Breaking News

ବୈକୁଣ୍ଠଧାମ ଖେଳ ଶେଷ: ହାଇକୋର୍ଟଙ୍କୁ ମିଛ କହିବା ମହଙ୍ଗା ପଡ଼ିଲା, ଆଜି ଉଚ୍ଛେଦ ହେବ

ଉଚ୍ଛେଦ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ବୈକୁଣ୍ଠଧାମ ଆଶ୍ରମ। ହାଇକୋର୍ଟରେ ମିଛ କହିବା କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ହାଇକୋର୍ଟ ସୁରକ୍ଷା ହଟାଇବା ପରେ ଆସନ୍ତାକାଲି ଏହାକୁ ଉଚ୍ଛେଦ କରିବାକୁ ଯୋଜନା କରିଛି ବିଡିଏ।

ଭୁବନେଶ୍ବର: ଉଚ୍ଛେଦ ହେବାକୁ ଯାଉଛି ବହୁ ଚର୍ଚ୍ଚିତ ବୈକୁଣ୍ଠଧାମ ଆଶ୍ରମ। ହାଇକୋର୍ଟରେ ମିଛ କହିବା କର୍ତ୍ତୃପକ୍ଷଙ୍କୁ ମହଙ୍ଗା ପଡ଼ିଛି। ହାଇକୋର୍ଟ ସୁରକ୍ଷା ହଟାଇବା ପରେ ଆସନ୍ତାକାଲି ଏହାକୁ ଉଚ୍ଛେଦ କରିବାକୁ ଯୋଜନା କରିଛି ବିଡିଏ। ଭରତପୁର ପୁଲିସର ସହାୟତା ଲୋଡ଼ିବା ସହ କଂକ୍ରିଟ୍‌ କାନ୍ଥ ଭାଙ୍ଗିବା ପାଇଁ ବଡ଼ବଡ଼ ମେସିନ୍‌ ଯୋଗାଡ଼ କରିଛି। ପୂର୍ବାହ୍ନ ୧୧ଟାରୁ ଏହି ଉଚ୍ଛେଦ ଆରମ୍ଭ ହେବ। ଉଚ୍ଛେଦ ପରେ ସରକାରୀ ଜମିକୁ ପାଚେରି କରି ସୁରକ୍ଷିତ ରଖାଯିବ ବୋଲି କହିଛି ବିଡିଏ।

ତେବେ ବଡ଼ କଥା ହେଉଛି, ଘାଟିକିଆ ମୌଜା ଖାତା ନଂ. ୨୩୩୯(ଜିଏଡି) ପ୍ଲଟ୍‌ ନଂ ୯୦୩୭ ଓ ୯୦୩୮(ଆଂଶିକ ପ୍ଲଟ୍‌)ର ୧୪୦ ଡିସିମିଲ୍ ଜମିରେ ଏହି ଆଶ୍ରମ ରହିଛି। ଯାହାକୁ ଆସନ୍ତାକାଲି ବିଡିଏ ଉଚ୍ଛେଦ କରିବାକୁ ଯାଉଛି। ଯେଉଁ ପ୍ଲଟ୍‌ର ଏହା ଅଂଶ, ସେହି ମୂଳ ପ୍ଲଟ୍‌ରେ ୨୨ଏକରରୁ ଊର୍ଦ୍ଧ୍ବ ଜମି ରହିଛି। ଯେଉଁଥିରେ ବସ୍ତି ଗଢ଼ି ଉଠିଛି। ସେ ସବୁ ଉଚ୍ଛେଦ ହେବ ନାହିଁ। ସେ ନେଇ ବିଡିଏ ସ୍ପଷ୍ଟ କରିନାହିଁ। ଅର୍ଥାତ୍‌ ପୂର୍ବରୁ ଯେଭଳି ଆଶ୍ରମକୁ ବିଡିଏ ସୁରକ୍ଷା ଦେଇ ଆସିଥିଲା, ଏବେ ବାକି ଜମିକୁ ମଧ୍ୟ ଅନୁରୂପ ଢଙ୍ଗରେ ସୁରକ୍ଷା ଦେବାକୁ ବିଡିଏର ବାବୁମାନେ ଯୋଜନା କରିଥିବା ସ୍ପଷ୍ଟ ହୋଇଛି।

ସୂଚନା ମୁତାବକ, ଏଠାରେ ୩୭ ଏକର ବିଶିଷ୍ଟ ଏକ ବଡ଼ ଜାଗା ରହିଛି। ଏଠାରେ ବସ୍ତି ଉନ୍ନୟନ ପ୍ରକଳ୍ପରେ ଘର ନିର୍ମାଣ କରିବାକୁ ସାଧାରଣ ପ୍ରଶାସନ (ଜିଏ)ବିଭାଗକୁ ବିଡିଏ ଜମି ମାଗିଥିଲା। ସିଡିପି ଲ୍ୟାଣ୍ଡ ଆଣ୍ଡ ଇମ୍ପ୍ଲିମେଣ୍ଟେସନ ପଲିସିରେ ଜିଏ ବିଡିଏକୁ ୨୦୧୫ ମସିହାରେ ୨୨.୭୯୨ ଏକର ଜମି ହସ୍ତାନ୍ତର କରିଥିଲା। କିନ୍ତୁ ବିଡିଏ ନା ଏହାର ଯତ୍ନ ନେଲା, ନା ବସ୍ତିବାସିନ୍ଦାଙ୍କ ପାଇଁ ଘର ନିର୍ମାଣ କଲା। ଏଣୁ ପଡ଼ି ପଡ଼ି ଜବରଦଖଲ ହୋଇଗଲା। କେବଳ ଜବରଦଖଲ ହେଲା ନାହିଁ ବରଂ ୧୦ ଏକରରୁ ଊର୍ଦ୍ଧ୍ବ ଜମି ବିକାକିଣା ହୋଇଯାଇଛି। ବାକି ଜାଗାରେ ବଡ଼ ବସ୍ତି ଗଢ଼ିଉଠିଛି। ଏଣୁ ‌ସେ ସବୁ ଜମି ଆଉ ଫେରାଇ ଆଣିବା ଏକ ପ୍ରକାର ଅସମ୍ଭବ। ତେବେ କେବଳ ବିଡିଏକୁ ମିଳିଥିବା ୨୨.୭୯୨ ଏକର ନୁହେଁ, ବରଂ ବଡ ପ୍ଲଟ୍‌‌ରେ ଥିବା ୩୭ ଏକରରୁ ବାକି ପ୍ରାୟ ୧୫ ଏକର ଜମି ମଧ୍ୟ ଜିଏ ବିଭାଗ ଦଖଲରେ ନାହିଁ। ସେ ସବୁକୁ ଉଚ୍ଛେଦ କରିବାକୁ ମଧ୍ୟ ଜିଏ ଯୋଜନା କରିନାହିଁ।

ବାବା ବୈକୁଣ୍ଠଧାମ ଭଳି ଏ ସବୁ ମଧ୍ୟ ବର୍ଷବର୍ଷ ଧରି ଜବରଦଖଲରେ ରହିଛି। କେବଳ ବାବା ବୈକୁଣ୍ଠଧାମ ଆଶ୍ରମ ଚର୍ଚ୍ଚାକୁ ଆସିବା ପରେ ଏହାକୁ ଉଚ୍ଛେଦ କରି ବିଡିଏ ବିବାଦରୁ ଯଥାଶୀଘ୍ର ମୁକୁଳିବାକୁ ଚାହୁଥିବା କୁହାଯାଉଛି। ସୂଚନାଯୋଗ୍ୟ, ଏହି ଜମିରେ ଯୋଗଶିକ୍ଷା କେନ୍ଦ୍ର କରିବା ପାଇଁ ଆଶ୍ରମ ଟ୍ରଷ୍ଟ ଜରିଆରେ ଗଣଶିକ୍ଷା‌ ବିଭାଗକୁ ଜମି ମାଗିଥିବା ହାଇକୋର୍ଟଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଥିଲା। ଏହା ମଧ୍ୟ ଲେଖିଥିଲା କି ଗଣଶିକ୍ଷା ବିଭାଗ ଆଶ୍ରମର ଆବେଦନକୁ ଗୁରୁତ୍ବର ସହ ନେଇ ଜିଏ ବିଭାଗକୁ ଜମି ହସ୍ତାନ୍ତର ପାଇଁ ସୁପାରିସ କରିଛି। ଏହି ଆଧାରରେ ହାଇକୋର୍ଟ ଆଶ୍ରମକୁ ସୁରକ୍ଷା ଯୋଗାଇଥିଲେ। ହେଲେ ଏହି ସବୁ ଚିଠିପତ୍ର ନକଲି ବୋଲି ଜଣାପଡ଼ିବା ପରେ ଗତ ୧୦ ତାରିଖରେ ହାଇକୋର୍ଟ ସୁରକ୍ଷା ହଟାଇ ଦେଇଥିଲେ।

 

 

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.