Breaking News

ବୈକୁଣ୍ଠଧାମ ଭାଙ୍ଗିଲେ, ପା‌ଚେରି କଲେନି: ଚାଲିଛି ଭୋଜିଭାତ, ସରକାରୀ ଜମିରେ ସୋ’ ରୁମ୍‌

ବୈକୁଣ୍ଠଧାମ ଉଚ୍ଛେଦ କଲେ। ତା’ ପରେ ଚୁପ୍‌ ବସିଗଲେ। ଏବେ ତା ଭିତରେ ଟେଣ୍ଟ୍‌ ଲାଗିଛି, ବାହାଘର ଭୋଜି ଚାଲିଛି। ଏହା ପାଖରେ ଥିବା ଆଉ ୫ଟି ପ୍ଲଟ୍‌ରେ ବେପାର ଚାଲିଛି। ଗୋଟିକରେ ଗାଡ଼ି ସୋ’ରୁମ୍‌ ହୋଇଥିବା ବେଳେ ଗୋଟିଏରେ ସିମେଣ୍ଟ ଗୋଦାମ ହୋଇଛି।

ଭୁବନେଶ୍ୱର: ବୈକୁଣ୍ଠଧାମ ଉଚ୍ଛେଦ କଲେ। ତା’ ପରେ ଚୁପ୍‌ ବସିଗଲେ। ଏବେ ତା ଭିତରେ ଟେଣ୍ଟ୍‌ ଲାଗିଛି, ବାହାଘର ଭୋଜି ଚାଲିଛି। ଏହା ପାଖରେ ଥିବା ଆଉ ୫ଟି ପ୍ଲଟ୍‌ରେ ବେପାର ଚାଲିଛି। ଗୋଟିକରେ ଗାଡ଼ି ସୋ’ରୁମ୍‌ ହୋଇଥିବା ବେଳେ ଗୋଟିଏରେ ସିମେଣ୍ଟ ଗୋଦାମ ହୋଇଛି। ଆଉ ଗୋଟିଏରେ ମହିଳା ସମିତି ଚାଲିଛି। ବାକି ଦୁଇଟିରେ କୋଠଘର ହୋଇଛି। ସେଠାରେ ମଦମାଂସର ଆସର ଜମୁଛି। ବୈକୁଣ୍ଠଧାମ ଉଚ୍ଛେଦ ବେଳେ ସାଧାରଣ ପ୍ରଶାସନ ବିଭାଗ (ଜିଏ) କହିଥିଲା କି ଏସବୁରୁ ଜବରଦଖଲ ଉଚ୍ଛେଦ ହେବା ପରେ ବିଡିଏ ଆଫର୍ଡେବୁଲ୍‌ ହାଉସିଂ ପ୍ରକଳ୍ପ ପ୍ରସ୍ତୁତ କରିବ। ହେଲେ ଜିଏର ଅନ୍ୟ ପ୍ଳଟ୍‌ ଉଚ୍ଛେଦରୁ କରିବେ କଣ, ବୈକୁଣ୍ଠଧାମ ଜାଗାକୁ ସୁରକ୍ଷା ଦେଇ ପାରିନାହାନ୍ତି।

ଘାଟିକିଆ ମୌଜା ଖାତା ନଂ. ୨୩୩୯(ଜିଏଡି) ପ୍ଲଟ୍‌ ନଂ ୯୦୩୭ ଓ ୯୦୩୮(ଆଂଶିକ ପ୍ଲଟ୍‌)ର ୧୪୦ ଡିସିମିଲ୍ ସରକାରୀ ଜମିରେ ବୈକୁଣ୍ଠଧାମ ଆଶ୍ରମ ରହିଥିଲା। ଏହାର ମୂଳ ପ୍ଲଟ୍‌ରେ ୩୭ଏକର ଜମ ରହିଛି। ଏଠାରେ ବସ୍ତି ଉନ୍ନୟନ ପ୍ରକଳ୍ପରେ ଘର ନିର୍ମାଣ କରିବାକୁ ବିଡିଏ ଜିଏକୁ ଜମି ମାଗିଥିଲା। ସିଡିପି ଲ୍ୟାଣ୍ଡ ଆଣ୍ଡ ଇମ୍ପ୍ଲିମେଣ୍ଟେସନ ପଲିସିରେ ଜିଏ ବିଡିଏକୁ ୨୦୧୫ ମସିହା ସେପ୍ଟେମ୍ବର ୩ ତାରିଖରେ ୨୨. ୭୯୨ ଏକର ଜମି ହସ୍ତାନ୍ତର କରିଥିଲା। କିନ୍ତୁ ବିଡିଏ ଘର ନିର୍ମାଣ ନକରିବାରୁ ଜବରଦଖଲ ହୋଇଗଲା। ଭାଗଭାଗ କରି ଏହି ଜମିକୁ ନେଇଗଲେ। କିଛି ବିକ୍ରି ହୋଇଗଲା। ଯେଉଁମାନେ ନକଲି କାଗଜପତ୍ରରେ କିଣିଛନ୍ତି ସେମାନେ ଏବେ କୋର୍ଟ ଯାଇଛନ୍ତି। ଜିଏ ସେ ସବୁ ମାମଲାରେ କୋର୍ଟରେ ଲଢ଼ୁନାହିଁ। ‌ମୋଟା ଅଙ୍କର ପଇସା ନେଇ ଅଧିକାରୀମାନେ ବସି ଯାଇଥିବା ଅଭିଯୋଗ ହୋଇଛି। କିନ୍ତୁ ଯେଉଁଗୁଡ଼ିକ ‌କୋର୍ଟ ଯାଇନାହିଁ କିମ୍ବା କୌଣସି ଅନ୍ତରୀଣ ଆଦେଶ ହୋଇ ନାହିଁ ସେଗୁଡ଼ିକ ଉଚ୍ଛେଦ କରିବାରେ କୌଣସି ସମସ୍ୟା ନାହିଁ। ହେଲେ ବିଭାଗୀୟ ଅଧିକାରୀ ବସିଯାଇଛନ୍ତି।

