Breaking News

ବିଡିଏକୁ ସଫଳତା: ୮୬୭ ଆବେଦନରୁ ୫୮୦ ଜମି ଫ୍ରିହୋଲ୍ଡ, ବେଞ୍ଚ ମାର୍କ ମୂଲ୍ୟାଙ୍କନକୁ ନେଇ ଅସନ୍ତୋଷ

ବିଡିଏ ବିକ୍ରି କରିଥିବା ଲିଜ୍‌ହୋଲ୍ଡ ଜମି ମଧ୍ୟରୁ ୫୮୦ଟି ଜମିକୁ ଫ୍ରିହୋଲ୍ଡ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ୮୬୭ ଆବେଦନରୁ ୪୬୨ଟି ଆବେଦନ ଅନଲାଇନ୍‌ରେ ପଞ୍ଜୀକୃତ ହୋଇଛି। ଅଧିକାଂଶ ଉନ୍ନୟନ କର୍ତ୍ତୃପକ୍ଷ...

ଭୁବନେଶ୍ୱର: ବିଡିଏ ବିକ୍ରି କରିଥିବା ଲିଜ୍‌ହୋଲ୍ଡ ଜମି ମଧ୍ୟରୁ ୫୮୦ଟି ଜମିକୁ ଫ୍ରିହୋଲ୍ଡ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ୮୬୭ ଆବେଦନରୁ ୪୬୨ଟି ଆବେଦନ ଅନଲାଇନ୍‌ରେ ପଞ୍ଜୀକୃତ ହୋଇଛି। ଅଧିକାଂଶ ଉନ୍ନୟନ କର୍ତ୍ତୃପକ୍ଷ ଏଭଳି ବ୍ୟବସ୍ଥା ଏଯାବତ୍‌ ଆରମ୍ଭ କରି ନଥିବା ବେଳେ ବିଡିଏର ଏହି ପରିବର୍ତ୍ତନ ପ୍ରକ୍ରିୟାକୁ ବଡ଼ ସଫଳତା କୁହାଯାଉଛି। କିନ୍ତୁ ନୂଆ ବେଞ୍ଚମାର୍କ ମୂଲ୍ୟାଙ୍କନ ଆଧାରରେ ପଞ୍ଜୀକରଣ ଦେୟ ସରକାର ଧାର୍ଯ୍ୟ କରିଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ବିଡିଏ ଜରିଆରେ ମିଳିଥିବା ଜମିକୁ ଫ୍ରିହୋଲ୍ଡ କରିବାକୁ ଅନଲାଇନ୍ (https://bda.gov.in/) ଆବେଦନ କରିବା ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ ୨୪ଟି ଗୃହନିର୍ମାଣ ପ୍ରକଳ୍ପକୁ ଲିଜହୋଲ୍ଡରୁ ଫ୍ରିହୋଲ୍ଡ କରିବା ପାଇଁ ବଛାଯାଇଛି। ଏଥିରେ ପୋଖରୀପୁଟର ୧, ୨, ୩ ଫେଜ୍, ଚନ୍ଦ୍ରଶେଖରପୁରେ ଥିବା ପ୍ରାଚୀ ଏନ୍‌କ୍ଲେଭ୍ ପ୍ଲଟିଂ ଯୋଜନା, ଲୁମ୍ବିନୀବିହାର  ହାଉସିଂ ଯୋଜନା, ପାତ୍ରପଡ଼ା ଉଦୟଗିରିବିହାର ଓ ଭୀମପୁରର ଲିଙ୍ଗରାଜବିହାର ରହିଛି। ଅନ୍ୟ ଯୋଜନାଗୁଡ଼ିକୁ ପର୍ଯ୍ୟାୟକ୍ରମେ ସାମିଲ  କରିବାକୁ ସ୍ଥିର କରାଯାଇଛି।

