Breaking News

ବେଆଇନ ଖଣି କାର୍ଯ୍ୟ: ଆଦାୟ ହୋଇନି ୩୯୬୬ କୋଟି, ଓମ୍‌ବାଡ୍‌ସି ପ୍ରକଳ୍ପ ପ୍ରତି ଉଦାସୀନତା

କେନ୍ଦ୍ରୀୟ ସଶକ୍ତ କମିଟି ୨୦୧୮ ଜାନୁଆରିରେ ଆଇନର ଖିଲାପ କରିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦରେ ୩୯୯୬.୪ କୋଟି ଟଙ୍କା ଆଦାୟ କରିବାକୁ ସୁପାରିସ କରିଥିଲେ। ତାହା ଆଦାୟ କରିବା ଲାଗି ଠୋସ୍ ପଦକ୍ଷେପ ନିଆଯାଇନଥିଲା।

ଭୁବନେଶ୍ବର: କେନ୍ଦ୍ରୀୟ ସଶକ୍ତ କମିଟି ୨୦୧୮ ଜାନୁଆରିରେ ଆଇନର ଖିଲାପ କରିଥିବା ଲିଜ୍‌ଧାରୀଙ୍କଠାରୁ କ୍ଷତିପୂରଣ ବାବଦରେ ୩୯୯୬.୪ କୋଟି ଟଙ୍କା ଆଦାୟ କରିବାକୁ ସୁପାରିସ କରିଥିଲେ। ତାହା ଆଦାୟ କରିବା ଲାଗି ଠୋସ୍ ପଦକ୍ଷେପ ନିଆଯାଇନଥିଲା। ସେଥିପାଇଁ ଛଅ ବର୍ଷ ବିଳମ୍ବ ପରେ ମଧ୍ୟ ୨୦୨୩ ଜାନୁଆରି ସୁଦ୍ଧା ସେହି ଟଙ୍କା ଆଦାୟ ହୋଇପାରିନଥିଲା ବୋଲି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି) ପ୍ରସ୍ତୁତ କରିଥିବା ରିପୋର୍ଟରୁ ଜଣାପଡ଼ିଛି। ଓମ୍‌ବାଡ୍‌ସି ସମ୍ପର୍କିତ ରିପୋର୍ଟରେ ଏହି ତଥ୍ୟ ରହିଛି।

ଆଦିବାସୀ କଲ୍ୟାଣ ଓ ଖଣିଜ ଥିବା ଅଞ୍ଚଳର ବିକାଶ ପାଇଁ ୨୦୧୪ ଡିସେମ୍ବରରେ ଓଡ଼ିଶା ଖଣିଜ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍‌ବାଡ୍‌ସି) ଗଠନ କରାଯାଇଥିଲା। ଏହାର ସମୀକ୍ଷା ବେଳେ ସିଏଜି ଜାଣିବାକୁ ପାଇଥିଲେ ଯେ ୨୦୧୯-୨୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ବଜେଟ୍‌ ପ୍ରସ୍ତୁତ ହେଉନଥିଲା। ତେଣୁ ବହୁ ପାଣ୍ଠି ଖର୍ଚ୍ଚ ହୋଇନପାରି ବଳକା ରହିଯାଉଥିଲା। ବାର୍ଷିକ କାର୍ଯ୍ୟକାରିତା ଯୋଜନା ବି ପ୍ରସ୍ତୁତ ହେଉନଥିଲା। ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥା ପାଖରେ ଖର୍ଚ୍ଚ ନ ହୋଇ ରହିଯାଉଥିବା ପାଣ୍ଡିକୁ ମଧ୍ୟ ଓମ୍‌ବାଡ୍‌ସି ସମୀକ୍ଷା କରୁନଥିଲା। ଅର୍ଥ ବିଭାଗର ନିର୍ଦ୍ଦେଶ ସତ୍ତ୍ବେ ସମୀକ୍ଷା ରିପୋର୍ଟକୁ ଯୋଜନା ଓ ସମନ୍ବୟ ବିଭାଗକୁ ପଠାଯାଉନଥିଲା। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଖଣି ଲିଜ୍‌ଧାରୀମାନେ ଓମ୍‌ବାଡ୍‌ସି ପାଣ୍ଠିରେ ୧୬,୮୩୩.୩୪ କୋଟି ଟଙ୍କା ଜମା କରିଥିଲେ। ସେହି ପାଣ୍ଠିରୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ମଞ୍ଜୁର କରାଯାଉଛି ଯାହା ଅନୁଗୁଳଢେଙ୍କାନାଳଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ଜୀବିକା, ସ୍ବାସ୍ଥ୍ୟସେବା,ପରିମଳ, ଶିକ୍ଷା, ପାନୀୟଜଳ ଓ କ୍ରୀଡ଼ାର ଉନ୍ନତି ଆଦି କ୍ଷେତ୍ରରେ ବ୍ୟୟ କରାଯାଉଛି।

