Breaking News

ବେଲୋଚୀ ବିଦ୍ରୋହ

ଏହା ପାକିସ୍ତାନ ସକାଶେ ଏକ ଶିକ୍ଷା ହେବା ଉଚିତ ଯେ ଆତଙ୍କବାଦର ପ୍ରୋତ୍ସାହନକୁ ଏକ ଏକରାଷ୍ଟ୍ରୀୟ ନୀତିରେ ପରିଣତ କରିବା ମୂଢ଼ ଅବିମୃଶ୍ୟକାରିତା ବ୍ୟତୀତ ଅନ୍ୟ କିଛି ନୁହେଁ। ସେହି ଦୃଷ୍ଟିରୁ ଏହି ଘଟଣାରେ ସଂପୃକ୍ତି ନେଇ ଭାରତ ଆଡ଼କୁ ପାକିସ୍ତାନର ତର୍ଜନୀ ନିର୍ଦ୍ଦେଶ କେବଳ....

ଏହା ପାକିସ୍ତାନ ସକାଶେ ଏକ ଶିକ୍ଷା ହେବା ଉଚିତ ଯେ ଆତଙ୍କବାଦର ପ୍ରୋତ୍ସାହନକୁ ଏକ ଏକରାଷ୍ଟ୍ରୀୟ ନୀତିରେ ପରିଣତ କରିବା ମୂଢ଼ ଅବିମୃଶ୍ୟକାରିତା ବ୍ୟତୀତ ଅନ୍ୟ କିଛି ନୁହେଁ। ସେହି ଦୃଷ୍ଟିରୁ ଏହି ଘଟଣାରେ ସଂପୃକ୍ତି ନେଇ ଭାରତ ଆଡ଼କୁ ପାକିସ୍ତାନର ତର୍ଜନୀ ନିର୍ଦ୍ଦେଶ କେବଳ ସେହି ବିମୂଢ଼ତାକୁ ଅଧିକ ପ୍ରଗାଢ଼ କରିଥାଏ ଯାହା। ଏବଂ ମେହରଙ୍ଗ ବେଲୋଚଙ୍କ ସକାଶେ ସତର୍କତାମୂଳକ ସଂକେତଟି ହେଲା ଆତଙ୍କବାଦ କବଳରେ ତାଙ୍କ ଆନ୍ଦୋଳନ ସୃଷ୍ଟି କରିଥିବା ସଦ୍ଦିଚ୍ଛା ମଧ୍ୟ ସତ୍ତା ହରାଇପାରେ, ଯାହା ଅଧିକାଂଶ ଆନ୍ଦୋଳନ କ୍ଷେତ୍ରରେ ପୂର୍ବରୁ ଘଟି ସାରିଛି।

ପାକିସ୍ତାନରେ ‌େବ‌େଲାଚୀ ଚରମ ପନ୍ଥୀମାନଙ୍କ ଦ୍ବାରା ଏକ ଯାତ୍ରୀବାହୀ ଟ୍ରେନର ଅପହରଣ, ତହିଁରେ ଥିବା ପ୍ରାୟ ଚାରି ଶହ ସରିକି ଯାତ୍ରୀଙ୍କୁ ପଣବନ୍ଦୀ ସ୍ବରୂପ ରଖି ସେମାନଙ୍କ ମୁକ୍ତି ବଦଳରେ ପାକିସ୍ତାନ ଜେଲ୍‌ରେ ଅଟକ ଥିବା ବେଲୋଚୀମାନଙ୍କ ଖଲାସ ଦାବି ଇତ୍ୟାଦିକୁ ନେଇ ସୃଷ୍ଟ ଭୟାବହ ଘଟଣାକ୍ରମକୁ ପୃଥିବୀର ଜଘନ୍ୟତମ ଆତଙ୍କବାଦୀ ଆକ୍ରମଣ ମଧ୍ୟରୁ ଅନ୍ୟତମ ଭାବେ ଅଭିହିତ କରାଯାଇପାରେ। ପାକିସ୍ତାନୀ ସେନାବହିନୀ ଦ୍ବାରା ଆତଙ୍କବାଦୀ ନିପାତ ଓ ପଣବନ୍ଦୀଙ୍କ ମୁକ୍ତି ଉଦ୍ୟମ ପ୍ରାୟ ଚାରି ଦିନ ପୂର୍ବରୁ ପ୍ରାରମ୍ଭ ହୋଇଯାଇଥିଲେ ହେଁ ଏହାର ପରିଣାମ ନେଇ ଉଭୟ ପକ୍ଷରୁ ପରସ୍ପର ବିରୋଧୀ ବକ୍ତବ୍ୟମାନ ପ୍ରସାରିତ ହେଉଥିବାରୁ ଏହି ସ୍ତମ୍ଭ ଲେଖା ହେଲାବେଳକୁ ବସ୍ତୁସ୍ଥିତି ଉପରୁ ଅସ୍ପଷ୍ଟତାର ଧୂମପଟଳ ହଟିପାରି ନାହିଁ। ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନୀ ସେନାବାହିନୀ ପକ୍ଷରୁ ‘ଅପରେସନ’ ସମାପ୍ତ ଓ ପଣବନ୍ଦୀମାନେ ମୁକ୍ତ ବୋଲି ଘୋଷଣା କରାଯାଇଥିବାବେଳେ ଏହି ଦୁଃସାହସୀ ଆକ୍ରମଣ ରଚନା କରିଥିବା ସଂଗଠନ ‘ବି.ଏଲ୍.ଏ.’ ବା ‘ବେଲୋଚ ଲିବରେସନ ଆର୍ମି’ର ବକ୍ତବ୍ୟ ଅନୁସାରେ ସଂଘର୍ଷ ଅବ୍ୟାହତ ରହିଛି ଏବଂ ସେହି ରେଳରେ ଯାତ୍ରା କରୁଥିବା ତଥା ପଣବନ୍ଦୀ ଭାବେ ଥିବା ସମସ୍ତ ୨୦୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରାଯାଇଛି। କହିବା ବାହୁଲ୍ୟ, ଏଭଳି ଏକ ଅତ୍ୟନ୍ତ ନିଦାରୁଣ ପରିସ୍ଥିତିରେ ‘ଶବ ଗଣତି’ ଯଦିଓ ଯେ କୌଣସି ସମ୍ବାଦପତ୍ରରେ ପ୍ରଥମ ପୃଷ୍ଠାର ଉପଜୀବ୍ୟ ହେବ, ତାହାକୁ ଅତିକ୍ରମ କରି ଏହାର କାରଣ ଓ ସୁଦୂରପ୍ରସାରୀ ପ୍ରଭାବ ସଂଦର୍ଭରେ ଏକ କ୍ଷୁଦ୍ର ଆଲୋଚନା ଏହି ପୃଷ୍ଠାରେ ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ୧୯୪୭ ମସିହାରେ ଏକ ସ୍ବାଧୀନ ରାଷ୍ଟ୍ର ରୂପେ ପାକିସ୍ତାନର ଆତ୍ମପ୍ରକାଶ ପରଠାରୁ ବେଲୋଚିସ୍ତାନର ଅଧିବାସୀମାନେ ଏକ ଭିନ୍ନ ରାଷ୍ଟ୍ରର ଦାବି କରିଆସିଛନ୍ତି, କାରଣ ସେମାନେ ‘ପଞ୍ଜାବୀ’ ଆଧିପତ୍ୟାଧୀନ ପାକିସ୍ତାନ ସରକାରଙ୍କ ବଶ୍ୟତାକୁ ବରଦାସ୍ତ କରି ନ ଥାଆନ୍ତି। କହିବା ଅନାବଶ୍ୟକ ଯେ ଇସଲାମାବାଦରେ କ୍ଷମତାରୂଢ଼ ସରକାରଗୁଡ଼ିକ ବେଲୋଚୀ ଦାବିକୁ ବଳପୂର୍ବକ ପଦାନତ କରିବାର ଅପପ୍ରୟାସ କରିଆସିଛନ୍ତି, ଯାହା ଆନ୍ଦୋଳନକୁ ତୀବ୍ରତର କରିଛି। ବେଲୋଚୀମାନଙ୍କ ମୂଳ ଭୟ ହେଲା ସେମାନଙ୍କ ସାଂସ୍କୃତିକ ସ୍ବାତନ୍ତ୍ର୍ୟ ଅବଲୀଳା