Breaking News

ବିରାଡ଼ିଙ୍କଠାରେ ଭାରତର ପ୍ରଥମ ବାର୍ଡ ଫ୍ୁଲ: ମାନବ ସ୍ବାସ୍ଥ୍ୟକୁ ନେଇ ବଢ଼ିଲା ଚିନ୍ତା

ଭାରତରେ ପ୍ରଥମ ଥର ପାଇଁ ପୋଷା ବିରାଡ଼ିଙ୍କଠାରେ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା (ଏଚ୍୫ଏନ୍୧) ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ଏହାର କେନ୍ଦ୍ରବିନ୍ଦୁ ପାଲଟିଛି। ବୈଜ୍ଞାନିକମାନେ ଏବେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ...

ନୂଆଦିଲ୍ଲୀ: ଭାରତରେ ପ୍ରଥମ ଥର ପାଇଁ ପୋଷା ବିରାଡ଼ିଙ୍କଠାରେ ଏଭିଆନ୍ ଇନ୍‌ଫ୍ଲୁଏଞ୍ଜା (ଏଚ୍୫ଏନ୍୧) ଚିହ୍ନଟ ହୋଇଥିବା ବେଳେ ମଧ୍ୟପ୍ରଦେଶର ଛିନ୍ଦୱାଡ଼ା ଜିଲ୍ଲା ଏହାର କେନ୍ଦ୍ରବିନ୍ଦୁ ପାଲଟିଛି। ବୈଜ୍ଞାନିକମାନେ ଏବେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ଏହି ଭୂତାଣୁ ସଂକ୍ରମିତ ହେବା ଏବଂ ମନୁଷ୍ୟ ପାଇଁ ଏହାର ସମ୍ଭାବ୍ୟ ବିପଦକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆଇସିଏଆର୍-ଏନ୍ଆଇଏଚ୍ଏସ୍ଏଡି ଏବଂ କେନ୍ଦ୍ର ସରକାରଙ୍କ ପଶୁପାଳନ ବିଭାଗର ବୈଜ୍ଞାନିକମାନେ ଜାନୁଆରି ମାସରେ ଏହି ମାମଲାଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ନାଗପୁର ସୀମାରେ ଅବସ୍ଥିତ ଛିନ୍ଦୱାଡାରେ ଗତବର୍ଷ ଡିସେମ୍ବରରେ ବାର୍ଡ ଫ୍ଲୁରେ ବିଲେଇଙ୍କ ମୃତ୍ୟୁ ଘଟିଥିଲା। ଏଚ୍୫ଏନ୍୧ ମୁଖ୍ୟତଃ ଏକ ଏଭିଆନ୍ ଭୂତାଣୁ, କିନ୍ତୁ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ମ୍ୟୁଟେସନ୍ ସ୍ତନ୍ୟପାୟୀ ପ୍ରାଣୀମାନଙ୍କଠାରେ ଏହାକୁ ସଂକ୍ରମିତ ଓ ନକଲ କରିବାକୁ ସ୍ଥିତି ସୃଷ୍ଟି କରିପାରେ।  ଜଣେ ବୈଜ୍ଞାନିକ କହିଛନ୍ତି, କୋଭିଡ୍-୧୯ ଭଳି ଇନଫ୍ଲୁଏଞ୍ଜା ଭୂତାଣୁ ମହାମାରୀ ସୃଷ୍ଟି କରିବାର ସମ୍ଭାବନା ଥିବାରୁ ଚିନ୍ତା ବଢ଼ିଛି।

କ’ଣ ଲକ୍ଷଣ ଦେଖାଯାଇଥିଲା?
ଲକ୍ଷଣ ଦେଖାଯିବାର ୧ରୁ ୩ ଦିନ ମଧ୍ୟରେ ମୃତ୍ୟୁବରଣ କରିବା ପୂର୍ବରୁ ପ୍ରଭାବିତ ବିଲେଇମାନଙ୍କୁ ପ୍ରବଳ ଜ୍ୱର ହେବା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖାଯାଇଥିଲା। ବୈଜ୍ଞାନିକ ଦଳ ଏହି ଭୂତାଣୁକୁ ଭାରତରେ କୁକୁଡ଼ା ସଂକ୍ରମଣ ପାଇଁ ଦାୟୀ ଷ୍ଟ୍ରେନ୍ ୨.୩.୨.୧ଏ ବଂଶର ବୋଲି ଚିହ୍ନଟ କରିଛନ୍ତି। ଏହି ଗବେଷଣାରୁ ବିଲେଇଙ୍କଠାରେ ଚିହ୍ନଟ ହୋଇଥିବା ଭୂତାଣୁର ୨୭ଟି ମ୍ୟୁଟେସନ୍ ଚିହ୍ନଟ ହୋଇଥିବା ବେଳେ ଗୃହପାଳିତ ପଶୁ ଓ ମଣିଷ ସମେତ କୁକୁଡ଼ା, ଜଙ୍ଗଲୀ ପକ୍ଷୀ ଓ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଉପରେ ଅଧିକ ନଜର ରଖିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏ କ୍ଷେତ୍ରରେ ମାନବ ସଂକ୍ରମଣ ବିରଳ ରହିଥିବା ବେଳେ ଭୂତାଣୁ ବିଜ୍ଞାନୀ ଜାକବ୍‌ ଜନ୍ ଚେତାବନୀ ଦେଇଛନ୍ତି ଯେ ମଣିଷରୁ ମଣିଷକୁ ସଂକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏଚ୍୫ଏନ୍୧ ମଣିଷ ପାଇଁ ନୂଆ। ଏହା ବିରୋଧରେ ଆମର ରୋଗ ପ୍ରତିରୋଧକ ଶକ୍ତି ନାହିଁ। ଯଦି ମଣିଷରୁ ମଣିଷକୁ ସଂକ୍ରମଣ କାର୍ଯ୍ୟକ୍ଷମ ହୁଏ, ତେବେ ଏହା ଏକ ଚିନ୍ତାର ବିଷୟ ହେବ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.