Breaking News

ବିଧାନସଭାରେ ଉଠିଲା ‘ଦରମା ଓ ପେନସନ୍ ବୃଦ୍ଧି’ ପ୍ରସଙ୍ଗ । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି ନେଇ ବିଜେଡି,ବିଜେପି ଓ କଂଗ୍ରେସ ବିଧାୟକଙ୍କ ଗୋଟିଏ ସ୍ୱର ।

ବିଧାନସଭା ଶୂନ୍ୟକାଳରେ ଉଠିଲା ବିଧାୟକମାନଙ୍କର ଦରମା ଓ ପୂର୍ବତନ ବିଧାୟକମାନଙ୍କର ପେନସନ୍ ବୃଦ୍ଧି ପ୍ରସଙ୍ଗ । ଏଥିସହ ବିଧାୟକମାନଙ୍କର ପାଣ୍ଠିକୁ ମଧ୍ୟ ୩ରୁ ୫ କୋଟିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଧାୟକ ।

କନକ ବ୍ୟୁରୋ: ବିଧାନସଭା ଶୂନ୍ୟକାଳରେ ଉଠିଲା ବିଧାୟକମାନଙ୍କର ଦରମା ଓ ପୂର୍ବତନ ବିଧାୟକମାନଙ୍କର ପେନସନ୍ ବୃଦ୍ଧି ପ୍ରସଙ୍ଗ । ଏଥିସହ ବିଧାୟକମାନଙ୍କର ପାଣ୍ଠିକୁ ମଧ୍ୟ ୩ରୁ ୫ କୋଟିକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି ବିଧାୟକ ।

ମଙ୍ଗଳବାର ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଥିଲେ ଯେ, ବଜାର ଦରଦାମ ସହ ସ୍ୱାସ୍ଥ୍ୟ ଖର୍ଚ୍ଚ କେତେ ହେଉଛି ଅନୁଭବ କରିପାରୁଥିବେ, ତେଣୁ ପୂର୍ବତନ ବିଧାୟକମାନଙ୍କ ପେନସନ ବୃଦ୍ଧି କରାଯାଉ । ଏଥିପାଇଁ ପୂର୍ବରୁ ଏକ କମିଟି ମଧ୍ୟ ହୋଇଥିଲା, ତେଣୁ ପେନସନ ସହ ବିଧାୟକମାନଙ୍କର ଦରମା ବଢ଼ାଇବାକୁ ଦାବି କରିଥିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ସୂଚନା ଦେଇ ସେ କହିଥିଲେ ଯେ, ଓଡ଼ିଶା ବିଧାୟକ ମାନଙ୍କ ଦରମା କ୍ଷେତ୍ରରେ ଦେଶରେ ୨୭ ନମ୍ବର ସ୍ଥାନରେ ଅଛି । ଏ ସମ୍ପର୍କରେ ଯଦି ନୂଆ କମିଟି ଆବଶ୍ୟକ, ତେବେ ବାଚସ୍ପତି ନୂଆ କମିଟି କରି ଦରମା ଓ ପେନସନ ବୃଦ୍ଧି କରନ୍ତୁ । ଏଥିସହ ବିଧାୟକମାନଙ୍କ ଦରମା ୨ ଲକ୍ଷ ୫୦ ହଜାର ଏବଂ ପୂର୍ବତନ ବିଧାୟକ ମାନଙ୍କ ପେନସନ ୭୦ ହଜାର କରାଯାଉ ବୋଲି ପୂର୍ବରୁ କମିଟି ସୁପାରିଶ କରିଥିବା କହିଥିଲେ ପ୍ରମିଳା ମଲ୍ଲିକ ।

ସେପଟେ ବିରୋଧୀ ଦଳ ଉପ-ମୁଖ୍ୟ ସଚେତକ ଥିବା ପ୍ରତାପ ଦେବ ମଧ୍ୟ ସେହି ସମାନ ଢଙ୍ଗରେ କହିଥିଲେ ଯେ, ବିଧାୟକ ଉନ୍ନୟନ ପାଣ୍ଠି ୩ କୋଟି ଟଙ୍କା ଦିଆଯାଉଛି କିନ୍ତୁ ୩ କୋଟି ଟଙ୍କା ଯଥେଷ୍ଟ ନୁହେଁ, ଏମଏଲଏ ପାଣ୍ଠିକୁ ୫ କୋଟି ଟଙ୍କା କରାଯାଉ ବୋଲି ସେ ଦାବି କରିଥିଲେ । ଯେଉଁ ଦାବିକୁ ସମର୍ଥନ ଦେଇ ବଳ ଦେଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