କ୍ରମେ ‘ପଞ୍ଜାବୀ-ମୁସଲମାନ’ ସଂସ୍କୃତି ଦ୍ବାରା ଉଦରସାତ୍‌ ହୋଇଯିବ, ଯହିଁରେ ମୁଖ୍ୟ ପୃଷ୍ଠପୋଷକ ହେଉଛନ୍ତି ପାକିସ୍ତାନ ସରକାର। ସେ ଦୃଷ୍ଟିରୁ ଏହି ଆତଙ୍କବାଦୀ ଆକ୍ରମଣ ଅନ୍ୟ ଇସଲାମୀ ଆତଙ୍କବାଦୀ ଆକ୍ରମଣ ଠାରୁ ଭିନ୍ନ, କାରଣ ଏଥିରେ ‘ଧର୍ମୀୟ ଚରମବାଦ’ ଦୃଷ୍ଟିଗୋଚର ହୋଇ ନ ଥାଏ।
ବେଲୋଚିସ୍ତାନରେ ଯଦିଓ ପାକିସ୍ତାନ ସରକାର ବିରୋଧୀ ଅସନ୍ତୋଷ ପାଉଁଶ ତଳର ନିଆଁ ସଦୃଶ ସର୍ବଦା କୁହୁଳି ରହିଆସିଛି, ତୀବ୍ର ଆନ୍ଦୋଳନର ନିଆଁ ଚାରିଟି ପର୍ଯ୍ୟାୟରେ ଦୃଶ୍ୟମାନ ହୋଇଛି; ପ୍ରଥମଟି ୧୯୪୭ ମସିହାରୁ ୧୯୫୮ ମସିହା ପର୍ଯ୍ୟନ୍ତ ସାମରିକ ଶାସକ ଜେନେରାଲ ଆୟୁବ ଖାଁଙ୍କ ଅମଳରେ, ଦ୍ବିତୀୟଟି ୧୯୭୧ ମସିହାରୁ ୧୯୭୭ ମସିହା ପର୍ଯ୍ୟନ୍ତ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ପ୍ରଧାନମନ୍ତ୍ରିତ୍ବ କାଳରେ, ତୃତୀୟଟି ୧୯୯୯ ମସିହାରୁ ୨୦୦୪ ମସିହା ପର୍ଯ୍ୟନ୍ତ ଜୋନେରାଲ ପରଭେଜ ମୁସାରଫଙ୍କ ରାଷ୍ଟ୍ରପତିତ୍ବ ସମୟ‌େର ଏବଂ ଚତୁର୍ଥ ପର୍ଯ୍ୟାୟଟି ୨୦୦୬ ମସିହାରୁ ଏ ଯାବତ୍‌ ଏକାଧିକ ସରକାରଙ୍କ ଶାସନ କାଳରେ। ପ୍ରକାଶ ଥାଉ କି ସପ୍ତମ ଦଶକରେ ଏହି ଆନ୍ଦୋଳନ ଏଭଳି ହିଂସ୍ର ହୋଇଉଠିଥିଲା ଯେ ଏହାକୁ ଦମନ କରିବା ଲାଗି ପ୍ରାୟ ୮୦ ହଜାର ପାକିସ୍ତାନୀ ସୈନିକ ବସ୍ତୁତଃ ଏକ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ, ଯହିଁରେ ୩୦୦୦ ପାକିସ୍ତାନୀ ସୈନିକଙ୍କ ସହିତ ୫୦୦୦ ବେଲୋଚୀ ବିଦ୍ରୋହୀଙ୍କ ପ୍ରାଣହାନି ଘଟିଥିଲା।
