Breaking News

ବୟାଳିଶ ମୌଜାରୁ ବନ୍ଧୁକ କାରଖାନା ଠାବ ମାମଲା: ବିହାରରୁ ବନ୍ଧା‌ହେଲା ଚଗଲା

ଚଳିତ ମାସ ୧୩ ତାରିଖରେ କଟକ ବୟାଳିଶ ମୌଜାରୁ ଠାବ ହୋଇଥିଲା ଚୋରା ବନ୍ଧୁକ କାରଖାନା। ବେଣ୍ଟକର ଥାନା ଧୂଳେଶ୍ବର ଗାଁ ସିଢ଼ୁଆ ନଦୀ କୂଳରେ ଏକ ଚାଳ ଛପର ଗୁହାଳ ଘରେ ଚାଲିଥିଲା ଏହି ମିନି ମାଉଜର୍‌ ଫ୍ୟାକ୍ଟ୍ରି।

ଭୁବନେଶ୍ବର: ଚଳିତ ମାସ ୧୩ ତାରିଖରେ କଟକ ବୟାଳିଶ ମୌଜାରୁ ଠାବ ହୋଇଥିଲା ଚୋରା ବନ୍ଧୁକ କାରଖାନା। ବେଣ୍ଟକର ଥାନା ଧୂଳେଶ୍ବର ଗାଁ ସିଢ଼ୁଆ ନଦୀ କୂଳରେ ଏକ ଚାଳ ଛପର ଗୁହାଳ ଘରେ ଚାଲିଥିଲା ଏହି ମିନି ମାଉଜର୍‌ ଫ୍ୟାକ୍ଟ୍ରି। ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ଏସ୍‌ଟିଏଫ୍ କାରଖାନାରେ ନିୟୋଜିତ ଥିବା ବିହାରୀ କାରିଗରଙ୍କ ସମେତ ୪ଜଣଙ୍କୁ ଜେଲ୍‌ ହାଜତକୁ ପଠାଇସାରିଛି। କିନ୍ତୁ ଏହି ଭୟଙ୍କର ଆଗ୍ନେୟାସ୍ତ୍ର ବେପାରର ମୁଖ୍ୟ ଚାଲାଣକାରୀ ଧରାପଡ଼ି ନଥିଲା। ଓଡ଼ିଶାର ପଡ଼ୋଶୀ ରାଜ୍ୟ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଏହି କାରବାରର ନେଟ୍‌ୱର୍କ ବିଛାଇଥିବା ଚାଲାଣକାରୀ ଚଗଲା ଖୁଣ୍ଟିଆକୁ ଠାବ କରିଛି ଏସ୍‌ଟିଏଫ୍‌। କଟକ ଶଙ୍କରପୁରର ଦୁର୍ଦ୍ଦାନ୍ତ ଚଗଲାକୁ ଏସ୍‌ଟିଏଫ୍‌ ସ୍କ୍ବାଡ୍‌ ବିହାରରୁ ଉଠାଇଛି। ତା’ ମୋବାଇଲ୍‌ରୁ ଏହି କାରବାର ବାବଦରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି।