କଂଗ୍ରେସ ବିଧାୟକ ତାରା ବାହିନୀପତି କହିଥିଲେ ଯେ, ଆଇଏଏସ ଅଫିସରଙ୍କର କୌଣସି ଅସୁବିଧା ନାହିଁ । ସେମାନେ ଅବସର ପରେ ବି କୋଠା ଘରେ ରହୁଛନ୍ତି , କିନ୍ତୁ ବିଧାୟକ ମାନଙ୍କର ହୃଦୟ ନିର୍ମଳ, ପ୍ୟାକେଟ ଖାଲି । ନିର୍ବାଚନ ମଣ୍ଡଳୀରେ ଲୋକମାନେ ବିଭିନ୍ନ ଉନ୍ନୟନମୂଳକ କାମ ପାଇଁ ବିଧାୟକ ମାନଙ୍କୁ ଦାବି ଜଣାଉଛନ୍ତି । ତେଣୁ ଏମଏଲଏ ପାଣ୍ଠିକୁ ବୃଦ୍ଧି କରି ୫ କୋଟି କରାଯାଉ ବୋଲି ଦାବି କରିଥିଲେ ତାରା । ଏଥିସହ ସାମ୍ବାଦିକମାନଙ୍କ ସ୍ୱାସ୍ଥ୍ୟ ବୀମା ମଧ୍ୟ ୨୦ ଲକ୍ଷକୁ ବୃଦ୍ଧି କରାଯାଉ ବୋଲି ତାରା ଦାବି କରିଥିଲେ । ତେବେ ବିଜେଡି ଆଉ କଂଗ୍ରେସ ବିଧାୟକଙ୍କ ଏହି ଦାବିକୁ କିଛି ବିଜେପି ବିଧାୟକ ମଧ୍ୟ ସମର୍ଥନ ଜଣାଇଥିଲେ ।

ବିଜେପି ବିଧାୟକ ଭାସ୍କର ମଢେଇଙ୍କ ସହ ସନାତନ ବିଜୁଳି ମଧ୍ୟ ଏହାକୁ ସମର୍ଥନ ଦେଇଥିଲେ । ସନାତନ ବିଜୁଳି କହିଥିଲେ ଯେ, ବିଧାୟକମାନଙ୍କ ଆନୁଷଙ୍ଗିକ ଖର୍ଚ୍ଚ ଅନୁସାରେ ଦରମା ବହୁତ କମ । ତେଣୁ କମିଟି ସୁପାରିଶ ଅନୁସାରେ ବିଧାୟକ ମାନଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରାଯାଉ । ଶେଷରେ ଏହା ଉପରେ ପ୍ରତିକ୍ରିୟା ଦେଇ ବାଚସ୍ପତି ସୁରମା ପାଢୀ କହିଥିଲେ ଯେ, ବିଧାୟକ ମାନେ ଉଠାଇଥିବା ଦାବିରେ ସମସ୍ତଙ୍କ ସହମତି ରହିବା ଭଳି ପ୍ରତୀୟମାନ ହେଉଛି । ତେଣୁ ବିଧାୟକମାନଙ୍କ ଦରମା, ପୂର୍ବତନ ବିଧାୟକମାନଙ୍କ ପେନସନ ଓ ଏମଏଲଏ ପାଣ୍ଠି ବୃଦ୍ଧି ଦାବି ସମୟର ଆବଶ୍ୟକତା ଅଛି । ତେଣୁ ନିଶ୍ଚିତ ଭାବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏହି ପ୍ରସଙ୍ଗ ରାଜ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବେ ଏବଂ ବାଚସ୍ପତି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଥିଲେ ବାଚସ୍ପତି ।
ସୌଜନ୍ୟ-କନକ

Comments are closed.