Breaking News

ବିଶ୍ବାସରେ ବିଷ: ସୁନା ଅଳଙ୍କାର, ହୀରା ମୁଦି ଲୁଟିନେଲା ଘରୋଇ ସହାୟିକା

ଦିନ ଅଧକର ନୁହେଁ, ଦୀର୍ଘ ୮ବର୍ଷର ସମ୍ପର୍କ। ସମ୍ପର୍କ ପୁଣି ମାଲିକାଣୀ-ଚାକରାଣୀର ନୁହେଁ, ପୂରା ପାରିବାରିକ ଭାବ। କିନ୍ତୁ ଏତେ ପରେ ବି ବିଶ୍ବାସରେ ବିଷ ଭରିଲା ଘରୋଇ ସହାୟିକା। ମାଲିକାଣୀଙ୍କ ସୁନା ହୀରା ଗହଣା ଘରୋଇ ସହାୟିକାର ମନରେ ଲୋଭ ବଢ଼ାଇଲା।

ବାଲିଅନ୍ତା ବଜାର: ଦିନ ଅଧକର ନୁହେଁ, ଦୀର୍ଘ ୮ବର୍ଷର ସମ୍ପର୍କ। ସମ୍ପର୍କ ପୁଣି ମାଲିକାଣୀ-ଚାକରାଣୀର ନୁହେଁ, ପୂରା ପାରିବାରିକ ଭାବ। କିନ୍ତୁ ଏତେ ପରେ ବି ବିଶ୍ବାସରେ ବିଷ ଭରିଲା ଘରୋଇ ସହାୟିକା। ମାଲିକାଣୀଙ୍କ ସୁନା ହୀରା ଗହଣା ଘରୋଇ ସହାୟିକାର ମନରେ ଲୋଭ ବଢ଼ାଇଲା। ତେଣୁ ସବୁ ସମ୍ପର୍କକୁ ପର କରି ସେ କଳାକନା ବୁଲାଇଦେଲା। ଏଭଳି ଏକ ମାମଲାରେ ପାହାଳ ଥାନା ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ବିଶ୍ବାସରେ ବିଷ ଦେଇ ମାଲିକାଣୀଙ୍କ ଗହଣା ଲୁଟିଥିବା ମହିଳା ହେଲେ ଲିଙ୍ଗରାଜ ଥାନା ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନିରେ ରହୁଥିବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଫାସୁଗୁଡ଼ା ଗାଁର ପୁଷ୍ପା ବେହେରା(୨୫)। ପୁଷ୍ପାକୁ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ପୁଲିସ ତା’ ନିକଟରୁ ପାଖାପାଖି ୧୩୦ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଓ ୨ଟି ହୀରା ମୁଦି ଜବତ କରିଛି।

ଜଣେ ଦୋଷ କଲା, ଏବେ ସମସ୍ତେ ସନ୍ଦେହ କରିବେ

ପୁଲିସ ସୂଚନାନୁସାରେ ଗତ ୧ ତାରିଖ ଦିନ ପାହାଳ ଅଞ୍ଚଳରେ ରହୁଥିବା ଡାକ୍ତର ଦେବଶ୍ରୀ ଦାସ ତାଙ୍କ ଘରୁ ଅଳଙ୍କାର ସବୁ ଚୋରି ହୋଇଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେ ସିଧାସଳଖ ତାଙ୍କ ଘରୋଇ ସହାୟିକା ପୁଷ୍ପା ଉପରେ ସନ୍ଦେହ କରି ଅଭିଯୋଗ କରିଥିଲେ। ଡା. ଦେବଶ୍ରୀଙ୍କ ଅଭିଯୋଗ ଅନୁସାରେ ପୁଷ୍ପା ତାଙ୍କ ଘରେ ୮ବର୍ଷ ହେଲା କାମ କରୁଥିଲା। ସେତିକି ବିଶ୍ବାସଭାଜନ ଥିଲା ବୋଲି ସେ ତାକୁ ପୂରା ଭରସା କରୁଥିଲେ। ତେଣୁ ତା’ ଭରସାରେ ଘର ଛାଡ଼ି ସେ ବହୁ ସମୟ‌ରେ ବାହାରକୁ ଯାଇପାରୁଥିଲେ। ଏମିତିକି ସେ ନିର୍ଦ୍ବନ୍ଦ୍ବରେ ଘରର ସବୁ ଚାବି ପୁଷ୍ପା ହାତରେ ଦେଇ ବାହାରକୁ ଯାଇପାରୁଥିଲେ। କେବେ କୌଣସି କଥାରେ ତା’ ଉପରେ ସନ୍ଦେହ ହେଲା ଭଳି ଘଟଣା ଘଟି ନଥିଲା ବା ପୁଷ୍ପା ସେମିତି ସୁଯୋଗ ଦେଇନଥିଲା। ମାତ୍ର ଏହି ସୁଯୋଗରେ ପୁଷ୍ପା ତାଙ୍କ ଆଲ୍‌ମିରାରୁ ଅଳଙ୍କାର ଲୁଟିବାରେ ଲାଗିଥିଲା। ଗୋଟି ଗୋଟି କରି ପୁଷ୍ପା ତାଙ୍କର ଗୋଟିଏ ହାର, ୨ହଳ ଝରା, ୫ଟି ଚେନ୍‌(୨ଟିରେ ଲକେଟ୍‌ ରହିଛି), ହଳେ କଙ୍କଣ ଓ ୨ଟି ହୀରା ମୁଦି ନେଇଯାଇଥିଲା। ଗତ ୧ତାରିଖ ଦିନ କୌଣସି ଏକ ଜରୁରି ଫାଇଲ୍‌ ଖୋଜିବାକୁ ଯାଇ ଡା. ଦେବଶ୍ରୀ ଆଲ୍‌ମିରା ଖୋଲିବା ବେଳେ ଅଳଙ୍କାର ନଥିବା ଦେଖି ବିସ୍ମିତ ହୋଇଯାଇଥିଲେ। ପୁଷ୍ପା ମଧ୍ୟ ମୁଣ୍ଡରେ ହାତଦେଇ ବସିଯାଇଥିଲା। କିନ୍ତୁ ପୁଷ୍ପାର ଅଭିନୟ ଡା. ଦେବଶ୍ରୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ଏନେଇ ପାହାଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପୁଷ୍ପାକୁ ଉଠାଇ ଥାନାରେ ପଚରାଉଚରା କରିଥିଲା। ପ୍ରଥମେ ମାନି ନଥିଲେ ବି ପରେ ସବୁ ସତ ଉଗାରି ପକାଇଥିଲା। ଗହଣାତକ ନେଇ ସେ ଏକ ଘରୋଇ ବ୍ୟାଙ୍କ୍‌ରେ ବନ୍ଧକ ରଖିଥିଲା ଏବଂ ହୀରା ମୁଦି ସହିତ କିଛି ଗହଣା ପାଖରେ ରଖିଥିଲା। ପୁଲିସ ସମସ୍ତ ଗହଣା ଉଦ୍ଧାର କରିଛି।
ସୌଜନ୍ୟ-ସମ୍ୱାଦ

Comments are closed.