Breaking News

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର ଦାବିରେ ଗର୍ଜିଲା ଉପଭୋକ୍ତା ମହାସଂଘ

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର, ପ୍ରିପେଡ୍‌ ସ୍ମାର୍ଟ ମିଟର ସଂଯୋଗ ବର୍ଜନ, ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବିରେ ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ବିଧାନସଭା....

ଭୁବନେଶ୍ୱର: ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର, ପ୍ରିପେଡ୍‌ ସ୍ମାର୍ଟ ମିଟର ସଂଯୋଗ ବର୍ଜନ, ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପ୍ରତି ମାସରେ ୩୦୦ ୟୁନିଟ୍‌ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବିରେ ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିଦ୍ୟୁତ୍‌ ଯୋଗାଣ କ୍ଷେତ୍ରରେ ରାଜ୍ୟବାସୀ ନାନା ଜୁଲମ୍‌ର ଶିକାର ହେଉଥିବା ନେଇ ମହାସଂଘ ଅଭିଯୋଗ କରିଛି। ସେହିପରି କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ମାଗଣାରେ ବିଦ୍ୟୁତ୍ ଯୋଗାଣ, ଓଇଆର୍‌ସି ଓ ଟାଟା କମ୍ପାନିର ଶୋଷଣ, ବିଦ୍ୟୁତର ଘରୋଇକରଣ ବନ୍ଦ କରିବା ତଥା ଓଡ଼ିଆ ଭାଷାରେ ବିଦ୍ୟୁତ୍ ବିଲ୍ ପ୍ରଦାନ ଆଦି ଦାବି ଉପସ୍ଥାପନ କରାଯାଇଛି।

ବିକ୍ଷୋଭର ନେତୃତ୍ବ ନେଉଥିବା ପୂର୍ବତନ ମନ୍ତ୍ରୀ ତଥା ମହାସଂଘର ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି, ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଏକ ବଳକା ରାଜ୍ୟ। ମାତ୍ର ବିଦ୍ୟୁତ୍ ୟୁନିଟ୍‌ ପ୍ରତି ମୂଲ୍ୟ ଅନ୍ୟ ରାଜ୍ୟ ତୁଳନାରେ ଅଧିକ କାହିଁକି ରହୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ନିରବଛିନ୍ନ, ଗୁଣାତ୍ମକ ଓ ସୁଲଭ ମୂଲ୍ୟରେ ବିଦ୍ୟୁତ୍‌ ଯୋଗାଣରୁ ରାଜ୍ୟ ବଞ୍ଚିତ ହେଉଛି। ଓଡ଼ିଶା ବିଦ୍ୟୁତ୍ ବୋର୍ଡକୁ ଭାଙ୍ଗି ସଂସ୍କାର ଆଣିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହୋଇଥଲା। ମାତ୍ର ଏହି ସଂସ୍କାର ପ୍ରକ୍ରିୟାରେ ରାଜ୍ୟବାସୀ କେବଳ ପ୍ରତାରଣା ପାଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଅନୁରୂପ ଭାବେ ବିଭାଗରେ କାମ କରୁଥିବା ଅସଂଗଠିତ, ଅସ୍ଥାୟୀ ଓ ଆଉଟ୍‌ସୋର୍ସିଂ ଶ୍ରମିକ, କର୍ମଚାରୀ ଯନ୍ତ୍ରଣାରେ ଜର୍ଜରିତ। ବିଦ୍ୟୁତ୍ ସଂସ୍କାର ପ୍ରକ୍ରିୟା ପରଠାରୁ ଓଡ଼ିଶାରେ ଚାଲିଥିବା ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ରାଜ୍ୟବାସୀ ଅଶେଷ କ୍ଷତି ସହିଥିବା ବାମପନ୍ଥୀ ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି।

ଏହି ବିକ୍ଷୋଭକୁ ମହାସଂଘର ଆବାହକ ରବି ବେହେରା, ନାରାୟଣ ରେଡ୍ଡୀ, ପ୍ରଦୀପ୍ତ ନାୟକ, ମହେନ୍ଦ୍ର ପରିଡ଼ା, ଜ୍ୟୋତିରଞ୍ଜନ ମହାପାତ୍ର ପରିଚାଳନା କରିଥିଲେ। ବିକ୍ଷୋଭ ସମାବେଶରେ ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ପୁର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସନ୍ତୋଷ ଦାସ, ଯୁଧିଷ୍ଠିର ମହାପାତ୍ର, ଜଗନ୍ନାଥ ପଟ୍ଟନାୟକ, ପ୍ରଣତୀ ମିଶ୍ର, ପୁଷ୍ପା ଦାଶ, ଶିବାନନ୍ଦ ରାୟ, ଦୁଷ୍ମନ୍ତ କୁମାର ଦାସ, ଶିଶିର ହୁଇ, ନିର୍ମଳ ନାୟକ, ରବି ଦାସ, ମନ୍ମଥ ରାଉତରାୟ, ରାଧାକାନ୍ତ ସେଠୀ, ହେମନ୍ତ କୁମାର, ପ୍ରମିଳା, ବଦ୍ରିନାରାୟଣ ଦାଶ, ତାପସୀ ପ୍ରହରାଜ, ଜୟ ସିଂ, ଲକ୍ଷ୍ମୀ ଦୋରା, ବଂଶୀଧର ପରିଡ଼ା, ପ୍ରସନ୍ନ କୁମାର ବିଷୋୟୀ, ମୀର ଅହମଦ ଅଲ୍ଲୀ, ଅଶୋକ ପ୍ରଧାନ, ଭୀମସେନ ପରିଡ଼ା, ସ୍ବାଧୀନ କୁମାର ପଣ୍ଡା, ସରୋଜ ଶତପଥୀ, ପ୍ରଭାତ ପାଣିଗ୍ରାହୀ, ନୀଳକଣ୍ଠ ଦାସ ପ୍ରମୁଖ ବହୁ ରାଜନେତା ଓ ସାମାଜିକ କର୍ମୀ ଉପସ୍ଥିତ ଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.