Breaking News

ବିଷ ପାଲଟିଛି ଦୟାନଦୀ: ପାଣିରେ ଅାମାଶୟ ଜୀବାଣୁ

ଦୟାନଦୀ ଜଳ ଆଉ ବ୍ୟବହାର ଉପଯୋଗୀ ନୁହେଁ। କଳା କିଟିକିଟି ଦେଖାଯାଉଥିବା ଦୟା ଜଳ ବିଷ କୁମ୍ଭରେ ପରିଣତ ହୋଇସାରିଛି। ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା ସହ ଦୟା ଜଳକୁ ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି।

ଗଡ଼ିଶାଗୋଦା: ଦୟାନଦୀ ଜଳ ଆଉ ବ୍ୟବହାର ଉପଯୋଗୀ ନୁହେଁ। କଳା କିଟିକିଟି ଦେଖାଯାଉଥିବା ଦୟା ଜଳ ବିଷ କୁମ୍ଭରେ ପରିଣତ ହୋଇସାରିଛି। ଖୋଦ୍ ସ୍ବାସ୍ଥ୍ୟ ବିଭାଗ ଏହି ପ୍ରସଙ୍ଗରେ ଲୋକଙ୍କୁ ସତର୍କ କରାଇବା ସହ ଦୟା ଜଳକୁ ବ୍ୟବହାର ନ କରିବା ଲାଗି ପରାମର୍ଶ ଦେଇଛି। ଏହି ନଦୀଜଳ ବ୍ୟବହାର କରି ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ପୁରୀ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଛି। ପ୍ରଦୂଷିତ ଜଳ ବ୍ୟବହାର ନ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ରୂପଭାନୁ ମିଶ୍ର ଲୋକଙ୍କୁ ଅନୁରୋଧ କରିଛନ୍ତି। ଭୁବନେଶ୍ୱରର ନାଳନର୍ଦ୍ଦମା, ବର୍ଜ୍ୟବସ୍ତୁ ଗଙ୍ଗୁଆ ନାଳ ଦେଇ ପିପିଲିର ନଟାସାହିଠାରେ ଦୟାନଦୀକୁ ନିଷ୍କାସିତ ହେଉଛି। ଫଳରେ ଦୟାନଦୀ ପାଣି ଭୟଙ୍କର ପ୍ରଦୂଷିତ ହୋଇ ନିମ୍ନ ଅବବାହିକାର ଲୋକଙ୍କ ପାଇଁ ଜହରରେ ପରିଣତ ହୋଇଛି।

ଜଳ ବ୍ୟବହାର ନ କରିବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ
ନିମ୍ନ ଅବବାହିକା ଅଞ୍ଚଳରେ ବ୍ୟାପୁଛି ଝାଡ଼ାବାନ୍ତି
ଗାଁରେ ପହଞ୍ଚିଲେ ଡାକ୍ତରୀ ଟିମ୍‌, ରାଜନେତା ଓ ପ୍ରଶାସନ

ନଦୀ ତଳମୁଣ୍ଡରେ ଥିବା କଣାସ ବ୍ଲକ୍‌ର ଲୋକଙ୍କ ପାଇଁ ଦୟା ଜଳ ପିଇବା ପାଇଁ ଏକମାତ୍ର ଉତ୍ସ ହୋଇଥିବାରୁ ଲୋକେ ପିଇବାକୁ ବାଧ୍ୟ ହେଉଛନ୍ତି। ଗଡ଼ସାନପୁଟ, ଗଡ଼ବଡ଼ପୁଟ, ପାଣ୍ଡିଆକେରା, ଦୋକନ୍ଦା, କଣାସ, ତ୍ରିଲୋଚନପୁର, ଗଡ଼ବଳଭଦ୍ରପୁର, ଚୁପୁରିଙ୍ଗି, ଗଡ଼ଶାହି, ବଡ଼ାଲ, ଗୋପୀନାଥପୁର, କାଦୁଆ, ଗଡ଼ିଶାଗୋଦା ପଞ୍ଚାୟତର ଶତାଧିକ ଗ୍ରାମ ଦୟା, ମକରା ଓ ରଜୁଆ ନଦୀର ଜଳକୁ ପାନୀୟ ଜଳ ସହିତ ନିତ୍ୟ ବ୍ୟବହାର୍ଯ୍ୟ କାମରେ ଲଗାଉଛନ୍ତି। ଦୂଷିତ ଜଳ ଯୋଗୁଁ କଣାସ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ବ୍ୟାପିଛି। ସର୍ବାଧିକ ପ୍ରଭାବିତ ନୂଆଗାଁ ଓ ଜାଗୁଳାଇପଦରକୁ ମାଳମାଳ ପ୍ରାଶାସନିକ ଅଧିକାରୀ, ଡାକ୍ତରୀ ଦଳ, ଓ ରାଜନେତାଙ୍କର ଧାଡ଼ି ଲମ୍ବଛି। ଆଜି ଦୁଇ ଗ୍ରାମରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜୀବ ପରିଡ଼ା, କଣାସ ତହସିଲ୍‌ଦାର ହିମାଂଶୁ ଶେଖର ଗିରି, ବିଡିଓ ନାରାୟଣ ସାହୁ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେହିପରି ନୂଆଗାଁରେ ସତ୍ୟବାଦୀ ବିଧାୟକଙ୍କ ପତ୍ନୀ ଦେବବନିତା ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଲତାମଣି ଜଗଦ୍ଦେବ, ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ, ଉମାକାନ୍ତ ସାମନ୍ତରାୟଙ୍କ ସମେତ ବିଭିନ୍ନ ଲୋକପ୍ରତିନିଧି ପହଞ୍ଚି ଗ୍ରାମବାସୀଙ୍କଠାରୁ ଝାଡ଼ାବାନ୍ତି ବ୍ୟାପିଥିବା ସଂପର୍କରେ ପଚାରି ବୁଝିବା ସହିତ ଦୟା ନଦୀର ଦୂଷିତ ଜଳଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି।

ଦୟାରେ ଗଙ୍ଗୁଆ ନାଳର ଦୂଷିତ ଜଳ ନ ଛାଡ଼ିବାକୁ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇ ପାରୁନାହିଁ। ଫଳରେ ଦୟାନଦୀ କୂଳରେ ବସବାସ କରୁଥିବା ପିପିଲି, ଡେଲାଙ୍ଗ, ଜଟଣୀ ଓ କଣାସ ବ୍ଲକ୍‌ର ଶତାଧିକ ଗାଁ’ ଲୋକ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଦୟାର ଦୂଷିତ ଜଳ ରାଜୁଆ ଓ ମକରା ନଦୀକୂଳରେ ଥିବା ଗ୍ରାମବାସୀ ବ୍ୟବହାର କରୁଛନ୍ତି। ଜଳ ବ୍ୟବହାର କରୁଥିବା ଲୋକଙ୍କ ସହ ଜଳଜୀବ ମଧ୍ୟ ପ୍ରଭାବିତ ହୋଇଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ରୂପଭାନୁ ମିଶ୍ର କହିଛନ୍ତି ଯେ ଝାଡ଼ାବାନ୍ତି ବ୍ୟାପିଥିବା ଅଞ୍ଚଳର ଲୋକଙ୍କୁ ଦୟାନଦୀ ଜଳକୁ ପାନୀୟ ଭାବେ ବ୍ୟବହାର ନ କରିବାକୁ ସଚେତନ କରାଯାଉଛି। ଡାକ୍ତରୀ ଟିମ୍‌ ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି ବୋଲି ଡା. ମିଶ୍ର କହିଛନ୍ତି।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.