Breaking News

ବିଶ୍ୱବିଦ୍ୟାଳୟର ଉତ୍କର୍ଷ ଚିନ୍ତା

୨୦୨୦ ନୂତନ ଜାତୀୟ ଶିକ୍ଷାନୀତି ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ନୀତିର ମୂଳ ଉଦ୍ଦେଶ୍ୟ ହେଲା ବିଦ୍ୟାର୍ଥୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନ ଆହରଣ କରିବାର ସୁଯୋଗ ଉପଲବ୍‌ଧ...

ସତ୍ୟକାମ ମିଶ୍ର

୨୦୨୦ ନୂତନ ଜାତୀୟ ଶିକ୍ଷାନୀତି ବର୍ତ୍ତମାନ ସାରା ଦେଶରେ କାର୍ଯ୍ୟକାରୀ କରାଯାଉଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ନୀତିର ମୂଳ ଉଦ୍ଦେଶ୍ୟ ହେଲା ବିଦ୍ୟାର୍ଥୀମାନଙ୍କୁ ଅତ୍ୟାଧୁନିକ ଜ୍ଞାନ ଆହରଣ କରିବାର ସୁଯୋଗ ଉପଲବ୍‌ଧ କରାଇ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବା ଓ ବିଷୟ ଚୟନ ତଥା ନାମଲେଖା କ୍ଷେତ୍ରରେ ଥିବା ପ୍ରତିବନ୍ଧକଗୁଡ଼ିକୁ ଦୂର କରି ସେମାନଙ୍କୁ ନିଜ ପାଇଁ ପାଠ୍ୟକ୍ରମ ଚୟନ ତଥା ଏକକାଳୀନ ଏକାଧିକ ପାଠ୍ୟକ୍ରମ ଅଧ୍ୟୟନ କରିବାର ସ୍ବାଧୀନତା ଦେବା। ଆମ ରାଜ୍ୟରେ ଏ ଦିଗରେ କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ଜଣାପଡୁନି। ଏ ଦିଗରେ ତତ୍ପରତା ଦେଖାଇବା ପରିବର୍ତ୍ତେ ସରକାର ବିଶ୍ବବିଦ୍ୟାଳୟ ଆଇନରେ ପରିବର୍ତ୍ତନ ପାଇଁ ଅଧିକ ବ୍ୟଗ୍ରତା ପ୍ରକାଶ କରିଛନ୍ତି। ଓଡ଼ିଶା ବିଶ୍ବବିଦ୍ୟାଳୟ ଆଇନରେ ୨୦୨୦ ମସିହାରେ ହୋଇଥିବା ସଂସ୍କାରମୂଳକ ସଂଶୋଧନକୁ ବାତିଲ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶାର ବିଶ୍ବବିଦ୍ୟାଳୟମାନଙ୍କରେ ଅଧ୍ୟାପକ ନିଯୁକ୍ତି ଓ କର୍ମଚାରୀ ନିଯୁକ୍ତିକୁ ବିଶ୍ବବିଦ୍ୟାଳୟ ବାହାରର ଚୟନ ସଂସ୍ଥାକୁ ଦିଆଯାଇଥିବା କ୍ଷମତାକୁ ରଦ୍ଦ କରି ପୁନଶ୍ଚ ବିଶ୍ବବିଦ୍ୟାଳୟକୁ ସେହି କ୍ଷମତା ପ୍ରଦାନ କରିବା ଏହି ନିଷ୍ପତ୍ତିର ଏକମାତ୍ର ଉଦ୍ଦେଶ୍ୟ। ଏହା ଦ୍ବାରା ବିଶ୍ବବିଦ୍ୟାଳୟର ସ୍ୱଂୟଶାସିତ କ୍ଷମତା ବୃଦ୍ଧି ପାଇ ଉଚ୍ଚଶିକ୍ଷାର ଗୁଣାତ୍ମକ ବିକାଶ ହେବ ବୋଲି କିଛି ବ୍ୟକ୍ତି ବହୁ ଦିନ ହେଲେ ଯୁକ୍ତି କରି ଆସୁଥିଲେ ଏବଂ ଏଥି ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ନିରାଶ ହେଲା ପରେ ୟୁଜିସି ମାଧ୍ୟମରେ ଉଚ୍ଚତମ ନ୍ୟାୟାଳୟରେ ମାମଲା କରି ତିନି ମାସ ପାଇଁ ୨୦୨୦ ସଂଶୋଧିତ ଆଇନର କାର୍ଯ୍ୟକାରିତା ଉପରେ ରହିତାଦେଶ ଆଣିବାରେ ସମର୍ଥ ହେଲେ। ସେମାନେ ଭଲ ଭାବେ ଜାଣିଥିଲେ ଯେ ସଂଶୋଧିତ ଆଇନରେ କୌଣସି ଅନିୟମିତତା କିମ୍ବା ଆଇନ ଉଲ୍ଲଂଘନ କଲା ଭଳି ବ୍ୟବସ୍ଥା ନଥିଲା। ତେଣୁ ମକଦ୍ଦମାର ବିଚାର ହେବା ସେମାନେ ଚାହୁ ନଥିଲେ। ଫଳରେ ରହିତାଦେଶର ଅବଧି ବଢ଼ି ଚାଲିଲା। ଆଜି ସୁଦ୍ଧା ମକଦ୍ଦମାର ବିଚାର ହୋଇନାହିଁ। ରହିତାଦେଶକୁ ହଟାଇ ତୁରନ୍ତ ବିଚାର ପାଇଁ ପ୍ରଯନ୍ନ କରିବା ଦିଗରେ ତତ୍‌କାଳୀନ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉଦାସୀନତା କାରଣରୁ ବିଶ୍ବବିଦ୍ୟାଳୟମାନଙ୍କରେ ଅଧ୍ୟାପକ ନିଯୁକ୍ତି ହୋଇ ପାରିଲା ନାହିଁ। ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ଚାଲିଥିବା ଚୟନ ପ୍ରକ୍ରିୟା ବନ୍ଦ ହୋଇଗଲା। ବହୁ ସଂଖ୍ୟାରେ ଅଧ୍ୟାପକ ପଦ ଖାଲି ପଡ଼ିଲା। ୟୁଜିସି ନିଜେ ମକଦ୍ଦମା କରି ଏଭଳି ପରିସ୍ଥିତି ସୃଷ୍ଟି କରିଥିଲେ। ଅଥଚ, ଏଣେ ବହୁ ସଂଖ୍ୟାରେ ଅଧ୍ୟାପକ ପଦ ଖାଲି ପଡ଼ିଥିବା ଦର୍ଶାଇ ୟୁଜିସି କୁମ୍ଭୀର କାନ୍ଦଣା କାନ୍ଦିଲେ ଓ ସେ ସବୁକୁ ପୂରଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲା। ଏ ସବୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଥିଲା ଏବଂ ଏହାର ପ୍ରଚ୍ଛଦପଟରେ କିଏ ଥାଇ ଏମିତି ନିର୍ଦ୍ଦେଶ ଦେଉଥିଲେ ତାହା ଓଡ଼ିଶାର ଜନସାଧାରଣ ବିଶେଷ କରି ବୁଦ୍ଧିଜୀବୀମାନେ ଜାଣିବା ଦରକାର। ନୂଆ ସରକାର ସଂଶୋଧିତ ଆଇନ ବାତିଲ ନକରି ଉଚ୍ଚତମ ନ୍ୟାୟାଳୟର ମତାମତ ପାଇଁ ଅପେକ୍ଷା କରିବା ଉଚିତ ହୋଇଥାଆନ୍ତା। ସେ ଯାହା ହେଉ, ବିଶ୍ବବିଦ୍ୟାଳୟମାନଙ୍କୁ ଅଧିକ କ୍ଷମତାଶାଳୀ କରିବାରେ କୌଣସି ଆପତ୍ତି ରହିବନି, ଯଦି ସେହି କ୍ଷମତାର ଦୁରୁପଯୋଗ ନହୋଇ ପ୍ରକୃତ ମେଧାବୀ, ଦକ୍ଷ ଓ ନିରପେକ୍ଷ ବ୍ୟକ୍ତିମାନଙ୍କୁ ବିଶ୍ବବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯିବ ଏବଂ ଅଧ୍ୟାପକ ଚୟନରେ କୌଣସି ପ୍ରକାର ପକ୍ଷପାତିତା ଓ ପ୍ରିୟାପ୍ରୀତି ତୋଷଣର ସ୍ଥାନ ରହିବ ନାହିଁ। ଯେଉଁମାନେ ବିଶ୍ବବିଦ୍ୟାଳୟକୁ ଅଧିକ ସ୍ୱଂୟକ୍ରିୟ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି, ସେମାନେ ଏଥି ପାଇଁ ଜନସାଧାରଣଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇପାରିବେ କି?
