Breaking News

ବୀମା ସୁବିଧାରୁ ବଞ୍ଚିତ ଲିଙ୍ଗରାଜଙ୍କ ସମର୍ଥା ସେବାୟତ: ଯେତିକି କଠିନ ସେତିକି ବିପଜ୍ଜନକ ସେବା

ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବର୍ଗର ସେବାୟତମାନେ ଠାକୁରଙ୍କ ବିଭିନ୍ନ ପ୍ରକାର ସେବା ଓ ନୀତିକାନ୍ତି ପାଇଁ ନିୟୋଜିତ। ସେମାନଙ୍କ ମଧ୍ୟରେ ସମର୍ଥା ସେବାୟତ ଅନ୍ୟତମ। ଠାକୁରଙ୍କ ସମସ୍ତ କଠିନ ପରିଶ୍ରମଯୁକ୍ତ ସେବାରେ ସେମାନେ ନିୟୋଜିତ।

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଭିନ୍ନ ବର୍ଗର ସେବାୟତମାନେ ଠାକୁରଙ୍କ ବିଭିନ୍ନ ପ୍ରକାର ସେବା ଓ ନୀତିକାନ୍ତି ପାଇଁ ନିୟୋଜିତ। ସେମାନଙ୍କ ମଧ୍ୟରେ ସମର୍ଥା ସେବାୟତ ଅନ୍ୟତମ। ଠାକୁରଙ୍କ ସମସ୍ତ କଠିନ ପରିଶ୍ରମଯୁକ୍ତ ସେବାରେ ସେମାନେ ନିୟୋଜିତ। ମନ୍ଦିର ଚୂଡ଼ାକୁ ମହାଦୀପ ନେବାଠାରୁ ପତାକା ବାନ୍ଧିବା ପର୍ଯ୍ୟନ୍ତ ବିପଜ୍ଜନକ ସେବା ମଧ୍ୟ ସମର୍ଥା ସେବାୟତଙ୍କ କାମ ବା ଦାୟିତ୍ବ। ମାତ୍ର ପରିତାପର କଥା ସେମାନେ ଏହି ବିପଜ୍ଜନକ ସେବା କରୁଥିଲେ ହେଁ ସେମାନଙ୍କୁ ବୀମାଭୁକ୍ତ କରାଯାଉନାହିଁ। ଏନେଇ ବିଭିନ୍ନ ମହଲରୁ ବହୁଥର ଦାବି ହେଉଥିଲେ ମଧ୍ୟ ପ୍ରଶାସନ ଶୁଣୁ ନଥିବା ଅଭିଯୋଗ ହେଉଛି। କମ୍ ରୋଜଗାରରେ କଠିନ ଶ୍ରମଭିତ୍ତିକ ଓ ବିପଦପୂର୍ଣ୍ଣ ସେବା କରୁଥିବାରୁ ସେମାନଙ୍କ ପାଇଁ ବୀମା ସୁବିଧା ଯୋଗାଇ ଦେବାକୁ ଦାବି କରାଯାଉଛି। ଆଜି ପୁଣି ଏକାମ୍ର ଜନ ଜାଗରଣ ମଞ୍ଚ ଭୁବନେଶ୍ବର ଉପଜିଲ୍ଲାପାଳଙ୍କୁ ଏନେଇ ଦାବିପତ୍ର ଦେଇଛି।

