Breaking News

ବିବାହ ଋତୁ ପାଇଁ ଫୁଲ ଅମୂଲ ମୂଲ, ଗୋଲାପ ଫୁଲ ଗୋଟା ୩୦ ରୁ ୪୦

ଭୁବନେଶ୍ବର,୩୦/୧୧: ଚାଲିଛି ବିବାହ ଋତୁ ।ଆଉ ଏଥିପାଇଁ ଚଳଚଞ୍ଚଳ ହୋଇଯାଇଛି ଫୁଲ ବଜାର । କିଏ ବାହାଘର ମଣ୍ଡପ ସଜେଇବା ପାଇଁ ଫୁଲର ବରାଦି ଦେଲେଣି ତ ଆଉ କିଏ ଗାଡ଼ି ସଜେଇଇବା ପାଇଁ । ତେବେ ବର୍ତ୍ତମାନ ଫୁଲର ଚାହିଦା ବେଶ ଥିବା ବେଳେ ବୃଦ୍ଧି ପାଇଛି ଏହାର ମୂଲ୍ୟ । ଚାହିଦା ଅନୁଯାୟୀ ବଜାରରେ ଉପଲବ୍ଧ ଫୁଲରେ ଆବଶ୍ୟକତା ମେଣ୍ଟି ପାରିନଥାଏ । ଫଳରେ ଏହି ସମୟରେ ଫୁଲ ମୂଲ୍ୟ ପୂର୍ବ ତୁଳନାରେ ମହଙ୍ଗା ରହିଥାଏ । ସେଥିପାଇଁ ଯେଉଁ ଗୋଲାପ ଗୋଟିଏର ମୂଲ୍ୟ ମାସକ ପୂର୍ବେ ୧୫ ଟଙ୍କା ଥିଲା ବର୍ତ୍ତମାନ ତାହା ୩୦ରୁ ୪୦ ଟଙ୍କା ହୋଇଯାଇଛି । ଶୀତଋତୁ ଥିବାରୁ ଭଳିକି ଭଳି ଫୁଲର ସମ୍ଭାରରେ ଫୁଲ ଦୋକାନ ପୂରିଉଠିଛି ।

ବାହାଘରରେ ମୁଣ୍ଡରେ ଖୋସାକୁ ସୁନ୍ଦର କରିବା ପାଇଁ ବିଭିନ୍ନ ପ୍ରକାର ଫୁଲର ଗଜରା କିଣିବା ପାଇଁ ଭିଡ଼ ଲଗାଉଛନ୍ତି । ଲିଲି ଫୁଲ ଗୋଟିଏର ଦର ୨୦୦ ଟଙ୍କା, ଗୋଲାପ ୩୦ ଟଙ୍କା, ରଙ୍ଗିନ୍‌ ଗୋଲାପ ୪୦ ଟଙ୍କା,କିସାନ୍‌ କିମାମ୍‌ ୭୦ ଟଙ୍କା,ଷ୍ଟାର ଫୁଲ ୨୦ ଟଙ୍କା, ସେବତୀ ୨୦ ଟଙ୍କା , ଛୋଟ ରଜନୀଗନ୍ଧା ଚେନ ୨୦ ଟଙ୍କା, ଜରବେରା ୨୦ ଟଙ୍କା, ଗେଣ୍ଡୁମାଳ ୨୦ ଟଙ୍କା, ଡେଜି ୬୦ ଟଙ୍କା, ଅର୍କିଡ୍‌ ୪୦ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି । ଫୁଲ ତୋଡ଼ା ମଧ୍ୟ ୩୫୦ ଶହରୁ ଆରମ୍ଭ ହୋଇ ୩ ହଜାର ପର୍ଯ୍ୟନ୍ତ ମିଳୁଛି । ଏହି ଫୁଲଗୁଡ଼ିକ ମୁଖ୍ୟତଃ ବଙ୍ଗାଲୁରୁ, କୋଲକାତା, ରାୟପୁର୍‌, ଦିଲ୍ଲୀ, ପୁନେରୁ ଆସୁଥିବାବେଳେ କିଛି ଗୋଲାପ ଓଡ଼ିଶାରୁ ଆସୁଛି । ରାଜଧାନୀର ତମାମ ପ୍ରମୁଖ ଫୁଲ ଦୋକାନ, ସୋ’ ରୁମ, ରାସ୍ତାକଡ଼ର ଫୁଲ ଦୋକାନ ସବୁଠି ଫୁଲ କିଣିବା ଓ ବରାଦ ଦେବା ପାଇଁ ବେଶ୍‌ ଗହଳି ଲାଗୁଛି । ଜାଗମରାରେ ଫୁଲ ବିକୁଥିବା ଦୋକାନୀ ଶୁଭେନ୍ଦୁ କୁହନ୍ତି, ବାହାଘର ଋତୁ ଚାଲିଥିବାରୁ ପ୍ରତ୍ୟେକ ଫୁଲରେ ଅତିକମ୍‌ରେ ୧୦ରୁ ୨୦ ଟଙ୍କା ବଢିଛି । ଗାଡ଼ି ସଜେଇବା ଓ ଫୁଲ ତୋଡ଼ା କିଣିବା ପାଇଁ ଲୋକମାନେ ଅଧିକ ଆସୁଛନ୍ତି । ଚଳିତ ଶୀତଋତୁରେ ନୂଆକରି ଷ୍ଟାର ଫୁଲ ଓ କିସାନ କିମାମ୍‌ ଫୁଲର ବିଭିନ୍ନ କିସମ ଆସିଛି ।

ସୌଜନ୍ୟ-ପ୍ରମେୟ

Comments are closed.