Breaking News

ବିଧାୟକଙ୍କୁ ଶିକ୍ଷୟିତ୍ରୀଙ୍କ ଅଜବ ଉତ୍ତର: ଝାଡ଼ୁ ନଥିବାରୁ ସଫେଇ ହେଉନି ବିଦ୍ୟାଳୟ

ଶିକ୍ଷୟିତ୍ରୀ କହିଥିଲେ, ଝାଡ଼ୁ କିଣିବାକୁ ଅର୍ଥ ନଥିବାରୁ ବିଦ୍ୟାଳୟ ସଫେଇ ହୋଇପାରୁନି। ସରକାରଙ୍କ ପକ୍ଷରୁ ପାଣ୍ଠି ଆସିଲେ ଝାଡୁ କିଣାଯିବ ଓ ସଫେଇ ହେବ। ବନ୍ଧମୁଣ୍ଡା ତିଲକାନଗରସ୍ଥ ଆଚାର୍ଯ୍ୟ ହରିହର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କ ଏଭଳି ଉତ୍ତର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ରାଉରକେଲା: ଶିକ୍ଷକଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ପରିଚାଳନାକୁ ନେଇ କେତେ ବେପରୁଆ ତାହା ଜଣାପଡ଼ିଛି ରଘୁନାଥପାଲି ବିଧାୟକ ଦୁର୍ଗା ତନ୍ତୀଙ୍କ ସ୍କୁଲ୍‌ ପରିଦର୍ଶନବେଳେ। ଜଣେ ଶିକ୍ଷୟିତ୍ରୀ କହିଥିଲେ, ଝାଡ଼ୁ କିଣିବାକୁ ଅର୍ଥ ନଥିବାରୁ ବିଦ୍ୟାଳୟ ସଫେଇ ହୋଇପାରୁନି। ସରକାରଙ୍କ ପକ୍ଷରୁ ପାଣ୍ଠି ଆସିଲେ ଝାଡୁ କିଣାଯିବ ଓ ସଫେଇ ହେବ। ବନ୍ଧମୁଣ୍ଡା ତିଲକାନଗରସ୍ଥ ଆଚାର୍ଯ୍ୟ ହରିହର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟତ୍ରୀଙ୍କ ଏଭଳି ଉତ୍ତର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ନିଜ ନିର୍ବାଚନମଣ୍ଡଳୀର ସରକାରୀ ବିଦ୍ୟାଳୟଗୁଡ଼ିକ କେମିତି ଚାଲିଛି ପରଖିବାକୁ ପରିଦର୍ଶନ କରିଥିଲେ।

ବିଧାୟକ ଶ୍ରୀ ତନ୍ତୀ ତିଲକାନଗରସ୍ଥ ଆଚାର୍ଯ୍ୟ ହରିହର ସରକାରୀ ଉଚ୍ଚବିଦ୍ୟାଳୟ ପରିଦର୍ଶନବେଳେ ଅବ୍ୟବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ଜଣେ ଶିକ୍ଷୟିତ୍ରୀଙ୍କୁ ବିଦ୍ୟାଳୟର ସମସ୍ୟାଗୁଡ଼ିକ ସମ୍ପର୍କରେ ପଚାରି ବୁଝିଥିଲେ। ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ପଡ଼ି ରହିଥିବା ଅଳିଆ ଆବର୍ଜନାକୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ। କେବଳ ଏତିକି ନୁହେଁ ବିଦ୍ୟାଳୟର କାର୍ଯ୍ୟାଳୟ, ଶ୍ରେଣୀଗୃହରେ ଆସବାବପତ୍ର ଏଣେତେଣେ ପଡ଼ିଥିବା ବିଧାୟକ ଦେଖିଥିଲେ। ନିଜ ଅନୁଷ୍ଠାନ ପ୍ରତି ଯତ୍ନବାନ ହେବାକୁ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ତାଗିଦ କରିଥିଲେ।

କେବଳ ତିଲକାନଗର ସରକାରୀ ବିଦ୍ୟାଳୟ ନୁହେଁ, ରାଉରକେଲା ଓ ସୁନ୍ଦରଗଡ଼ର ଅନେକ ସରକାରୀ ବିଦ୍ୟାଳୟର ସ୍ଥିତି ଏମିତି। ତଦାରଖ ଦାୟିତ୍ବରେ ଥିବା ଅଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କ ଅବହେଳାରୁ ଅଧିକାଂଶ ସରକାରୀ ବିଦ୍ୟାଳୟରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି। କେଉଁଠି ମାସମାସ ଧରି ବିଦ୍ୟାଳୟ ଗୃହ ଓ ପରିସର ସଫେଇ ହେଉନି ତ ଅନ୍ୟ କେଉଁଠି ଆସବାବପତ୍ର ଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ପଡ଼ି ଖତ ଖାଉଥିବା ଅଭିଯୋଗ ହେଉଛି।

ସୌଜନ୍ୟ – ସମ୍ବାଦ

 

Comments are closed.