Breaking News

ବୋଉ.. ଜୀବନର ଅମ୍ଳଜାନ

ମୋ ପିଲାଏ କହନ୍ତି, ‘‘ମାଆ ତୁମେ ସବୁଠାରୁ ବଢ଼ିଆ ରାନ୍ଧ, ତୁମ ପାଖରେ ଖାଇଲା ପରେ ଆମକୁ ଆଉ କାହାର ହାତରନ୍ଧା ଭଲ ଲାଗୁନି।’’ ଏଇ ସମାନ କଥା ମୁଁ ବି ମୋ ବୋଉକୁ କହୁଥିଲି। ଏତିକି ଟିକେ ତେଲ ମସଲାରେ ସେ ଏମିତି ରାନ୍ଧି ଦେଇଥାଏ ଯେ...

ଛନ୍ଦା ମିଶ୍ର

ମୋ ପିଲାଏ କହନ୍ତି, ‘‘ମାଆ ତୁମେ ସବୁଠାରୁ ବଢ଼ିଆ ରାନ୍ଧ, ତୁମ ପାଖରେ ଖାଇଲା ପରେ ଆମକୁ ଆଉ କାହାର ହାତରନ୍ଧା ଭଲ ଲାଗୁନି।’’ ଏଇ ସମାନ କଥା ମୁଁ ବି ମୋ ବୋଉକୁ କହୁଥିଲି। ଏତିକି ଟିକେ ତେଲ ମସଲାରେ ସେ ଏମିତି ରାନ୍ଧି ଦେଇଥାଏ ଯେ, ଖାଇ ସାରି, ହାତ ଚାଟି, ଗିନା ଚାଟିବା ପର୍ଯ୍ୟନ୍ତ କଥା ଯାଏ। ଆଉ ମୋର ଦୃଢ଼ ବିଶ୍ବାସ ଯେ ଆପଣମାନଙ୍କୁ ବି ଆପଣଙ୍କ ବୋଉଙ୍କ ହାତ ରନ୍ଧା ସବୁଠାରୁ ଭଲ ଲାଗୁଥିବ। ତେବେ ପ୍ରକୃତରେ ଆମ ବୋଉମାନେ ଜଣେ ଜଣେ ଉତ୍ତମ ରାନ୍ଧୁଣୀ ନା ୟା ଭିତରେ ଅନ୍ୟ କିଛି ରହସ୍ୟ ରହିଚି!

