କେହି ନିଭୃତରେ ନିଜର ପସନ୍ଦ ଚରିତାର୍ଥ କରି ଯଦି ଅନ୍ୟ କାହାର କ୍ଷତି ସାଧନ ନକରେ, ତା’ହେଲେ କାହାର କିଛି କହିବାର ନାହିଁ। କିନ୍ତୁ ସମଲିଙ୍ଗୀ ବିବାହ ମାଧ୍ୟମରେ ସାମାଜିକ ସ୍ବୀକୃତି ହାସଲ ଦ୍ବାରା ତାହା ମୁଖ୍ୟ ଧାରାର ଅଂଶରେ ପରିଣତ ହୋଇ ସମାଜର ଯେଉଁ ଘୋର କ୍ଷତି ସାଧନ କରିବ, ନୀତୀନ ଗଡ଼କରୀ ତାହାର ହିଁ ଦୃଢ଼ ବିରୋଧ କରିଛନ୍ତି। ସେଥିପାଇଁ ଭାରତର ସୁପ୍ରିମ୍ କୋର୍ଟ ୨୦୨୩ରେ ସମଲିଙ୍ଗୀ ବିବାହକୁ ଆଇନସମ୍ମତ ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

‘ବିଜେପି’ର ବରିଷ୍ଠ ନେତା ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ତାଙ୍କର ଅସାମାନ୍ୟ କର୍ମଦକ୍ଷତା ପାଇଁ ଯେତିକି ପ୍ରସିଦ୍ଧ, ସମୟ ସମୟରେ ପ୍ରତିକ୍ରିୟାକୁ ଭ୍ରୂକ୍ଷେପ ନକରି କୌଣସି ଏକ ଅସୁବିଧାଜନକ ସତ କଥା କହିଦେବା ପାଇଁ ମଧ୍ୟ ସେତିକି ଜଣାଶୁଣା। ବର୍ତ୍ତମାନ ମୁଖ୍ୟତଃ ପାଶ୍ଚାତ୍ୟ ଦେଶମାନଙ୍କରେ ଜନ୍ମଲାଭ କରି ‘ଓକ୍’ ସଂସ୍କୃତି ରୂପେ ପରିଚିତ ଯେଉଁ ଉଗ୍ର ଉଦାରବାଦ ଭାରତ ସମେତ ଅନ୍ୟ କେତେକ ପ୍ରାଚ୍ୟ ଦେଶମାନଙ୍କରେ ମଧ୍ୟ ଅନୁପ୍ରବେଶ କରି ପ୍ରସାର ଲାଭ କରିବା ଦେଖାଗଲାଣି, ତାହାର ଏକ ମୁଖ୍ୟ ଅଂଶ ହେଉଛି ସମଲିଙ୍ଗୀ ବିବାହ- ପୁରୁଷ ସହିତ ପୁରୁଷର ଓ ନାରୀ ସହିତ ନାରୀର ବିବାହ। ଉଦାରପନ୍ଥୀ ପରିସରରେ ସମଲିଙ୍ଗୀ ବିବାହର ସମର୍ଥକମାନଙ୍କୁ ସଚେତନ ପ୍ରଗତିଶୀଳ ରୂପେ ବିଚାର କରାଯାଉଥିବା ବେଳେ, ଯେଉଁମାନେ ଏହାର ବିରୋଧ କରିଥା’ନ୍ତି, ସେମାନଙ୍କୁ ରକ୍ଷଣଶୀଳ, ପ୍ରଗତି-ବିରୋଧୀ ରୂପେ ପ୍ରଦର୍ଶିତ ଓ ନିନ୍ଦିତ କରାଯାଇଥାଏ। ସଂପ୍ରତି ଏକ ୟୁ-ଟ୍ୟୁବ୍ ପଡ୍‌କାଷ୍ଟରେ ଅଂଶଗ୍ରହଣ କରିବା ଅବସରରେ ତାଙ୍କୁ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଏଭଳି ସମାଲୋଚନାର