ବ୍ରିସବେ: ଭାରତୀୟ ଦ୍ରୁତ  ବୋଲର ଯଶପ୍ରୀତ୍ ବୁମରାଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ପୂର୍ବତନ ଇଂଲଣ୍ଡ ମହିଳା କ୍ରିକେଟର୍ ଈଶା ଗୁହା ଶେଷରେ ଏଥି ପାଇଁ କ୍ଷମା ମାଗି ନେଇଛନ୍ତି। ବୁମ୍‌ରାଙ୍କୁ ପ୍ରଶଂସା କରିବାକୁ ଯାଇ ମୁଁ ଯେଉଁ ଶବ୍ଦଟି ବ୍ୟବହାର କରିଥିଲି ଏହାକୁ ବିଭିନ୍ନ ଭାବେ ବ୍ୟାଖ୍ୟା କରାଯାଇପାରିବ। ଏହା କାହାରିକୁ ବାଧିଥିଲେ କ୍ଷମା ମାଗି ନେଇଛି। ଅନ୍ୟମାନଙ୍କୁ ସମ୍ମାନ ଦେବାକୁ ମୁଁ ଅଗ୍ରାଧିକାର ଦେଇଥାଏ। ଏକ ଭୁଲ ଶବ୍ଦକୁ ଚୟନ କରିଥିବାରୁ ଦୁଃଖିତ। କାହାରିକୁ ବାଧିବା ଉଦ୍ଦେଶ୍ୟରେ ଏହା ବ୍ୟବହାର ହୋଇ ନଥିଲା।

ରବିବାର ଗାବା ଟେଷ୍ଟ୍‌ର ଦ୍ବିତୀୟ ଦିନ ସକାଳେ ବୁମ୍‌ରାଙ୍କ ୫ ୱିକେଟ୍‌ ସଫଳତା ଅବସରରେ ପୂର୍ବତନ ଅଷ୍ଟ୍ରେଲୀୟ ବୋଲର ବ୍ରେଟ୍ ଲି ଉଚ୍ଚ ପ୍ରଶଂସା କରିଥ‌ିଲେ। ଫକ୍ସ କ୍ରିକେଟ୍‌ ପାଇଁ ଆଲୋଚନା କରି ଲି ତାଙ୍କୁ ପ୍ରଶଂସା କରିଥିଲେ। ଏହି ସମୟ‌ରେ ଅନ୍ୟତମ ଭାଷ୍ୟକାର ଈଶା ଗୁହା ତାଙ୍କୁ ଏମ୍‌ଭିପି ଅଭିହିତ କରିଥିଲେ ମଧ୍ୟ ଏହାକୁ ବ୍ୟାଖ୍ୟା କରି ମୋଷ୍ଟ୍ ଭ୍ୟାଲୁଏବଲ୍‌ ପ୍ରାଇମେଟ୍ କହିଥିଲେ। ପ୍ଲେୟର୍‌ ବଦଳରେ ସେ ଜାଣିଶୁଣି ପ୍ରାଇମେଟ୍ କହିଥିଲେ। ଏହାକୁ ନେଇ ବିବାଦର ସୂତ୍ରପାତ ହୋଇଥିଲା। କାରଣ ପ୍ରାଇମେଟ୍‌ର ଅର୍ଥ ମାଙ୍କଡ଼ ଆକୃତି ମଣିଷକୁ ବୁଝାଇଥାଏ। ଏହି ଆକ୍ଷେପ ପରେ ଗୁହାଙ୍କୁ ପ୍ରଶଂସକମାନେ ସାମାଜିକ ଗଣମାଧ୍ୟମରେ ଛାଡ଼ିନଥିଲେ। ଗୁହାଙ୍କୁ ଅନେକ କଟୁ ସମାଲୋଚନା କରିଥିଲେ। ଏହି ଘଟଣା ୨୦୦୮ ମସିହାର ମଙ୍କିଗେଟ୍ ବିବାଦକୁ ମନେପକାଇ ଦେଇଥିଲା। ‌ସେତେବେଳେ ଆଣ୍ଡ୍ରିଉ ସାଇମଣ୍ଡ୍‌ଙ୍କୁ ହରଭଜନ ସିଂହ ମଙ୍କି ଡାକିବାରୁ ଏହା ‘ମଙ୍କିଗେଟ୍‌’ ବିବାଦ ରୂପେ ଚହଳ ସୃଷ୍ଟି କରିଥିଲା।