Breaking News

ବିପଦରେ ଇଣ୍ଡି ମେଣ୍ଟ ଭବିଷ୍ୟତ: ଟିଏମ୍‌ସି-ଆପ୍‌-କଂଗ୍ରେସ-ସପା ବିବାଦ ତେଜିଲା

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍)ର ପରାଜୟ ଇଣ୍ଡି ମେଣ୍ଟରେ କମ୍ପନ ସୃଷ୍ଟି କରିଛି। ଦଳର ପ୍ରମୁଖ ସହଯୋଗୀମାନେ ପରସ୍ପର ବିରୋଧରେ ବୟାନ ଦେଉଥିବା ବେଳେ ଟିଏମ୍‌ସି ଓ ସମାଜବାଦୀ ପାର୍ଟି କଂ‌ଗ୍ରେସ ଉପରେ ଦୋଷାରୋପ କରୁଛନ୍ତି।

କୋଲକାତା:  ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦ୍‌ମୀ ପାର୍ଟି (ଆପ୍)ର ପରାଜୟ ଇଣ୍ଡି ମେଣ୍ଟରେ କମ୍ପନ ସୃଷ୍ଟି କରିଛି। ଦଳର ପ୍ରମୁଖ ସହଯୋଗୀମାନେ ପରସ୍ପର ବିରୋଧରେ ବୟାନ ଦେଉଥିବା ବେଳେ ଟିଏମ୍‌ସି ଓ ସମାଜବାଦୀ ପାର୍ଟି କଂ‌ଗ୍ରେସ ଉପରେ ଦୋଷାରୋପ କରୁଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଆପ୍‌ ଓ କଂଗ୍ରେସ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି। ଏଭଳି ସ୍ଥିତିରେ ଇଣ୍ଡି ମେଣ୍ଟ ଏବେ ପତନ ମୁହାଁ ହୋଇଛି ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଲୋକସଭା ନିର୍ବାଚନରେ ଏକାଠି ଲଢ଼ିଥିବା ବିରୋଧୀ ମେଣ୍ଟ ଏବେ ପରସ୍ପର ବିରୋଧରେ ଲଢ଼ୁଥିବାରୁ ଏହା ଶେଷ ହେବାର ସଙ୍କେତ ମିଳିସାରିଛି ବୋଲି ମଧ୍ୟ କୁହାଯାଉଛି।

ଦିଲ୍ଲୀରେ ଆପ୍‌ର ପରାଜୟ ନେଇ କଂଗ୍ରେସ ନେତାମାନେ ଖୁସି ଜାହିର କରୁଥିବା ଦେଖିବାକୁ ମିଳିବା ପରେ ସପା ନେତା ଅଖିଳେଶ ଯାଦବ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ  ଦିଲ୍ଲୀ ନିର୍ବାଚନ ନେଇ ପ୍ରତିକ୍ରିୟା ପ୍ରକାଶ କରି ଟିଏମ୍‌ସି ସାଂସଦ ସୌଗତ ରାୟ କହିଛନ୍ତି, ସେମାନଙ୍କ ଦଳ   ଆପ୍‌କୁ ସମର୍ଥନ କରିଥିଲା କିନ୍ତୁ  ସେମାନଙ୍କ (ଆପ୍) ବିରୋଧରେ ଜନଅସନ୍ତୋଷ ରହିଥିବାରୁ ନିର୍ବାଚନରେ ପରାଜୟ ହେଲା। ସେ କହିଛନ୍ତି ଯେ ମଦ ଦୁର୍ନୀତି ଜାତୀୟ ରାଜଧାନୀରେ ଏଥର ଆପ୍‌କୁ ପରାଜିତ  କରିଛି।  ବିଜେପି କଠିନ ପରିଶ୍ରମ କରି ବିଜୟୀ ହୋଇଛି, ଏବେ ସେମାନେ ଦେଶରେ ଅଧିକ ଆକ୍ରମଣାତ୍ମକ ହୋଇ ନିଜ ଏଜେଣ୍ଡାକୁ ଆଗକୁ ନେବେ ବୋଲି ରାୟ ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ନିର୍ବାଚନରେ ଇଣ୍ଡି ମେଣ୍ଟ ଏକାଠି ହେବ କି ବୋଲି ପଚରାଯିବାରୁ ରାୟ କହିଛନ୍ତି ଯେ ପଶ୍ଚିମବଙ୍ଗ ଦିଲ୍ଲୀ ଭଳି ନୁହେଁ ଏବଂ ଏଠାରେ   ଟିଏମ୍‌ସିର ପ୍ରବଳ ପ୍ରଭାବ ରହିଛି । ରାଜ୍ୟରେ ଟିଏମ୍‌ସି ଏକାକୀ ଲଢ଼ିବ ବୋଲି ରାୟ ସ୍ପଷ୍ଟ କରିଦେଇଛନ୍ତି।

ଗତକାଲି ଇଣ୍ଡି ମେଣ୍ଟର ଅନ୍ୟତମ ସହଯୋଗ ଦଳ ନ୍ୟାସ୍‌ନାଲ କନ୍‌ଫରେନ୍ସ(ଏନ୍‌ସି) ନେତା ତଥା  ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା   କହିଥିଲେ   ମେଣ୍ଟରେ ଆଭ୍ୟନ୍ତରୀଣ କଳହ କାରଣରୁ ଜଟିଳ ସ୍ଥିତି ସୃଷ୍ଟି ହୋଇଛି । ଦିଲ୍ଲୀ ନିର୍ବାଚନ ପରିଣାମ ଉପରେ କଟାକ୍ଷ କରି ସେ କହିଥିଲେ, ‘ଏବେ ପରସ୍ପର ବିରୋଧରେ ଆହୁରି ଲଢ଼ ।’ ଦିଲ୍ଲୀ ନିର୍ବାଚନରେ ଆପ୍  ମାତ୍ର ୨୨ଟି ଆସନ ରେ ବିଜୟୀ ହୋଇଥିବା ବେଳେ ବିଜେପି ୨୭ ବର୍ଷ ପରେ ୪୮ଟି ଆସନ ଜିତି ଚମତ୍କାର ପ୍ରଦର୍ଶନ କରିଛି। ଅନ୍ୟପକ୍ଷରେ କଂଗ୍ରେସ ଖାତା ଖୋଲିବାକୁ ସମର୍ଥ ହୋଇନାହିଁ। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନେକ ହେଭିୱେଟ୍‌ ସେମାନଙ୍କ ଆସନ ହରାଇଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.