ଆଗକୁ ବିଶ୍ବବିଦ୍ୟାଳୟଗୁଡ଼ିକରେ ଯେଉଁ ସଂକଟମୟ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି, ସେ ବିଷୟରେ ପ୍ରତ୍ୟେକ ଚିନ୍ତାଶୀଳ ବ୍ୟକ୍ତି ସଚେତନ ହେବା ଆବଶ୍ୟକ। ବର୍ତ୍ତମାନ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ବହୁ ସଂଖ୍ୟାରେ ଅଧ୍ୟାପକ ପଦ ଖାଲି ଅଛି।
ଚୟନ କ୍ଷମତା ବିଶ୍ବବିଦ୍ୟାଳୟକୁ ହସ୍ତାନ୍ତର କରାଯିବା ପରେ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେଥିପାଇଁ କୁଳପତିମାନେ ବ୍ୟସ୍ତ ରହିବେ। ମାଲି ମକଦ୍ଦମା ହେବ। ୨୦୨୦ ମସିହାରେ ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ କଲା ପୂର୍ବରୁ ସରକାର କୁଳପତିମାନଙ୍କ ମତାମତ ଲୋଡ଼ିଥିଲେ। ସମସ୍ତ କୁଳପତି ଅଧ୍ୟାପକ ଚୟନ ପାଇଁ ସେମାନଙ୍କୁ ବହୁତ ସମୟ ଦେବାକୁ ପଡୁଥିବାରୁ ଚୟନ କ୍ଷମତା ବିଶ୍ବବିଦ୍ୟାଳୟ ହାତରୁ କାଢ଼ିନେବା ସପକ୍ଷରେ ମତ ପ୍ରକାଶ ପାଇଥିଲା। ବର୍ତ୍ତମାନ ଚୟନ ପ୍ରକିୟାରେ ବ୍ୟସ୍ତ ରହି ଶିକ୍ଷାଦାନ ଓ ଶୈକ୍ଷିକ ଦିଗ ପ୍ରତି ଦୃଷ୍ଟି ଦେବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନପାରେ। ବିଭିନ୍ନ ଚାପର ବଶବର୍ତ୍ତୀ ହୋଇ ସେମାନେ କିପରି ନିରପେକ୍ଷ ଭାବେ ପ୍ରାର୍ଥୀ ଚୟନ କରିବେ ତାହା ଭବିଷ୍ୟତ ହିଁ କହିବ।
ଓଡ଼ିଶାରେ ପୂର୍ବ ସରକାର ନିର୍ବିଚାର ଭାବେ ଜିଲ୍ଲାସ୍ତରୀୟ ସରକାରୀ ଅଗ୍ରଣୀ ମହାବିଦ୍ୟାଳୟଗୁଡ଼ିକୁ ବିଶ୍ବବିଦ୍ୟାଳୟରେ ପରିଣତ କରିଦେଲେ। କୋଟି କୋଟି ଟଙ୍କାର ଅନୁଦାନ ଓ ବିଳାସପୂର୍ଣ୍ଣ ଭିତ୍ତିଭୂମିର ବ୍ୟବସ୍ଥା ମଧ୍ୟ କରିଦେଲେ। କୋଠାବାଡ଼ି ନୂଆ ରଙ୍ଗ ଲାଗି ସୁଦୃଶ୍ୟ ହୋଇ ଉଠିଲେ। ୟୁଜିସିର ନିୟମ ଅନୁସାରେ ଦଶ ବର୍ଷ ପ୍ରଫେସର ପଦରେ କାମ କରିଥିବା ବ୍ୟକ୍ତି କେବଳ କୁଳପତି ହୋଇପାରିବେ। ଏହା ଫଳରେ କୌଣସି ସରକାରୀ କଲେଜର ଅଧ୍ୟାପକ ଓ ଅଧ୍ୟକ୍ଷମାନଙ୍କର ଏହି ସବୁ ବିଶ୍ବବିଦ୍ୟାଳୟଗୁଡ଼ିକରେ କୁଳପତି ହେବାର ସୁଯୋଗ ନଥିଲା। ସରକାରୀ ମହାବିଦ୍ୟାଳୟର ଶୃଙ୍ଖଳା, ପରୀକ୍ଷାର ସ୍ବଚ୍ଛତା, ଅଧ୍ୟାପକମାନଙ୍କର ଅନୁଷ୍ଠାନ ପ୍ରତି ଆନୁଗତ୍ୟ, ଛାତ୍ର-ଅଧ୍ୟାପକ ମଧୁର ସଂପର୍କ, ପ୍ରଶାସନର ଗତିଶୀଳତା ଇତ୍ୟାଦି ସବୁ ଉଭେଇଗଲା। ୟୁଜିସିର ପଦୋନ୍ନତି ନିୟମ ଏପରି କରାଯାଇଛି ଯେ ଜଣେ ଅଧ୍ୟାପକ ନିୟମିତ ଭାବେ ପଦୋନ୍ନତି ପାଇବାକୁ ହେଲେ ଶିକ୍ଷାଦାନ ଅପେକ୍ଷା ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟ ଯଥା ଗବେଷଣା, ସେମିନାର ଓ ସମ୍ମିଳନୀରେ ଯୋଗଦାନ, ନିବନ୍ଧ ଲିଖନ ପ୍ରଭୃତି କାର୍ଯ୍ୟକୁ ଅଗ୍ରାଧିକାର ଦେବାକୁ ହୁଏ। ଫଳରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଏକ ଗୌଣ ଦାୟିତ୍ବ ହୋଇଯାଇଛି। ସରକାରୀ ମହାବିଦ୍ୟାଳୟରେ ଏହା ମୁଖ୍ୟ କାର୍ଯ୍ୟ ଥିଲା। ତେଣୁ ଏହି ସବୁ ମହାବିଦ୍ୟାଳୟକୁ ଭାଙ୍ଗି ବିଶ୍ବବିଦ୍ୟାଳୟ କରିବା ଫଳରେ କ’ଣ ଲାଭ ହେଲା, ତାହାର ନିରପେକ୍ଷ ସମୀକ୍ଷା ହେବା ଜରୁରି। ପୂର୍ବ ସରକାରଙ୍କର ବିଶ୍ବବିଦ୍ୟାଳୟ ଓ ମେଡିକାଲ କଲେଜ ଖୋଲିବା ନିଶାର କୁପରିଣାମ ରାଜ୍ୟବାସୀ ନିଶ୍ଚୟ ଭୋଗିବେ। ଗୋଟିଏ ସରକାର ୫ ବର୍ଷ ପାଇଁ ଆସନ୍ତି। ତେଣୁ ପ୍ରଚଳିତ ବ୍ୟବସ୍ଥାରେ ସୁଧାର ଆଣିବା ପରିବର୍ତ୍ତେ ଯଦି ପ୍ରତିଷ୍ଠିତ ବ୍ୟବସ୍ଥାକୁ ଭାଙ୍ଗିବାକୁ ଚେଷ୍ଟା କରନ୍ତି, ନିଶ୍ଚିତ ଭାବେ ଲୋକମାନେ ସେମାନଙ୍କୁ ପ୍ରତ୍ୟାଖାନ କରିବେ। ଏ କଥା ପ୍ରମାଣସିଦ୍ଧ।
ବର୍ତ୍ତମାନର କୁଳପତିମାନେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଥିଲେ। ତାଙ୍କର ନିଯୁକ୍ତି ପରେ ବିଶ୍ବବିଦ୍ୟାଳୟ ଆଇନ ସଂଶୋଧନ ହୋଇ କୁଳପତିଙ୍କ କାର୍ଯ୍ୟ କାଳ ତିନି ବର୍ଷରୁ ଚାରି ବର୍ଷକୁ ବୃଦ୍ଧି ପାଇଲା। ପ୍ରାୟ ସମସ୍ତଙ୍କର ଚାରି ବର୍ଷ ପୂରିଗଲାଣି। କୁଳପତି ଚୟନ ପାଇଁ ବିଜ୍ଞାପନ ପ୍ରକାଶ ପାଇବା ପରିବର୍ତ୍ତେ ସେମାନଙ୍କର କାର୍ଯ୍ୟ କାଳ ବୃଦ୍ଧି କରାଯାଉଛି। ଏହା ବିଶ୍ବବିଦ୍ୟାଳୟ ପ୍ରଶାସନରେ ଏକ ସ୍ଥାଣୁ ଅବସ୍ଥା ସୃଷ୍ଟି କରିଛି। ବିଶ୍ବବିଦ୍ୟାଳୟଗୁଡ଼ିକର ପ୍ରଶାସନ ଦିନକୁ ଦିନ ଦୁର୍ବଳ ହେଉଛି। ନିଜର କାର୍ଯ୍ୟାଳୟ ଉପରେ କୁଳପତିମାନଙ୍କର ନିୟନ୍ତ୍ରଣ ଥିଲା ଭଳି ଲାଗୁନାହିଁ। ନୂତନ ଶିକ୍ଷାନୀତି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟମାନଙ୍କରେ କୌଣସି ନୂତନ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ବିଷୟ ଜଣାପଡୁନାହିଁ। କେବଳ ପ୍ରଚଳିତ ପାଠ୍ୟକ୍ରମଗୁଡ଼ିକର ପାଠ୍ୟ ଖସଡ଼ାରେ କିଛି ପରିବର୍ତ୍ତନ କରାଯାଉଛି ଯାହା!
ଶିକ୍ଷାଦାନ ପଛକୁ ଦ୍ୱିତୀୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ହେଉଛି ପରୀକ୍ଷା ବା ମୂଲ୍ୟାୟନ, ଯହିଁରେ ଉଭୟ ଛାତ୍ର ଓ ଅଧ୍ୟାପକଙ୍କର କୃତିତ୍ୱକୁ ପ୍ରତିଫଳିତ ହୋଇଥାଏ। ଆଜି କିନ୍ତୁ ପରୀକ୍ଷା ଗୋଟିଏ ପ୍ରହସନରେ ପରିଣତ ହୋଇଛି। ସର୍ବ ପୁରାତନ ଉତ୍କଳ ବିଶ୍ବବିଦ୍ୟାଳୟରେ ଯେଉଁ ଅଧ୍ୟାପକ ଯେଉଁ ବିଷୟ ପଢ଼ାନ୍ତି, ସେ ସେହି ବିଷୟରେ ପ୍ରଶ୍ନ ତିଆରି କରନ୍ତି ଓ ମୂଲ୍ୟାଙ୍କନ ମଧ୍ୟ କରନ୍ତି। ଅଧିକାଂଶ ବିଶ୍ବବିଦ୍ୟାଳୟରେ ଏହି ପ୍ରଥା ପ୍ରଚଳିତ। ଏହା ସମୟର ଆବଶ୍ୟକତା ହୋଇପାରେ, କିନ୍ତୁ ଏହି ବ୍ୟବସ୍ଥାର ସ୍ବଚ୍ଛତା ଅଧ୍ୟାପକଙ୍କର ସାଧୁତା ଓ ନୈତିକତା ଉପରେ ନିର୍ଭରଶୀଳ। ଅତୀତରେ ବୋଧହୁଏ ଅଧ୍ୟାପକଙ୍କ ସାଧୁତା ଓ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଉପରେ କର୍ତ୍ତୃପକ୍ଷ ସନ୍ଦିହାନ ଥିଲେ, ଯାହା ଫଳରେ ଅଧ୍ୟାପକ ନିଜେ ପଢ଼ାଉଥିବ ବିଷୟର ପ୍ରଶ୍ନପତ୍ର ତିଆରି କରିବା ତ ଦୂରର କଥା ସେ ସମ୍ବନ୍ଧରେ ଜାଣିବାର ସୁଯୋଗ ମଧ୍ୟ ତାଙ୍କର ନଥିଲା। ଆଜି ପରୀକ୍ଷାର ସ୍ୱଚ୍ଛତା ଓ ଗୁଣବତ୍ତା ଅପେକ୍ଷା ଠିକ୍ ସମୟରେ ପରୀକ୍ଷା କରି ଫଳ ପ୍ରକାଶ କରିବା ଉପରେ ଅଧିକ ଗୁରୁତ୍ବ ଦିଆଯିବା ଫଳରେ ଏହି ପରିବର୍ତ୍ତନ ଦେଖିବାକୁ ମିଳୁଛି। ଅଧ୍ୟାପକ ପରୀକ୍ଷାର ପ୍ରଶ୍ନପତ୍ର ଲାପ୍‌ଟପ୍‌ରେ ଧରି ବୁଲୁଛନ୍ତି। ବହୁ ବର୍ଷର ପରୀକ୍ଷିତ ବ୍ୟବସ୍ଥାକୁ ଭାଙ୍ଗି ଦିଆଯାଇଛି। ପ୍ରଶ୍ନ ହେଉଛି, ଏଭଳି ବ୍ୟବସ୍ଥାରେ ପରୀକ୍ଷାର ସ୍ୱଚ୍ଛତା ବଜାୟ ରଖିବା ପାଇଁ ନିଜର ଆଚରଣ, ବ୍ୟକ୍ତିତ୍ବ ଓ ନେତୃତ୍ୱ ମାଧ୍ୟମରେ ଅଧ୍ୟାପକମାନଙ୍କୁ ଅନୁପ୍ରାଣିତ କରି ପାରୁଥିବା ଓ ଠିକ୍‌ ମାର୍ଗ ଦେଖାଉଥିବା ବ୍ୟକ୍ତିଙ୍କୁ କୁଳପତି ରୂପେ ନିଯୁକ୍ତି ଦିଆଯିବ ତ? ଯେଉଁ ନୂଆ ଆଇନ ହେଉଛି ସେଥିରେ ଏହିଭଳି ବ୍ୟକ୍ତିଙ୍କୁ ବାଛି ବାହାର କରିବା ପାଇଁ ବ୍ୟବସ୍ଥା ବା ମାର୍ଗଦର୍ଶିକା ଅଛି କି? ବିଶ୍ବବିଦ୍ୟାଳୟଗୁଡ଼ିକୁ ବନ୍ଧନମୁକ୍ତ କରିବା ଆଳରେ ଅଧିକ ଚାପଗ୍ରସ୍ତ କରାଯାଉଛି ଏବଂ ଏହା ଫଳରେ ନିଯୁକ୍ତି କ୍ଷମତାର ଦୁରୁପଯୋଗ ହେବା ନିଶ୍ଚିତ।
ବିଶ୍ବବିଦ୍ୟାଳୟଗୁଡ଼ିକରେ ଗୋଷ୍ଠୀ କନ୍ଦଳ ଓ କୁତ୍ସାରଟନା ଭଳି ଅପସଂସ୍କୃତି ଶୈକ୍ଷିକ ବାତାବରଣକୁ କଳୁଷିତ କରୁଛି। ଅନେକ ସମୟରେ କୁଳପତିମାନେ ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି। ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଉଛି, ନିଜର ସ୍ବାର୍ଥ ସାଧନ ପାଇଁ ଛାତ୍ରଛାତ୍ରୀମାନଙ୍କୁ ବ୍ୟବହାର କରିବା। କୁଳପତିମାନେ ଏ ସବୁରୁ ଊର୍ଦ୍ଧ୍ବକୁ ଯାଇ ନିରପେକ୍ଷ ନିଷ୍ପତ୍ତି ଗ୍ରହଣ କରିବା ଆବଶ୍ୟକ। କିଛି ନିରୀହ ତଥା ମେଧାବୀ ଅଧ୍ୟାପକ ବିଭିନ୍ନ ପ୍ରକାର ଚକ୍ରାନ୍ତର ଶିକାର ହୋଇ ନିର୍ଯାତିତ ହେଉଥିବା ନଜରକୁ ଆସୁଛି। ନୂତନ ସରକାରଙ୍କ ସଂଶୋଧିତ ନିୟମାବଳୀ ବିଶ୍ବବିଦ୍ୟାଳୟଗୁଡ଼ିକୁ ବନ୍ଧନମୁକ୍ତ କରି ଏହି ସବୁ ସମସ୍ୟାଗୁଡ଼ିକର କିପରି ସମାଧାନ କରି ପାରୁଛି ଓ କେତେ ନିରପେକ୍ଷ ଭାବେ ଯୋଗ୍ୟ ବ୍ୟକ୍ତିଙ୍କୁ କୁଳପତି ଓ ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇ ପାରୁଛି, ତାହା ଦେଖିବାକୁ ବାକି ରହିଲା।
ମୋ: ୯୪୩୭୨୭୭୩୧୩
ସୌଜନ୍ୟ-ସମ୍ୱାଦ

Comments are closed.