Breaking News

ବୟସ୍କଙ୍କ ଅକସ୍ମାତ ମୃତ୍ୟୁ ପାଇଁ କୋଭିଡ୍ ଟିକା ଦାୟୀ ନୁହେଁ: ଆଇସିଏମ୍ଆର ତଥ୍ୟ ଉପସ୍ଥାପନ କଲେ ସରକାର

କୋଭିଡ୍ ଟିକା ଓ ଆକସ୍ମିକ ମୃତ୍ୟୁ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ତେବେ ପ୍ରମାଣରୁ ଜଣାପଡିଛି ଯେ, କୋଭିଡ୍ ଟିକାକରଣ ଦ୍ୱାରା ଅଚାନକ ମୃତ୍ୟୁର ଆଶଙ୍କା ବଢ଼େ ନାହିଁ।

ନୂଆଦିଲ୍ଲୀ: କୋଭିଡ୍ ଟିକା ଓ ଆକସ୍ମିକ ମୃତ୍ୟୁ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ତେବେ ପ୍ରମାଣରୁ ଜଣାପଡିଛି ଯେ, କୋଭିଡ୍ ଟିକାକରଣ ଦ୍ୱାରା ଅଚାନକ ମୃତ୍ୟୁର ଆଶଙ୍କା ବଢ଼େ ନାହିଁ। ଏହା ବଦଳରେ ଟିକା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରି ଡାକ୍ତରଖାନାରେ ଭର୍ତ୍ତି ହେବା ଓ ମୃତ୍ୟୁ ସମେତ କୋଭିଡ୍-୧୯ର ଗୁରୁତର ଦୁଷ୍ପରିଣାମକୁ ହ୍ରାସ କରିଥାଏ ବୋଲି ପ୍ରମାଣିତ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ନିକଟରେ ରାଜ୍ୟସଭାରେ ଦୋହରାଇଥିଲେ ଯେ କୋଭିଡ୍ ଟିକାକରଣ ଦ୍ୱାରା ଯୁବକମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ହେବାର ଆଶଙ୍କା ହ୍ରାସ ପାଇଥାଏ। କୋଭିଡ୍ ଟିକାକରଣ ଭାରତରେ ଯୁବ-ବୟସ୍କଙ୍କ ମଧ୍ୟରେ ଅଚାନକ ମୃତ୍ୟୁର ଆଶଙ୍କା ବଢ଼ାଇ ନାହିଁ; ବରଂ ଏହା ସେମାନଙ୍କ ମୃତ୍ୟୁ ସମ୍ଭାବନାକୁ ହ୍ରାସ କରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା ମଙ୍ଗଳବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ଆଇସିଏମ୍‌ଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନକୁ ଉଦାହରଣ ଦେଇ ମନ୍ତ୍ରୀ ଏହା କହିଛନ୍ତି। ଆଇସିଏମ୍‌ଆର ଗତବର୍ଷ ଅଗଷ୍ଟରେ ଏହି ଅଧ୍ୟୟନ କରିଥିଲା। ୧୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୭ଟି ତୃତୀୟ ସ୍ତରୀୟ ଚିକିତ୍ସା ହସ୍ପିଟାଲରେ ‘ମଲ୍ଟିସେଣ୍ଟ୍ରିକ୍ ମ୍ୟାଚ୍‌ଡ କେସ୍-କଣ୍ଟ୍ରୋଲ ଷ୍ଟଡି’ ଶୀର୍ଷକ ଏହି ଗବେଷଣାରେ ‘ଭାରତରେ ୧୮-୪୫ ବର୍ଷ ବୟସ୍କଙ୍କ ମଧ୍ୟରେ ଅଜଣା ଅଚାନକ ମୃତ୍ୟୁ ସହ ଜଡ଼ିତ କାରଣ’ ବିଷୟରେ ଅଧ୍ୟୟନ କରାଯାଇଥିଲା। ସମୁଦାୟ ୭୨୯ଟି ଆକସ୍ମିକ ମୃତ୍ୟୁ ମାମଲା ଏବଂ ୨,୯୧୬ ନିୟନ୍ତ୍ରିତ ଘଟଣାକୁ ବିଶ୍ଳେଷଣରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଅତୀତରେ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହେବା, ଆକସ୍ମିକ ମୃତ୍ୟୁର ପାରିବାରିକ ଇତିହାସ, ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ମଦ୍ୟପାନ, ନିଶା ଔଷଧ ବ୍ୟବହାର ଏବଂ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଜୋରଦାର ଶାରୀରିକ କାର୍ଯ୍ୟକଳାପ କରିବା ଦ୍ୱାରା ହଠାତ୍ ମୃତ୍ୟୁ ହେବାର ସମ୍ଭାବନା ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସୌଜନ୍ୟ-ସମ୍ୱାଦ

Comments are closed.