Breaking News

ବିଦ୍ୟାଳୟ ହେବ ପ୍ଲାଷ୍ଟିକ୍‌ ମୁକ୍ତ: ଆବର୍ଜନା ପକାଇବାକୁ ରହିବ ୩ଟି ଡଷ୍ଟବିନ୍‌

ଭୁବନେଶ୍ବରର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ। କୌଣସି ପ୍ରକାର ଏକକ ବ୍ୟବହାର ‌ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ କ୍ୟାମ୍ପସରେ ବ୍ୟବହାର ହେବ ନାହିଁ।

ଭୁବନେଶ୍ବର: ଭୁବନେଶ୍ବରର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ପ୍ଲାଷ୍ଟିକ୍‌ ମୁକ୍ତ କରାଯିବ। କୌଣସି ପ୍ରକାର ଏକକ ବ୍ୟବହାର ‌ଯୋଗ୍ୟ ପ୍ଲାଷ୍ଟିକ ସାମଗ୍ରୀ କ୍ୟାମ୍ପସରେ ବ୍ୟବହାର ହେବ ନାହିଁ। ପ୍ରଧାନଶିକ୍ଷକମାନେ ଏଦିଗରେ ପଦକ୍ଷେପ ନେବା ସହ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବେ। ପ୍ଲାଷ୍ଟିକ୍‌ ବ୍ୟତୀତ ପଲିଥିନ୍‌, ବର୍ଜ୍ୟବସ୍ତୁ, ନଷ୍ଟ ହୋଇଥିବା ସାମଗ୍ରୀଗୁଡ଼ିକୁ କ୍ୟାମ୍ପସରେ ନପକାଇବା ଦିଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ। ଯଦି କୌଣସି ବିଦ୍ୟାଳୟ କର୍ତ୍ତୃପକ୍ଷ ନିୟମ ଉଲ୍ଲଂଘନ କରୁଥିବା ନଜରକୁ ଆସନ୍ତି ତାହା ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସହର‌ରେ ଥିବା ବିଦ୍ୟାଳୟଗୁଡ଼ିକର ସ୍ବଚ୍ଛତା ବଜାୟ ରଖିବା ସହ କ୍ୟାମ୍ପସକୁ ପ୍ଲାଷ୍ଟିକ୍‌ ମୁକ୍ତ ଜୋନ୍‌ କରିବାକୁ ବିଏମ୍‌ସି ସହାୟତାରେ ଭୁବନେଶ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି।

ଆବର୍ଜନା ପକାଇବାକୁ ରହିବ ୩ଟି ଡଷ୍ଟବିନ୍‌
ସପ୍ତାହକୁ ଥରେ ଅଳିଆ ଉଠାଇବ ବିଏମ୍‌ସି
କମ୍ପୋଷ୍ଟ ପିଟ୍‌, ବର୍ଷା ଜଳ ଅମଳ ଉପରେ ଗୁରୁତ୍ବ

ବିଦ୍ୟାଳୟ କ୍ୟାମ୍ପସରେ ଯେପରି ବର୍ଜ୍ୟବସ୍ତୁ ପଡ଼ି ନ ରୁହେ ସେଥିପ୍ରତି ଅଧିକ ପ୍ରାଥମିକତା ଦିଆଯାଇଛି। ସ୍କୁଲରେ ଏବେ ଗୋଟିଏ ଡଷ୍ଟବିନ୍‌ ରଖାଯାଉଥିବା ବେଳେ ଆଗାମୀ ଦିନରେ ୩ଟି ଡଷ୍ଟବିନ୍‌ ରଖିବା ବାଧ୍ୟତାମୂଳକ ହୋଇଛି। ଖାଦ୍ୟ ବର୍ଜ୍ୟ ପକାଇବାକୁ ସବୁଜ ରଙ୍ଗର ଡଷ୍ଟବିନ୍‌ ରହିବ। ସେହିପରି ପେପର, ପ୍ଲାଷ୍ଟିକ, ବୋତଲ, କାର୍ଡ ବୋର୍ଡ ଆଦି ସାମଗ୍ରୀ ପକାଇବାକୁ ନୀଳ ରଙ୍ଗର ଡଷ୍ଟିବିନ୍‌ ଓ ପ୍ଲାଷ୍ଟିକ୍‌, ଗ୍ଲାସ, ମେଟାଲ ପରି ସାମଗ୍ରୀ ପକାଇବାକୁ ହଳଦିଆ ରଙ୍ଗର ଡଷ୍ଟବିନ୍‌ ରଖାଯିବ। ଓଦା ଓ ଶୁଖିଲା ସାମଗ୍ରୀ ଅଲଗା ଅଲଗା ହୋଇ ପଡ଼ିବ। କ୍ୟାମ୍ପସ ପରିସରରେ ଗୋଟିଏ କମ୍ପୋଷ୍ଟ ପିଟ୍‌ ରହିବ। ଯେତିକି ଆବର୍ଜନା ବାହାରିବ ତାହା ପିଟ୍‌ରେ ପଡ଼ିବ। ପରବର୍ତ୍ତୀ ସମୟରେ ପିଟ୍‌ରୁ ବାହାରୁଥିବା ଅର୍ବଜନାକୁ କ୍ୟାମ୍ପସ ପରିସରରେ ଥିବା ଗଛରେ ବ୍ୟବହାର କରାଯାଇ ପାରିବ। ଇକୋ-କ୍ଲବ୍‌ର ସଦସ୍ୟମାନେ ଏହାର ଦାୟିତ୍ବ ନେବେ। ପିଲାଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ ଦିଗରେ ବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟକ୍ରମ ହାତକୁ ନେବେ। ସପ୍ତାହକୁ ଥରେ ବିଦ୍ୟାଳୟ କ୍ୟାମ୍ପସରୁ ଅଳିଆ ଉଠାଯିବ। ବିଏମ୍‌ସି ଗାଡ଼ି ଆସି ଅଳିଆଗୁଡ଼ିକୁ ନେବ। ଏଥିପାଇଁ ବିଦ୍ୟାଳୟକୁ କୌଣସି ପ୍ରକାର ଅର୍ଥ କିମ୍ବା ଫି’ ଦେବାକୁ ପଡ଼ିବ ନାହିଁ।

