Breaking News

ବିବାଦରେ ଆର୍‌ ଆଣ୍ଡ୍‌ ବି ଡିଭିଜନ୍‌: ୱାଟ୍‌କୋ ଚିଠି କିଏ ଚାପିଥିଲା?

ରସୁଲଗଡ଼ରୁ ଜିଜିପି କଲୋନି ଦେଇ ହାଇଟେକ୍‌ ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ ନେଇ ପୁଣି ଥରେ ବିବାଦକୁ ଆସିଛି ରାସ୍ତା ଓ କୋଠାବାଡ଼ି ବିଭାଜନ-୧ (ଆର୍‌ ଆଣ୍ଡ ବି ଡିଭିଜନ-୧)। ମ୍ୟାନ୍‌ହୋଲ୍‌ ଉଚ୍ଚା କରିବା ପାଇଁ ୱାଟ୍‌କୋ...

ଭୁବନେଶ୍ୱର: ରସୁଲଗଡ଼ରୁ ଜିଜିପି କଲୋନି ଦେଇ ହାଇଟେକ୍‌ ପର୍ଯ୍ୟନ୍ତ ଯାଉଥିବା ରାସ୍ତାକୁ ନେଇ ପୁଣି ଥରେ ବିବାଦକୁ ଆସିଛି ରାସ୍ତା ଓ କୋଠାବାଡ଼ି ବିଭାଜନ-୧ (ଆର୍‌ ଆଣ୍ଡ ବି ଡିଭିଜନ-୧)। ମ୍ୟାନ୍‌ହୋଲ୍‌ ଉଚ୍ଚା କରିବା ପାଇଁ ୱାଟ୍‌କୋ ଆର୍‌ ଆଣ୍ଡ୍‌ ବିକୁ ଖର୍ଚ୍ଚ ଅଟକଳ ପଠାଇଥିଲେ ମଧ୍ୟ ଚିଠିକୁ ଚାପି ଦେଇଥିଲେ ଅଧିକାରୀ। ଅର୍ଥ ପୈଠ ନକରି କାମ ଆରମ୍ଭ କରି ଦେଇଥିଲେ। ମ୍ୟାନ୍‌ହୋଲ୍‌କୁ ପୋତି ଦେଇଥିଲେ। ରାତି ଅଧିଆ ଦ୍ରୁତଗତିରେ କାମ ଚାଲିଥିଲା। ଏ ନେଇ ଖବର ପ୍ରକାଶ ପାଇବା ପରେ ଏହି କାମ ବନ୍ଦ କରିଦିଆଯାଇଛି। କିନ୍ତୁ ଏହି ଚିଠିକୁ କିଏ ଚାପିଥିଲା? ମ୍ୟାନ୍‌ ହୋଲ୍‌ ଉଚ୍ଚା ନକରି କାହିଁକି କାମ ତରବରିଆ ଭାବରେ କରାଯାଉଥିଲା? ବାସ୍ତବରେ କାମ ସାରିବା ପାଇଁ ଧାର୍ଯ୍ୟ ଅବଧୀ ଗଡ଼ି ଯାଇଛି। ସମୟ ବଢ଼ାଇବା(ଇଓଟି) ପାଇଁ ସ୍ବୀକୃତି ମିଳିନି। ଏଣୁ ପିସି କମିଯିବା ଭୟରେ ପିଛିଲା ତାରିଖ ଦେଖାଇ କାମ ତୁରନ୍ତ ସାରିଦେବାକୁ ଯୋଜନା ହୋଇଥିବା ଜଣାପଡ଼ିଛି। ‌ତେବେ ଖବର ପ୍ରକା‌ଶ ପାଇବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ହେବା ଥୟ ହୋଇଛି।

ରସୁଲଗଡ଼ରୁ ଜିଜିପି କଲୋନି ଦେଇ ହାଇଟେକ୍‌ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପୁନରୁଦ୍ଧାର ପାଇଁ ପୂର୍ତ୍ତ ବିଭାଗ ଅଧୀନରେ ଥିବା ଭୁବନେଶ୍ବର ଆର୍‌ ଆଣ୍ଡ ବି (ବିଭାଜନ-୧) ୨୦୨୩ ମସିହାରେ ଠିକା ଦେଇଥିଲା। ଖର୍ଚ୍ଚ ଅଟକଳ ୨କୋଟି ୯୨ ଲକ୍ଷ ଥିବା ବେଳେ ଡିସେମ୍ବର ୨୦୨୪ ସୁଦ୍ଧା କାମ ସାରିବାକୁ ଟେଣ୍ଡର ସର୍ତ୍ତରେ ଉଲ୍ଲେଖ ଥିଲା। କିନ୍ତୁ ଅବଧୀ ସରିଗଲା ସିନା କାମ ଆରମ୍ଭ ହେଲାନି। ଏହି ରାସ୍ତାରେ ଥିବା ମ୍ୟାନ୍‌‌ହୋଲ୍‌ ଉଚ୍ଚା କରିବା ପାଇଁ ଆର୍‌ ଆଣ୍ଡ୍‌ ବି ୱାଟ୍‌କୋକୁ ଚିଠି ଲେଖିଥିଲା। ୱାଟ୍‌କୋ ମ୍ୟାନ୍‌ହୋଲ୍‌ ସଂଖ୍ୟା ଆଧାରରେ ଖର୍ଚ୍ଚ ବାବଦକୁ ୪୦ଲକ୍ଷ ୧୧ ହଜାର ୬୭ ଟଙ୍କା ଜମା କରିବାକୁ ଆର୍‌ ଆଣ୍ଡ୍‌ ବିକୁ ଚିଠି ଲେଖିଥିଲା। କିନ୍ତୁ ଏହି ଅର୍ଥ ଜମା ହୋଇ ନଥିବା ବେଳେ ଠିକାଦାର କାମ ଆରମ୍ଭ କରିଦେଇଥିଲା। ୱାଟ୍‌କୋ ଚିଠିକୁ ଚାପି ଦେଇ ତରବରିଆ ଭାବରେ କାମ ଚାଲିଥିଲା। ଖବର ପ୍ରକାଶ ପାଇବା ପରେ କାମ ବନ୍ଦ କରାଯାଇଛି। ୱାଟ୍‌କୋ ଚିଠି ଖୋଜି ଧାର୍ଯ୍ୟଦେୟ ଜମା କରିବାକୁ ଯୋଜନା ହେଉଛି।