ଉଲ୍ଲେଖଯୋଗ୍ୟ ଯେ ବେଲୋଚିସ୍ତାନରେ ଆନ୍ଦୋଳନମାନ ସେତେବେଳେ ସଂଘଟିତ ହୋଇଛି, ଯେତେବେଳେ ଇସଲାମାବାଦ ଦ୍ବା‌ରା ବେଲୋଚିସ୍ତାନ ପ୍ରତି ବୈମାତୃକ ଭାବ ପ୍ରଦର୍ଶନର ଧାରଣା ବଦ୍ଧମୂଳ ହୋଇଛି। ସ୍ବାଧୀନତା ପରେ ସୈନ୍ୟବାହିନୀ ପ୍ରେରଣ କରି ବେଲୋଚିସ୍ତାନକୁ ବଳପୂର୍ବକ ଅଧିକାର କରିନେବା ଏବଂ ‘ଏକ ପାକିସ୍ତାନ ରାଷ୍ଟ୍ର’ ନିର୍ମାଣର ଉଦ୍ୟମ‌େର ବେଲୋଚୀ ସଂସ୍କୃତିକୁ ଗର୍ଭସାତ୍‌ କରିଦେବାର ଉଦ୍ୟମ ସେଠାରେ ପ୍ରଥମ ବେଲୋଚୀ ଆନ୍ଦୋଳନକୁ ତୀବ୍ର କରିଥିଲା। ସପ୍ତମ ଦଶକରେ ଜୁଲଫିକର ଅଲ୍ଲୀ ଭୁଟ୍ଟୋଙ୍କ ଶାସନ କାଳରେ ବେଲୋଚିସ୍ତାନ ପ୍ରଦେଶ ଗଠନ ଯଦିଓ ବେଲୋଚୀମାନଙ୍କ ସକାଶେ ସାନ୍ତ୍ବନାପ୍ରଦ ଥିଲା, ତାହାର ଦୁଇ ବର୍ଷ ପରେ ‌େସଠାକାର ସରକାରକୁ ବହିଷ୍କାର କରାଯିବା ଦ୍ବିତୀୟ ଆନ୍ଦୋଳନକୁ ଜନ୍ମ ଦେଇଥିଲା, ଯାହା ଭୟାବହ ସଶସ୍ତ୍ର ସଂଘର୍ଷର ରୂପ ନେଇଥିଲା। ଜେନେରାଲ ପରଭେଜ ମୁସାରଫଙ୍କ ଶାସନ କାଳରେ ବେଲୋଚିସ୍ତାନର ଗ୍ବାଦାର ବନ୍ଦରର ବିକାଶ ଓ ମାଲିକାନା ଚୀନ ସରକାରକୁ ଅର୍ପଣ କରାଯିବା ପରେ ତୃତୀୟ ଥର ସକାଶେ ବେଲୋଚୀ ଆନ୍ଦୋଳନ ଦୃଷ୍ଟିଗୋଚର ହୋଇଥିଲା। ଉଲ୍ଲେଖଯୋଗ୍ୟ ‌େଯ ଗ୍ବାଦାର ବନ୍ଦର ହେଉ ବା ‘ବେଲ୍‌ଟ ରୋଡ୍‌ ଇନିସିଏଟିଭ୍‌’ ଯୋଜନାରେ ଚୀନର ଉଚ୍ଚାଭିଳାଷୀ ଅନ୍ତର୍ଦେଶୀୟ ରାଜପଥ ନିର୍ମାଣ ପ୍ରକଳ୍ପ ହେଉ; ସେଠାରେ ଚୀନର ଉପସ୍ଥିତି ଓ ପ୍ରଭାବକୁ ବେଲୋଚୀମାନେ ଅତ୍ୟନ୍ତ ସନ୍ଦେହ ଓ ଘୃଣାଭରା ଦୃଷ୍ଟିରେ ଦେଖନ୍ତି; କାରଣ ସେମାନଙ୍କ ସନ୍ଦେହ ‌େଯ ଦୁଷ୍ପ୍ରାପ୍ୟ ଖଣିଜ ପଦାର୍ଥ ଓ ପ୍ରାକୃତିକ ଗ୍ୟାସର ବିଶାଳ ଭଣ୍ଡାରକୁ ଧାରଣ କରିଥିବା ସେମାନଙ୍କ ଭୂଖଣ୍ଡଟି ଅବଲୀଳା କ୍ରମେ ଚୀନର ଏକ ଉପନିବେଶରେ ପରିଣତ ହେବ (ଯେମିତି ହୋଇଛି ଆଫ୍ରିକାରେ) ଏବଂ ଏହାର ଦୋହନ ଓ ଶୋଷଣରୁ ଇସଲାମାବାଦ ଏବଂ ବେଜିଂ ଲାଭ ପାଇବେ ସିନା, ବେଲୋଚିସ୍ତାନ ଶୂନ୍ୟଗର୍ଭା ଓ ଶୂନ୍ୟପ୍ରସୂ ହୋଇ ରହିଯିବ। କହିବା ଅନାବଶ୍ୟକ ଯେ ବେଲୋଚିସ୍ତାନର ପ୍ରତିବାଦକୁ ପାକିସ୍ତାନ ସରକାର ଦୃଢ଼ ମୁଷ୍ଟିରେ ଦମନ କରିବାକୁ ସର୍ବଦା ପ୍ରୟାସ କରିଆସିଛନ୍ତି, ଯହିଁରେ ପ୍ରତିବାଦକୁ ନିଷ୍ପ୍ରଭ କରିବା ଲାଗି ଅପହରଣ ଓ ହତ୍ୟାକୁ ଏକ ମୁଖ୍ୟ ଆୟୁଧ ଭାବେ ବ୍ୟବହାର କରାଯାଉଛି। ଏହି କ୍ରମରେ ୨୦୦୬ ମସିହାରେ ବେଲୋଚିସ୍ତାନର ଅନ୍ୟତମ ଜନପ୍ରିୟ ଓ ପ୍ରଭାବଶାଳୀ ନେତା ନୱାବ ଆକବର ମୁଫତିଙ୍କୁ ପା‌କିସ୍ତାନୀ ସେନାବାହିନୀ ଦ୍ବାରା ହତ୍ୟା କରାଯିବା ଥିଲା ବେଲୋଚୀ ଆନ୍ଦୋଳନ ପରିପ୍ରେକ୍ଷୀରେ ଏକ କାଳ ବିଭାଜିକା ସଦୃଶ, କାରଣ ଏହା ପରଠାରୁ ବେଲୋଚୀ ଉଗ୍ରବାଦୀ ସଂଗଠନଗୁଡ଼ିକ ଅତ୍ୟନ୍ତ ସକ୍ରିୟ ହୋଇ ଉଠି ଆତଙ୍କବାଦୀ କାର୍ଯ୍ୟକଳାପମାନର ସୂତ୍ରପାତ ଘଟାଇଛନ୍ତି, ଯାହାର ସଦ୍ୟତମ ଦୃଷ୍ଟାନ୍ତ ହେଉଛି ଏହି ରେଳ ଅପହରଣ ଘଟଣା।
ସଂପ୍ରତି ବେଲୋଚିସ୍ତାନରେ ସର୍ବା‌ଧିକ ପ୍ରଭାବଶାଳୀ ନେତୃତ୍ବ ରୂପେ ଯାହାଙ୍କ ଅାବିର୍ଭାବ ଗଟିଛି, ସେ ହେଉଛନ୍ତି ବତିଶ ବର୍ଷୀୟା ଡାକ୍ତର ଓ ମାନବ ଅଧିକାର କର୍ମୀ ମେହରଙ୍ଗ ବେଲୋଚ। ପ୍ରକାଶ ଥାଉ କି ଅସଂଖ୍ୟ ବେଲୁଚୀଙ୍କ ଅପହରଣ ଓ ହତ୍ୟାରେ ପାକିସ୍ତାନୀ ସରକାରଙ୍କ ସଂପୃକ୍ତି ବିରୋଧରେ ସେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରକାଶ ଥାଉ କି ଗଲା ବର୍ଷ ‘ଟାଇମ୍‌’ ପତ୍ରିକା ପକ୍ଷରୁ ମେହରଙ୍ଗଙ୍କୁ ପୃଥିବୀର ସର୍ବାଧିକ ପ୍ରଭାବଶାଳୀ ଶ‌‌ହେ ଜଣ ନେତାଙ୍କ ମଧ୍ୟରେ ସ୍ଥାନ ଦିଆଯାଇଛି। କହିବା ବାହୁଲ୍ୟ, ପାକିସ୍ତାନ ସରକାରଙ୍କ ପ୍ରତି ମେହରଙ୍ଗଙ୍କ ତୀବ୍ର ପ୍ରଶ୍ନବାଣ ସେଠାକାର ଆନ୍ଦୋଳନକୁ ଅଧିକ ଇନ୍ଧନ ଯୋଗାଇଛି, ଯହିଁରେ ଦେଖିବାକୁ ମିଳିଛି ଯେ ଉଗ୍ରବାଦୀ ବେଲୋଚୀ ସଂଗଠନଗୁଡ଼ିକ ଏକତ୍ର ହୋଇ ସମ୍ମିଳିତ ଭାବେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଛନ୍ତି। ବିଶେଷଜ୍ଞଙ୍କ ମତରେ ପାକିସ୍ତାନ ସରକାରଙ୍କ ଲାଗି ଏହା ହେଉଛି ସର୍ବାଧିକ ବଡ଼ ଆହ୍ବାନ।
