Breaking News

ବିଷାକ୍ତ ଖାଦ୍ୟ ଖାଇ ୧୨ ନର୍ସିଂ ଛାତ୍ରୀ ଅସୁସ୍ଥ

ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂ କଲେଜର ୧୦ ଜଣ ଛାତ୍ରୀ ଆଜି ସକାଳୁ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନେ ବିଷାକ୍ତ ଖାଦ୍ୟ ଖାଇ ଥିବାରୁ ଏପରି ସ୍ଥିତି ହୋଇଥିବା ସନ୍ଦେହ କରାଯାଉଛି।

ଭୁବନେଶ୍ୱର: ଭୁବନେଶ୍ୱରର ଶିଶୁପାଳଗଡ଼ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂ କଲେଜର ୧୦ ଜଣ ଛାତ୍ରୀ ଆଜି ସକାଳୁ ଅସୁସ୍ଥ ହୋଇପଡିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେମାନେ ବିଷାକ୍ତ ଖାଦ୍ୟ ଖାଇ ଥିବାରୁ ଏପରି ସ୍ଥିତି ହୋଇଥିବା ସନ୍ଦେହ କରାଯାଉଛି। ହସ୍ପିଟାଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ପ୍ରଥମେ ଶିଶୁପାଳଗଡ଼ସ୍ଥ ଶ୍ରୀରାମ କ‌ଲେଜ ଅଫ୍‌ ନର୍ସିଂର ୬ଜଣ ଛାତ୍ରୀଙ୍କୁ କଲେଜ ପକ୍ଷରୁ ହସ୍ପିଟାଲକୁ ଅଣା ଯାଇଥିଲା। ସେମାନଙ୍କ ପେଟରେ ଭୀଷଣ ଯନ୍ତ୍ରଣା ହେଉଥିବା ଛାତ୍ରୀମାନେ ଜଣାଇଥିଲେ। ସେମାନଙ୍କର ଚିକିତ୍ସା ଚାଲିଥିବାବେଳେ ପୁଣି ଆହୁରି ୪ଜଣ ଛାତ୍ରୀଙ୍କୁ ସମାନ ସ୍ଥିତିରେ ହସ୍ପିଟାଲ ଅଣା ଯାଇଥିଲା। ସମସ୍ତଙ୍କୁ ସାଲାଇନ୍‌ ଦିଆଯିବା ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ଅପରାହ୍ନ ୩ଟା ପାଖାପାଖି ବେଳକୁ ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ହୋଇଯିବାରୁ ଛାତ୍ରୀମାନଙ୍କୁ ହଷ୍ଟେଲ ଫେରିବାଲାଗି ଅନୁମତି ଦିଆଯାଇଥିଲା।

ନର୍ସିଂ କଲେଜ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ଗତକାଲି କଲେଜର ହଷ୍ଟେଲରେ ରନ୍ଧା ହୋଇଥିବା ଡାଲିରେ ପୋକ ପଡ଼ିଯିବାରୁ ତାହାକୁ ଛାତ୍ରୀମାନେ ଖାଇନଥିଲେ। ତେଣୁ ହଷ୍ଟେଲର ୱାର୍ଡେନ୍‌ ନିକଟରେ ଥିବା ଏକ ହୋଟେଲରୁ ଖାଦ୍ୟ ଅଣାଇଥିଲେ। ତେବେ କିଛି ଛାତ୍ରୀ ଜମାଟୋରେ ଖାଦ୍ୟ ମଗାଇ ଖାଇଥିଲେ। ଜମାଟୋରେ ଆସିଥିବା ଖାଦ୍ୟ ଯେଉଁମାନେ ଖାଇଥିଲେ, ସେମାନଙ୍କ ମଧ୍ୟରୁ ୧୨ ଜଣ ଅସୁସ୍ଥ ହୋଇପଡ଼ିଥିଲେ। ପେଟବଥା ସହିତ କିଛି ଛାତ୍ରୀଙ୍କୁ ଝାଡ଼ା ହୋଇଥିବା ବେଳେ କିଛି ଛାତ୍ରୀଙ୍କୁ ବାନ୍ତି ହୋଇଥିଲା। ତେଣୁ କଲେଜ କର୍ତ୍ତୃପକ୍ଷ ଅସୁସ୍ଥ ଛାତ୍ରୀମାନଙ୍କୁ ନେଇ ବିଏମ୍‌ସି ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନର୍ସିଂ କଲେଜର ଜଣେ ଅଧିକାରୀ ମନୀଷା ଦାଶ କହିଛନ୍ତି, ଯେଉଁମାନେ ବାହାରୁ ଖାଦ୍ୟ ଖାଇଥିଲେ, ସେମାନେ ଅସୁସ୍ଥ ହୋଇଥିଲେ। ଏବେ ସମସ୍ତେ ସୁସ୍ଥ ଅଛନ୍ତି।

ସୌଜନ୍ୟ – ସମ୍ବାଦ

Comments are closed.