍ବାଚନରେ ଏଆଇଏଡିଏମ୍‌କେ-ବିଜେପି ମେଣ୍ଟର ଖରାପ ପ୍ରଦର୍ଶନ ପାଇଁ ଦଳ ବିଜେପିକୁ ଦାୟୀ କରିଥିଲା।

 

 

 

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.