ପାକିସ୍ତାନ ସରକାର ସ୍ବୀକାର କରିଛନ୍ତି ଯେ ‘ବି.ଏଲ୍‌.ଏ.’ର ଏହି ଆକ୍ରମଣ ପଛରେ ଆଫଗାନ ତାଲିବାନମାନଙ୍କ ପ୍ରତ୍ୟକ୍ଷ ଇଙ୍ଗିତ ଓ ସମର୍ଥନ ରହିଛି, ଯେଉଁ ତାଲିବାନୀମାନଙ୍କୁ ମାତ୍ର ଚାରି ବର୍ଷ ପୂର୍ବେ ପାକିସ୍ତାନ ସରକାର ସୁହୃଦ୍‌ ଭାବେ ଗ୍ରହଣ କରି କାବୁଲରେ ସସମ୍ମାନ ଶାସନରେ ଅଧିଷ୍ଠିତ କରାଇଥିଲେ। ଆତଙ୍କବାଦକୁ ପ୍ରୋତ୍ସାହନ ପ୍ରଦାନ କରୁଥିବା ପାକିସ୍ତାନ ସଂଦର୍ଭରେ ହିଲାରୀ କ୍ଲିଣ୍ଟନଙ୍କ ଭବିଷ୍ୟବାଣୀ ଅଗତ୍ୟା ସତ ହୋଇଛି ଯେ ବିଷଧର ସର୍ପ ପାଳନ କଲେ ଦିନେ ନା ଦିନେ ଦଂଶନର ଶିକାର ହେବା ଅନିବାର୍ଯ୍ୟ ହୋଇପଡ଼େ। ଅଷ୍ଟ୍ରେଲିଆରୁ ପ୍ରକାଶିତ ‘ବିଶ୍ବ ଆ‌ତଙ୍କବା‌ଦ ସୂଚକାଙ୍କ’ର ସଦ୍ୟତମ ସୂଚନା ଅନୁସାରେ ସର୍ବାଧିକ ଆତଙ୍କବାଦୀ ଆକ୍ରମଣ ଭୋଗିବାରେ ଆ‌ଫ୍ରିିକୀୟ ରାଷ୍ଟ୍ର ବରକିନା ପାସୋ ପରେ ପାକିସ୍ତାନର ସ୍ଥାନ ହୋଉଛି ପୃଥିବୀରେ ଦ୍ବିତୀୟ। ଏହା ପାକିସ୍ତାନ ସକାଶେ ଏକ ଶିକ୍ଷା ହେବା ଉଚିତ ଯେ ଆତଙ୍କବାଦର ପ୍ରୋତ୍ସାହନକୁ ଏକ ରାଷ୍ଟ୍ରୀୟ ନୀତିରେ ପରିଣତ କରିବା ମୂଢ଼ ଅବିମୃଶ୍ୟକାରିତା ବ୍ୟତୀତ ଅନ୍ୟ କିଛି ନୁହେଁ। ସେହି ଦୃଷ୍ଟିରୁ ଏହି ଘଟଣାରେ ସଂପୃକ୍ତି ନେଇ ଭାରତ ଆଡ଼କୁ ପାକିସ୍ତାନର ତର୍ଜନୀ ନିର୍ଦ୍ଦେଶ କେବଳ ସେହି ବିମୂଢ଼ତାକୁ ଅଧିକ ପ୍ରଗାଢ଼ କରିଥାଏ ଯାହା। ଏବଂ ମେହରଙ୍ଗ ବେଲୋଚଙ୍କ ସକାଶେ ସତର୍କତାମୂଳକ ସଂକେତଟି ହେଲା ଆତଙ୍କବାଦ କବଳରେ ତାଙ୍କ ଆନ୍ଦୋଳନ ସୃଷ୍ଟି କରିଥିବା ସଦ୍ଦିଚ୍ଛା ମଧ୍ୟ ସତ୍ତା ହରାଇପାରେ, ଯାହା ଅଧିକାଂଶ ଆନ୍ଦୋଳନ କ୍ଷେତ୍ରରେ ପୂର୍ବରୁ ଘଟି ସାରିଛି। ତେଣୁ ଏହା ତାଙ୍କ ସକାଶେ ମଧ୍ୟ ଏକ ବଡ଼ ଆହ୍ବାନ।

 

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.