ପଡ଼ୋଶୀ ୪ରାଜ୍ୟରେ ଥିଲା ନେଟ୍‌ୱର୍କ

ବନ୍ଧୁକ କାରଖାନା ଠାବ ହେବା ପରେ ଏସ୍‌ଟିଏଫ୍‌ ପଞ୍ଝାରେ କେବଳ ଗୁହାଳ ଘର ମାଲିକ ଓ ୩ଜଣ ବିହାରୀ କାରିଗର ପଡ଼ିଥିଲେ। ଚଢ଼ଉ ବେଳେ ବିଭିନ୍ନ ସାଇଜ୍‌ର ୩୦ରୁ ଅଧିକ ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ କରାଯାଇଥିଲା। ଏତେ ସଂଖ୍ୟକ ବନ୍ଧୁକ କେଉଁ ବଜାରକୁ ଯାଉଥିଲା, ତାହା ଥିଲା ବେଶି ଗୁରୁତ୍ବପୂର୍ଣ୍ଣ। ଚଗଲା ବାବଦରେ ସୂଚନା ମିଳିବା ପରେ ପୁଲିସ ତାକୁ କଟକରେ ଦରାଣ୍ଡିବା ଆରମ୍ଭ କରିଥିଲା। କିନ୍ତୁ ତାକୁ ବିହାରରୁ ଗିରଫ କରାଯାଇଛି। ପୁଲିସ ସୂଚନାନୁସାରେ ପୂର୍ବରୁ ଚଗଲା ଜଣେ ଲଟେରି ବ୍ୟବସାୟୀ ଥିଲା। ୨୦୧୫ ମସିହାରେ ବାଦାମବାଡ଼ିରେ ଘଟିଥିବା ଏକ ହତ୍ୟାକାଣ୍ଡ ମାମଲାରେ ସେ ଗିରଫ ହୋଇଥିଲା। ଜେଲ୍‌ ରହଣି ଭିତରେ ସେ ଏହି ବିହାରୀ ବନ୍ଧୁକ ତିଆରି ଗ୍ୟାଙ୍ଗ୍‌ର କିଛି ସଦସ୍ୟଙ୍କ ସହ ପରିଚିତ ହୋଇଥିଲା। ୨୦୨୦ ମସିହାରେ ସେ ଜାମିନ ପାଇ ଜେଲ୍‌ରୁ ମୁକୁଳିଥିଲା ଏବଂ ବୟାଳିଶି ମୌଜା ବନ୍ଧୁକ କାରବାର  ରୢାକେଟ୍‌ରେ ଯୋଡ଼ି ହୋଇଥିଲା। ଓଡ଼ିଶାରୁ କୋଲକାତା ଦେଇ ସେ ବିହାର, ଝାଡ଼ଖଣ୍ଡକୁ ବନ୍ଧୁକ ଚାଲାଣ କରୁଥିଲା। ପରେ ଛତିଶଗଡ଼କୁ ତା’ର ନେଟ୍‌ୱର୍କରେ ଯୋଡ଼ିଥିଲା।  ସେ ହ୍ବାଟ୍‌ସଆପ୍‌ରେ ବନ୍ଧୁକର ଚିତ୍ର ତଥା ଡିଜାଇନ୍‌ ପଠାଉଥିଲା ଏବଂ ତାହା ଦେଖି କିଣିବାକୁ ଚାହୁଥିବା ଅପରାଧୀମାନେ ସେମାନଙ୍କ ପସନ୍ଦ ଅନୁସାରେ ବନ୍ଧୁକ ବରାଦ କରୁଥିଲେ। ଚଗଲା ମୋବାଇଲ୍‌ରୁ ବହୁ ଅପରାଧୀଙ୍କ ସୂଚନା ମିଳିଛି। ବିଶେଷକରି ଅନ୍ତଃରାଜ୍ୟ ଅପରାଧୀମାନଙ୍କ ତାଲିକା ଚଗଲା ମୋବାଇଲ୍‌ରେ ମହଜୁଦ ଥିବା ଜଣାପଡ଼ିଛି। ବହୁ ହାର୍ଡକୋର୍‌ ଅପରାଧୀମାନେ ଚଗଲାଠାରୁ ବନ୍ଧୁକ କିଣିଥିବା ଜଣାପଡ଼ିଛି। ଓଡ଼ିଶାରେ ତା’ର ନେଟ୍‌ୱର୍କ କିଛି କମ୍‌ ନୁହେଁ। ତେଣୁ ଅଧିକ ଛାନ୍‌ଭିନ୍‌ ପାଇଁ ପୁଲିସ ଉଭୟ ଚଗଲା ଓ ଗୁହାଳ ମାଲିକ ଶରତ ଯାଦବକୁ ରିମାଣ୍ଡରେ ଆଣିବ। ସୂଚନାଯୋଗ୍ୟ ଯେ ପଶ୍ଚିମବଙ୍ଗର ଏକ ଦୁର୍ଦାନ୍ତ ଗ୍ୟାଙ୍ଗ୍‌ ସେଠିକା ପୁଲିସ ପଞ୍ଝାରେ ପଡ଼ିବା ପରେ ଓଡ଼ିଶା ବନ୍ଧୁକ କାରଖାନା କଥା ଜଣାପଡ଼ିଥିଲା।

 

 

 

 

 

ସୌଜନ୍ୟ-ସମ୍ୱାଦ

 

Comments are closed.