ସମ୍ମୁଖୀନ ହେବାର ସମ୍ଭାବନା ଥିବା ସତ୍ତ୍ବେ ସମଲିଙ୍ଗୀ ବିବାହକୁ ସିଧାସଳଖ ସମାଜ-ବିରୋଧୀ ବୋଲି ଅଭିହିତ କରି ‘ଲିଭ୍-ଇନ୍ ରିଲେସନ୍‌ସିପ୍’ ପରି ଅନ୍ୟ ଏକ ‘ଓକ୍’ ବିକୃତି ସହିତ ମିଶି ଏହା ସାମାଜିକ ସଂରଚନାକୁ ଧ୍ବଂସ କରିବ ବୋଲି ଗଡ଼କରୀ ସ୍ପଷ୍ଟ ମତ ପ୍ରକାଶ କରି ସଂପୃକ୍ତ ପରିସରରେ ଚହଳ ସୃଷ୍ଟି କରିଛନ୍ତି।
ଏହା ସତ ଯେ ବୈଦିକ ଯୁଗରୁ ନାରୀ-ପୁରୁଷ ମଧ୍ୟରେ ପବିତ୍ର ବିବାହ ବନ୍ଧନ ଭାରତୀୟ ସଭ୍ୟତାର ଏକ ମୂଳାଧାର ରୂପେ କାର୍ଯ୍ୟ କରିଆସିଛି। ସେଇ କାରଣରୁ ଗଡ଼କରୀଙ୍କ ମନ୍ତବ୍ୟ ଏକ ପ୍ରାଚୀନ ରୂଢ଼ିବାଦୀ ଚିନ୍ତାଧାରା ବହନ କରିଥାଏ ବୋଲି ‘ଓକ୍’ ମହଲରେ ଅଭିଯୋଗ କରାଯାଉଛି। କିନ୍ତୁ, ଯଦି ନିଷ୍ପକ୍ଷ ଭାବରେ ବିଚାର କରାଯାଏ, ତେବେ ଗଡ଼କରୀଙ୍କ ଚିନ୍ତାଧାରାରେ ନିହିତ ବଳିଷ୍ଠ ଯୁକ୍ତିକୁ ଖଣ୍ଡନ କରିବା ସମ୍ଭବ ହେବନାହିଁ।
ଯଦି ପ୍ରାକୃତିକ ନିୟମ ଦୃଷ୍ଟିରୁ ବିଚାର କରାଯାଏ, ତେବେ ବିବାହକୁ କେବଳ ଏକ ସାମାଜିକ ଅନୁଷ୍ଠାନ ରୂପେ ବିବେଚନା ନକରି ଏକ ପ୍ରାକୃତିକ ଅନୁଷ୍ଠାନ ରୂପେ ବିବେଚନା କରିବା ଅଧିକ ଯୁକ୍ତିଯୁକ୍ତ ହୋଇଥାଏ। ‘ଟେଲିଓଲୋଜି’ ନାମକ ଦାର୍ଶନିକ ମତବାଦ ଅନୁସାରେ ପ୍ରକୃତିରେ ପ୍ରତ୍ୟେକ କଥାର ଉପସ୍ଥିତି ତାହାର କାରଣମାନଙ୍କ ଦ୍ବାରା ନିରୂପିତ ନହୋଇ ତାହାର ଉଦ୍ଦେଶ୍ୟ ବା ଲକ୍ଷ୍ୟ ଦ୍ବାରା ନିରୂପିତ ହୋଇଥାଏ: ଏକ ବୃକ୍ଷରେ ପରିଣତ ହେବା ଲକ୍ଷ୍ୟ ସାଧନ ନିମିତ୍ତ ମଞ୍ଜିର ଉପସ୍ଥିତି ଘଟିଥାଏ; ଅଧ୍ୟୟନ ଲକ୍ଷ୍ୟ ସାଧନ ନିମିତ୍ତ ଛାତ୍ରର ଉପସ୍ଥିତି ଘଟିଥାଏ; ସମୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ଲକ୍ଷ୍ୟ ସାଧନ ନିମିତ୍ତ ଘଡ଼ିର ଉପସ୍ଥିତି ଘଟିଥାଏ…। ସେଇଭଳି ପ୍ରଜନନ ଲକ୍ଷ୍ୟ ସାଧନ ନିମିତ୍ତ ପ୍ରକୃତି ଦୁଇ ଅନୁପୂରକ ଲିଙ୍ଗଙ୍କୁ ବ୍ୟବହାର କରି ଯେଉଁ ଜୈବିକ ଅନୁଷ୍ଠାନ ସୃଷ୍ଟି କରିଛି, ତାହା ହେଉଛି- ବିବାହ। ନାରୀ-ପୁରୁଷଙ୍କ ମଧ୍ୟରେ ଏହି ଲକ୍ଷ୍ୟ-ପୂରଣକାରୀ ଅନୁପୂରକତ୍ବ କେବଳ ଜୈବିକ ମଧ୍ୟ ନୁହେଁ; ଏହା ମଧ୍ୟ ହେଉଛି ମନସ୍ତାତ୍ତ୍ବିକ ଓ ସମାଜତାତ୍ତ୍ବିକ।