ଚାଲିଛି ଭୋଜିଭାତ
ସରକାରୀ ଜମିରେ ସୋ’ ରୁମ୍‌
ଫାଇଲ୍‌ ଚାପିଛି ଜିଏ ବିଭାଗ
ଭୀମପୁରରେ ଉଚ୍ଛେଦ ପରେ ଜବରଦଖଲ

ବଡ଼କଥା ହେଉଛି ୬ ବର୍ଷ ତଳେ ବିଡିଏ ଏହି ଅଞ୍ଚଳରୁ ଏକ ମଠ ଉଚ୍ଛେଦ କରିଥିଲା। ଏଥିରେ ରାଜନୈତିକ ସମ୍ପୃକ୍ତି ଥିବାରୁ ବିଡିଏକୁ ଉଚ୍ଛେଦ କରିବାକୁ ନୟାନ୍ତ ହେବାକୁ ପଡ଼ିଥିଲା। ହେଲେ ଏହାକୁ ଦଖଲକୁ ନେଇ ପାରିଲେନାହିଁ। ଫଳରେ ଏହା ଏବେ ବି ଜବରଦଖଲରେ ଅଛି। ପାଚେରି କରିବାକୁ ମାପଚୁପ ବେଳେ ପ୍ରବଳ ବିରୋଧ ହୋଇଥିଲା। ସେଠାରେ ରହୁଥିବା ୪ ଜଣ ବ୍ୟକ୍ତି ଆକ୍ରମଣ କରିବା ସହ ଖବର ପାଇ ତାଙ୍କର ଆଉ ୫ ଜଣ ସହଯୋଗୀ ଘଟଣାସ୍ଥଳରେ ପହଞ୍ଚିବାରୁ ବିଡିଏ କର୍ମଚାରୀ ମାପଚୁପ ଛାଡ଼ି ଫେରିବାକୁ ବାଧ୍ୟ ହୋଇଥିଲେ। ଏହା ପରେ ବିଡିଏ କିମ୍ବା ଜିଏ ଘଟଣାସ୍ଥଳକୁ ଯିବାକୁ ସାହସ ଜୁଟାଇ ପାରୁନାହାନ୍ତି।

ଠିକ୍‌ ସେହିଭଳି ଭୀମପୁର ଅଞ୍ଚଳରେ ରାସ୍ତାକଡ଼ରେ ଦୁଇମହଲା କୋଠା ନିର୍ମାଣ ହେଉଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଏ ବିଭାଗ ତତ୍ପରତା ପ୍ରକାଶ କରିଥିଲା। ଉଚ୍ଛେଦ ପାଇଁ ବିଡିଲଏକୁ ଚିଠି ଲେଖିବା ସହ ଦୁଇ ଦିନ ଧରି ଦୁଇ ମହଲା କୋଠାକୁ ଭାଙ୍ଗିଥିଲା। ହେଲେ ଏହାକୁ ପାଚେରି ନ କରିବାରୁ ଏହା ପୁଣି ଥରେ ଜବରଦଖଲ ହୋଇଛି। ଜବରଦଖଲକାରୀ ଏହାକୁ ତାରବାଡ଼ ଘେରାଇ ଭିତରେ କାହାରିକୁ ପୁରାଇ ଦେଉନାହିଁ। ବିଭାଗୀୟ ଅଧିକାରୀମାନେ ହାତଗୁଞ୍ଜା ନେଇ ଏହି ଜବରଦଖଲକୁୂ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ ହୋଇଛି। ଫଳରେ ଉଚ୍ଛେଦ ପରେ ବି ସରକାରଙ୍କ ଅକ୍ତିଆରକୁ ଆସିପାରୁ ନାହିଁ।

 

 

 

 

 

 

 

 

ସୌଜନ୍ୟ- ସମ୍ୱାଦ

Comments are closed.