Breaking News

ବ୍ୟାଙ୍କ, ବୀମା କମ୍ପାନିଙ୍କୁ ନିର୍ଦ୍ଦେଶ: ଗ୍ରାହକଙ୍କ ଅଭିଯୋଗ ଶୀଘ୍ର ଶୁଣ

ଗ୍ରାହକମାନେ କରୁଥିବା ଅଭିଯୋଗକୁ ଶୁଣି ତାହାର ଶୀଘ୍ର ସମାଧାନ କରିବାକୁ ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକୁ ଆର୍ଥିକ ସେବା ସଚିବ ଏମ୍‌ ନାଗରାଜୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସରକାରୀ ବ୍ୟାଙ୍କ...

ନୂଆଦିଲ୍ଲୀ: ଗ୍ରାହକମାନେ କରୁଥିବା ଅଭିଯୋଗକୁ ଶୁଣି ତାହାର ଶୀଘ୍ର ସମାଧାନ କରିବାକୁ ବ୍ୟାଙ୍କ ଓ ବୀମା କମ୍ପାନିଗୁଡ଼ିକୁ ଆର୍ଥିକ ସେବା ସଚିବ ଏମ୍‌ ନାଗରାଜୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ସରକାରୀ ବ୍ୟାଙ୍କ, ବୀମା କମ୍ପାନି ଓ ନିୟାମକ ସଂସ୍ଥାର ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ବୈଠକରେ ଚୟନ କରାଯାଇଥିବା ୨୦ଟି ଅଭିଯୋଗ ସମାଧାନ ପ୍ରକ୍ରିୟାର ସମୀକ୍ଷା କରି ତାହାର ଗୁଣାତ୍ମକ ମାନକୁ ସଚିବ ପରଖିଥିଲେ।

ଅଭିଯୋଗ ସମାଧାନର ଗୁଣାତ୍ମକ ମାନରେ ଉନ୍ନତି ଆଣିବା ଲାଗି ପ୍ରତି ମାସରେ ବ୍ୟାଙ୍କ ଓ ବୀମା କମ୍ପାନିର ଅଧ୍ୟକ୍ଷ, ଏମ୍‌ଡି, ଇଡି ସ୍ତରର ବରିଷ୍ଠ ଅଧିକାରୀମାନେ ଅତିକମ୍‌ରେ ୨୦ଟି ଅଭିଯୋଗକୁ ନିରୀକ୍ଷଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୪ ଡିସେମ୍ବର ୨୬ରେ ଅନୁଷ୍ଠିତ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ବୋଲି ସଚିବ ଶ୍ରୀ ନାଗରାଜୁ କହିଥିଲେ। ସେ କହିଥିଲେ ଯେ ଗ୍ରାହକମାନେ କୌଣସି ସଂସ୍ଥା ବିରୋଧରେ କରୁଥିବା ଅଧିକାଂଶ ଅଭିଯୋଗ ହେଉଛି ଅସଲି। ଅଭିଯୋଗ ସମାଧାନ ବ୍ୟବସ୍ଥାର ମୂଳରେ ଗ୍ରାହକ ସନ୍ତୁଷ୍ଟି ରହିବା ଦରକାର ବୋଲି ସେ କହିଛନ୍ତି। ସେଥିରେ କୌଣସି ପ୍ରକାର ଅବହେଳା ଗ୍ରାହକ ସେବା ମୂଲ୍ୟବୋଧ ବିରୋଧୀ ଓ ତାହା ସଂସ୍ଥା ଓ ବ୍ରାଣ୍ଡ୍‌ର ଲୋକପ୍ରିୟତାକୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି। ତେଣୁ ନିଷ୍ଠାର ସହିତ ନିର୍ଧାରିତ ସମୟ ଭିତରେ ଅଭିଯୋଗଗୁଡ଼ିକର ଶୁଣାଣି କରିବାକୁ ସେ କହିଛନ୍ତି। ବାରମ୍ବାର ଆସୁଥିବା ଅଭିଯୋଗୁଡ଼ିକର ସଂଖ୍ୟା କମ୍ କରିବା ଏବଂ ଅଭିଯୋଗ ସମାଧାନରେ ପାରଦର୍ଶିତା ଆଣିବା ଲାଗି ସୂଚନା ପ୍ରଯୁକ୍ତିର ବ୍ୟବହାର କରିବାକୁ ସେ କହିଛନ୍ତି।

 

 

 

 

ସୌଜନ୍ୟ-ସମ୍ୱାଦ

Comments are closed.