ସମଲିଙ୍ଗୀ ‘ଦଂପତି’ମାନଙ୍କ ଠାରେ ଏ ସମସ୍ତ ପ୍ରକାର ଅନୁପୂରକତ୍ବର ଅନୁପସ୍ଥିତି ପ୍ରାକୃତିକ ନିୟମର ଉଲ୍ଲଂଘନ କରିଥାଏ। ସ୍ବାଭାବିକ ଭାବରେ ପ୍ରଜନନ ସମ୍ଭବ କରାଇବା ହେଉଛି ବିବାହ ନାମକ ଅନୁଷ୍ଠାନର ମୁଖ୍ୟ ବୈଶିଷ୍ଟ୍ୟ। ଯେହେତୁ ବାହ୍ୟ ସହାୟତା ବ୍ୟତିରେକେ ସମଲିଙ୍ଗୀ ଦଂପତି ସନ୍ତାନ ଲାଭ କରିପାରନ୍ତି ନାହିଁ, ତେଣୁ ସେମାନଙ୍କ ମଧ୍ୟରେ ଦାଂପତ୍ୟ ସଂପର୍କ ବିବାହର ପ୍ରାକୃତିକ ଲକ୍ଷ୍ୟ ହାସଲ କରିବାରେ ବିଫଳ ହୋଇଥାଏ, ଏଣୁ ତାହା ଅସ୍ବାଭାବିକ ହୋଇଥାଏ।
ସମଲିଙ୍ଗୀ ବିବାହକୁ ଗଡ଼କରୀଙ୍କ ବିରୋଧକୁ ରକ୍ଷଣଶୀଳ ଭାରତୀୟ ସଂସ୍କୃତିର ପରିପ୍ରକାଶ ରୂ‌େପ ଚିତ୍ରିତ କରାଯାଉଥିଲେ ହେଁ ମହାନ ଜର୍ମାନ ଦାର୍ଶନିକ ଇମାନୁଏଲ କାଣ୍ଟଙ୍କ ଠାରୁ ପ୍ରଖ୍ୟାତ ଫରାସୀ ଦାର୍ଶନିକ ଜ୍ୟାଁ ପଲ୍ ସାର୍ତ୍ରଙ୍କ ପର୍ଯ୍ୟନ୍ତ ବିଚକ୍ଷଣ ଦିଗ୍‌ଦର୍ଶନକାରୀ ପାଶ୍ଚାତ୍ୟ ଦାର୍ଶନିକମାନେ ମଧ୍ୟ ଭିନ୍ନ ଭିନ୍ନ କାରଣରୁ ଏହି ବିକୃତ ସଂପର୍କକୁ ବିରୋଧ କରିବା ଦେଖାଯାଇଛି। କାଣ୍ଟଙ୍କ ସୁବିଦିତ ପ୍ରସିଦ୍ଧ ନୈତିକ ନିୟମ ‘କାଟିଗରିକାଲ୍ ଇମ୍ପରେଟିଭ୍’ର ପ୍ରଥମ ସୂତ୍ର ହେଉଛି- ‘ସାର୍ବଜନୀନୀକରଣ ସମ୍ଭାବନା’ (‘ୟୁନିଭର୍ସାଲାଇଜାବିଲିଟି’)। କାଣ୍ଟଙ୍କ ଅନୁସାରେ ବ୍ୟକ୍ତିର ସେଇ ଆଚରଣ ହେଉଛି ନୈତିକତା ଦୃଷ୍ଟିରୁ ଗ୍ରହଣୀୟ, ଯେଉଁ ଆଚରଣ ଅନ୍ୟ ସମସ୍ତେ ମଧ୍ୟ ପ୍ରଦର୍ଶନ କରିବା ସମ୍ଭବ ହୋଇପାରିବ। ଏହା ପରୀକ୍ଷା କରିବା ପାଇଁ ଯେଉଁ ପ୍ରଶ୍ନଟିଏ ପଚରା ଯାଇଥାଏ, ତାହା ହେଲା: ଯଦି ଅନ୍ୟ ସମସ୍ତେ ଏହିଭଳି ଆଚରଣ ପ୍ରଦର୍ଶନ କରନ୍ତି, ତା’ହେଲେ କ’ଣ ହେବ? ଉଦାହରଣ ସ୍ବରୂପ ଜଣେ ଅଭ୍ୟାସଗତ ମିଛୁଆକୁ ଅନୁକରଣ କରି ସମାଜର ଅନ୍ୟ ସମସ୍ତ ସଦସ୍ୟମାନେ ଯଦି ସବୁବେଳେ କେବଳ ମିଛ କହିବାରେ ଲାଗିବେ, ତେବେ ମିଛର ସଂଜ୍ଞା ବଦଳିବା ସଙ୍ଗେ ସଙ୍ଗେ ସେ ସମାଜ ମଧ୍ୟ ଭୁଶୁଡ଼ି ପଡ଼ିବ। ସେଇ ସୂତ୍ର ପ୍ରୟୋଗ କରି ଏକ ସମଲିଙ୍ଗୀ ଦଂପତିଙ୍କୁ ଯଦି ପଚରାଯାଏ: ସମାଜର ପ୍ରତ୍ୟେକ ଦଂପତି ଯଦି ସମଲିଙ୍ଗୀ ହୋଇଯାଆନ୍ତି, ତା’ହେଲେ କ’ଣ ହେବ? ଏହାର ଏକମାତ୍ର ସମ୍ଭାବ୍ୟ ଉତ୍ତର: ସେଇ ପ୍ରଜନନହୀନ ସମାଜ ଲୋପ ପାଇଯିବା ପାଇଁ ବେଶୀ ସମୟ ଲାଗିବ ନାହିଁ। ଯଦି ଏଭଳି ଏକ ପରିଣତି ଗ୍ରହଣୀୟ ନହୁଏ, ତେବେ ସମଲିଙ୍ଗୀ ବିବାହ କାହାରି ପାଇଁ ହେଲେ ବି ଗ୍ରହଣୀୟ ହୋଇପାରିବ ନାହିଁ। ଏହା ଅନୈତିକ।
ଅସ୍ତିତ୍ବବାଦୀ ଦାର୍ଶନିକ ତଥା ୧୯୬୪ରେ ସାହିତ୍ୟରେ ନୋବେଲ ପୁରସ୍କାର ପ୍ରତ୍ୟାଖ୍ୟାନକାରୀ ଜ୍ୟାଁ ପଲ ସାର୍ତ୍ରଙ୍କ ବିଚାରରେ କେବଳ ସମଲିଙ୍ଗୀ ବିବାହ ନୁହେଁ, ସମଲିଙ୍ଗୀ ଯୌନ ସଂପର୍କ ମଧ୍ୟ ଗ୍ରହଣୀୟ ନୁହେଁ‌; ତାଙ୍କ ଭାଷାରେ ଏହା ହେଉଛି ‘ବିଶ୍ବାସ-ଭଙ୍ଗ’ ବା ‘ବ୍ୟାଡ୍ ଫେଥ୍’। ତାଙ୍କର ପ୍ରସିଦ୍ଧ ପୁସ୍ତକ ‘ବିଙ୍ଗ୍ ଆଣ୍ଡ୍ ନଥିଙ୍ଗ୍‌ନେସ୍’ରେ ସାର୍ତ୍ର ପ୍ରଦର୍ଶିତ କରିଥିବା ଭଳି ମନୁଷ୍ୟ ହେଉଛି ଅନ୍ୟ ସମସ୍ତ ସଜୀବ ଓ ନିର୍ଜୀବ ପଦାର୍ଥମାନଙ୍କ ଠାରୁ ଭିନ୍ନ ଏକ ସୃଷ୍ଟି, ଯିଏ ଏକ ଶୂନ୍ୟ ଅନ୍ତଃସତ୍ତା ଧରି ଜନ୍ମ ହୋଇଥାଏ। ପରବର୍ତ୍ତୀ ସମୟରେ ସେ ନିଜର ପସନ୍ଦ ଅନୁସାରେ ଏହି ଶୂନ୍ୟସ୍ଥାନକୁ ପୂର୍ଣ୍ଣ କରି କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତି ସତ୍ତା ହାସଲ କରିଥାଏ। ଏହାର ଅର୍ଥ ବ୍ୟକ୍ତିର ଅନ୍ତର୍ନିହିତ ପ୍ରବୃତ୍ତି ନୁହେଁ କିମ୍ବା ତା’ର ପାରିପାର୍ଶ୍ବିକ ପରିସ୍ଥିତି ନୁହେଁ, ତା’ର ନିଜର ପସନ୍ଦ ହିଁ ତା’କୁ ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିତ୍ବ ପ୍ରଦାନ କରିଥା‌ଏ, ଯେଉଁଥିପାଇଁ ସେ ଆଉ କାହାରିକୁ ଦାୟୀ କରିପାରିବ ନାହିଁ। ଯେମିତି ଯଦି ସତ କହିବାର ପରିଣାମ ହୋଇଥାଏ ମୃତ୍ୟୁ ଓ ମିଛ କହିଲେ ସେଥିରୁ ରକ୍ଷା ମିଳିପାରେ, ବ୍ୟକ୍ତି ଜଣକ ବୀର ଭଳି ସତ କହିବ କିମ୍ବା ଭୀରୁ ଭଳି ମିଛ କହିବ, ତାହା ତା’ର ନିଜର ପସନ୍ଦ ଓ ନିଷ୍ପତ୍ତି ଉପରେ ନିର୍ଭର କରେ। ଏ ଦୁଇଟିରୁ ଯେ କୌଣସି ବିକଳ୍ପକୁ ଚୟନ କରିବା ପାଇଁ ସେ ହେଉଛି ସ୍ବାଧୀନ ଓ ସେଥିପାଇଁ କେବଳ ସେ ହିଁ ହେଉଛି ଦାୟୀ। ସେଥିପାଇଁ ଅନ୍ୟ କାହାକୁ ଦାୟୀ କରିବା ସାର୍ତ୍ରଙ୍କ ଭାଷାରେ ହେଉଛି- ‘ବିଶ୍ବାସ-ଭଙ୍ଗ’।
ସାର୍ତ୍ରଙ୍କ ବିଚାରରେ ସମଲିଙ୍ଗୀମାନେ ଯେତେବେଳେ ସେମାନଙ୍କର ବିକୃତ ‌େଯୗନାଚରଣ ପାଇଁ ପ୍ରକୃତିକୁ ଦାୟୀ କରନ୍ତି, ଅର୍ଥାତ୍ ନିଜର (ଶୂନ୍ୟ) ଅନ୍ତର୍ନିହିତ ପ୍ରବୃତ୍ତିକୁ ଦାୟୀ କରନ୍ତି, ତାହା ହେଉଛି ‘ବିଶ୍ବାସ-ଭଙ୍ଗ’। ସାର୍ତ୍ର ଦର୍ଶାଇଛନ୍ତି ଯେ ଭୀରୁତା କିମ୍ବା ସମଲିଙ୍ଗୀ ଆଚରଣ- କେଉଁଟି ହେଲେ ଅନିବାର୍ଯ୍ୟ ନୁହେଁ: ଉଭୟର ଏକମାତ୍ର କାରଣ ହେଉଛି ସଂପୃକ୍ତ ବ୍ୟକ୍ତିର ନିଜର ପସନ୍ଦ। ତେବେ କେହି ନିଭୃତରେ ନିଜର ପସନ୍ଦ ଚରିତାର୍ଥ କରି ଯଦି ଅନ୍ୟ କାହାର କ୍ଷତି ସାଧନ ନକରେ, ତା’ହେଲେ କାହାର କିଛି କହିବାର ନାହିଁ। କିନ୍ତୁ ସମଲିଙ୍ଗୀ ବିବାହ ମାଧ୍ୟମରେ ସାମାଜିକ ସ୍ବୀକୃତି ହାସଲ ଦ୍ବାରା ତାହା ମୁଖ୍ୟ ଧାରାର ଅଂଶରେ ପରିଣତ ହୋଇ ସମାଜର ଯେଉଁ ଘୋର କ୍ଷତି ସାଧନ କରିବ, ନୀତୀନ ଗଡ଼କରୀ ତାହାର ହିଁ ଦୃଢ଼ ବିରୋଧ କରିଛନ୍ତି। ସେଥିପାଇଁ ଭାରତର ସୁପ୍ରିମ୍ କୋର୍ଟ ୨୦୨୩ରେ ସମଲିଙ୍ଗୀ ବିବାହକୁ ଆଇନସମ୍ମତ ଘୋଷଣା କରିବା ପାଇଁ ହୋଇଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।