ରାଜସ୍ବ ବିଭାଗର ପଞ୍ଜୀକରଣ (ରେଜିଷ୍ଟ୍ରେସନ୍) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଧାର୍ଯ୍ୟ ୨୦୨୪ର ନୂଆ ବେଞ୍ଚମାର୍କ ମୂଲ୍ୟାଙ୍କନ ଅନୁଯାୟୀ ଗୃହଜମି ପରିବର୍ତ୍ତନ ଶୁଳ୍କ ଘରବାଡ଼ି ଜମିର ୩% ରଖାଯାଇଛି। ଏହି ଶୁଳ୍କ ଦେଇ ଜମିଗୁଡ଼ିକୁ ଫ୍ରିହୋଲ୍ଡ କରାଯାଉଛି। ତେବେ ଏହି ମୂଲ୍ୟକୁ ନେଇ ବିବାଦ ଦେଖାଦେଇଛି। କିଛି ପ୍ରକଳ୍ପ ୧୦ରୁ ୧୨ ବର୍ଷ ପରେ ଫ୍ରି ହୋଲ୍ଡ ହେଉଛି। ସେତେବେଳେ ଜମିର ବେଞ୍ଚମାର୍କ ଭାଲ୍ୟୁଏସନ କମ୍‌ ଥିବା ବେଳେ ଏବେ ବଢ଼ି ଯାଇଛି। ଏଣୁ ସେତେବେଳର ବେଞ୍ଚମାର୍କ ଭାଲ୍ୟୁଏସନ ଆଧାରରେ ଏହି ଫ୍ରି ହୋଲ୍ଡ ବ୍ୟବସ୍ଥା କରିବାକୁ ଦାବି ହୋଇଛି।
ବିଡିଏ ସ୍ପଷ୍ଟ କରିଛି କି, ଯଦି କୌଣସି ଜମି ବନ୍ଧକ ଥାଏ ତେବେ ବନ୍ଧକ ରଖିଥିବା ସଂସ୍ଥା ଆପତ୍ତିବିହୀନ ପ୍ରମାଣପତ୍ର(ଏନ୍ଓସି) ପ୍ରଦାନ କଲେ ହିଁ ଜମି ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ତା ସହ ଆବେଦନକାରୀ ଜମି ସମ୍ପର୍କିତ କୌଣସି ନ୍ୟାୟିକ ବିବାଦ ନଥିବା ନେଇ ଏକ ସତ୍ୟପାଠ ଦାଖଲ କରିବ।

ମାମଲା ବିଚାରାଧୀନ ଥିଲେ ଅଦାଲତଙ୍କ ଶେଷ ଆଦେଶ ମିଳିବା ପରେ ହିଁ ଆବେଦନକୁ ପୁନଃ ବିଚାରକୁ  ନିଆଯିବ। ଯେଉଁ  ଆବେଦନକାରୀ ସରକାରୀ, ସାର୍ବଜନୀନ ଉଦ୍ୟୋଗ, କିମ୍ବା ବିଡିଏ ଜମି ଜବରଦଖଲ କରିଛନ୍ତି ତେବେ ଜମି ଖାଲି ନକରିବା ଯାଏଁ ତାଙ୍କୁ ଏହି ଯୋଜନାରେ ସାମିଲ କରାଯିବ ନାହିଁ। କୌଣସି ଜମି ଜବରଦଖଲରେ ନ ଥିବା ନେଇ ଆବେଦନକାରୀ ଏକ ସତ୍ୟପାଠ ଦାଖଲ କରିବ। ଯେଉଁମାନେ ବିଡିଏ ଆବଣ୍ଟିତ ପ୍ଲଟ୍‌ରେ ଘର କରିଛନ୍ତି ଏବଂ ସେଠାରେ ୫ ବର୍ଷରୁ ଅଧିକ ସମୟ ଧରି ବସବାସ କରିଆସୁଛନ୍ତି, ତେବେ ସେମାନେ ଫ୍ରିହୋଲ୍ଡ ବ୍ୟବସ୍ଥା  ପାଇଁ ଆବେଦନ କରିପାରିବେ। କିନ୍ତୁ, ଆବେଦନ କରିବା ପୂର୍ବରୁ ସେମାନଙ୍କର ବିଡିଏ ସହିତ ଲିଜ୍ ଡିଡ୍ ହେଇଥିବା ନିହାତି ଆବଶ୍ୟକ ବୋଲି ବିଡିଏ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.