ଓଡିଶା

IT company: ବିଏସ୍ଏବିଟିରେ ଖୋଲିବ ଆଇଟି କମ୍ପାନି

ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍ଏବିଟି) ବଡ଼ ପରିବହନ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏଠାରେ ଆଇଟି ପ୍ରତିଷ୍ଠାନ....

ଭୁବନେଶ୍ୱର: ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍ଏବିଟି) ବଡ଼ ପରିବହନ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏଠାରେ ଆଇଟି ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବ। ଏଠାରେ ଆଇଟି କଂପାନୀ ପ୍ରତିଷ୍ଠା ଦ୍ୱାରା ପରିବହନ ସହ ବ୍ୟବସାୟିକ କାର୍ଯ୍ୟକଳାପ ବୃଦ୍ଧି ପାଇବ।  ପୂର୍ବରୁ ଘୋଷଣା ହୋଇଥିବା ଭିସା ଆପ୍ଲିକେସନ ସେଣ୍ଟର୍‌ ମାସକ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଯୋଜନା‌ ହୋଇଛି। ଏବେ ଏହି ଆଧୁନିକ ବସ୍ ଟର୍ମିନାଲ୍‌ ପରିଚାଳନା କରୁଥିବା ବିଡିଏ ବିଏସ୍ଏବିଟିର ଦୁଇଟି ମହଲାରେ ଥିବା ଜାଗାକୁ ଆଇଟି କମ୍ପାନିମାନଙ୍କ ପାଇଁ  ଦେବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଗୋଟିଏ ଛାତ ତଳେ ପରିବହନ, ସେବା ଓ ପ୍ରଯୁକ୍ତିବିଦ୍ୟାର ଏକ ଅନନ୍ୟ ମିଶ୍ରଣ ସମ୍ଭବ ହୋଇ ପାରିବ ବୋଲି କୁହାଯାଉଛି। ମଙ୍ଗଳବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ବିଏସ୍ଏବିଟିରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଗୃହ ଓ ନଗର ଉନ୍ନୟନ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ତଥା ବିଡିଏ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ଏହା ସହିତ ପରିସର ମଧ୍ୟରେ ଥିବା ଦୋକାନ ଘରର ଚାବିକୁ ହିତାଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ବିଏସ୍ଏବିଟିର ବିଭିନ୍ନ ଅଞ୍ଚଳ ବୁଲି ଦେଖିବା ସହିତ ଆହାର ଖାଦ୍ୟ କେନ୍ଦ୍ରରେ ଭାତ ଡାଲମା ଖାଇଥିଲେ।

ଆଇଟି କଂପାନି ହେବା ଫଳରେ ଦୈନିକ ଯାତ୍ରୀ ସଂଖ୍ୟା ବଢ଼ିବ, ଯାହା ଟର୍ମିନାଲ୍ ଭିତରେ ଥିବା ଦୋକାନୀମାନଙ୍କୁ ସିଧାସଳଖ ଲାଭ ପହଞ୍ଚାଇବ। ତେବେ ପୂର୍ବରୁ ଅନେକ ଦୋକାନୀ ବସ୍ ଟର୍ମିନାଲ୍ ବାହାରେ ବସିବାକୁ ବାଧ୍ୟ ହେଉଥିଲେ। ନୂଆ ବିଏସ୍ଏବିଟିରେ ସେମାନଙ୍କୁ  ଶୀତତାପ ନିୟନ୍ତ୍ରିତ ଦୋକାନ ଘର ଯୋଗାଇ ଦିଆଯାଇଛି। ଯାହାଦ୍ୱାରା ସେମାନେ ରୋଜଗାର କରି ଜୀବିକା ନିର୍ବାହ କରିପାରିବେ ବୋଲି ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା କହିଛନ୍ତି। ବିଏସ୍ଏବିଟିର ନିର୍ମାଣ ପୂର୍ବରୁ ବରମୁଣ୍ଡା ବସ୍ ଟର୍ମିନାଲ ପରିଚାଳନା କରୁଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆର୍‌ଟିସି) ଦ୍ବାରା କରାଯାଇଥିବା ଏକ ସର୍ଭେ ଆଧାରରେ ହିତାଧିକାରୀଙ୍କ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଥିଲା। ଆବଣ୍ଟିତ ଦୋକାନଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ, ପାଣି ସଂଯୋଗ ଏବଂ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ରହିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button