Breaking News

ବିବାଦରେ ଛନ୍ଦିହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ ବାବୁଲ ସୁପ୍ରିଓ ଓ ବିଜେପି ସାଂସଦ ଅଭିଜିତ ଗାଙ୍ଗୁଲି, ରୋଡ ରେଜକୁ ନେଇ ରାସ୍ତା ମଝିରେ କଲେ ଯୁକ୍ତିତର୍କ

ନୂଆଦିଲ୍ଲୀ: କୋଲକାତାର ଆଇକନିକ ହୁଗଲି ବ୍ରିଜରେ ଶୁକ୍ରବାର ରାତିରେ ଏକ ରୋଚକ ଘଟଣା ଘଟିଛି। ଏହି ବ୍ରିଜ ଉପରେ ହୋଇଥିବା ଏକ ସାମାନ୍ୟ ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇଯାଇଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ବାବୁଲ ସୁପ୍ରିଓ ଓ ବିଜେପି ସାଂସଦ ଅଭିଜିତ ଗାଙ୍ଗୁଲି। ସୁପ୍ରିଓ ହାଓଡାରେ ଥିବା ନିଜ ବାସଭବନକୁ ଫେରୁଥିବା ସମୟରେ ଏହି ଘଟଣା ଘଟିଥିଲା। ତାଙ୍କ ପଛରେ ଆସୁଥିବା କାର କ୍ରମାଗତ ଭାବେ ହର୍ଣ୍ଣ ମାରିବାରୁ ସୁପ୍ରିଓ ଏଥିରେ ଉତ୍ତକ୍ଷିପ୍ତ ହୋଇ ରାସ୍ତା ମଝିରେ ଗଡ଼ି ଅଟକାଇ ଝଗଡା କରିବା ଆରମ୍ଭ କରିଥିଲେ। ଯାହାକୁ ନେଇ ବର୍ତ୍ତମାନ ପଶ୍ଚିମବଙ୍ଗରେ ଏକ ରାଜନୈତିକ ବିବାଦ ତେଜିବା ଆରମ୍ଭ ହୋଇଗଲାଣି।

ମିଳିଥିବା ଖବର ମୁତାବକ, ଏହି ରୋଡ ରେଜରେ ଉତ୍ତକ୍ଷିପ୍ତ ହୋଇ ବାବୁଲ ସୁପ୍ରିଓ ତାଙ୍କ ଗାଡିକୁ ରାସ୍ତା ମଝିରେ ଅଟକାଇ ତାଙ୍କ ପଛରେ ଥିବା କାର ନିକଟକୁ ଯାଇ ତ୍ରୁଟିପୂର୍ଣ୍ଣ ଡ୍ରାଇଭିଂ ଉପରେ ସ୍ପଷ୍ଟୀକରଣ ମାଗିଥିଲେ। ତେବେ ଉକ୍ତ କାରଟି ବିଜେପି ସାଂସଦ ଅଭିଜିତ ଗାଙ୍ଗୁଲିଙ୍କର ହୋଇଥିବା ବେଳେ ସେ ମଧ୍ୟ ଗାଡିର ପଛସିଟରେ ବସିଥିବା ସେ ଜାଣିବାକୁ ପାଇଥିଲେ।

ଏହାପରେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବାକବିତଣ୍ଡା ଆରମ୍ଭ ହୋଇଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ କହିଛନ୍ତି ଯେ ଏହି ବିପଜ୍ଜନକ ଡ୍ରାଇଭିଂ ପାଇଁ ସୁପ୍ରିଓ ଓ ଅଭିଜିତଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଘଟଣା ରାସ୍ତାରେ ଯିବାଆସିବା କରୁଥିବା ଲୋକ ମାନଙ୍କ ପାଇଁ ଏକ ଖୋରାକ ହେବା ସହ ଏହି ଝଗଡା ଦେଖିବା ପାଇଁ ଲୋକମାନେ ଅଭିଜିତ ଗାଙ୍ଗୁଲିଙ୍କ ଗାଡି ନିକଟରେ ଜମାହେବା ଆରମ୍ଭ କରିଦେଇଥିଲେ।

ବିବାଦ ମଧ୍ୟରେ ସୁପ୍ରିଓ ଗାଙ୍ଗୁଲିଙ୍କୁ ଅଶାଳୀନ ଭାଷା ବ୍ୟବହାର କରିବା ପରେ ବିବାଦ ଘନେଇଥିଲା। ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି କହିବା ସହିତ ସୁପ୍ରିଓ ଗାଙ୍ଗୁଲିଙ୍କଠୁ ଏକ ଆନୁଷ୍ଠାନିକ କ୍ଷମାପ୍ରାର୍ଥନା ଆଶା କରିଥିଲେ। ସୁପ୍ରିଓ ଏହି ମାମଲାକୁ ଆଧିକାରିକ ସ୍ତରକୁ ନେବେ ବୋଲି କହିବା ପରେ ମଧ୍ୟ ଗାଙ୍ଗୁଲି ଏନେଇ ଚୁପ୍ ରହିଥିଲେ।

ନିକଟରେ କାର୍ଯ୍ୟରତ ଥିବା ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଅଟକାଇଥିଲେ। ଏହି ଘଟଣାକୁ ନେଇ ବ୍ରିଜ ଉପରେ ଅସମ୍ଭାଳ ଭିଡ଼ ବଢିବା ଯୋଗୁଁ ଟ୍ରାଫିକ ସମସ୍ୟା ପରିଲକ୍ଷିତ ହୋଇଥିଲା। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ହଟାଇବା ସହ ଟ୍ରାଫିକକୁ ନିୟନ୍ତ୍ରଣ କରିଥିଲା।

 

 

 

 

ସୌଜନ୍ୟ-ପ୍ରମେୟ

Comments are closed.