ସେହିପରି ସହରରେ ଭୂତଳ ଜଳ ଦିନକୁ ଦିନ ହ୍ରାସ ପାଉଥିବାରୁ ବିଦ୍ୟାଳୟଗୁଡ଼ିକ ସେଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ପ୍ରତି ହାଇସ୍କୁଲରେ ବର୍ଷା ଜଳ ଅମଳ ବ୍ୟବସ୍ଥା କରାଯିବ। ବର୍ଷା ସମୟରେ ଯେପରି ଭୂତଳ ଜଳ ରିଚାର୍ଜ ହୋଇପାରିବ ସେନେଇ ବ୍ୟବସ୍ଥା କରିବେ। କୋଠାଘର ହୋଇଥିଲେ ବର୍ଷା ଦିନେ ପାଣି ଯେପରି ସିଧାସଳଖ ମାଟି ତଳକୁ ଯାଇପାରିବ ସେନେଇ ବ୍ୟବସ୍ଥା କରାଇବେ। ଅବ୍ୟବହୃତ ସାମଗ୍ରୀ ପ୍ରଦାନ କରିବାକୁ ବିଦ୍ୟାର୍ଥୀ, ଶିକ୍ଷକ, ଅଭିଭାବକଙ୍କୁ ପୋତ୍ସାହିତ କରିବାକୁ ପ୍ରଧାନଶିକ୍ଷକମାନଙ୍କୁ କୁହାଯାଇଛି। ଇକୋ କ୍ଲବ ଇନ୍‌ଚାର୍ଜଙ୍କ ଦୀର୍ଗଦର୍ଶନରେ ବିଦ୍ୟାଳୟରେ ଜିରୋ ୱେଷ୍ଟ କମିଟି ଗଠନ କରାଯିବ। ପ୍ରତି ଶ୍ରେଣୀ ପାଇଁ ଜଣେ ଜିରୋ ୱେଷ୍ଟ ମନିଟର ରହିବେ। ‌ଯେଉଁମାନେ କି କ୍ଲାସକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ଦିଗରେ ପଦକ୍ଷେପ ନେବେ। ଶ୍ରେଷ୍ଠତ୍ବ ପ୍ରଦର୍ଶନ କରୁଥିବା ଜିରୋ ୱେଷ୍ଟ ମନିଟର୍‌ଙ୍କୁ ପୁରସ୍କୃତ କରାଯିବ। ତେଣୁ ଜିରୋ ୱେଷ୍ଟ ସ୍କୁଲ କରିବା ଦିଗରେ ପ୍ରଧାନଶିକ୍ଷକମାନେ ପଦକ୍ଷେପ ନେବାକୁ କୁହାଯାଇଛି। ପରିବେଶ ପ୍ରଦୂଷଣମୁକ୍ତ କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ‘ଜିରୋ ୱେଷ୍ଟ ସ୍କୁଲ ପ୍ରାକ୍ଟିସ୍‌’ ମାଧ୍ୟମରେ ସଚେତନତା ଅଭିଯାନ, ବର୍ଜ୍ୟ ହ୍ରାସ ପରି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.