ସମର୍ଥା ସେବାୟତମାନେ ବର୍ଷକ ବାରମାସ ବର୍ଷା ଓ ଶୀତରେ ମନ୍ଦିର ଚୂଡ଼ାକୁ ମହାଦୀପ ନିଅନ୍ତି। ୧୨ ମାସର ୨୪ଟି ଚତୁର୍ଦଶୀରେ ଓ ଜାଗର ଅମାବାସ୍ୟାରେ ମନ୍ଦିର ଚୂଡ଼ା ମହାଦୀପ ଯାଇଥାଏ। ସେହିଭଳି ବିଭିନ୍ନ ସମୟରେ ମନ୍ଦିର ଦଧିନଉତିରେ ପତାକା ବାନ୍ଧିବା କାମ ବି ସେମାନେ କରନ୍ତି। ଏହା ବେଶ୍‌ ବିପଜ୍ଜନକ କାମ। ସେହିଭଳି ପ୍ରତିଦିନ ଠାକୁରଙ୍କ ଭୋଗଲାଗି ପାଇଁ ଚୂନା କୁଟିବା, ବିରି ବାଟିବା, ପ୍ରସାଦ ରନ୍ଧନ ପାଇଁ ପାଣି ବୋହିବା ଭଳି କଠିନ ଶାରୀରିକ ପରିଶ୍ରମ କାମ ବି ସମର୍ଥା ସେବାୟତମାନେ କରନ୍ତି। ଏଥିସହିତ ବିଭିନ୍ନ ସମୟରେ ଘଣ୍ଟ ପିଟିବା କାମ ବି ସେମାନଙ୍କର। ପୂର୍ବରୁ ସମର୍ଥା ସେବାୟତଙ୍କ ୧୦ ପରିବାର ଏହି ସବୁ କାମ କରୁଥିଲେ। ଏବେ ସେମାନଙ୍କ ପରିବାର ସଂଖ୍ୟା ବଢ଼ିବଢ଼ି ୫୦ରେ ପହଞ୍ଚିଲାଣି। ତେଣୁ କାମ ବାଣ୍ଟି ହୋଇଯିବାରୁ ମୁଣ୍ଡପିଛା କମ୍ କାମ ମିଳୁଛି।

ପୂର୍ବରୁ ଖଞ୍ଜା ହୋଇଥିବା ଜମିବାଡ଼ିରୁ ଆୟ ବି କମି ଗଲାଣି। ଜମିବାଡ଼ି ସବୁ ସରକାରଙ୍କ ନାଁରେ। ପୂର୍ବଭଳି ଆୟ ଆଉ ନାହିଁ। କିନ୍ତୁ ଠାକୁରଙ୍କ ନୀତିକାନ୍ତିରେ ସେମାନେ ସାମାନ୍ୟତମ ଅବହେଳା କରନ୍ତି ନାହିଁ। ଜୀବନକୁ ପାଣି ଛଡ଼ାଇ ଏହି ସେବାୟତମାନେ ଠାକୁରଙ୍କ ନୀତି କରିଆସୁଛନ୍ତି। ଏକାମ୍ର ଜନ ଜାଗରଣ ମଞ୍ଚର ସଭାପତି ଭୀଷ୍ମନାରାୟଣ ନାୟକଙ୍କ କହିବା କଥା ମହାଶିବରାତ୍ରି ଦିନ ସମର୍ଥା ସେବାୟତ ମହାଦୀପ ସହ ମନ୍ଦିରରୁ ଖସିପଡ଼ି ଗୁରୁତର ହେଲେ। ସୌଭାଗ୍ୟକୁ କମ୍‌ ଉଚ୍ଚତାରୁ ପଡ଼ିଲେ ବୋଲି ଅଳ୍ପକେ ରକ୍ଷା ପାଇଗଲେ। ଟ୍ରଷ୍ଟ ବୋର୍ଡ ପକ୍ଷରୁ ତାଙ୍କର ଚିକିତ୍ସା ଖର୍ଚ୍ଚ ବହନ କରାଯାଉଛି। କିନ୍ତୁ କିଛି ବଡ଼ଧରଣର କ୍ଷତି ହୋଇଥିଲେ, ଟ୍ରଷ୍ଟବୋର୍ଡ କି ପ୍ରକାର ସହଯୋଗ କରିଥାନ୍ତା, ଭାବି ହେଉନାହିଁ। ତେଣୁ ବୀମା ସୁବିଧା ନିହାତି ଦରକାର। ସମର୍ଥା ନିଯୋଗ ସମ୍ପାଦକ ପ୍ରଶାନ୍ତ କୁମାର ସମର୍ଥା କୁହନ୍ତି ଯେ ବୀମା ସୁବିଧା ଯୋଗାଇ ଦେବାକୁ ପୂର୍ବରୁ ବହୁତ ଥର ପ୍ରଶାସନକୁ ଜଣାଇ ଦିଆଯାଇଛି। ହେଲେ କିଛି ବି ସୁଫଳ ମିଳିନି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି ଯେ ଟ୍ରଷ୍ଟ ବୋର୍ଡ ବୈଠକରେ ଏହି ସମସ୍ୟା ବିଷୟରେ ଆଲୋଚନା କରାଯିବ।

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.