ମୁଁ ଭାବେ ଗୂଢ଼ ରହସ୍ୟଟିଏ ରହିଛି, ଯାହା ହେଲା ତେଲ ମସଲା ସହିତ ଗୋଟିଏ ଅଦୃଶ୍ୟ ଯାଦୁର ପୁଡ଼ିଆ ସେଇ ରନ୍ଧାରେ ବୋଉ ଏମିତି ମିଶେଇ ଦିଏ ଯେ ତା’ ହୃଦସଙ୍ଖାଳି ପାଇଁ ଐନ୍ଦ୍ରଜାଲିକ ସ୍ବାଦ ସମ୍ଭବ ହୋଇଯାଏ। ସେହି ଯାଦୁର ପୁଡ଼ିଆରେ ଥାଏ ଅମାପ ସ୍ନେହ, ଅକପଟ ଶ୍ରଦ୍ଧା ଓ ନିଜ ଜୀବନକୁ ତୁଚ୍ଛ କରି ଆଉ ଗୋଟିଏ ଜୀବନକୁ ମାଠିମୁଠି ଗଢ଼ି ତୋଳିବା ପାଇଁ ଅସରନ୍ତି ସ୍ବପ୍ନ! ଯାହା ସାମାନ୍ୟ ଚାଉଳ, ଡାଲି ଓ ପରିବାକୁ ପରିଣତ କରେ ଅମୃତରେ। ହେଲେ କେବଳ ବୋଉର ହାତରନ୍ଧା ନୁହେଁ, ବୋଉର ସେଇ ଉଷୁମ କୋଳ, ତା’ର ହାତ ଥାପୁଡ଼ା, ତା’ର ପଣତକାନି, ତା’ର ନାଲି ଆଖି, ତା’ର ମିଛ ରାଗ, ତା’ର ମିଠା ଗାଳି; ଏମିତି ଏମିତି ବୋଉର ସବୁ କଥାରେ ଥାଏ ଗୋଟିଏ ଅନନ୍ୟ ମହକ, ଯାହା ସବୁ ଅମାନିଆଙ୍କୁ ବୋଉର ବୋଲକରା କରିଦିଏ। ଯେତେ ଦୁଃଖ, ଯେତେ ବିବ୍ରତବୋଧ, ଯେତେ ଚିନ୍ତା ଥିଲେ ବି, ବୋଉ କୋଳରେ ମୁଣ୍ଡ ରଖିଦେଲେ, ବୋଉ ତା’ ହାତରେ ଥରେ ଆଉଁଷିଦେଲେ, ଲାଗେ ସବୁ ଠିକ୍ ହୋଇଯିବ, ମୋ ବୋଉ ତ ଅଛି, ମୋର ଆଉ ଚିନ୍ତା କ’ଣ? ରାତିରେ ନିଦ ଆସୁ ନ ଥିଲା ବେଳେ ବୋଉ ଯେତେବେଳେ ମୁଣ୍ଡ ଥାପୁଡ଼ାଇ ଧୋ ରେ ବାୟା ଧୋ… ଗୀତଟି ଗୁଣୁଗୁଣୁ କରି କାନ ପାଖରେ ଗାଇଦିଏ, ନିଦ ମାଉସୀ କୋଉଠି ଥାଏ କେଜାଣି, ଚୁପ୍ କରି ଆସି ବୋଉର ସେଇ ଗୀତ ଭିତରେ ପଶି ଛୁଆର ଦୁଇ ଆଖିକୁ ଜାବୁଡ଼ି ଧରେ। ସେ ଗୀତର ମାନେ କ’ଣ, ବୋଉ କେତେ ବୁଝେ ନା ଛୁଆ କେତେ ବୁଝେ! ହେଲେ ସେଇ ଅବୁଝା ଶବ୍ଦ ସବୁ ମହୁଠାରୁ ମିଠା ଲାଗେ, ଆଉ ଅବୁଝା ଅଝଟିଆକୁ ବୁଝେଇ ବାଝେଇ ତା’ ଆଖିରେ ଆଖିଏ ନିଘୋଡ଼ ନିଦ ଦେଇ, ଶୁଆଇ ଦିଏ। କେତେ ଆଶ୍ଚର୍ଯ୍ୟର କଥାଟିଏ ସତେ! ସାଧାରଣ ନାରୀଟିଏ, ବୋଉ ହେଲା ପରେ ତା’ ଦେହ ମନରେ ସତେ ଯେମିତି ଦୈବୀ ଶକ୍ତି ସବୁ ସଞ୍ଚରି ଆସନ୍ତି। ସନ୍ତାନର ସମସ୍ତ ଦୋଷ ଦୁର୍ବଳତାକୁ ଆକାଶ ଠାରୁ ଅଧିକ ବିଶାଳ ହୃଦୟରେ କ୍ଷମା କରିଦେବାର ସାମର୍ଥ୍ୟ ରଖେ ବୋଉ। ଯାବତୀୟ ଅଳି ଅର୍ଦ୍ଦଳିକୁ ଧରଣୀ ଠାରୁ ସହନଶୀଳା ହୋଇ ସହିପାରେ ବୋଉ।

ବୋଉ… ଶବ୍ଦଟିଏ ନୁହେଁ ତ ଉଲ୍ଲସିତ ଆବେଗଟିଏ। ବୋଉ, ଅନନ୍ୟ, ଅନୁପମ, ଅମୃତମୟ ଅନୁଭବଟିଏ। ଏହି ପବିତ୍ର ଅନୁଭବଟି ବୋଉ ପରି ରକ୍ତମାଂସଧାରୀ ସାଧାରଣ ମଣିଷଟିକୁ ଈଶ୍ବରଙ୍କ ଠାରୁ ମହାନ କରି ତୋଳେ। ନିଜ ଜୀବନ ଦେଇ, ଆଉ ଗୋଟିଏ ଜୀବନ ଗଢ଼ି, ତାକୁ ନିଜ ବକ୍ଷରୁ ଅମୃତ ପିଆଇ, ନିଜ ସୁଖ ଦୁଃଖ ଭୁଲି, ତା’ ସୁଖରେ ହସି ତା’ ଦୁଃଖରେ କାନ୍ଦି, ଶୋଉଣୁ ବସୁଣୁ ତା’ରି କଥା ଭାଳି ଜୀବନ ବିତାଇଦେବାରେ ଯଦି କେହି ଆନନ୍ଦ ଲାଭ କରେ, ତେବେ ସେ ହେଉଛି ବୋଉ। ନିଜ ରକ୍ତ ମାଂସ ଦେଇ ଗଢ଼ିଥିବା ଶରୀରଟି ପାଇଁ ନିଜ ରକ୍ତ ମାଂସକୁ ତିଳ ତିଳ କରି ଜାଳିପାରେ ବୋଉ। ସେଇ ଗୋଟିଏ ମୁହଁରେ ହସ ଟିକିଏ ଫୁଟେଇବା ପାଇଁ ସେ ନିଜର କୋଟିଏ ହସଙ୍କୁ ଦେଇପାରେ ଜଳାଞ୍ଜଳି। ସେଇଥି ପାଇଁ ତ କୁହାଯାଏ ଈଶ୍ବର ସବୁ ସ୍ଥାନରେ ସବୁ ସମୟରେ ଉପସ୍ଥିତ ରହିପାରିବେ ନାହିଁ ବୋଲି ନିଜର କା ରୂପେ ବୋଉଟିଏ ପଠେଇ ଦିଅନ୍ତି। ସେଇଥି ପାଇଁ ତ କୁହାଯାଏ, ଛୁଆ ଜନ୍ମ କରିଦେଲେ କେହି ବୋଉ ହୋଇ ଯାଏନା। ସାରା ଜୀବନ ପାଇଁ ଗୋଟିଏ ପ୍ରକାରର ବିବ୍ରତବୋଧ, ଗୋଟିଏ ପ୍ରକାରର ବ୍ୟାକୁଳତାକୁ ହୃଦୟରେ ସ୍ଥାନ ଦେବା ପାଇଁ ପ୍ରସ୍ତୁତ ହେଲେ ହିଁ ଜଣେ ବୋଉ ସାଜିପାରେ।

