Breaking News

ବିଡିଏ ଦେଉଥିଲା, ହାତରୁ ଦେବେ: ବିଏମ୍‌ସିରୁ ହଟିଲେ ଏନ୍‌ଫୋର୍ସମେଣ୍ଟ‌୍ ଟିମ୍‌

୮ ବର୍ଷ ଧରି ବିଏମ୍‌ସିର କାମରେ ଲାଗିଥିବା ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ହଟାଇ ଦେଇଛି ବିଡିଏ। କେବଳ ହଟାଇ ନାହିଁ, ବରଂ ଏଥିପାଇଁ ହୋଇଥିବା ଖର୍ଚ୍ଚ ପ୍ରାୟ ୪ କୋଟି ଟଙ୍କା ଦାଖଲ କରିବାକୁ ବିଏମ୍‌ସିକୁ ନୋଟିସ୍‌ ଦେଇଛି।

ଭୁବନେଶ୍ବର: ୮ ବର୍ଷ ଧରି ବିଏମ୍‌ସିର କାମରେ ଲାଗିଥିବା ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ହଟାଇ ଦେଇଛି ବିଡିଏ। କେବଳ ହଟାଇ ନାହିଁ, ବରଂ ଏଥିପାଇଁ ହୋଇଥିବା ଖର୍ଚ୍ଚ ପ୍ରାୟ ୪ କୋଟି ଟଙ୍କା ଦାଖଲ କରିବାକୁ ବିଏମ୍‌ସିକୁ ନୋଟିସ୍‌ ଦେଇଛି। ଅନ୍ୟପଟେ ବିଏମ୍‌ସି ନିଜର ଉଚ୍ଛେଦକାରୀ ଟିମ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛି। ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ଜବରଦଖଲ ହଟାଇବା ପାଇଁ ବିଡିଏ ୨୦୧୭ ମସିହାରୁ ସ୍ବତନ୍ତ୍ର ୨୫ଟି ଟିମ୍‌ ଗଠନ କରିଥିଲା। ବିଏମ୍‌ସିକୁ ସହାୟତା କରିବା ପାଇଁ ୧୦ଟି ଟିମ୍‌ ଦେଇଥିଲା। ଏମାନେ ବିଏମ୍‌ସିର ସମସ୍ତ ତିନିଟି ଜୋନ୍‌ ଓ ମୁଖ୍ୟାଳୟରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ନିର୍ଦ୍ଦେଶରେ  କାମ କରୁଥିଲେ। ବର୍ଷ ବର୍ଷ ଧରି କାମ କରୁଥିଲେ ମଧ୍ୟ ଏମାନେ ବିଡିଏରୁ ଦରମା ପାଉଥିଲେ। ପୂର୍ବରୁ ବିଡିଏର ଉପାଧ୍ୟକ୍ଷ ଯିଏ ରହୁଥିଲେ, ସେ ବିଏମ୍‌ସିର କମିସନର ଦାୟିତ୍ବରେ ରହୁଥି‌ଲେ। ଏଣୁ ଏଥିରେ ସମସ୍ୟା କିମ୍ବା ବିରୋଧ ହେଉ ନଥିଲା। ଏଭଳି ଖର୍ଚ୍ଚ ବଢ଼ି ବଢ଼ି ୪ କୋଟିରେ ପହଞ୍ଚିଥିଲା। ଶେଷରେ ଏହି ଟିମ୍‌କୁ ବିଡିଏ ହଟାଇ ନେବାପାଇଁ ଯୋଜନା କରିବା ସହ ବିଏମ୍‌ସିକୁ ଚିଠି ଲେଖିଥିଲା।

୪କୋଟିର ଡିମାଣ୍ଡ ନୋଟିସ୍‌
ବିଏମ୍‌ସି ତିଆରି କରିବ ସ୍ବତନ୍ତ୍ର ଦଳ

ଗୋଟିଏ ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ରେ ୪ ଜଣ ସୁରକ୍ଷା କର୍ମୀଙ୍କ ସହ ୧୦ ଜଣ ରହୁଥିଲେ। ଗାଡ଼ି ସହ ମାସକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। ପୂର୍ବରୁ ବିଡିଏ ଏହାର ଖର୍ଚ୍ଚ ବାବଦରେ ବିଏମ୍‌ସିକୁ ଅବଗତ ମଧ୍ୟ କରି ନଥିଲା। ଏକା ଥରକେ ଏଭଳି ମୋଟା ଅଙ୍କର ଡିମାଣ୍ଡ ନୋଟିସ୍‌ ପଠାଇଛି। ବିଏମ୍‌ସି ଡେପୁଟି କମିସନର ଅଜୟ ମହାନ୍ତି କହିଛନ୍ତି, ଜବରଦଖଲ ସମସ୍ୟା ବଢ଼ି ବଢ଼ି ଚାଲିଛି। ଯେଉଁଠୁ ଉଚ୍ଛେଦ ହେଉଛି ସେଠାରେ ତୁରନ୍ତ ଜବରଦଖଲ ହୋଇଯାଉଛି। ଏହା ଉପରେ ନିୟମିତ ନଜର ରଖିବା ଆବଶ୍ୟକତା ରହିଛି। ପୂର୍ବରୁ ବିଡିଏ ଯେଉଁ ଟିମ୍‌ ଦେଇଥିଲା ତାହା କେବଳ ଉଚ୍ଛେଦ ସମୟରେ କାମରେ ଲାଗୁଥିଲା। କିନ୍ତୁ ଉଚ୍ଛେଦ ପରେ ଏହି ଟିମ୍‌ କାମରେ ଲାଗୁ ନଥିଲା। ଏବେ ଜବରଦଖଲକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଥିବାରୁ ଟିମ୍‌ ଗଠନ କରାଯାଇଛି। ପୂର୍ବରୁ ସାଇନ୍‌ ଟିମ୍‌ ରହିଛି। ଏହା କେବଳ ପରିମଳ ବ୍ୟବସ୍ଥାରେ କାମ କରୁଛି। ଏବେ ୭ଟି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଗଠନ ହୋଇଛି। ୩ଟି ଜୋନ୍‌ରେ ଦୁଇଟି ଲେଖା‌ଏଁ ଓ ମୁଖ୍ୟାଳୟରେ ଗୋଟିଏ ରହିବ। ପ୍ରତି ଟିମ୍‌‌ରେ ୭ ଜଣ ଲେଖାଏଁ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ୨ ଜଣ ବିଏମ୍‌ସି କର୍ମଚାରୀ, ଏଭଳି ୯ ଜଣ ରହିଥିବା କହିଛନ୍ତି। ଏବେ ୧୦ଟି ସାଇନ୍‌ ଓ ୭ଟି ଏନ୍‌ଫୋର୍ସମେଣ୍ଟ ଟିମ୍‌ ଜରିଆରେ ବିଏମ୍‌ସି ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.