ଓମ୍‌ବାଡ୍‌ସି ପ୍ରକଳ୍ପ ପ୍ରତି ଉଦାସୀନତା
ବାର୍ଷିକ ବଜେଟ୍‌ ପ୍ରସ୍ତୁତ ହେଉନଥିଲା

ପାନୀୟ ଜଳ ଯୋଗାଣରେ ପ୍ରକଳ୍ପ ମଞ୍ଜୁର କରିବା ବେଳେ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ଚାଲୁଥିବା ପ୍ରକଳ୍ପକୁ ବିଚାରକୁ ନିଆଯାଇନଥିବା ସିଏଜି କହିଛନ୍ତି। ତେଣୁ କେତେକ ସ୍ଥାନରେ ମଞ୍ଜୁର ହୋଇଥିବା ପାନୀୟ ଜଳ ପ୍ରକଳ୍ପର କୌଣସି ଆବଶ୍ୟକତା ନଥିଲା। ବରଂ, ସେହି ପାଣ୍ଠିକୁ ଆଦିବାସୀ କଲ୍ୟାଣ ଓ ଅନ୍ୟାନ୍ୟ ପ୍ରାଥମିକତା କ୍ଷେତ୍ରରେ ବିନିଯୋଗ କରାଯାଇପାରିଥାନ୍ତା। ଅନୁଗୁଳ, ମୟୂରଭଞ୍ଜ, ଯାଜପୁର, କୋରାପୁଟର ୪୯ଟି ଗ୍ରାମ ପାଇଁ ୨୭ଟି କ୍ଷୁଦ୍ର ଜଳ ଯୋଗାଣ ପ୍ରକଳ୍ପ ପ୍ରସ୍ତାବ ଦେବା ପୂର୍ବରୁ କୌଣସି ଅଧ୍ୟୟନ କରାଯାଇନଥିଲା। ଫଳରେ ଚାରିଟି ଜିଲ୍ଲାରେ ୧.୭୩ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ପ୍ରକଳ୍ପ ଅଧାରୁ ବନ୍ଦ କରିଦିଆଯାଇଥିଲା। କେନ୍ଦୁଝରରେ ଯୋଜନା ଓ ପର୍ଯ୍ୟବେକ୍ଷଣ ଅଭାବରୁ ୧୨.୪୫ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥିଲା। ଢେଙ୍କାନାଳର ଭୂବନ ବ୍ଲକ୍‌ରେ ସମନ୍ବୟର ଘୋର ଅଭାବ ଦେଖିବାକୁ ମିଳିଥିଲା। ଅଂଶୀଦାରମାନଙ୍କ ସହ ପରାମର୍ଶ ନ କରି ଡିପିଆର୍‌ ତିଆରି ହୋଇଥିଲା। ତିନି ତିନି ଥର ପ୍ରକଳ୍ପ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ପ୍ରକଳ୍ପ କାର୍ଯ୍ୟ ୧୮ ମାସ ବିଳମ୍ବ ହେବାରୁ ୬.୧୬ କୋଟି ଟଙ୍କା ଅତିରିକ୍ତ ଖର୍ଚ୍ଚ ହୋଇଥିଲା। ଆନନ୍ଦପୁରର ହାଟଡିହିରେ ମଧ୍ୟ ସେହିଭଳି ପ୍ରକଳ୍ପ ସ୍ଥାନ ବାରମ୍ବାର ପରିବର୍ତ୍ତନ କରାଯାଇଥିଲା। ତେଣୁ ୨୦୦ ପରିବାର ପାଖରେ ପାନୀୟ ଜଳ ପହଞ୍ଚିବା ବିଳମ୍ବ ହୋଇଥିଲା। ଯାଜପୁର ଓ ଆନନ୍ଦପୁର ବିଭାଗର ନିର୍ବାହୀ ଯନ୍ତ୍ରୀମାନେ ପାନୀୟ ଜଳଯୋଗାଣ ପ୍ରକଳ୍ପର ରକ୍ଷଣାବେକ୍ଷଣରେ ବିଫଳ ହୋଇଥିଲେ ବୋଲି ସିଏଜି କହିଛନ୍ତି। ତେଣୁ ୧୪.୦୩ କୋଟି ଟଙ୍କାରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକର ଦୀର୍ଘସ୍ଥାୟିତ୍ବ ସନ୍ଦେହରେ ରହିଛି। ଯାଜପୁରର କାଲାଙ୍ଗିଆଟା ଗ୍ରାମରେ ଠିକାଦାର ଟ୍ୟାପ୍ ଲଗାଇ ନଥିଲେ। ୧୧ଟି ଗାଁରେ ପାଣି ପହଞ୍ଚୁ ନଥିବା ମଧ୍ୟ ଅଡିଟ୍ ବେଳେ ଜଣାପଡ଼ିଛି। ସୁକିନ୍ତାରେ ଠିକାରଦାରମାନଙ୍କୁ ଅଧିକ ୧୫.୧୬ କୋଟି ଟଙ୍କା ଦିଆଯାଇଥିବା ସିଏଜି ରିପୋର୍ଟରୁ ଜଣାପଡ଼ିଛି।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.