ଆଉ ଏ ସମଗ୍ର ପୃଥିବୀରେ ସବୁ ସମ୍ପର୍କ, ସ୍ୱାର୍ଥ ଉପରେ ନିଜର ମୂଳଦୁଆ ରଖୁଥିଲାବେଳେ କେବଳ ଏଇ ଗୋଟିଏ ପବିତ୍ର ସମ୍ପର୍କ ବୋଉ ଓ ତା’ ସନ୍ତାନକୁ ଆଜୀବନ ବାନ୍ଧି ରଖେ। ସେ ପବିତ୍ରତାର ପଟାନ୍ତର ନାହିଁ, ତାହା ଅନୁପମ। ପ୍ରକୃତରେ ସନ୍ତାନ ପାଇଁ ନିଜର ସବୁକିଛି ଓଜାଡ଼ିଦେଇ ବି ପ୍ରତିବଦଳରେ ବୋଉ ସନ୍ତାନଠାରୁ କୌଣସି ଆଶା ରଖେ ନାହିଁ। ପୁଅ ଯେତେ ଦୁଷ୍ଟ ହୋଇଥିଲେ ବି ତା’ ମୁହଁରୁ ‘ବୋଉ’ ଡାକଟି ଶୁଣିଦେଲେ ପୁଅର ସବୁ ଦୁଷ୍ଟାମିକୁ ପାସୋରିଦେଇ ତାକୁ କୋଳ କରି ନିଏ ବୋଉ। ତେବେ ସହଜରେ ଯାହା ମିଳେ ଆମେ ତା’ର ମୂଲ୍ୟ କେତେ ବା ବୁଝେ! ପ୍ରତି କ୍ଷଣ ନିଃଶ୍ବାସ ପ୍ରଶ୍ବାସ ନେଉଥିବା ମଣିଷଟି ଆଇସିୟୁରେ ପଡ଼ି ଭେଣ୍ଟିଲେଟର ଲାଗିଲା ପରେ ଯେମିତି ପ୍ରଶ୍ବାସଟିଏର ମୂଲ୍ୟ ବୁଝିପାରେ, ସେମିତି ବୋଉ ଗଲା ପରେ ଅନୁଭବ କରି ହୁଏ ଯେ ବୋଉ ବିନା ଜୀବନ କେତେ ଦୁର୍ବିଷହ ସତେ! ହଁ, ବୋଉ ହଉଚି ଏଇ ଜୀବନର ଅମ୍ଳଜାନ, ଯାହା ବିନା ମଣିଷ ବଞ୍ଚେ ସତ, କିନ୍ତୁ ବଞ୍ଚେ ଭେଣ୍ଟିଲେଟରରେ; ସେମିତି ବଞ୍ଚିବା କେଉଁ ଜୀବନରେ ଗଣା?

କିନ୍ତୁ ଗୋଟେ ବିରାଟ ଆଶ୍ୱାସନା କ’ଣ ଜାଣନ୍ତି! ବୋଉ ସିନା ତା’ର ମାଟିରେ ତିଆରି ଶରୀରଟିକୁ ମାଟିକୁ ସମର୍ପି ଦେଇ ଚାଲିଯାଏ, ହେଲେ ତା’ର ବୋଉ ଭାବଟିକୁ, ବୋଉପଣିଆର ସେଇ ଅପୂର୍ବ ଆବେଗକୁ, ସମର୍ପି ଦେଇଯାଏ ଏ ପୃଥିବୀକୁ। ଯେଉଁଥି ପାଇଁ ବୋଉ ଗୋଟିଏ ଶରୀର ନୁହେଁ, ବରଂ ଗୋଟିଏ ଅବ୍ୟକ୍ତ ଅନୁରାଗ, ଯାହା ମଣିଷଟିଏକୁ ସାରା ଜୀବନ ଭିଜେଇ ରଖେ।
(ବୋଉ ଦିବସ ଅବସରରେ)
ମୋ: ୯୪୩୭୪୫୩୬୧୦
(ମତାମତ ଲେଖକଙ୍କ ନିଜସ୍ବ)

 

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.