ଟଙ୍କା ନଦେଇ କାମ ଆରମ୍ଭ କରିଥିଲେ, ଖବର ପ୍ରକାଶ ପରେ କାମ ବନ୍ଦ

ତେବେ ଏଭଳି ସାହସ କିଏ ଓ କାହିଁକି କରିଥିଲା? ସେ ନେଇ ତନାଘନା ହେଉଛି। ଏହି ସେକ୍ସନ ଦାୟିତ୍ବରେ କନିଷ୍ଠ ଯନ୍ତ୍ରୀ ସମ୍ବିତ ମହାନ୍ତି ରହିଛନ୍ତି। ତାଙ୍କର ବଦଳି ହୋଇଥିଲେ ମଧ୍ୟ ସେ ଯାଉନାହାନ୍ତି। ଦେଢ଼ବର୍ଷ କାଳ ଏହି କାମ ପଡ଼ିରହିଲେ ମଧ୍ୟ କାମ ଆରମ୍ଭ ନେଇ କୌଣସି ତତ୍ପରତା ପ୍ରକାଶ ପାଇନଥିଲା। ରାତିଅଧିଆ କାମ ଚାଲିଥିଲେ ମଧ୍ୟ ଯନ୍ତ୍ରୀ କୌଣସି ଦିନ ଘଟଣାସ୍ଥଳକୁ ଯାଇନଥିଲେ କିମ୍ବା କାମ ବନ୍ଦ କରିନଥିଲେ। ବରଂ ୫ଟି ମ୍ୟାନ୍‌ହୋଲ୍‌କୁ ପିଚୁ ପକାଇ ଠିକାଦାର ପୋତି ଦେଇଥିଲେ ମଧ୍ୟ ଏ ନେଇ ଶ୍ରୀ ମହାନ୍ତି ଡିଭିଜନ୍‌ କାର୍ଯ୍ୟାଳୟକୁ ଜଣାଇ ନଥିଲେ। ତନାଘନା ବେଳେ ଏଭଳି ଘଟଣା ପଦାକୁ ଆସିଛି। ଯନ୍ତ୍ରୀଙ୍କ ଉପରେ ସବୁ ଦୋଷ ଠେଲି ଦିଆଯାଇଥିଲେ ମଧ୍ୟ କାହା ସାହସରେ ସେ ଏଭଳି କରିଥିଲେ ବୋଲି ପ୍ରଶ୍ନ ଉଠିଛି। ଅର୍ଥାତ୍‌ ଡିଭିଜନ୍‌ ଅଫିସ୍‌ରେ ମଧ୍ୟ ତାଙ୍କୁ ସାହସ ଯୋଗାଉଥିବା ବା ଘଣ୍ଟ ଘୋଡ଼ାଉଥିବା ଅଧିକାରୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି।

ତେବେ ଏ ନେଇ ଆର୍‌ ଆଣ୍ଡ୍‌ ବି ବିଭାଜନ-୧ ଅଧୀକ୍ଷଣ ଯନ୍ତ୍ରୀ ପ୍ରଭୁଦତ୍ତ ପ୍ରଧାନ କହିଛନ୍ତି, ରାସ୍ତା ନିର୍ମା‌ଣ ସାରିବାର ଅବଧି ଶେଷ ହେବା ପରେ ଠିକାଦାର କାମ ଆରମ୍ଭ କରିଥିଲା। ତାକୁ ଆମେ ବନ୍ଦ କରିଛୁ। ଆଇନ ଅନୁସାରେ ଆମେ କାର୍ଯ୍ୟାନୁଷ୍ଠାନ ନେବୁ। ମ୍ୟାନ୍‌ହୋଲ୍‌ ଉଚ୍ଚା କରିବା ପାଇଁ ୱାଟ୍‌କୋ ଦେଇଥିବା ଅଟକଳ ଅର୍ଥ କିଭଳି  ପୈଠ ହୋଇପାରିବ ସେ ନେଇ ଉଦ୍ୟମ ହେଉଛି ବୋଲି କହିଛନ୍ତି। ବଦଳି ପରେ ବି ମାସମାସ ଧରି କନିଷ୍ଠ ଯନ୍ତ୍ରୀ କାହିଁକି ଅଛନ୍ତି ସେ ନେଇ ସେ କିଛି କହିବାକୁ ଚାହିନାହାନ୍ତି।

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.